Unknown

 

 

 

 

 

 

 

 

 

 

 

ବାଇବେଲ କାହାଣୀ

ଶ୍ରୀ ସୁନନ୍ଦ କର

 

ବାଇବେଲ ବିଷୟରେ ଦୁଇପଦ

 

ହିନ୍ଦୁମାନଙ୍କର ଯେପରି ବେଦ, ପୁରାଣ ଓ ମୁସଲମାନମାନଙ୍କର କୋରାନ, ସେହିପରି ବାଇବେଲ ଇହୁଦୀ ଓ ଖ୍ରୀଷ୍ଟାନ ଦୁଇ ସଂପ୍ରଦାୟର ଧର୍ମଗ୍ରନ୍ଥ । ବାଇବେଲ ଦୁଇ ଭାଗରେ ବିଭକ୍ତ ‘ପୁରାତନ ଖଣ୍ଡ’ ଓ ‘ନୂତନ ଖଣ୍ଡ’ । ପୁରାତନ ଖଣ୍ଡରେ ସୃଷ୍ଟିର ଆରମ୍ଭରୁ ଭଗବାନ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିବା ସମୟ ପର୍ଯ୍ୟନ୍ତ ମଧ୍ୟ ପ୍ରାଚ୍ୟରେ ଯାହା କିଛି ଘଟିଯାଇଚି, ସେ ସବୁ ଲିପିବଦ୍ଧ ରହିଚି । ଭଗବାନ ଯୀଶୁଙ୍କ ଆବିର୍ଭାବ, ତାଙ୍କର ଅଲୌକିକ କାର୍ଯ୍ୟକଳାପ ଏବଂ ଅତୁଳନୀୟ ଉପଦେଶଗୁଡ଼ିକ ନୂତନ ଖଣ୍ଡରେ ଲେଖାଯାଇଛି । ଇହୁଦୀମାନେ କେବଳ ପୁରାତନ ଖଣ୍ଡକୁ ଧର୍ମଗ୍ରନ୍ଥ ରୂପେ ଜ୍ଞାନ କରନ୍ତି ଏବଂ ଖ୍ରୀଷ୍ଟାନମାନେ ପୁରାତନ ଖଣ୍ଡକୁ ଅସ୍ୱୀକାର ନ କଲେ ମଧ୍ୟ, ନୂତନ ଖଣ୍ଡକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

 

ଭଗବାନ ବୁଦ୍ଧ ଓ ଭଗବାନ ଯୀଶୁଙ୍କ ଜୀବନଧାରା ମଧ୍ୟରେ ଅନ୍ତତଃ ଗୋଟିଏ ଦୃଷ୍ଟିରୁ ଯଥେଷ୍ଟ ସାମଞ୍ଜସ୍ୟ ରହିଚି । ବୁଦ୍ଧଦେବ ସନାତନ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ବୈଦିକ ଯାଗଯଜ୍ଞ ଓ ପଶୁବଳିର ଘୋର ପ୍ରତିବାଦ କରି ଏକ ବିଶୁଦ୍ଧ ଦାର୍ଶନିକ ପନ୍ଥା ଉଦ୍‌ଭାବନ କରିଥିଲେ । ଯୀଶୁଖ୍ରୀଷ୍ଟ ମଧ୍ୟ ଇହୁଦୀ ବଂଶରେ ଜନ୍ମ ହୋଇ, ସେମାନଙ୍କ ମଧ୍ୟରେ ବ୍ୟାପିଯାଇଥିବା ନାନା କୁସଂସ୍କାର ଓ ଅନାଚାରର ପ୍ରତିବାଦ କରି ଏକ ସାତ୍ତ୍ୱିକ ଓ ବୌଦ୍ଧିକ ମାର୍ଗ ଆବିଷ୍କାର କରିଥିଲେ । ଏକଦା ହିନ୍ଦୁ ଓ ବୌଦ୍ଧଙ୍କ ମଧ୍ୟରେ ଲାଗି ରହିଥିବା କଳହ କଥା ପ୍ରାୟ ପ୍ରତ୍ୟେକଙ୍କୁ ଜଣା। ସେହିପରି ବହୁ ଶତାବ୍‌ଦୀ ଯାଏ ଇହୁଦୀ ଓ ଖ୍ରୀଷ୍ଟାନ ପରସ୍ପର ପରସ୍ପରକୁ ପରମ ଶତ୍ରୁ ରୂପେ ଜ୍ଞାନକରୁଥିଲେ । ଆଧୁନିକ ଯୁଗରେ ହିଟଲରଙ୍କର ନିର୍ବିଚାରରେ ଇହୁଦୀହତ୍ୟା ତହିଁର ଏକ ଜ୍ୱଳନ୍ତ ପ୍ରମାଣ ।

 

ତାହାଛଡ଼ା, କେବଳ ବାଇବେଲ କାହିଁକି, ଯେ କୌଣସି ଧର୍ମଗ୍ରନ୍ଥ ଗଭୀର ଚିନ୍ତାର ସହ ପଢ଼ିଲେ ସ୍ପଷ୍ଟ ବୁଝିହେବ ଯେ ବାହାରକୁ ବିଭିନ୍ନ ଦିଶୁଥିଲେ ମଧ୍ୟ ଆଦର୍ଶ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ସବୁ ଧର୍ମମତ ଏକ । ତେଣୁ ମହାତ୍ମା ଗାନ୍ଧୀ ତାଙ୍କ ପ୍ରାର୍ଥନା ସଭାମାନଙ୍କରେ ଗୀତା, ବାଇବେଲ ଓ କୋରାନ ନିୟମିତ ରୂପେ ପଢ଼ା ଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଆମ ଦେଶର ପୁରାଣଗୁଡ଼ିକରେ ଭଗବାନ ଯେପରି ଦୃଷ୍ଟର ଦମନ ଓ ଭକ୍ତର ଉଦ୍ଧାର ଲାଗି ଯୁଗେ ଯୁଗେ ନାନା ରୂପରେ ଅବତୀର୍ଣ୍ଣ ହେବାର ବର୍ଣ୍ଣନା ଦେଖାଯାଏ; ବାଇବେଲ ପୁରାତନ ଖଣ୍ଡରେ ମଧ୍ୟ ସେହିପରି ଅଜସ୍ର ଘଟଣା ବର୍ଣ୍ଣିତ ହୋଇଚି । ଆମ ପୁରାଣ ବର୍ଣ୍ଣିତ ମୁନି ଋଷି ଏବଂ ବାଇବେଲରେ ଉଲ୍ଲେଖ କରାଯାଇଥିବା ମହାପୁରୁଷମାନଙ୍କ ଅଲୌକିକ କ୍ରିୟା କଳାପ ମଧ୍ୟ ଏକାପ୍ରକାରର । ତେଣୁ ଆମ ଦେଶର ଯୁବକ ଗୋଷ୍ଠୀ, ବିଶେଷ ଛାତ୍ରସମାଜର ଦୃଷ୍ଟି ଏ ଦିଗରେ ଆକୃଷ୍ଟ କରିବା ଲାଗି ବାଇବେଲର ମୁଖ୍ୟ ଘଟଣାଗୁଡ଼ିକୁ ପ୍ରକାଶ କରାଯାଉଚି ।

 

କଟକ

 

ତା ୫ । ୪ । ୭୬

ସୁନନ୍ଦ କର

Image

 

ସୁଚୀପତ୍ର

 

ପ୍ରଥମାର୍ଦ୍ଧ-ପୁରାତନ ଖଣ୍ଡ

୧.

ସ୍ୱର୍ଗରୁ ପତନ

୨.

ମହାପ୍ଳାବନ

୩.

ଚରମ ପରୀକ୍ଷା

୪.

ଯାହାକୁ ରଖିବେ ଅନନ୍ତ

୫.

ଯେ ପାଞ୍ଚେ ପରର ମନ୍ଦ

୬.

ଦେବଶିଶୁ

୭.

ଦୈବଦଣ୍ଡ

୮.

ମହାବୀର ସାମ୍‌ସନ୍

୯.

ଆଦର୍ଶ ରାଜା ସଲୋମନ୍

୧୦.

ସାଧକ ଏଲିଜା

ଦ୍ୱିତୀୟାର୍ଦ୍ଧ-ନୂତନ ଖଣ୍ଡ

୧୧.

ସମ୍ଭବାମି ଯୁଗେ ଯୁଗେ

୧୨.

ଅଲୌକିକ ଶକ୍ତି

୧୩.

ସବୁ ସମ୍ଭବ

୧୪.

ଅପୂର୍ବ ବିଚାର

୧୫.

ଗଳ୍ପ ଛଳରେ ଶିକ୍ଷା

୧୬.

ସଇତାନର ପରାଜୟ

୧୭.

ପୁରୋହିତମାନଙ୍କର କ୍ରୋଧ

୧୮.

ମୁଁ ଅଧିକ ଦିନ ରହିବି ନାହିଁ

୧୯.

ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତା

୨୦.

ଶେଷରାତିର ଘଟଣାବଳୀ

୨୧.

ବିଚାର ଓ ପ୍ରାଣଦଣ୍ଡ

୨୨.

ପୁନରୁତ୍‌ଥାନ

୨୩.

ଧର୍ମର ଜୟଯାତ୍ରା

Image

 

ପ୍ରଥମାର୍ଦ୍ଧ–ପୁରାତନ ଖଣ୍ଡ

ସ୍ୱର୍ଗରୁ ପତନ

 

କୋଟି କୋଟି ବର୍ଷ ତଳର କଥା । ସେତେବେଳେ ଏଇ ପୃଥିବୀ ବା ଜୀବଜନ୍ତୁ କିଛି ହେଲେ ନଥିଲା । ଏପରି ସମୟରେ ପରମେଶ୍ୱରଙ୍କର ମନ ହେଲା ସୃଷ୍ଟି କରିବା ପାଇଁ । ପ୍ରଥମେ ସେ ସୃଷ୍ଟି କଲେ ଆଲୁଅ ଏବଂ ଅନ୍ଧାର, ତା ପଛକୁ ଜଳ ଆଉ ସ୍ଥଳ । ଜଳ, ସ୍ଥଳ ଆଉ ଶୂନ୍ୟକୁ ପ୍ରାଣବନ୍ତ କରିବା ପାଇଁ ଈଶ୍ୱର ମାଛ, କୂର୍ମ ପ୍ରଭୃତି ନାନାପ୍ରକାର ଜଳଚର ପ୍ରାଣୀ; ଗୋରୁ, ଘୋଡ଼ା, ବାଘ, ବାର୍‌ହା ଆଦି କେତେପ୍ରକାର ସ୍ଥଳଚର ପ୍ରାଣୀ ଏବଂ ଆକାଶରେ ଉଡ଼ିପାରିବାଭଳି ବହୁ ଜାତିର ପକ୍ଷୀ ସୃଷ୍ଟିକଲେ । ପୁଣି, ଏଇମାନଙ୍କ ଖାଇବା ସକାଶେ ପୃଥିବୀସାରା ଶସ୍ୟ, ଫଳଗଛ ଓ ଘାସଲତାରେ ଭରିଦେଲେ ।

 

ଏତେ ପ୍ରକାର ସୃଷ୍ଟି କରି ସୁଦ୍ଧା ପରମେଶ୍ୱର ସନ୍ତୁଷ୍ଟ ହେଲେନାହିଁ । ସେ ଚାହିଁଲେ ନିଜ ପରି ଏକ ପ୍ରାଣୀ ଗଢ଼ିବା ପାଇଁ ଏବଂ ସେଇ ଇଚ୍ଛା ବଳରେ ସୃଷ୍ଟି ହେଲେ ପ୍ରଥମ ପୁରୁଷ ‘ଆଦମ୍’ ଏବଂ ପ୍ରଥମ ସ୍ତ୍ରୀ ‘ଇଭ୍’ ।

 

ଆଦମ୍ ଓ ଇଭ୍‌କୁ ପରମେଶ୍ୱର ସବୁଠାରୁ ବେଶି ସ୍ନେହ କରୁଥିବା ଯୋଗୁଁ ସେମାନଙ୍କୁ ପୃଥିବୀକୁ ନ ପଠାଇ ସ୍ୱର୍ଗର ନନ୍ଦନକାନନରେ ସ୍ଥାନ ଦେଇ କହିଲେ–“ତୁମ ଦୁହିଁଙ୍କ ଲାଗି ମୁଁ ଏଠି ନାନାପ୍ରକାର ଫଳ ମୂଳ ସୃଷ୍ଟି କରିଚି । ସେ ସବୁ ଖାଇ ଦୁହେଁ ଏଠି ସ୍ୱାଧୀନ ଭାବରେ ରହ । ମାତ୍ର ସାବଧାନ ! ଏଇ ବଗିଚା ମଝିରେଥିବା “ଜ୍ଞାନବୃକ୍ଷ”ର ଫଳକୁ ଭୁଲରେ ସୁଦ୍ଧା ଛୁଇଁବ ନାହିଁ । ଏ କଥା ଅମାନ୍ୟ କଲେ ଘୋର ବିପଦରେ ପଡ଼ିବ ।

 

ପରମେଶ୍ୱରଙ୍କ କଥା ମାନି, ନାନା ଜାତିର ସୁସ୍ୱାଦୁ ଫଳ ଖାଇ ଓ ଝରଣାର ପାଣି ପିଇ ଆଦମ୍ ଏବଂ ଇଭ୍ ଦିଓଟି ନିର୍ଦୋଷ ଶିଶୁ ପରି ଦିନ କଟାଇବାକୁ ଲାଗିଲେ । ମାତ୍ର ସେମାନଙ୍କର ଏଇ ସରଳ ସୁଖକୁ ଗୋଟିଏ ପ୍ରାଣୀ ଆଦୌ ସହି ପାରିଲା ନାହିଁ–ସେ ହେଉଚି ‘ସାପ’ ।

ସେ ଯୁଗରେ ସାପର ପେଟ ତଳେ ଚାରିଗୋଟି ପାଦ ଥିଲା ଏବଂ ଖୁବ୍ ଶ୍ରୀଘ୍ର ଯା ଆସ କରିପାରୁଥିଲା । ଆଉ ଗୋଟିଏ କଥା ସାପଠି ବହୁତ ବେଶି ପରିମାଣରେ ଥିଲା–ତାହା ହେଉଛି ଖଳ ବୁଦ୍ଧି ।

ଆଦମ୍ ଓ ଇଭ୍‌କୁ ଅବାଟକୁ ଆଣିବା ଲାଗି ସାପ ଆସି ନନ୍ଦନକାନନରେ ଗୋଟାଏ ଗହଳିଆ ବୁଦା ଭିତରେ ଲୁଚିରହିଲା । ଦିନେ ଆଦମ୍ ନଥିବା ସମୟରେ ଇଭ୍‌କୁ ଭେଟି ସାପ କହିଲା–“ତୁମେ ଏଠି କଣ କରୁଚ ?”

ଇଭ୍ କହିଲା–“ମୁଁ ଓ ମୋର ସଙ୍ଗୀ ଆଦମ୍ ଏଠି ଘର କରି ରହିଚୁ ।”

ସାପ–“ତୁମେମାନେ କଣ ଖାଇ ବଞ୍ଚିଛ ?”

ଇଭ୍–“କାହିଁକି ? ଏହି ବଗିଚାରେ କେତେ ପ୍ରକାର ଫଳଗଛ ଅଛି, ସେଇ ସବୁ ଫଳ ଖାଇ ଆମେ ବଞ୍ଚିଛୁ !”

ସାପ ସେଠୁ ପଚାରିଲା–“ସବୁ ଗଛର ଫଳ ଖାଇଚ ?” ଟିକେ ଥମିଯାଇ ଇଭ୍ ଜବାବ ଦେଲା–“ବଗିଚା ମଝିରେ ଥିବା ଜ୍ଞାନ-ବୃକ୍ଷର ଫଳ ଛଡ଼ା ଆଉ ସବୁ ଫଳ ଖାଇଚୁ ।”

ତା ପରେ ସାପ କହିଲା–“ତୁମେ ଲୁଗା ପିନ୍ଧ ନାହଁ କାହିଁକି ?”

କାବା ହୋଇ ଇଭ୍ କହିଲା–“ଲୁଗା କଣ ?”

ବେଳ ଉଣ୍ଡି ସାପ ଜବାବଦେଲା–ଲୁଗା ବଡ଼ ଦରକାରୀ ଓ ସୁନ୍ଦର ଜିନିଷ । ମାତ୍ର ଜ୍ଞାନ-ବୃକ୍ଷର ଫଳ ନ ଖାଇବାଯାଏ ତୁମେ ଲୁଗା ଓ ସେହିପରି ନାନା ଅଜଣା ଭଲ ଭଲ ଜିନିଷ ବିଷୟ ଜାଣିପାରିବନାହିଁ । ସେ ଫଳରୁ ଗୋଟିଏ ଖାଇବା ମାତ୍ରେ ତୁମେ ସବୁ ବୁଝି ପାରିବ ।

ଚମକିପଡ଼ି ଇଭ୍ କହିପକାଇଲା–“ରକ୍ଷାକର ! ଜ୍ଞାନ-ବୃକ୍ଷର ଫଳ !! ପରମେଶ୍ୱର କହିଛନ୍ତି, ସେ ଗଛର ଫଳ ଖାଇଲେ ଆମେ ଘୋର ବିପଦରେ ପଡ଼ିବୁ ।”

ସାପ ହସି ହସି କହିଲା–‘‘ତୁମ ଦୁହିଁଙ୍କୁ ସବୁଦିନ ପାଇଁ ମୂର୍ଖ କରି ରଖିବା ଲାଗି ପରମେଶ୍ୱର ସେପରି କହିଚନ୍ତି । କାହିଁ, ମୁଁ ତ କେତେ ଥର ଜ୍ଞାନବୃକ୍ଷର ଫଳ ଖାଇଚି । କେଡ଼େ ଚମତ୍କାର ତାର ସ୍ୱାଦ ! ଆଉ ଏତେ ଥର ଖାଇ ସୁଦ୍ଧା ମୋର ତ ତିଳେ ହେଲେ କ୍ଷତି ହୋଇନାହିଁ । ବିଶ୍ୱାସ ନ ହେଉଚି ତ ମୁଁ ତୁମରି ସାମନାରେ ଗୋଟାଏ ଫଳ ଆଣି ଖାଉଚି, ଦେଖ !”

ଏ କଥା କହି ସାପ ସଙ୍ଗେ ସଙ୍ଗେ ଜ୍ଞାନ-ବୃକ୍ଷରୁ ଗୋଟିଏ ପାଚିଲା ଫଳ ତୋଳି ଆଣି ଖାଉ ଖାଉ କହିଲା–“ଆଃ, କେଡ଼େ ବଢ଼ିଆ । ତୁମେ ଦୁହେଁ କେଡ଼େ ବୋକା ଯେ ଆଜିଯାଏ ଏପରି ଚିଜ ନଖାଇ ରହିଚ ?”

ଜ୍ଞାନ-ଫଳର ରୂପ ଦେଖି, ବାସନା ଶୁଙ୍ଘି ଏବଂ ତା ବିଷୟରେ ସାପର ପ୍ରଶଂସା ଶୁଣି ଇଭ୍ ପାଟିରୁ ଲାଳ ବୋହିବାକୁ ଲାଗିଲା । ତା ମନ କଥା ବୁଝିପାରି ସାପ ଆଉ ଗୋଟାଏ ପାଚିଲା ଫଳ ଆଣି ତା ହାତରେ ଦେବା ମାତ୍ରେ ଇଭ୍ ଏକା କାମୁଡ଼ାକେ ଫଳର ଅଧାଅଧି ଖାଇପକାଇଲା ।

କିନ୍ତୁ ଇଏ କଣ ? ଜ୍ଞାନବୃକ୍ଷର ଫଳ ଖାଇବା ମାତ୍ରେ ଲୁଗା ପିନ୍ଧି ନଥିବା ଯୋଗୁଁ ଇଭ୍‌କୁ ବଡ଼ ଲାଜଲାଗିଲା । କଣ କରିବ ହଠାତ୍ ବିଚାରି ନ ପାରି ସେ ପାଖରେ ଥିବା ଗୋଟାଏ ଗଛର ପଛପଟେ ଲୁଚିଗଲା । ଯୋଗକୁ ଏତିକିବେଳ ଇଭ୍‌କୁ ଖୋଜି ଖୋଜି ଆଦମ୍ ବି ଆସି ସେଠି ପହଞ୍ଚିଗଲା । ସାପକୁ ଦେଖି ଆଦମ୍ ପଚାରିଲା–“ଇଭ୍ କେଉଁଠି ଅଛି ଜାଣିଚ ?”

 

ସାପ କହିଲା–“ଇଭ୍ ସେଇ ଗଛର ପଛପଟେ ଲୁଚିଛି ।”

 

ବଡ଼ ଆଶ୍ଚର୍ଯ୍ୟ ହୋଇ ଆଦମ୍ କହିଲା–“ଇଭ୍, ଇଏ କି କଥା ! ମୋତେ ଦେଖି ତୁମେ ଲୁଚୁଛ କାହିଁକି ?”

 

ଗଛ ପଛପଟେ ଥାଇ ଇଭ୍ କହିଲା–“ମୁଁ ଲୁଗା ପିନ୍ଧି ନାହିଁ ବୋଲି ଲାଜରେ ବାହାରିପାରୁନି ।”

 

କାବା ହୋଇ ଆଦମ୍ ଲୁଗା କି ଜିନିଷ ପଚାରିବାରୁ ଇଭ୍ ହାତରେ ଧରିଠିବା ଜ୍ଞାନ-ଫଳର ଅଧା ଖଣ୍ଡଟା ଆଦମ୍ ପାଖକୁ ଫିଙ୍ଗିଦେଇ କହିଲା–“ଏଇ ଫଳ ଖଣ୍ଡକ ଖାଇ ଦେଲେ ତୁମେ ସବୁ ବୁଝିପାରିବ ।”

 

ଆଗପଛ ନ ବିଚାର ବିଚାର ସରଳ ବିଶ୍ୱାସରେ ଆଦମ୍ ଫଳ ଖଣ୍ଡକ ଖାଇଦେବା ମାତ୍ରେ ନିଜେ ବି ଲଙ୍ଗଳା ହୋଇଥିବା ଯୋଗୁଁ ବଡ଼ ଲଜ୍ଜିତ ହୋଇପଡ଼ିଲା । ସେ ମଧ୍ୟ ଆଉ ଗୋଟାଏ ଗଛ ପଛପଟେ ଯାଇ ଲୁଚିଲା ।

 

ଏପରି ସମୟରେ ଈଶ୍ୱର ହଠାତ୍ ନନ୍ଦନକାନନରେ ପହଂଚି ଆଦମ୍ କିମ୍ବା ଇଭ୍‌କୁ ନ ଦେଖି ବଡ଼ପାଟିରେ ସେମାନଙ୍କୁ ଡ଼ାକିବାକୁ ଲାଗିଲେ । ପରମେଶ୍ୱରଙ୍କ ଡ଼ାକ ଶୁଣି ପଛପଟୁ ଆଦମ୍ ଉତ୍ତର ଦେଲା–“ପ୍ରଭୁ, ମୁଁ ଏଇ ଗଛର ପଛପଟେ ଲୁଚିଛି ?”

ପରମେଶ୍ୱର ପଚାରିଲେ–“କ’ଣ ପାଇଁ ତୁମେ ଲୁଚିଛ ?”

ଆଦମ୍ କହିଲା–ମୁଁ ଲଙ୍ଗଳା ହୋଇଥିବା ଯୋଗୁଁ ଆପଣଙ୍କ ଆଗକୁ ଯାଇପାରୁନାହିଁ ।”

“ତୁମେ ଲଙ୍ଗଳା ହୋଇଚ ବୋଲି କେମିତି ଜାଣିଲ ?” ପରମେଶ୍ୱର ପଚାରିଲେ ।

ଆଜ୍ଞା, ଇଭ୍ ମୋତେ ଖଣ୍ଡେ ଫଳ ଖାଇବାକୁ ଦେଲା । ସେଇ ଫଳଟି ଖାଇବା ମାତ୍ରେ ମୁଁ ବୁଝିପାରିଲି ଯେ ମୁଁ ଲଙ୍ଗଳା ହେଇଚି ।”

ସେଠୁ ପରମେଶ୍ୱର ଇଭ୍ କୁ ପଚାରିଲେ–“ତୁମେ କି ଫଳ ଆଦମ୍‌କୁ ଖାଇବାକୁ ଦେଇଥିଲ ?”

ଭୟରେ ଥରି ଥରି ଇଭ୍ କହିଲା–ଜ୍ଞାନ-ବୃକ୍ଷର ଫଳ।”

ଗମ୍ଭୀର ସ୍ୱରରେ ମହାପ୍ରଭୁ କହିଲେ–“ଜ୍ଞାନ ବୃକ୍ଷର ଫଳ ଖାଇବା ଲାଗି ମୁଁ ତୁମକୁ ବାରବାର ବାରଣ କରି ନଥିଲି କି ?”

ସେଠୁ ଇଭ୍ କାନ୍ଦୁଣିମାନ୍ଦୁଣି ହୋଇ କିପରି ଭାବରେ ସାପ ତାକୁ ନାନା ପ୍ରକାର ଲୋଭ ଦେଖାଇ ସେ ଫଳ ଖାଇବାକୁ ପ୍ରବର୍ତ୍ତାଇଲା, ସେ ସବୁ ଈଶ୍ୱରଙ୍କ ଆଗରେ କହିପକାଇଲା ।

ସବୁ କଥା ଶୁଣିସାରି ଈଶ୍ୱର ଅତ୍ୟନ୍ତ ଅସନ୍ତଷ୍ଟ ହୋଇ ସାପକୁ କହିଲେ–“ତୋ’ ଖଳବୁଦ୍ଧି ଯୋଗୁଁ ଏଇ ଦିଓଟି ସରଳ ନିର୍ଦୋଷ ପ୍ରାଣୀଙ୍କର ସର୍ବନାଶ ତୁ ଘଟାଇଲୁ । ଆଜିଠାରୁ ତୁ ଆଉ ପାଦରେ ନ ଚାଲି ପେଟରେ ଘୁଷୁରି ଘୁଷୁରି ଚାଲିବୁ, ତୋ ଦେହ ସାରା ଗରଳ ଭରିଯିବ, ସାରା ସୃଷ୍ଟିର ଜୀବ ତତେ ଭୟ ଓ ଘୃଣା କରିବେ ଏବଂ ସୁଯୋଗ ପାଇବା ମାତ୍ରେ ତତେ ପ୍ରାଣରେ ମାରିଦେବେ ।”

 

ତାପରେ ଇଭ୍‌କୁ ଅନାଇ ସେ କହିଲେ–“ମୁଁ ତୁମର ସୃଷ୍ଟିକର୍ତ୍ତା । ମୁଁ ବାରଂବାର ମନା କରିଥିବା ସତ୍ତ୍ୱେ ତୁମେ ଅବାଧ୍ୟ ହୋଇ ଆପେ ଜ୍ଞାନବୃକ୍ଷର ଫଳ ଖାଇଲ ଓ ଏଇ ଆଦମ୍‌କୁ ମଧ୍ୟ ଖୁଆଇଲ । ଏହି ଦୋଷର ଦଣ୍ଡ ରୂପେ ତୁମକୁ ସ୍ୱର୍ଗ ଛାଡ଼ି ପୃଥିବୀକୁ ଯିବାକୁ ପଡ଼ିବ, ସେଠି ତୁମେ ପୁରୁଷର ଅଧୀନ ହୋଇ ଚଳିବ ଏବଂ ବହୁତ କଷ୍ଟ ସହି କାଳ କାଟିବ ।”

 

ଶେଷରେ ଆଦମ୍‌କୁ ଈଶ୍ୱର କହିଲେ–“ତୁମେ ଅଜାଣତରେ ଏଇ ଫଳ ଖାଇଥିଲେ ସୁଦ୍ଧା ଯଥେଷ୍ଟ ଦୋଷ କରିଚ । ମୋ ଆଦେଶ ଅପେକ୍ଷା ସ୍ତ୍ରୀର କଥାକୁ ତୁମେ ବଡ଼ କଲ । ତେଣୁ ତୁମେ ମଧ୍ୟ ସ୍ୱର୍ଗରୁ ଯାଇ ପୃଥିବୀରେ ରହିବ ଏବଂ ନିଜ ମୁଣ୍ଡଝାଳ ନିଗାଡ଼ି ଅନ୍ନ ଉପାର୍ଜନ କରିବ ।”

 

ଏହିପରି ଅଭିଶାପ ଦେଇ ଚାହୁଁ ଚାହୁଁ ଈଶ୍ୱର ଅନ୍ତର୍ଦ୍ଧାନ ହୋଇଗଲେ । ପରମୂହୁର୍ତ୍ତରେ ସାପର ପାଦ ଚାରିଗୋଟି ଛିଡ଼ିପଡ଼ିଲା ଏବଂ ଅଦମ୍ ଓ ଇଭ୍ ସ୍ୱର୍ଗରୁ ତଡ଼ା ଖାଇ ମର୍ତ୍ତରେ ଆସି ପଡ଼ିଲେ ।

Image

 

ମହାପ୍ଳାବନ

 

ଆଦମ୍ ଓ ଇଭ୍ ସ୍ୱର୍ଗରୁ ତଡ଼ା ଖାଇ ମର୍ତ୍ତ୍ୟକୁ ଆସିବା ପରେ ବହୁ ବର୍ଷ ବିତିଗଲା । ସେମାନଙ୍କର ବଂଶଧରମାନେ ପୃଥିବୀରେ ନାନାଆଡ଼େ ବ୍ୟାପିଗଲେ । ପ୍ରଥମେ କିଛି କାଳ ଏଇ ଲୋକମାନେ ନ୍ୟାୟପରୟଣ ଓ ଧର୍ମଭୀରୁ ଥିଲେ, ମାତ୍ର ସମୟ କ୍ରମେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନାନା ପ୍ରକାର ଖରାପ ଓ ଅନ୍ୟାୟ କାମରେ ମାତି ରହିଲେ । ପରମେଶ୍ୱରଙ୍କ ଆଦେଶକୁ ସେମାନେ ପୂରାପୂରି ଅମାନ୍ୟ କଲେ । ଶେଷକୁ ଅତ୍ୟନ୍ତ ବିରକ୍ତ ହୋଇ ଈଶ୍ୱର କହିଲେ–“ଏଇ ସବୁ ପାପୀଙ୍କୁ ନଷ୍ଟ କରି ମୁଁ ପୁଣି ନୂଆ ଜୀବ ଗଢ଼ିବି ।”

 

ସେକାଳର ସେଇ ପାପୀମାନଙ୍କ ମଧ୍ୟରେ ଏକମାତ୍ର ‘ନୋଆ’ ଧର୍ମପରାୟଣ ଓ ନ୍ୟାୟବାନ୍‌ ଲୋକ ଥିଲେ । ନୋଆ ସର୍ବଦା ନିଜ କାମରେ ଲାଗିରହୁଥିଲେ, କହାରି ଅନିଷ୍ଟ କରୁ ନଥିଲେ, କୌଣସି ଖରାପ ଅଭ୍ୟାସ ତାଙ୍କଠି ନ ଥିଲା ଏବଂ ସେ ପ୍ରତିଦିନ ଈଶ୍ୱରଙ୍କୁ ମନପ୍ରାଣ ଲଗାଇ ପ୍ରାର୍ଥନା କରୁଥିଲେ ।

 

ଦିନେ ନୋଆ ଜଙ୍ଗଲରେ କାଠ କାଟୁଚନ୍ତି, ଏପରି ସମୟରେ ଦୈବବାଣୀ ହେଲା–“ନୋଆ, ମୁଁ ପରମେଶ୍ୱର କହୁଚି, ମୋ କଥା ମନଦେଇ ଶୁଣ । ସଂସାରରେ ପାପୀଙ୍କ ସଂଖ୍ୟା ଅତିରିକ୍ତ ବଢ଼ି ଯାଇଥିବା ଯୋଗୁଁ ମୁଁ ଖୁବ୍ ନିକଟରେ ଏଇ ସୃଷ୍ଟିକୁ ଧ୍ୱଂସ କରିଦେବି । ଚାଳିଶ ଦିନଯାଏ ପ୍ରବଳ ବର୍ଷା ଲାଗି ରହିବ–ତା ଫଳରେ ସାରା ପୃଥିବୀ ବୁଡ଼ିଯିବି । ମାତ୍ର ତୁମେ ମୋ କଥା ମାନି ଚଳୁଥିବା ଯୋଗୁଁ ମୁଁ ତୁମକୁ ଏବଂ ତୁମ ପରିବାରକୁ ଏଇ ଧ୍ୱଂସରୁ ରକ୍ଷାକରିବି । ତୁମେ ଖୁବ୍ ଶୀଘ୍ର ତିନିଶହ ହାତ ଲମ୍ବ, ଷାଠିଏ ହାତ ଓସାର ଏବଂ ତିରିଶ ହାତ ଉଚ୍ଚ ଗୋଟିଏ ଜାହାଜ ତିଆରିକର । ଜାହାଜ ତିଆରି ସରିଗଲେ, ସବୁ ଜାତି ପଶୁ ପକ୍ଷୀରୁ ହଳେ ଲେଖାଏଁ ଏବଂ ତୁମ ପିଲାପିଲିଙ୍କୁ ଧରି ସେଇ ଜାହାଜରେ ଆଶ୍ରୟ ନବ । ସମସ୍ତଙ୍କ ଲାଗି ଛଅମାସିଆ ଖାଦ୍ୟ ବି ସେି ଜାହାଜରେ ସାଇତି ରଖିଥିବ । ତୁମେ ଜାହାଜରେ ପଶିବା ପରେ ପ୍ରଳୟ ଆରମ୍ଭ ହବ । ସାବଧାନ, ଏ ବିଷୟ ଆଉ କାହାକୁ କହିବ ନାହିଁ ।”

 

ଧାର୍ମିକ ନୋଆ ଏଇ ଦୈବିବାଣୀ ଶୁଣି ପରଦିନଠୁଁ ନିଜ ପୁଅମାନଙ୍କୁ ଧରି ଈଶ୍ୱର କହିଥିବା ମାପର ଗୋଟାଏ ଜାହାଜ ତିଆରି ଆରମ୍ଭ କରିଦେଲେ । ସାଇପଡ଼ିଶା ଲୋକେ ନୋଆଙ୍କର ଏପରି ଅଦ୍‌ଭୁତ କାମ ଦେଖି ନାନା ପ୍ରକାର ପ୍ରଶ୍ନ ପଚାରିବାକୁ ଲାଗିଲେ । ମାତ୍ର ନୋଆଙ୍କଠୁଁ କୌଣସି ଜବାବ ନ ପାଇବାରୁ ଶେଷକୁ ସ୍ତିର କଲେ ଯେ ସେ ନିଶ୍ଚୟ ପାଗଳ ହୋଇଯାଇଛନ୍ତି । ଫଳରେ ସେ ଜାହାଜ ତିଆରି କରୁଥିବା ଜାଗାରେ ଲୋକେ ଛିଡ଼ାହୋଇ ତାଙ୍କୁ ନାନା ପ୍ରକାର ବିଦ୍ରୂପ କରିବାକୁ ଲାଗିଲେ । ମାତ୍ର ନୋଆ ସେମାନଙ୍କୁ କଥାକୁ ଖାତିର ନକରି ନିଜ କାମ କରିଚାଲିଲେ । ଚାହୁଁ ଚାହୁଁ ଦୁଇମାସ ମଧ୍ୟରେ ଜାହାଜ ତିଆରି ସରିଗଲା ଏବଂ ପରମେଶ୍ୱରଙ୍କ ଆଦେଶ ଅନୁସାରେ ସବୁ ପ୍ରକାର ପଶୁପକ୍ଷୀରୁ ହଳେ ଲେଖାଏଁ ଆଣି ନୋଆ ନିଜ ପରିବାର ସହ ସେଇ ଜାହାଜ ଭିତରେ ଆଶ୍ରୟ ନେଲେ।

 

ନୋଆ ଜାହାଜରେ ପଶିବା ପରେ ପରେ ହଠାତ୍ ନାହିଁ ନଥିବା କଳାହାଣ୍ଡିଆ ମେଘରେ ଆକାଶ ଘୋଡ଼ାଇ ହୋଇଗଲା । ଘନ ଘନ ବଜ୍ରପାତ ଏବଂ ତା’ ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହେଲା । ଚାଳିଶ ଦିନ ଯାଏ ସେଇ ପ୍ରବଳ ବର୍ଷା ଅବିଶ୍ରାନ୍ତ ଭାବରେ ଚାଲିଲା; ଫଳରେ ଘରଦ୍ୱାର, ଗଛବୃକ୍ଷ ତ ଦୂରର କଥା, ବଡ଼ ବଡ଼ ପାହାଡ଼ଗୁଡ଼ାକ ବି ସେଇ ବନ୍ୟାରେ ବୁଡ଼ିଗଲା । ପୃଥିବୀର ଯେତେ ମଣିଷ, ଜୀବଜନ୍ତୁ, ପକ୍ଷୀ; ସମସ୍ତେ ସେଇ ପ୍ରଳୟରେ ନିଶ୍ଚିହ୍ନ ହୋଇଗଲେ–କେବଳ ବଞ୍ଚି ରହିଲେ ଜାହାଜରେ ଆଶ୍ରୟ ଘେନିଥିବା ନୋଆ ଓ ତାଙ୍କ ପରିବାରର ଲୋକ ଏବଂ ସେମାନଙ୍କ ସଙ୍ଗେ ସ୍ଥାନ ପାଇଥିବା ପଶୁପକ୍ଷୀତକ ।

 

ଚାଳିଶ ଦିନପରେ ସେଇ ପ୍ରବଳ ବର୍ଷା ବନ୍ଦହେଲା ଏବଂ ଦକ୍ଷିଣ ପବନ ବହିବାକୁ ଆରମ୍ଭ କଲା । ବର୍ଷା ବନ୍ଦ ହେବାର ପନ୍ଦର ଦିନ ପରେ ପୃଥିବୀର ଦଶା କଣ ହୋଇଚି ଜାଣିବା ଲାଗି ନୋଆ ନିଜ ଜାହାଜରେ ଥିବା ଗୋଟିଏ ପାରାକୁ ପଦାକୁ କାଢ଼ି ଦେଲେ । ପ୍ରାୟ ଦୁଇମାସ ପରେ ବନ୍ଦୀଦଶାରୁ ମୁକ୍ତି ପାଇ ପାରାଟି ମନ ଆନନ୍ଦରେ ଉଡ଼ିଗଲା, ମାତ୍ର କେଇ ଘଣ୍ଟା ପରେ ପୁଣି ଜାହାଜକୁ ଫେରିଆସିଲା । ଏଇ ଘଟଣାରୁ ନୋଆ ଜାଣିପାରିଲେ ଯେ ସେ ପର୍ଯ୍ୟନ୍ତ କେଉଁଠି ହେଲେ ବନ୍ୟା ପାଣି ଶଖି ନାହିଁ; ତେଣୁ ବାହାରେ କୌଣସି ଆଶ୍ରୟ ଖୋଜି ନ ପାଇ ପାରାଟି ପୁଣି ସେହି ଜାହାଜକୁ ଫେରିଆସିଚି । ଏଇ ଘଟଣାର ପନ୍ଦର ଦିନ ପରେ ନୋଆ ପୁଣି ସେଇ ପାରାଟିକୁ ପଦାକୁ କାଢ଼ିଦେଲେ । କିଛି ସମୟ ପରେ ପାରାଟି ପୁଣି ସେଇ ଜାହାଜକୁ ଫେରିଆସିଲା, ମାତ୍ର ଏଥର ତା’ ଥଣ୍ଟରେ ଲାଗିଥିଲା ଗୋଟିଏ ଲେମ୍ବୁ ଗଛର ପତ୍ର । ଏ ଘଟଣାରୁ ନୋଆ ବୁଝିପାରିଲା ଯେ ବନ୍ୟା ବହୁତ ପରିମାଣରେ କମିଯାଇଥିବା ଯୋଗୁଁ ଗଛର ଅଗଗୁଡ଼ାକ ଦିଶିଲାଣି । ମାତ୍ର ପାଣି ପୂରା ନଶୁଖିଥିବାରୁ ପାରାଟି ପୁଣି ଜାହାଜକୁ ଫେରିଆସିଲା । ଏହାର ପନ୍ଦର ଦିନ ପରେ ନୋଆ ପାରାଟିକୁ ଛାଡ଼ିଦେଲେ, ମାତ୍ର ଏଥର ସେ ଆଉ ଫେରିଲାନାହିଁ ।

 

ପାରାଟି ନ ଫେରିବାରୁ ନୋଆ ଏକ ପ୍ରକାର ନିଶ୍ଚିତ ହୋଇ ଜାହାଜର କବାଟ ଫିଟାଇ ଦେଖିଲେ ଯେ ପ୍ରକୃତିର ଚାରିପଟର ଭୂଇଁ ଶୁଖିଯାଇଚି, ଆଉ ତହିଁ ଉପରେ ଥିବା ଗଛପତ୍ରଗୁଡ଼ିକ ବଡ଼ ସୁନ୍ଦର ଓ ସତେଜ ଦିଶୁଚନ୍ତି । ସେଠୁ ଜାହାଜରେ ଥିବା ପଶୁପକ୍ଷୀଗୁଡ଼ିକୁ ପ୍ରଥମେ ପଦାକୁ କାଢ଼ି ଦେଇ ନୋଆ ଓ ତାଙ୍କ ପରିବାରର ଲୋକେ ପଦାକୁ ବାହାରିଆସିଲେ ।

 

ସେଇ ସର୍ବଗ୍ରାସୀ ବନ୍ୟା ହାତରୁ ରକ୍ଷା ପାଇ, ଦୀର୍ଘ ଛ’ମାସ ପରେ ପୁଣି ଶୁଖିଲା ମାଟିରେ ପାଦ ପକାଇବା ମାତ୍ରେ ନୋଆ ତାଙ୍କ ପିଲାପିଲିଙ୍କ ସହିତ ପ୍ରଥମେ ଆଣ୍ଠୁମାଡ଼ି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ–“ପରମେଶ୍ୱର, ତୁମର ଯେଉଁ ଦୟା ଯୋଗୁଁ ଆମେ ଏଡ଼େ ବଡ଼ ବିପଦରୁ ଉଦ୍ଧାର ପାଇଲୁ, ଆମ ପ୍ରତି ଆମ ବଂଶଧରମାନଙ୍କ ପ୍ରତି ତୁମର ସେ ଦୟା ଚିରଦିନ ରହିଥାଉ ।”

 

ପରଧାର୍ମିକ ନୋଆଙ୍କର ଆଶଂକା ଓ ମନର କଥା ବୁଝିପାରି ଈଶ୍ୱର ଆକାଶବାଣୀ ଶୁଣାଇଲେ–“ନୋଆ, ତୁମର ଭକ୍ତି ଓ ଧର୍ମଭାବଯୋଗୁଁ ମୁଁ ବଡ଼ ସନ୍ତୁଷ୍ଟ । ତେଣୁ ତୁମ ବଂଶଧରମାନଙ୍କୁ ରକ୍ଷା କରିବା ଲାଗି, ଯେତେ ଯାହା ଘଟିଲେ ସୁଦ୍ଧା ଏପରି ପ୍ରଳୟ ବନ୍ୟା ମୁଁ ଆଉ କଦାପି ପୃଥିବୀକୁ ପଠାଇବି ନାହିଁ । ଚାହିଁ ଦେଖ, ମୋର ଏଇ କଥାର ପ୍ରମାଣ ରୂପେ ମୁଁ ଆକାଶରେ ଗୋଟାଏ ସାତରଙ୍ଗର ଧନୁ ଆଙ୍କିଦେଇଚି । ଏଣିକି ବର୍ଷା ହେଉଥିବା ସମୟରେ ଏଇ ରଙ୍ଗୀନ ଧନୁ ଥରକୁ ଥର ଆକାଶରେ ଦେଖାଦେଇ ତୁମମାନଙ୍କୁ ଏବଂ ତୁମର ବଂଶଧରମାନଙ୍କୁ ମୋର ଏଇ ପ୍ରତିଶ୍ରୁତି କଥା ମନେପକାଇଦେବ ଯେ ତୁମମାନଙ୍କ ପାଇଁ ମୋ ମନରେ ସର୍ବଦା ଦୟା ଓ ଅନୁଗ୍ରହ ରହିଚି । ଏବେ ଯାଅ, ତୁମ ଚାରିଆଡ଼େ ବ୍ୟାପୀ ରହିଥିବା ଏହି ପୃଥିବୀକୁ ଶସ୍ୟ ଓ ଫଳରେ ଭରିଦିଅ । ପୃଥିବୀର ସବୁ ପଶୁ ପକ୍ଷୀ ଓ ଜଳଚରପ୍ରାଣୀଙ୍କୁ ତୁମେ ନିଜ ଅଧୀନରେ ରଖି ମନଇଚ୍ଛା ବ୍ୟବହାର କରିପାରିବ । ମାତ୍ର ନିଜ ନିଜ ମଧ୍ୟରେ କଦାପି ହିଂସା ବା ଘୃଣାଭାବ ରଖିବ ନାହିଁ ବା କୌଣସି ମଣିଷକୁ କଦାପି ଆଘାତ କରିବ ନାହିଁ, କାରଣ ମଣିଷକୁ ମୁଁ ନିଜ ପରି କରି ଗଢ଼ିଚି ।”

 

ଦୈବବାଣୀ ସରିଗଲା । ନୋଆ ଓ ତାଙ୍କ ପରିବାରର ଲୋକେ ସାଷ୍ଟାଙ୍ଗ ପ୍ରଣାମ କରି ଛିଡ଼ାହୋଇ ଦେଖିଲେ ଯେ ମହାପ୍ରଭୁଙ୍କ ଆଦେଶ ଅନୁରୂପ ଗୋଟିଏ ଅତି ସୁନ୍ଦର ସାତରଙ୍ଗୀ ଧନୁ ଆକାଶର ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଉଜ୍ଜ୍ୱଳ ହୋଇ ଫୁଟିଉଠିଚି ।”

Image

 

ଚରମ ପରୀକ୍ଷା

 

ମହାପ୍ରଳୟ ବହୁ ଯୁଗ ପର କଥା । ନୋଆଙ୍କ ବଂଶଧରମାନଙ୍କ ସଂଖ୍ୟା ବହୁଗୁଣ ବଢ଼ିଯିବାରୁ ସେମାନେ ‘କାନାନ୍‌’ (ମିଶର) ‘ଆରାମ’ (ସିରିଆ), ‘ଆସିରିଆ’ (ତୁର୍କୀ) ପ୍ରଭୃତି ଅଂଚଳମାନଙ୍କରେ ଦଳ ଦଳ ହୋଇ ବାସ କରିବାକୁ ଲାଗିଲେ । କିଛି ଦିନ ପରେ ସେମାନଙ୍କର ମଧ୍ୟରେ ନାନା ପ୍ରକାର ବାଦ ବିବାଦ ଓ ଦୋଷ ଦୁର୍ଗୁଣ ପ୍ରକାଶ ପାଇବାକୁ ଲାଗିଲା । ତେଣୁ ଜଣେ ଯଥାର୍ଥ ଧାର୍ମିକ ବ୍ୟକ୍ତ୍ୟିଙ୍କ ଦ୍ୱାରା ସେମାନଙ୍କୁ ସଙ୍ଗଠିତ କରିବା ପାଇଁ ଏହି ସେହି ବ୍ୟକ୍ତିଙ୍କ ବଂଶ ମାଧ୍ୟମରେ ଭବିଷ୍ୟତ ମଣିଷ ସମାଜର ମଙ୍ଗଳ ସାଧନ ପାଇଁ ପରମେଶ୍ୱର ଇଚ୍ଛା କଲେ ।

 

ନୋଆଙ୍କ ବଂଶଧରାମାନଙ୍କ ମଧ୍ୟରୁ ଆବ୍ରାହାମ ସବୁଠାରୁ ଧାର୍ମିକ ଓ ଯୋଗ୍ୟ ଲୋକ ଥିଲେ । ତାଙ୍କ ପତ୍ନୀ ସାରା ମଧ୍ୟ ଯେପରି ସୁନ୍ଦରୀ ସେହିପରି ଗୁଣବତୀ ଥିଲେ । ପ୍ରଚୁର ଜମିବାଡ଼ି ଧନସମ୍ପଦର ମାଲିକ ଆବ୍ରାହାମ ବୁଢ଼ା ବୟସ ପର୍ଯ୍ୟନ୍ତ ଅପୁତ୍ରକ ଅବସ୍ଥାରେ ଥିଲେ । ଏଥିସକାଶେ ସମୟ ସମୟରେ ତାଙ୍କ ମନରେ ଘୋର ଦୁଃଖ ଦେଖା ଦେଉଥିଲେ ସୁଦ୍ଧା, ଆବ୍ରାହାମ ଯଥାର୍ଥ ଧାର୍ମିକ ବ୍ୟକ୍ତି ହୋଇଥିବା ଯୋଗୁଁ ସର୍ବଦା କହୁଥିଲେ–“ଈଶ୍ୱର ମଙ୍ଗଳମୟ, ତାଙ୍କର ଇଚ୍ଛା ପୂର୍ଣ୍ଣ ହେଉ ।”

 

ଷାଠିଏ ବର୍ଷ ବୟସରେ ପରମେଶ୍ୱରଙ୍କ ଅନୁଗ୍ରହରୁ ଆବ୍ରାହାମଙ୍କର ଗୋଟିଏ ପୁଅ ଜନ୍ମ ହେଲା । ବଡ଼ ସ୍ନେହ ଓ ଶ୍ରଦ୍ଧାରେ ଆବ୍ରାହାମ ତାର ନାଁ ରଖିଲେ ‘ଆଇଜାକ’ ବା ‘ଇସାକ୍’ । ଇସାକ୍ ଯେପରି ସୁନ୍ଦର ସେହିପରି ବୁଦ୍ଧିମାନ ଓ ଦୟାଳୁ ଥିଲା । ତାର ଏଇ ରୂପ ଗୁଣ ଲାଗି ଏବଂ ନିଜର ଏକମାତ୍ର ସନ୍ତାନ ହୋଇଥିବା ଯୋଗୁଁ ଆବ୍ରାହାମ ତାକୁ ନିଜ ପ୍ରାଣଠୁଁ ଅଧିକ ସ୍ନେହ କରୁଥିଲେ । ଏହି ସମୟରେ ମଣିଷମାନଙ୍କ ଲାଗି ଜଣେ ପଥପଦର୍ଶକ ନିଯୁକ୍ତ କରିବା ପାଇଁ ମହାପ୍ରଭୁ ଆବ୍ରାହାମଙ୍କର ଭକ୍ତି କେତେ ଗଭୀର ତାହା ପରୀକ୍ଷା କରିବାକୁ ଚାହିଁଲେ ।

 

ଦିନେ ଆବ୍ରାହାମ୍‌ ନିଜ ଅଂଗୁର କ୍ଷେତରେ ଏକା ବସିଛନ୍ତି, ଏପରି ସମୟରେ ଦୈବବାଣୀ ଶୁଭିଲା–“ଆବ୍ରାହାମ, ମୁଁ ପରମେଶ୍ୱର, ତୁମଠାରୁ କିଛି ନେବାକୁ ମୁଁ ଇଚ୍ଛାକରୁଚି । ମୁଁ ଯାହା ମାଗିବି, ତାହା ଯେଡ଼େ କଠିନ ହେଲେ ମଧ୍ୟ, ତୁମେ ତାହା ଦେବାକୁ ପ୍ରସ୍ତୁତ ଅଛ କି ?

 

ବିସ୍ମୟ ଓ ଭକ୍ତିରେ ଦୁଇ ହାତ ଯୋଡ଼ି ଆବ୍ରାହାମ ଉତ୍ତର ଦେଲେ–“ହେ ସର୍ବଶକ୍ତିମାନ୍ ପରମେଶ୍ୱର ! ଆପଣଙ୍କ ଆଦେଶ ପାଳିବା ଲାଗି ମୁଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ।”

 

ଏ କଥା ସେ କହିସାରିବା ପରେ ଦୈବବାଣୀ ହେଲା–“ତାହେଲେ ମନଦେଇ ଶୁଣ । କାଲି ସକାଳୁ ତୁମେ ତୁମର ଏକମାତ୍ର ସନ୍ତାନ ଇସାକ୍‌କୁ ସଂଗରେ ଧରି ମୋରିଆ ଅଂଚଳରେ ଥିବା ପାହାଡ଼ ଉପରକୁ ଯିବ । ପାହାଡ଼ ଉପରେ ପହଂଚି ଦେଖିବ ବେଦୀ ପରି ଗୋଟିଏ ମସୃଣ ପଥର ରହିଚି । ସେହିଠାରେ ପହଂଚି ତୁମେ ଇସାକ୍‌କୁ ନିଜ ହାତରେ ହତ୍ୟା କରି ତାର ମୃତଦେହକୁ ସେଇ ବେଦୀ ଉପରେ ନିଆଁରେ ପୋଡ଼ି ମୋତେ ସମର୍ପଣ କରିବ । ଏଇ ମୋର ଇଚ୍ଛା । ଏ କାମ ତୁମେ କରିପାରିବ ତ ?”

 

ଆଗ ପଛ କିଛି ନ ବିଚାରି ଆବ୍ରାହାମ ସଙ୍ଗେ ସଙ୍ଗେ ଅବିଚଳିତ ସ୍ୱରରେ କହିଲେ–“ମହାପ୍ରଭୁ ! ମୋ ଆଗରେ ଆପଣଙ୍କ ଆଦେଶଠାରୁ ବଡ଼ ଆଉ କିଛି ନାହିଁ । ଆପଣ ଯେପରି କହିଚନ୍ତି ମୁଁ ଠିକ୍ ସେହିପରି କରିବି ।

 

ଏ ବିଷୟ କାହାକୁ କିଛି ନ ଜଣାଇ ପରଦିନ ସକାଳୁ ଆବ୍ରାହାମ ନିଜର ଏକମାତ୍ର ପୁଅକୁ ଡ଼ାକି କହିଲେ–“ବାପା ଇସାକ୍ ! ଗୋଟାଏ ଖୁବ୍ ଜରୁରୀ କାମ ଲାଗି ଆଜି ତତେ ମୋ ସାଙ୍ଗରେ ମୋରିଆ ଅଞ୍ଚଳରେ ଥିବା ପାହଡ଼ ଉପରକୁ ଯିବାକୁ ପଡ଼ିବ ।”

 

ଇସାକ୍ ମଧ୍ୟ କୌଣସି ପ୍ରଶ୍ନ ନ ପଚାରି ମୋରିଆ ଯାତ୍ରା ଲାଗି ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଗଲା । ଇସାକ୍ ନିଜ ମା’ଠାରୁ ବିଦାୟ ନେଇ ଆସିବା ପରେ ଆବ୍ରାହାମ ଓ ସେ ଦୁଇଗୋଟି ତଟୁଘୋଡ଼ା ପିଠିରେ ବସି ମୋରାନ ଆଡ଼େ ଯାତ୍ରା ଆରମ୍ଭ କଲେ । ସେମାନଙ୍କ ପଛେ ପଛେ ଆବ୍ରାହାମଙ୍କର ଦୁଇଜଣ ଭୃତ୍ୟ ଦିଓଟି ଗଧ ପିଠିରେ ଜାଳେଣି କାଠର ବିଡ଼ାମାନ ଲଦି ଚାଲିବାକୁ ଲାଗିଲେ । ଏଇସବୁ ଆୟୋଜନ ଦେଖି ବାଳକ ଇସାକ୍ କୌତୂହଳୀ ହୋଇ ପଚାରିଲା–“ବାପା, ତୁମେ ସାଙ୍ଗରେ ଏତେ ଜାଳେଣି କାଠ ଘେନି ଯାଉଚ କାହିଁକି ?”

 

ସ୍ୱାଭାବିକ ସ୍ୱରରେ ଆବ୍ରାହାମ ଉତ୍ତର ଦେଲେ–“ଈଶ୍ୱର ମତେ ଆଦେଶ ଦେଇଛନ୍ତି ତାଙ୍କ ଉଦ୍ଦେଶ୍ୟରେ, ମୋରାନ ପାଖରେ ଥିବା ପାହାଡ଼ ଉପରେ ଗୋଟିଏ ଜୀବ ମାରି ନିଆଁରେ ପୋଡ଼ି ଉତ୍ସର୍ଗ କରିବା ପାଇଁ । ପାହାଡ଼ ଉପରେ ଏତେ କାଠ ମିଳିବା ସହଜ ହବ ନାହିଁ ବୋଲି ମୁଁ ଘରୁ କାଠ ଘେନି ଯାଉଚି ।”

 

ସେ ଯୁଗରେ ଧର୍ମକାର୍ଯ୍ୟରେ ସାଧାରଣତଃ ମେଣ୍ଢା, କ୍ୱଚିତ୍‌ କଦବା ଷଷ୍ଢ ବଳି ଦିଆଯାଉଥିଲା । ତେଣୁ ଟିକିଏ କାବା ହୋଇ ଇସାକ୍ ପଚାରିଲା–“ବାପା ! ପୋଡ଼ିବା ସକାଶେ କାଠ ତ ଆଣିଚ, ମାତ୍ର ବଳି ଦବାଲାଗି ପଶୁ କାହିଁ ?”

 

ପୂର୍ବପରି ସ୍ଥିର ସ୍ୱରରେ ଆବ୍ରାହାମ କହିଲେ–“ସର୍ବଶକ୍ତିମାନ୍ ପରମେଶ୍ୱର ପାହାଡ଼ ଉପରେ ହିଁ ବଳି ପଡ଼ିବା ଲାଗି ଜୀବ ଯୋଗାଇ ଦେବେ ।”

 

ସରଳ ଈଶ୍ୱରବିଶ୍ୱାସୀ ଇସାକ୍ ମଧ୍ୟ ଆଉ କୌଣସି ପ୍ରଶ୍ନ ନ ପଚାରି ବାପାଙ୍କ ସଙ୍ଗେ ଘୋଡ଼ା ଛୁଟାଇ ଚାଲିଲା । ତିନିଦିନ ପରେ ସମସ୍ତେ ମୋରାନ ଅଞ୍ଚଳରେ ଥିବା ଗୋଟିଏ ବଡ଼ ପାହାଡ଼ ପାଖରେ ଆସି ପହଞ୍ଚିଲେ । ପାହାଡ଼ର ପାଦଦେଶରେ ଘୋଡ଼ାରୁ ଓହ୍ଳାଇପଡ଼ି ଆବ୍ରାହାମ ନିଜ ସଙ୍ଗରେ ଆସିଥିବା ଭୃତ୍ୟ ଦୁଇଜଣଙ୍କୁ କହିଲେ–“ଇସାକ୍‌କୁ ସାଙ୍ଗରେ ଧରି ପୂଜା କରିବା ପାଇଁ ମୁଁ ଉପରକୁ ଯାଉଚି । ମୁଁ ନ ଫେରିବା ପର୍ଯ୍ୟନ୍ତ ତୁମେ ଦୁହେଁ ଏଇଠାରେ ଅପେକ୍ଷା କରିଥିବେ ।”

 

ଏହା କହି ଆବ୍ରାହାମ ସଙ୍ଗରେ ଆଣିଥିବା ଜାଳେଣି କାଠତକ ଇସାକ୍ କାନ୍ଧରେ ଲଦିଦେଇ ନିଜେ ଗୋଟାଏ ଜଳନ୍ତା ମଶାଲ ଓ ଗୋଟିଏ ଖିବ୍ ଦାଢ଼ୁଆ ଛୁରୀ ଧରି ପାହାଡ଼ ଉପରକୁ ଉଠିବାକୁ ଲାଗିଲେ । ଇସାକ୍ ମଧ୍ୟ ତାଙ୍କ ପଛେ ପଛେ ଚାଲିଲା ।

 

ପାହାଡ଼ ଉପରେ ପହଂଚି ଆବ୍ରାହାମ ଦେଖିଲେ ଦୈବବାଣୀରେ କୁହାଯାଇଥିବା ବେଦୀପରି ଚିକ୍‌କଣ ଗୋଟିଏ ପଥର ଥୁଆ ହୋଇଚି । ସେଇ ପଥରଟି ଉପରେ ସାଙ୍ଗରେ ଆଣିଥିବା ଜାଳେଣି କାଠତକ ସଜାଡ଼ି ରଖି ଆବ୍ରାହାମ ପ୍ରଥମେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ । ତା ପରେ କାଠବିଡ଼ା ବନ୍ଧା ହେଇଥିବା ରସିରେ ଇସାକ୍‌ର ହାତ ଓ ପାଦ ଦୁଇଟା ଟାଣ କରି ବାନ୍ଧି ଦେଲେ । କାଳେ ନିଜ ପ୍ରାଣଠାରୁ ପ୍ରିୟ ଏକମାତ୍ର ସନ୍ତାନର ମୁହଁକୁ

 

ଚାହିଁଲେ ମନରେ ଦୁର୍ବଳତା ଆସିବ ବିଚାରି ସେ ଖଣ୍ଡେ କନାରେ ନିଜ ଆଖି ଯୋଡ଼ିକ ଭଲଭାବରେ ବାନ୍ଧି ପକାଇଲେ । ତା ପରେ ଇସାକକୁ ହତ୍ୟା କରିବା ଲାଗି ସଙ୍ଗରେ ଆଣିଥିବା ଦାଢୁଆ ଛୁରୀଟିକୁ ଡ଼ାହାଣ ହାତରେ ଟେକି ଧରିବା ମାତ୍ରେ ଦୈବବାଣୀ ଶୁଭିଲା–“ଆବ୍ରାହାମ ! ଆବ୍ରାହାମ ! ତୁମେ ଏ କଣ କରୁଚ ?”

 

ଚମକିପଡ଼ି ଆବ୍ରାହାମ ଶୁଣିସାରି ଉତ୍ତର କଲେ–“ପରମେଶ୍ୱର, ମୁଁ ଏଠାରେ ଆପଣଙ୍କ ଆଦେଶ ପାଳନ କରୁଚି ।

 

ଏହି ଉତ୍ତର ଶୁଣିସାରି ପରମେଶ୍ୱର କହିଲେ–“ଆବ୍ରାହାମ, ମୋ ପ୍ରତି ତୁମର ଭକ୍ତି କେତେ ଗଭୀର ସେକଥା ପରୀକ୍ଷା କରିବା ପାଇଁ ମୁଁ ତୁମକୁ ଏପରି ଆଦେଶ ଦେଇଥିଲି । ବର୍ତ୍ତମାନ ତୁମେ ପ୍ରମାଣ କରିଦେଲ ଯେ ମୋ ସକାଶେ ତୁମେ ଦୁନିଆର ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ । ତୁମର ଏପରି ଦୃଢ଼ ଭକ୍ତି ଦେଖି ମୁଁ ବଡ଼ ସନ୍ତୁଷ୍ଟ ହୋଇଛି । ବର୍ତ୍ତମାନ ତୁମେ ଇସାକ୍‌ର ହାତ ଓ ପାଦ ଫିଟାଇ ମୁକ୍ତି ଦିଅ ଏବଂ ଏଇ ପାହାଡ଼ ଉପରେହିଁ ବଳି ହେବା ସକାଶେ ଗୋଟିଏ ଯୋଗ୍ୟ ଜୀବ ରହିଚି । ସେଇଟିକୁ ଆଣି ଯଥାବିଧି ମତେ ଉତ୍ସର୍ଗ କର ।”

 

ଦୈବବାଣୀ ଶେଷ ହେବା ପରେ ପରମ ସ୍ୱସ୍ତି ଓ କୃତଜ୍ଞାତରେ ଆବ୍ରାହାମ ଈଶ୍ୱରଙ୍କୁ ପୁଣି ଥରେ ପ୍ରଣାମ ଜଣାଇ ସଂଗେ ସଂଗେ ଇସାକ୍‌ର ହାତ ଓ ପାଦ ବଂଧନ ଖୋଲିଦେଲେ । ତାପରେ ଏଣେତେଣେ ଖୋଜୁ ଖୋଜୁ ଦେଖିଲେ ଯେ ଗୋଟାଏ ଧୋବ ଫର୍‌ଫର୍‌ ସୁସ୍ଥ ସବଳ ମେଣ୍ଢା ଗୋଟାଏ ଗହଳିଆ ବୁଦାରେ ଛନ୍ଦି ହୋଇ ପଡ଼ିରହିଛି । ସଂଗେ ସଂଗେ ମେଣ୍ଢାଟିକୁ ଟେକି ଆଣି ଆବ୍ରାହାମ ସେଟିକୁ ହତ୍ୟାକରି ତାପରେ ବେଦୀ ଉପରେ ଗଦା ହୋଇଥିବା କାଠରେ ତାର ମାଂସ ଏବଂ ଚର୍ବି ପୋଡ଼ି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କଲେ ।

Image

 

ଯାହାକୁ ରଖିବେ ଅନନ୍ତ

 

ବହୁ ଯୁଗ ତଳେ କାନାନ୍ ଅଂଚଳରେ ଜାକବ ବୋଲି ଜଣେ ଧାର୍ମିକ ଗୃହସ୍ଥ ଥିଲା । ଜାକବର ବାରଗୋଟି ପୁଅ; ମାତ୍ର ସେମାନଙ୍କ ମଧ୍ୟରୁ ନିଜ ସାନପୁଅ ଯୋଶେଫ୍‌କୁ ସବୁଠାରୁ ଅଧିକ ସ୍ନେହକରୁଥିଲା । ଯୋଶେଫ୍ ମଧ୍ୟ ବଡ଼ ଶାନ୍ତ, ସ୍ନେହୀ ଓ ଧର୍ମପରାୟଣ ଥିଲା ।

 

ଜାକବର ଅନ୍ୟ ପୁଅମାନେ ନିଜ ସାନଭାଇ ପ୍ରତି ବାପାଙ୍କର ଏଇ ଅଧିକା ସ୍ନେହକୁ ସହିପାରୁନଥିଲେ । ତେଣୁ ଯୋଶେଫକୁ ଚିରଦିନ ସକାଶେ ବିଦା କରିଦେବା ପାଇଁ ସେମାନେ ଓର ଉଣ୍ଡିବାକୁ ଲାଗିଲେ ।

 

ଜାକବ ଥରେ ନାନା ରଙ୍ଗର କପଡ଼ାରେ ତିଆରି ହୋଇଥିବା ଗୋଟିଏ କାମିଜ ଯୋଶେଫ୍‌କୁ ଦେଇଥିଲା । ଯୋଶେଫ୍‌ ମଧ୍ୟ ସବୁବେଳେ ସେଇ କାମିଜଟିକୁ ପିନ୍ଧୁଥିଲା । ଦିନେ ଯୋଶେଫ୍‌ ସେଇ କାମିଜଟି ପିନ୍ଧି ନିଜ ଘରଠୁଁ ବହୁତ ଦୂରକୁ, ମରୁଭୂମି ପରି ଗୋଟାଏ ନିର୍ଜନ ଜାଗାକୁ ବୁଲିଯାଇଥିଲା । ତା ଭାଇମାନେ ତ ବହୁଦିନରୁ ତାର ଗତିବିଧି ଉପରେ ନଜର ରଖିଥିଲେ–ସେଦିନ ସୁଯୋଗ ମିଳିଯିବାରୁ ସେମାନେ ତା ପଛେ ପଛେ ପହଞ୍ଚି, ହଠାତ୍ ତାକୁ ଆକ୍ରମଣ କରି କାବୁ କଲେ, ଏବଂ ତାର ରଂଗୀନ କୁର୍ତ୍ତାଟି କାଢ଼ି ପକାଇ, ତାର ହାତ ପାଦ ବାନ୍ଧି ତାକୁ ଗୋଟାଏ ଗଭୀର ଗାତ ଭିତରେ ପକାଇଦେଲେ । ଏହାପରେ ଏଗାରଜଣ ଭାଇ ଏକାଠି ବସି ଯୋଶେଫ୍‌କୁ କିପରି ଦଣ୍ଡଦିଆଯିବ, ସେକଥା ବିଚାରିବାକୁ ଲାଗିଲେ । କେତେକ ଭାଇ ତାକୁ ପ୍ରାଣରେ ମାରିଦେବାଲାଗି ପରାମର୍ଶଦେଲେ; ମାତ୍ର ବଡ଼ଭାଇ କହିଲା–“ନା, ସେପରି କରିବା ଠିକ୍‌ ହେବନାହିଁ । ଯୋଶେଫ୍‌ ଘରକୁ ନଫେରିଲେ ତାକୁ ଖୋଜୁ ଖୋଜୁ ତାର ଶବ ବାହାରିପଡ଼ିବ, ଏବଂ ତା’ ଫଳରେ ସମସ୍ତେ ନିଶ୍ଚୟ ଆମକୁ ସନ୍ଦେହ କରିବେ । ତା ଅପେକ୍ଷା ମିଶର ଦେଶର ମହାଜନମାନଙ୍କ ପାଖରେ ତାକୁ ବିକିଦେଲେ ସେମାନେ ତାକୁ ନିଜ ଦେଶରେ କ୍ରୀତଦାସ କରି ରଖିବେ । ଫଳରେ ଯୋଶେଫ୍‌ ଆଉ ଏ ଜନ୍ମରେ ନିଜ ଦେଶକୁ ଫେରି ଆସିବ ନାହିଁ । ପୁଣି ତା’ ଦାମ୍ ବାବଦକୁ ଆମେ ବି ଥୋଡ଼ାଏ ଟଙ୍କା ପାଇଯିବୁ ।”

 

ଏଇ ପରାମର୍ଶ ସମସ୍ତଙ୍କ ମନକୁ ପାଇଲା । ଯୋଶେଫ୍‌କୁ ସେଇ ଖାତରେ ପକାଇ ରଖି ସେମାନେ ସଙ୍ଗେ ସଙ୍ଗେ ଯାଇ କେତେଜଣ ମିଶରଦେଶବାସୀ କ୍ରୀତଦାସ ବ୍ୟବସାୟୀଙ୍କୁ ଡ଼ାକିଆଣି ନଗଦ କୋଡ଼ିଏଟି ମୁଦ୍ରାରେ ଯୋଶେଫ୍‌କୁ ସେମାନଙ୍କ ପାଖରେ ବିକିଦେଲେ । ତା ପରେ ଗୋଟିଏ ମେଣ୍ଢା ମାରି, ତା’ ରକ୍ତରେ ଯୋଶେଫ୍‌ର ରଙ୍ଗୀନ କମିଜଟାକୁ ଓଦାକରି, ସଞ୍ଜବେଳକୁ ମୁହଁ ଶୁଖାଇ ଘରକୁ ଫେରି କାନ୍ଦ କାନ୍ଦ ହୋଇ କହିଲେ–“ହାୟ ! ହାୟ ! ? ଯୋଶେଫ୍‌କୁ ନଶ୍ଚେ ଗୋଟାଏ ବଣୁଆ ଜନ୍ତୁ ଖାଇଯାଇଛି । ବହୁ ଦୂରରେ ଗୋଟାଏ ବୁଦା ପାଖରେ ତାର କମିଜଟା ରକ୍ତବଲବଲ ହୋଇ ପଡ଼ିଥିବାର ଦେଖି ଆମେ ଘେନିଆସିଚୁ । ଚାରିଆଡ଼େ ଆମେ କେତେ ଖୋଜିଲୁ, ମାତ୍ର କାହିଁ ହେଲେ ଯୋଶେଫ୍‌କୁ ଦେଖି ପାରିଲୁ ନାହଁ ।” ସେମାନଙ୍କ କଥା ଶୁଣି ଏବଂ ସେଇ ରକ୍ତବୋଳା ରଙ୍ଗୀନ୍ କମିଜଟିକୁ ଦେଖି ବୃଦ୍ଧ ଜାକବ ବହୁତ କାନ୍ଦିଲା ଏବଂ ସେଇଦିନଠୁଁ ସବୁବେଳେ ଛିଣ୍ଡା ଓ ମଇଳା ପୋଷୋକ ପିନ୍ଧିବାକୁ ଆରମ୍ଭ କଲା ।

 

ଦାସ–ବ୍ୟବସାୟୀମାନେ ଯୋଶେଫ୍‌କୁ ଘେନି ମିଶର ଦେଶରେ ଆସି ପହଞ୍ଚିଲେ । ସେ ଯୁଗରେ ମିଶର ଦେଶର ରାଜାଙ୍କୁ ‘ଫାରାଓ’ ବୋଲି କୁହାଯାଉଥିଲା । ଯୋଶେଫ୍‌ର ସୁନ୍ଦର ରୂପ ଓ ବଳିଷ୍ଠ ଶରୀର ଦେଖି, ଫାରାଓ ବହୁତ ଟଙ୍କା ଦେଇ ତାକୁ ନିଜ ଚାକରରୂପେ କିଣିନେଲେ । ଯୋଶେଫକୁ ଫାରାଓ ବିଶେଷ ସ୍ନେହ କରୁଥିବା ଯୋଗୁଁ ତାକୁ ନିଜ ଅନ୍ଦରମହଲର କାମ ତଦାରଖି କରିବା ଲାଗି ନିଯୁକ୍ତ କଲେ ।

 

ଫରାଓଙ୍କ ରାଣୀ ବଡ଼ ବଡ଼ ମନ୍ଦ ପ୍ରକୃତିର ନାରୀ ଥିଲେ । ସେ ସର୍ବଦା ନାନା ପ୍ରକାର ଖରାପ ଓ ଅନ୍ୟାୟ କାମରେ ମାତି ରହିବାକୁ ସୁଖ ପାଉଥିଲେ । ଯୋଶେଫ୍‌ର ରୂପ ଗୁଣ ଦେଖି ରାଣୀ ମଧ୍ୟ ପ୍ରଥମେ ପ୍ରଥମେ ତାକୁ ଖୁବ୍ ସୁଖ ପାଉଥିଲେ । ଦିନେ ସେ ଯୋଶେଫ୍‌କୁ ଡ଼ାକି ଗୋଟାଏ ନିତାନ୍ତ ଖରାପ କାମ କରିବା ଲାଗି ଆଦେଶ ଦେଲେ । ତାଙ୍କ କଥା ଶୁଣି ଯୋଶେଫ୍‌ କହିଲା–“ଆପଣ ରାଣୀ ହୋଇଥିଲେ ମଧ୍ୟ, ଆପଣଙ୍କୁ ଖୁସି କରିବା ଲାଗି ମୁଁ କୌଣସି ଧର୍ମବିରୋଧୀ କାମ କରି ପାରିବ ନାହିଁ ।” ସାମାନ୍ୟ ଜଣେ କ୍ରୀତଦାସଠାରୁ ଏପରି ରୋକଠୋକ୍ ଜବାବ ପାଇ ରାଗ ଓ ଅପମାନରେ ରାଣୀଙ୍କ ହୃଦୟ ଜଳିଗଲା । ଏହି ଘଟଣାର ପ୍ରତିଶୋଧ ନେବା ଲାଗି ସେ ଫାରାଓଙ୍କ ଆଗରେ ଯୋଶେଫ ନାଁରେ ମିଛରେ ନାନାପ୍ରକାର ଦୋଷ ଦେବାକୁ ଲାଗିଲେ ଏବଂ ଶେଷରେ ରାଣୀଙ୍କ କଥାକୁ ବିଶ୍ୱାସ କରି ଫାରାଓ ରାଗରେ ଯୋଶେଫ୍‌କୁ ଆଜୀବନ ଜେଲଦଣ୍ଡ ଦେଲେ ।

 

ଅଜୀବନ ଜେଲଦଣ୍ଡ କଥା ଶୁଣି ସୁଦ୍ଧା ନିର୍ଦ୍ଦେଷ ଯୋଶେଫ୍‌ ନୀରବ ରହିଲା, କାରଣ ସେ ଜାଣୁଥିଲା ଯେ ପ୍ରକୃତ କଥା ଫିଟାଇ କହିଲେ ସୁଦ୍ଧା ତା’ କଥାକୁ କେହିହେଲେ ବିଶ୍ୱାସ କରିବେ ନାହିଁ ।

 

ଫଳରେ ଚାକଚକ୍ୟମୟ ରାଜପ୍ରାସାଦ ଛାଡ଼ି ଅଂଧାରୁଆ କଏଦୀଖାନାରେ ଯୋଶେଫ୍‌ର ଦିନ କଟିବାକୁ ଲାଗିଲା । ଯୋଶେଫ୍ ବନ୍ଦୀ ଥିବା ସମୟରେ ଥରେ ଫାରାଓ କୌଣସି କାରଣରୁ ନିଜ ପାଚକ ଉପରେ ବିରକ୍ତ ହୋଇ ତାକୁ ଜେଲଦଣ୍ଡ ଦେଇଥିଲେ । ଫଳରେ ଜେଲଖାନା ଭିତରେ ଏକାଠି ରହୁ ରହୁ ପାଚକ ଓ ଯୋଶେଫ୍ ଦୁହିଁଙ୍କ ମଧ୍ୟରେ ବିଶେଷ ବନ୍ଧୁତ୍ୱ ଉପୁଜିଲା ।

 

ଦିନେ ସକାଳେ ପାଚକ ଯୋଶେଫକୁ କହିଲା–“ଭାଇ, ମୁଁ ଗତ ରାତିରେ ଗୋଟାଏ ବଡ଼ ଅଦଭୁତ ସ୍ୱପ୍ନ ଦେଖିଚି । ମୁଁ ଦେଖିଲି ଯେ ମୋ ଆଗରେ ଗୋଟାଏ ଅଙ୍ଗୁର ଲଟା । ଚାହୁଁ ଚାହୁଁ ସେହି ଲଟାରୁ ତିନିଟା ଶାଖା ବାହାରିଲା । ପୁଣି ପ୍ରତି ଶାଖା ଅଗରେ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ ପାଚିଲା ଅଙ୍ଗୁର । ତା ପରେ ଦେଖିଲି ଯେ ଫାରାଓଙ୍କ ସୁନା ଗିଲାସଟି ଧରି ମୁଁ ସେଇ ଅଙ୍ଗୁର ଗୁଡ଼ିକୁ ଚିପୁଡ଼ି ରସ ସାଇତି ରଖୁଚି । ଏଇ ସ୍ୱପ୍ନର ଅର୍ଥ କଣ ତୁମେ କହିପାରିବ କି ?”

 

ଯୋଶେଫ୍ କହିଲା–“ଏଟା ଗୋଟାଏ ବଡ଼ ଶୁଭ ସ୍ୱପ୍ନ । ଏହାର ଅର୍ଥ ହେଉଚି ଯେ ତିନି ଦିନ ମଧ୍ୟରେ ଫାରାଓ ତୁମକୁ କ୍ଷମା ଦେଇ ନିଜ କାମରେ ପୁଣି ନିଯୁକ୍ତ କରିବେ ।” ସତକୁ ସତ ତିନି ଦିନ ପରେ ଫାରାଓ ସେଇ ପାଚକକୁ ମୁକ୍ତି ଦେଇ ପୁଣି ପୂର୍ବ କାମରେ ବାହାଲ କଲେ ।

 

ଏଇ ଘଟଣା ପରେ କିଛିଦିନ ବିତିଗଲା । ଦିନ ରାତିରେ ଫାରାଓ ଗୋଟାଏ ବଡ଼ ଆଶ୍ଚର୍ଯ୍ୟଜନକ ସ୍ୱପ୍ନ ଦେଖିଲେ । ସେଦେଖିଲେ ଯେ ଗୋଟାଏ ନଈକୂଳରେ ସେ ଏକା ଛିଡ଼ାହୋଇଛନ୍ତି । ଏପରି ସମୟରେ ମାଟି ଭିତରୁ ସାତଗୋଟି ସତେଜ ଶସ୍ୟକେଣ୍ଡା ବାହାରିଆସିଲା । ଟିକେ ପରେ ଆଉ ସାତଗୋଟି ଶୁଖିଲା ଶସ୍ୟକେଣ୍ଡା ବାହାରିଆସି ସତେଜ ଶସ୍ୟକେଣ୍ଡାଗୁଡ଼ିକୁ ମିର୍ମୂଳ କରିଦେଲା । ତା’ପରେ ପୂର୍ବ ଦିଗରୁ ସାତଗୋଟି ହୃଷ୍ଟପୃଷ୍ଟ ଗୋରୁ ଆସି ନଈକୂଳରେ ଚରିବାକୁ ଲାଗିଲେ । ହଠାତ୍ ପଶ୍ଚିମ ଦିଗରୁ ସାତୋଟି କଙ୍କାଳସାର ଗୋରୁ ଆସି ବଳିଷ୍ଠ ଗାଈଗୁଡ଼ିକୁ ଗିଳି ପକାଇଲେ । ଏପରି ସମୟରେ ଫାରାଓଙ୍କ ନିଦ ଭାଙ୍ଗିଗଲା । ଏଇ ବିଚିତ୍ର ସ୍ୱପ୍ନର ଅର୍ଥ ବୁଝିନପାରି ଫାରାଓ ବଡ଼ ଅସ୍ତବ୍ୟସ୍ତ ହୋଇପଡ଼ିଲେ ।

 

ପରଦିନ ଫାରାଓ ନିଜର ମନ୍ତ୍ରୀ ଓ ସଭାସଦ୍‌ମାନଙ୍କୁ ଏଇ ସ୍ୱପ୍ନ ବିଷୟ କହି ତହିଁର ଅର୍ଥ କଣ ଜାଣିବାକୁ ଚାହିଁଲେ; ମାତ୍ର କେହି ହେଲେ ଏ ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେନାହିଁ । କ୍ରମେ ଏଇ ସ୍ୱପ୍ନ କଥା ରାଜଧାନୀର ସବୁ ଲୋକ ଜାଣିଗଲେ, କିନ୍ତୁ କେହି ତାର ରହସ୍ୟ ଭେଦକରିପାରିଲେନାହିଁ । ଏପରି ସମୟରେ ହଠାତ୍ ଦିନେ ଯୋଶେଫ୍‌ କଥା ସେଇ ଜେଲଦଣ୍ଡ ଭୋଗିଥିବା ପାଚକର ମନେପଡ଼ିଲା । ସେ ସଙ୍ଗେ ସଙ୍ଗେ ଫାରାଓଙ୍କ ନିକଟକୁ ଯାଇ ତାର ପୂର୍ବ ଅଭିଜ୍ଞତା କଥା ବର୍ଣ୍ଣନା କଲା । ତାଠୁଁ ସବୁ କଥା ଶୁଣି, ଫାରାଓ ଯୋଶେଫ୍‌କୁ ଜେଲଖାନାରୁ ମୁକିଳାଇ ଆଣି, ଭଲ ଲୁଗା ପିନ୍ଧାଇ, ସୁଖାଦ୍ୟ ଖୁଆଇ କହିଲେ–“ତୁମ ପାଣ୍ଡିତ୍ୟ ବିଷୟ ମୁଁ ମୋର ପାଚକଠୁଁ ସବୁ ଶୁଣିଚି । ତୁମେ ଯଦି ମତେ ଏଇ ସ୍ୱପ୍ନର ଅର୍ଥ ଠିକଭାବେ ବୁଝାଇପାରିବ, ତେବେ ମୁଁ ତୁମକୁ ଯଥେଷ୍ଟ ପୁରସ୍କାର ଦେବି ।”

 

ଏ କଥା ଶୁଣି ଯୋଶେଫ ଅତି ନମ୍ରଭାବରେ କହିଲା–“ମହାରାଜ, ଆପଣ ପ୍ରଥମେ ଦେଖିଥିବା ସାତଗୋଟି ସତେଜ ଶସ୍ୟକେଣ୍ଡାର ଅର୍ଥ ହେଉଚି ଯେ ବର୍ତ୍ତମାନ ଆପଣଙ୍କ ରାଜ୍ୟରେ ସାତବର୍ଷ ଯାଏ ଯଥେଷ୍ଟ ପରିମାଣ ଶସ୍ୟ ଫଳିବ । ସାତଗୋଟି ବଳିଷ୍ଠ ଗାଈର ଅର୍ଥ ହେଉଛି ଆପଣଙ୍କ ଦେଶରେ ଥିବା ଗୃହପାଳିତ ପଶୁଗୁଡ଼ିକ ଖୁବ୍ ହୃଷ୍ଟପୃଷ୍ଟ; ମାତ୍ର ସାତଗୋଟି ଶୁଖିଲା କେଣ୍ଡାରୁ ଜଣାପଡ଼ୁଚି ଯେ ଭବିଷ୍ୟତରେ ସାତବର୍ଷ ପର୍ଯ୍ୟନ୍ତ ଏ ଦେଶରେ ଘୋର ମରୁଡ଼ି ପଡ଼ିବ–ମୁଠାଏ ହେଲେ ଶସ୍ୟ ଫଳିବ ନାହିଁ । ପୁଣି ସାତଗୋଟି ରୁଗୁଣ ଗୋରୁ ବଳିଷ୍ଠ ଗାଈଗୁଡ଼ିଙ୍କୁ ଗିଳିପକାଇବାର ଅର୍ଥ ହେଉଚି ଯେ ଏଇ ମରୁଡ଼ି ଯୋଗେ ଏପରି ଦୁର୍ଭିକ୍ଷ ପଡ଼ିବ ଯାହା ଫଳରେ ଗୃହପାଳିତ ପଶୁଗୁଡ଼ିକ ଅକାଳରେ ମରିଯିବେ ।

 

ଯୋଶେଫ କଥା ଶୁଣି ଫାରାଓ ବଡ଼ ବିଚଳିତ ହୋଇ କହିଲେ–“ହେ ଜ୍ଞାନୀ ଯୁବକ ! ତୁମ କଥାକୁ ମୁଁ ପୂରାପୂରି ବିଶ୍ୱାସ କରୁଚି; ମାତ୍ର ଏଇ ଘୋର ବିପଦରୁ ମୁଁ କିପରି ଉଦ୍ଧାର ପାଇବି, ସେ କଥା ମତେ ଅନୁଗ୍ରହ କରି କହିଦିଅ । ତୁମେ ଯଦି ପ୍ରକୃତରେ ମତେ ଏଇ ସଙ୍କଟରୁ, ରକ୍ଷାକରିପାରିବ, ତେବେ ତୁମେ ଯାହା ମାଗିବ ତାହା ଦବାଲାଗି ମୁଁ ପ୍ରତିଜ୍ଞା କରୁଚି ।”

 

ଫାରାଓଙ୍କ ବ୍ୟାକୁଳତା ଦେଖି ଯୋଶେଫ୍‌ କହିଲା–“ମହାରାଜ, ଏଇ ବିପଦରୁ ରକ୍ଷାପାଇବାର ବାଟ ଅବଶ୍ୟ ରହିଚି । ଆପଣ ମନଦେଇ ମୋ କଥା ଶୁଣନ୍ତୁ । ସର୍ବଶକ୍ତିମାନ ପରମେଶ୍ୱର ଅନୁଗ୍ରହ କରି ଏଇ ସ୍ୱପ୍ନ ଜରିଆରେ ଆପଣଙ୍କୁ ଆଗରୁ ସାବଧାନ କରାଦେଇଚନ୍ତି । ବର୍ତ୍ତମାନଠାରୁ ଆପଣ ଦେଶସାରା ଯେଉଁଠି ଯେତେ ଶସ୍ୟ ଫଳିଚି ଓ ଯାହା ପାଖରେ ଯେତେ ଶସ୍ୟ ରହିଚି, ସବୁ ସଂଗ୍ରହ କରି ଆପଣଙ୍କ ଭଣ୍ଡାରରେ ମହଜୁଦ କରି ରଖନ୍ତୁ । ଦୁର୍ଭିକ୍ଷ ପଡ଼ିବା ପରେ ଖୁବ୍ ହିସାବ ମୁତାବକ ସେଇ ମହଜୁଦ ଥିବା ଶସ୍ୟକୁ ଖର୍ଚ୍ଚ କରିବେ । ଏହା ଫଳରେ କଷ୍ଟ ହେଲେ ସୁଦ୍ଧା ମଣିଷ ଓ ଗାଈଗୋରୁ କୌଣସି ପ୍ରକାରେ ବଞ୍ଚି ରହି ପାରିବେ ।”

 

ଯୋଶେଫ୍‌ର ପରାମର୍ଶ ଶୁଣି ଫାରାଓ ଖୁବ୍ ସନ୍ତୁଷ୍ଟ ହୋଇ କହିଲେ–“ତୁମେ ଆଜିଠୁଁ ମୋର ପ୍ରାଧାନମନ୍ତ୍ରୀ ହେଲ । ଏଇ ଦେଶର ସବୁ ଲୋକ ଓ କର୍ମଚାରୀ ତୁମ କଥା ମାନିବାକୁ ବାଧ୍ୟରହିବେ । ଏଣିକି ଏହି ଦୁର୍ଭିକ୍ଷ କବଳରୁ ରକ୍ଷା ପାଇବା ସକାଶେ ତୁମେ ଯାହା ଉଚିତ ମନେକରିବ, ସେହିପରି କରିବ ।” ଏହା କହି ସାରି ଫାରାଓ ଦେଶସାରା ଲୋକଙ୍କୁ ନିଜ ସିଦ୍ଧାନ୍ତ ବିଷୟ ଜଣାଇ ଦେଲେ ।

 

କ୍ରୀତଦାସ ରୂପେ ଅଣାଯାଇଥିବା ଓ ଜେଲଦଣ୍ଡ ଭୋଗୁଥିବା ଯୋଶେଫ୍, ଦୈବକୃପାରୁ ମିଶର ପରି ବିଶାଳ ଦେଶର ଏକପ୍ରକାର ସର୍ବେସର୍ବା ହେଲା ।

Image

 

ଯେ ପାଞ୍ଚେ ପରର ମନ୍ଦ

 

ଯୋଶେଫ୍‌ର ଭବିଷ୍ୟତ ବାଣୀ ମୁତାବକ ସାତବର୍ଷ ପରେ ଚାରିଆଡ଼େ ମରୁଡ଼ିର କରାଳ ଛାଇ ବ୍ୟାପିଗଲା । କେବଳ ମିଶର କାହିଁକି, କାନାନ୍, ଆରାମ, ଆସିରିଆ ପ୍ରଭୃତି ଦେଶମାନଙ୍କରେ ସୁଦ୍ଧା ଏହି ନାହିଁଥିବା ମରୁଡ଼ି ଯୋଗୁଁ ମୁଠାଏ ହେଲେ ଫସଲ ଫଳିଲା ନାହିଁ । ଭୋକ ଉପାସରେ ପଶୁପକ୍ଷୀ ତ ଛାର, ହଜାର ହଜାର ମଣିଷ ମଧ୍ୟ ମରିବାକୁ ଲାଗିଲେ; ମାତ୍ର ଯୋଶେଫର ଦୂରଦୃଷ୍ଟି ଓ ଉପଯୁକ୍ତ ବନ୍ଦୋବସ୍ତ ଯୋଗୁଁ ମିଶରର ଏତେ ବିପୁଳ ପରିମାଣ ଶସ୍ୟ ଜମା ହୋଇ ରହିଲା ଯେ ମିଶରରେ ଏତେ ବିପୁଳ ପରିମାଣରେ ଶସ୍ୟ ଜମା ହୋଇ ରହିଲା ଯେ ମିଶର ଲୋକେ ନିଜ ପେଟ ପୁରାଇ ଖାଇ ସୁଦ୍ଧା ବିଦେଶରୁ ଶସ୍ୟ କିଣିବା ଲାଗି ଆସୁଥିବା କ୍ଷୁଦାର୍ତ୍ତ ଲୋକଙ୍କୁ ସେମାନଙ୍କ ପେଟ ପୂରାଇବା ଭଳି ଶସ୍ୟ ବିକି ପାରିଲେ ।

 

ଯୋଶେଫ୍‌ର ଜନ୍ମଭୂମି କାନନ୍ ଦେଶ ମଧ୍ୟ ଦୁର୍ଭିକ୍ଷର ଦାଉରୁ ରକ୍ଷା ପାଇଲା ନାହିଁ । ଅବସ୍ଥା ଏପରି ହେଲା ଯେ ଲୋକେ ସେରେ ସୁନା ବଦଳରେ ସେରେ ଶସ୍ୟ କିଣିବାକୁ ଚାହିଁ ମଧ୍ୟ ନିରାଶ ହେଲେ । ଭୋକଜ୍ୱାଳରେ କେତେ ସ୍ତ୍ରୀ ପୁରୁଷ ଯେ ଅକାଳରେ ପ୍ରାଣତ୍ୟାଗ କଲେ, ତାର ହିସାବ ରହିଲା ନାହିଁ । ଜାକବର ଘରେ ମଧ୍ୟ ଏଇ ଅଭାବ ଅତି ଉତ୍କଟ ରୂପଧରି ଦେଖାଦେଲା । ଦିନେ ଖାଇଲେ ଦୁଇ ଦିନ ଉପାସ ରହିବାକୁ ପଡ଼ିଲା । ଶେଷକୁ ଭୋକଜ୍ୱାଳା ସହି ନ ପାରି ଜାକବ ତାର ଏଗାର ପୁଅଙ୍କୁ ଡ଼ାକି କହିଲା–“ମୁଁ ଶୁଣୁଚି ଯେ ମିଶର ଦେଶରେ ଯଥେଷ୍ଟ ପରିମାଣ ଶସ୍ୟ ମହଜୁଦ ଅଛି ଏବଂ ଅନ୍ୟ ଦେଶରୁ ଲୋକେ ଯାଇ ସେଠୁ ନିଜ ପ୍ରୟୋଜନ ମୁତାବକ ଶସ୍ୟ ଉଚିତ ଦାମରେ କିଣି ଆଣୁଚନ୍ତି । ତେଣୁ ଏଠାରେ ଆଉ ସମୟ ନଷ୍ଟ ନ କରି, ତୁମେମାନେ ଶ୍ରୀଘ୍ର ମିଶର ଦେଶକୁ ଯାଇ ଆମ ଦରକାର ମୁତାବକ ଶସ୍ୟ କିଣିଆଣ ।”

ଜାକବର କଥା ଶୁଣି ଏଗାର ଭାଇଯାକ କିଛି ଟଙ୍କା ଧରି ଶସ୍ୟ କିଣିବା ଲାଗି ମିଶର ଦେଶରେ ପହଞ୍ଚିଲେ । ଏଣେ ଯୋଶେଫ୍ ଆଦେଶ କରିଥାଏ ଯେ କୌଣସି ବିଦେଶୀ ଶସ୍ୟ କିଣିବା ସକାଶେ ଆସିଲେ ତାକୁ ଆଗ ଯୋଶେଫ୍ ସାମନାରେ ହାଜର ହବାକୁ ପଡ଼ିବ । ତା କଥା ଶୁଣି ଯୋଶେଫ୍‌ ଉଚିତ ମନେକଲେ ତାକୁ ଶସ୍ୟ କିଣିବା ଲାଗି ଅନୁମତି ଦିଆଯିବ ।

ଯୋଶେଫ୍‌ର ଏଗାରଜଣ ଭାଇ ଶସ୍ୟ କିଣିବା ସକାଶେ ମିଶରରେ ପହଞ୍ଚିବା ପରେ ଅନୁମତି ଆଣିବା ଲାଗି ସେମାନଙ୍କୁ ଯୋଶେଫ୍‌ ସାମନାକୁ ଯିବାକୁ ପଡ଼ିଲା । ରାଜବେଶ ପିନ୍ଧି ଗୋଟିଏ ଉଚ୍ଚ ଆସନରେ ବସିଥିବା ଯୋଶେଫକୁ ସେମାନେ ଚିହ୍ନି ନପାରିଲେ ସୁଦ୍ଧା ଯୋସେଫ୍‌ ସେମାନଙ୍କୁ ଦେଖିବା ମାତ୍ରେ ଚିହ୍ନି ପାରିଲା; ମାତ୍ର ନିଜ କଥା ବା ଆଚରଣରେ ସେ ତାହା ପ୍ରକାଶ କଲା ନାହିଁ ।

ଯୋଶେଫ୍ ଆଗରେ ପହଂଚି ତାର ଭାଇମାନେ ସେ ଯୁଗର ରୀତିନୀତି ଅନୁସାରେ ସାଷ୍ଟାଙ୍ଗ ପ୍ରଣାମ କରି ତାକୁ ନିଜର ସମ୍ମାନ ଜଣାଇଲେ; ମାତ୍ର ସେମାନଙ୍କର ପ୍ରଣାମକୁ ଖାତିର ନ କରି, କପଟ କ୍ରୋଧ ଦେଖାଇ, ଯୋଶେଫ୍ କହିଲା, “ମୁଁ ସ୍ପଷ୍ଟ ବୁଝିପାରୁଚି ଯେ ତୁମେମାନେ ଗୁପ୍ତଚର । ଆମ ଦେଶର ଅନିଷ୍ଟ କରିବା ଲାଗି ଶସ୍ୟ କିଣିବା ଆଳରେ ଏଠାକୁ ଆସିଚ । ମୁଁ ତୁମାନଙ୍କୁ ପ୍ରାଣଦଣ୍ଡ ଦେବି ।”

ଏ କଥା ଶୁଣି ଏଗାର ଭାଇଯାକ ଭୟରେ ଥରି ଥରି କହିଲେ–“ହଜୁର, ଆମେ ପ୍ରକୃତରେ ବଡ଼ ଗରିବ ଓ ନିରୀହ ଲୋକ । ଆମ ଘର କାନାନ ଦେଶରେ । ଉପାସ ସହି ନ ପାରି କିଛି ଶସ୍ୟ କିଣିବା ସକାଶେ ଆପଣଙ୍କ ନିକଟକୁ ଆସିଚୁ ।”

ସେଠୁ ଯୋଶେଫ୍‌ ପଚାରିଲା–“ତୁମେମାନେ କେତେ ଭାଇ ?”

 

ସେମାନେ କହିଲେ–“ଆମେ ବାର ଭାଇ ।”

 

ଯୋଶେଫ୍–“ତୁମର ଆଉ ଜଣେ ଭାଇ କେଉଁଠି ?”

 

“ଆମେ ବୁଢ଼ା ବାପାଙ୍କୁ ହେପାଜତ କରିବା ସକାଶେ ଆମସାନଭାଇ ଘରେ ରହିଚି”–ସେମାନେ ଉତ୍ତର ଦେଲେ ।

 

ଏ କଥା ଶୁଣି ମନ ମନେ ହସି ଯୋଶେଫ୍ କହିଲା–“ମୁଁ ଏଯାଏ ତୁମମାନଙ୍କ କଥା ବିଶ୍ୱାସ କରିପାରୁନି । ତୁମ ସାନଭାଇ ମୋ ସାମନାକୁ ଆସଲେ ମୁଁ ତୁମ କଥା ବିଶ୍ୱାସ କରିବି ।”

 

ଏ କଥା ଶୁଣି ସେମାନେ କଣ କରିବେ ବୁଝି ନପାରି ମୁଣ୍ଡ ପୋତି ଛିଡ଼ା ହୋଇ ରହିଲେ-। ସେମାନଙ୍କର ଶୋଚନୀୟ ଅବସ୍ଥା ଦେଖି ଯୋଶେଫ କହିଲା–“ଏଥର ଲାଗି ମୁଁ ତୁମମାନଙ୍କୁ ଦଣ୍ଡନଦେଇ ଛାଡ଼ିଦେଉଚି; ମାତ୍ର ମୁଁ ତୁମମାନଙ୍କୁ ବେଶି ପରିମାଣ ଶସ୍ୟ ଦେବି ନାହିଁ । ବର୍ତ୍ତମାନପାଇଁ ତୁମ ପ୍ରତ୍ୟେକଙ୍କୁ ଏକବସ୍ତା ଲେଖାଁ ଶସ୍ୟ ଦେବି । ତୁମେମାନେ ଦେଶକୁ ଫେରିଯାଇ ତୁମ ସାନଭାଇକୁ ସାଙ୍ଗରେ ଧରି ଫେରି ଆସିଲେ, ମୁଁ ତୁମମାନଙ୍କୁ ତୁମ ଚାହିଦା ମୁତାବକ ଶସ୍ୟ ଯୋଗାଇ ଦେବି ।” ଏକଥା କହି ସେ କେଇଜଣ ଚାକରଙ୍କୁ ଡ଼ାକି ଉଚିତ ଦାମ ନେଇ ସେମାନଙ୍କୁ ଏଗାର ବସ୍ତା ଶସ୍ୟ ଯୋଗାଇଦେବା ସକାଶେ ଆଦେଶ ଦେଲା । ତା’ପରେ ପ୍ରତି ବସ୍ତା ଲାଗି ନିଆଯାଇଥିବା ଦାମ୍ ସେଇ ଶସ୍ୟ ଭିତରେ ଗୁଞ୍ଜିଦେଇ ବସ୍ତା ମୁହଁ ସିଲାଇ କରିଦେବା ଲାଗି ଗୋପନରେ ନିର୍ଦେଶ ଦେଲା । କିଛି ସମୟ ପରେ ଚାକରମାନେ ଏଗାରଟା ଶସ୍ୟ ଭର୍ତ୍ତି ବସ୍ତା ମୁହଁ ସିଲାଇ କରି ଆଣି ଦେବାରୁ, ଭାଇମାନେ ସେଗୁଡ଼ିକୁ ନିଜ ନିଜ ଗଧ ପିଠିରେ ଲଦି ଘର ବାଟ ଧରିଲେ ।

 

ଫେରିବା ବାଟରେ ସେମାନେ ଅତୀତରେ ଯୋଶେଫ ପ୍ରତି କରିଥିବା ଅନ୍ୟାୟ ଆଚରଣ ମନେପକାଇ ବଡ଼ ଅନୁତାପ କରିବାକୁ ଲାଗିଲେ । “ହାୟ, ଯୋଶେଫ୍‌ ଆମ ସାଙ୍ଗରେ ଥିଲେ ଆଜି ଆମେମାନେ ଏପରି ଅପମାନ ପାଇନଥାନ୍ତୁ । ସେ କେଉଁଠି ଅଛି ଜାଣିପାରିଲେ ଆମେ ସମସ୍ତେ ମିଶି ଯାଇ ତାକୁ ପାଛୋଟି ଆଣନ୍ତୁ ।” ଏହିପରି ଅନୁତାପ କରୁ କରୁ ସେମାନେ ନିଜ ଘରେ ଆସି ପହଞ୍ଚିଲେ ।

 

ଘରେ ପହଂଚି ବସ୍ତାଗୁଡ଼ିକ ଖୋଲି ଶସ୍ୟ ଅଜାଡ଼ିବା ସମୟରେ ତା ଭିତରୁ ସେମାନେ ଦେଇଥିବା ଟଙ୍କାଗୁଡ଼ାକ ଝଣଝାଣ ହେଇ ପଡ଼ିବାର ଦେଖି ସେମାନେ ଏପରି କାବା ହୋଇଗଲେ ଯେ କିଛି ସମୟ ଯାଏ ତାଙ୍କ ପାଟିରୁ ପଦେ ହେଲେ କଥା ବାହାରିଲା ନାହିଁ । ତା’ପରେ ଏଗାର ଭାଇ ଏକାଠି ମିଶି ନିଜ ବାପା ଜାକବଙ୍କ ପାଖକୁ ଯାଇ ସବୁ କଥା କହିଲେ ଏବଂ ଏ କଥା ମଧ୍ୟ କହିଲେ ଯେ ପ୍ରଧାନମନ୍ତ୍ରୀ କହିଚନ୍ତି ଯେ ନିଜ ସାନଭାଇକୁ ସାଙ୍ଗରେ ଧରି ନ ଆସିଲେ, ସେମାନଙ୍କୁ ଆଉ ଶସ୍ୟ ଦିଆଯିବ ନାହିଁ ।

 

ସବୁ ଶୁଣି ଜାକବ କହିଲେ–“ତୁମ କଥାରୁ ମୁଁ ଜାଣିପାରୁଚି ଯେ ସେଇ ପ୍ରଧାନମନ୍ତ୍ରୀ ଜଣେ ଖୁବ୍ ଜ୍ଞାନୀ ଓ ଦୟାଳୁ ପୁରୁଷ । ସେ ଦୟାକରି ଆମକୁ ମାଗଣାରେ ଏତେଗୁଡ଼ାଏ ଶସ୍ୟ ଦେଲେ । ଯୋଶେଫ କୁଆଡ଼େ ଯେ ଗଲା, କଣ ବା ତାର ହେଲା ସେ କଥା ତ ଆମକୁ ଜଣା ନାହିଁ-। ତେବେ ପୁଣି ତାଙ୍କ ପାଖକୁ ଯିବା ସମୟରେ ତୁମର ଜ୍ଞାତି ଭାଇ ବେଞ୍ଜାମିନକୁ ସାଙ୍ଗରେ ଘେନି ଯାଇ ତାକୁ ନିଜର ବୋଲି ଚିହ୍ନାଇ ଦେବ । ମୋର ମନେହେଉଚି ପରମେଶ୍ୱରଙ୍କ ଦୟାରୁ ଏଥର ତୁମେମାନେ ନିରାପଦରେ ନିଜ ନିଜ ଉଦ୍ଦେଶ୍ୟ ହାସଲ କରି ଆସିପାରିବ ।”

 

କିଛିଦିନ ପରେ ସେଇ ଏଗାର ବସ୍ତାଶସ୍ୟ ସରିଗଲା । ସେଠୁ, ଜାକବଙ୍କ ପରାମର୍ଶ ଅନୁସାରେ ଏଗାର ଭାଇ ବେଞ୍ଜାମିନକୁ ସଙ୍ଗରେ ଘେନି ପୁଣି ମିଶର ଦେଶକୁ ଗଲେ ।

 

ମିଶରରେ ପହଂଚିବା ପରେ ସେମାନଙ୍କୁ ଯଥାବିଧି ଯଶୋଫ୍ ସାମନାରେ ହାଜର କରାଗଲା । କିଛି ନ ଜାଣିଲା ପରି ଯୋଶେଫ୍ ପଚାରିଲା–“ତୁମମାନଙ୍କ ଖବର କଣ ? ପୁଣି କାହିଁକି ଆସିଚ ?”

 

ସେମାନେ ପୂର୍ବପରି ସାଷ୍ଟାଙ୍ଗ ପ୍ରଣାମ କରି କହିଲେ–“ମହାଶୟ, ଆପଣ ଅନୁଗ୍ରହ କରି ଦେଇଥିବା ଶସ୍ୟରେ ଆମେ ଏତେଦିନ ଚଳିଆସିଲୁ; ମାତ୍ର କାନନ ଦେଶରେ ଏପରି ମରୁଡ଼ି ପଡ଼ିଚି ଯେ କୌଣସି କ୍ଷେତରେ ଗୋଟିଏ ହେଲେ ଶସ୍ୟକେଣ୍ଡା ଦେଖିବା ଅସମ୍ଭବ । ଆପଣ ଆଦେଶ ଦେଇଥିବା ଅନୁସାରେ ଆମ ସାନଭାଇକୁ ସଙ୍ଗରେ ଘେନି ଆଉ କିଛି ଶସ୍ୟ ନେବାଲାଗି ଆସିଚୁ ।”

 

ଯୋଶେଫ୍‌ ନିଜ ଦେଶରୁ ଆସିବା ସମୟରେ ବେଞ୍ଜାମିନ ଅତି ସାନ ଥିଲା । ସେଇ ସାନ ଶିଶୁକୁ ଏକ ସୁନ୍ଦର ବାଳକ ରୁପରେ ଦେଖି ଯୋଶେଫର ମନ ଭିତରେ ତା’ପ୍ରତି ସ୍ନେହ ଉଚ୍ଛୁଳି ଉଠିଲା ଏବଂ ସେଇ ସଙ୍ଗେ ସଙ୍ଗେ ନିଜ ପିତା ଓ ଅନ୍ୟ ଆତ୍ମୀୟଙ୍କ କଥା ମନେପଡ଼ି ତାକୁ ବଡ଼ ବିକଳ ଲାଗିଲା । ତେଣୁ ସେ ପାଖରେ ଥିବା ଗୋଟିଏ ଘର ଭିତରେ ହଠାତ୍ ପଶିଯାଇ ନିର୍ଜନରେ ବହୁତ ବେଳ ଯାଏ କାନ୍ଦିଲା । ତା’ପରେ ଚାକରମାନଙ୍କୁ ଏକ ଉତ୍ତମ ଭୋଜିର ଆୟୋଜନ କରିବାକୁ କହି, ମୁହଁରୁ ଲୁହ ପୋଛି ସେ ପୁଣି ପଦାକୁ ଆସି ବେଞ୍ଜାମିନକୁ ପଚାରିଲା, “ତୁମ୍ଭମାନଙ୍କର କଣ ଆଉ କେହି ଭାଇ ନ ଥିଲେ ?”

 

ବାଳକ ବେଞ୍ଜାମିନ ସରଳ ଭାବରେ ଉତ୍ତର କଲା–“ହଁ ମହାଶୟ, ଯୋଶେଫ୍ ବୋଲି ଆମର ଆଉ ଜଣେ ଭାଇ ଥିଲେ । ମାତ୍ର ବହୁ ବର୍ଷ ହେଲା ତାଙ୍କର କୌଣସି ପତ୍ତା ମିଳୁନାହିଁ । ତାଙ୍କର କଣ ହେଲା, ସେ କଥା ଆମେ କେହି କିଛି ଜାଣିନାହୁଁ ।”

 

ଯୋଶେଫ୍‌ ଆଉ ନିଜର ଆବେଗ ସମ୍ଭାଳି ନ ପାରି, ଦରବାରୀ ପୋଷାକ ଓ ଟୋପି ଫିଟାଇ କାନ୍ଦି କାନ୍ଦି କହିଲା–“ହାୟ ଭାଇମାନେ, ମୁ ସେଇ ଯୋଶେଫ୍ । ତୁମେମାନେ କଣ ଏଯାଏ ମତେ ଚିହ୍ନିପାରିଲ ନାହିଁ ।”

 

ସବୁ କଥା ବୁଝି ଏଗାର ଭାଇଯାକ ଭୟ ଓ ଅନୁତାପରେ ଯୋଶେଫ୍‌ ପାଦତଳେ ପଡ଼ି କ୍ଷମା ମାଗିବାକୁ ଚାହିଁଲେ; ମାତ୍ର ଯୋଶେଫ୍ ସେମାନଙ୍କୁ ସ୍ନହରେ କୁଣ୍ଢାଇପକାଇ ଭୋଜିସ୍ଥାନକୁ ନେଇଗଲା । ଭୋଜି ପରେ ଭାଇମାନଙ୍କୁ ସେ କହିଲା–“ମୋ ପକ୍ଷରେ ଏଠୁ ଆଉ ଫେରିଯିବା ସମ୍ଭବ ନୁହେଁ, କାରଣ ଫାରାଓ ମୋ ଉପରେ ସାରା ମିଶର ଦେଶର ଶାସନ ଦାୟିତ୍ୱ ଦେଇଚନ୍ତି । ତୁମେମାନେ ବାପାଙ୍କୁ ଶୀଘ୍ର ମୋ ପାଖକୁ ଘେନିଆସିବ–ବାକି ଜୀବନାଟା ସୋ ମୋ ନିକଟରେ ସୁଖ ଓ ଶାନ୍ତିରେ କଟାଇଦେବେ ।’’ ତାପରେ ଯଥେଷ୍ଟ ଶସ୍ୟ ଓ ଲୁଗାପଟା ଦେଇ ସେ ଭାଇମାନଙ୍କୁ ନିଜ ଦେଶକୁ ପଠାଇଦେଲା ।

Image

 

ଦେବଶିଶୁ

 

ଯୋଶେଫ୍ ଓ ତାର ଭାଇମାନେ ମିଶରଦେଶରେ ସ୍ଥାୟୀ ଭାବରେ ଘର କରି ରହିଲେ । ସମୟକ୍ରମେ ସେମାନଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଲା । ଇସ୍ରାଏଲ ଦେଶରେ ଥିବା କାନନ୍ ଅଞ୍ଚଳରୁ ସେମାନେ ଆସିଥିବା ଯୋଗୁଁ ମିଶରର ଲୋକେ ସେମାନଙ୍କୁ ‘ଇସ୍ରାଏଲ’ ବା ‘ଇହୁଦୀ’ ବୋଲି କହୁଥିଲେ ।

 

ସମୟ ସବୁବେଳେ ସମାନ ରହେନାହିଁ । କିଛି କାଳ ପରେ ଜଣେ ଅତି ନିଷ୍ଠୁର ଓ ଅତ୍ୟାଚାରୀ ଫାରାଓ ମିଶର ଦେଶର ସିଂହାନରେ ବସିଲେ । ଦଳେ ଖଳ ଲୋକ ଏଇ ଫାରାଓଙ୍କୁ ସର୍ବଦା ନନା ପ୍ରକାର ଖରାପ ପରାମର୍ଶ ଦେଉଥିଲେ । ଏଇ ଦୁଷ୍ଟ ଲୋକମାନଙ୍କ ପରାମର୍ଶ ଅନୁସାରେ ଦିନେ ଫାରାଓ ଘୋଷଣା କରି କହିଲେ–“ଏଣିକି ଇହୁଦୀମାନେ ମିଶରୀୟମାନଙ୍କ କ୍ରୀତଦାସ ହୋଇ ରହିବୋ । ତା ଛଡ଼ା, ଇହୁଦୀମାନଙ୍କ ପୁରୁଷ ସଂଖ୍ୟା ଆଉ ବଢ଼ିବାକୁ ଦିଆଯିବ ନାହିଁ । ଏଣିକି କୌଣସି ଇହୁଦୀ ଘରେ ଝିଅ ପିଲା ଜନ୍ମିଲେ ତାକୁ ଭବିଷ୍ୟତରେ ରାଜପ୍ରସାଦରେ ଚାକରାଣୀ ହେବାକୁ ପଡ଼ିବ, ମାତ୍ର କୌଣସି ପୁଅ ପିଲା ଜନ୍ମିଲେ, ତାକୁ ସଙ୍ଗେ ସଙ୍ଗେ ମାରି ଦିଆଯିବ ।” ତା’ପରେ ମିଶର ଦେଶରେ ଥିବା ସବୁ ଧାଈଙ୍କୁ ଡ଼କାଇ ଫାରାଓ ହୁକୁମ ଦେଲେ–“ଆଜିଠାରୁ କୌଣସି ଇହୁଦୀ ଘରେ ପୁଅ ପିଲା ଜନ୍ମିବା ମାତ୍ରେ ତୁମେମାନେ ତାକୁ ଯେ କୌଣସି ପ୍ରକାରେ ମାରିପକାଇବ ।”

 

ଫାରାଓଙ୍କର ଏପରି ନିଷ୍ଠୁର ଆଦେଶ ଶୁଣି ଇହୁଦୀମାନେ ଭୟ ଓ ଦୁଃଖରେ ଅସ୍ଥିର ହୋଇପଡ଼ିଲେ । ଅବଶ୍ୟ କେତେକ ଦୟାଶୀଳା ଧାଈ ଧର୍ମକୁ ଡ଼ରି ଫାରାଓଙ୍କର ଏଇ ଆଦେଶ ଅମାନ୍ୟ କଲେ, ମାତ୍ର ବହୁ ସଦ୍ୟୋଜାତ ଇହୁଦୀ ପୁତ୍ରସନ୍ତାନଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟା କରାଗଲା । ଧନୀ ଓ ସମ୍ଭ୍ରାନ୍ତ ମିଶରୀୟମାନେ ମଧ୍ୟ ଇହୁଦୀମାନଙ୍କୁ କ୍ରୀତଦାସ ରୂପେ ସେମାନଙ୍କ ଉପରେ ନାନାପ୍ରକାର ଅତ୍ୟାଚାର କରିବାକୁ ଲାଗିଲେ ।

 

ଏହି ସମୟରେ ମିଶର ଦେଶରେ ଲେଭି ନାଁରେ ଜଣେ ଧର୍ମପରାୟଣ ଇହୁଦୀ ରହୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ଝିଅଟିକୁ ବିବାହ ଦେବା ପରେ ଯଥାସମୟରେ ତାର ଗୋଟିଏ ପୁଅ ହେଲା । ପୁଅଟିକୁ ଦେଖିବା ମାତ୍ରେ ଲେଭି ଓ ଅନ୍ୟ ଜ୍ଞାନୀ ଲୋକେ ବୁଝିପାରିଲେ ଯେ ସେଇ ଶିଶୁଠାରେ କେତେକ ବିଶେଷ ଶୁଭ ଚିହ୍ନ ରହିଚି । ବଡ଼ହେଲେ ସେ ଜଣେ ଅତି ଶକ୍ତିଶାଳୀ ଓ ବିଶିଷ୍ଟ ବ୍ୟକ୍ତି ହେବ । ତେଣୁ ପିଲାଟି ଜନ୍ମ ହେବା ପରେ ତିନିମାସ ପର୍ଯ୍ୟନ୍ତ ତାର ମା’ ଅତି ସାବଧାନରେ ଲୁଚାଇ ରଖିଲେ । ତେଣିକି ଆଉ ତାକୁ ଲୁଚାଇ ରଖିବା ସମ୍ଭବ ନ ହେବାରୁ, ଦିନେ ଗୋଟିଏ ବେତ ବାକ୍‌ସ ଭିତରେ ଶିଶୁଟିକୁ ପୂରାଇ, ବାକ୍‌ସଟିକୁ ନୀଳ ନଦୀରେ ଭସାଇଦେଲେ ।

 

ନଈର ପ୍ରଖର ସ୍ରୋତରେ ଭାସି ଯାଉ ଯାଉ ଫାରାଓଙ୍କ ପ୍ରାସାଦ ପାଖରେ ଥିବା ଗୋଟିଏ ବୁଦାରେ ବେତ ବାକ୍‌ସଟି ଅଟକି ରହିଗଲା । ସେଇ ବୁଦା ପାଖରେ ଫାରାଓଙ୍କ ଝିଅ ପ୍ରତିଦିନ ଗୋଧୋଇବାକୁ ଆସେ । ସେଦିନ ଗାଧୋଇବାକୁ ଆସି ବୁଦା ପାଖରେ ସେଇ ବେତ ବାକ୍‌ସଟିକୁ ଦେଖି ରଜାଝିଅ ମନରେ ବିଶେଷ କୌତୂହଳ ହେଲା । ସଙ୍ଗେ ସଙ୍ଗେ ଦୁଇଜଣ ପୋଇଲୀ ଯାଇ ବାକ୍‌ସଟିକୁ ଆଣି ଫିଟାଇ ଦେବାରୁ ଦେଖାଗଲା ଯେ ତା ଭିତରେ ଦେବଶିଶୁ ପରି ସୁନ୍ଦର ପୁଅଟିଏ ଶୋଇଚି ।

 

ପିଲାଟିକୁ ଦେଖିବା ମାତ୍ରେ ପୋଇଲୀମାନେ କହିପକାଇଲେ–“ଜେମା, ଏ ନିଶ୍ଚେ ଇହୁଦୀର ପୁଅ । ଫାରାଓ ଡ଼ରରେ ତାର ବାପ ମା’ ତାକୁ ଏପରି ଭାବରେ ଭସାଇ ଦେଇଚନ୍ତି ।”

 

ପୁଅଟିକୁ ଦେଖିବା ମାତ୍ରେ ରଜାଝିଅର ମନ ମାତୃସ୍ନେହରେ ପୂରିଗଲା । ସେ କହିଲା–“ଏଇ ପିଲାଟିକୁ ମୁଁ ମୋର ପୁଅପରି ପାଳିବି । ଏହାକୁ ଶୀଘ୍ର ପ୍ରାସାଦକୁ ନେଇଯାଅ ।”

 

ପିଲାଟିକୁ ତ ରାଜପ୍ରାସାଦକୁ ଅଣାଗଲା; ମାତ୍ର କଣ ଖାଇ ସେ ବଂଚି ରହିବ, ତାହା ଏକ ବିଷମ ସମସ୍ୟା ରୂପେ ଦେଖାଦେଲା । ତେଣୁ ପିଲାଟିକୁ ସ୍ତନ୍ୟପାନ କରାଇ ବଂଚାଇ ରଖିବା ଲାଗି ଗୋଟିଏ ଧାଈ ଖୋଜା ପଡ଼ିଲା । ଲେଭିର ଝିଅ ଏବଂ ଏଇ ଶିଶୁଟିର ମା’ ସବୁ ଘଟଣା ଜାଣି, ନିଜର ପରିଚୟ ଗୋପନ କରି, ପିଲାଟିକୁ ସ୍ତନ୍ୟପାନ କରାଇବା ଲାଗି ରାଜକୁମାରୀଙ୍କ ଆଗରେ ଉପସ୍ଥିତ ହେଲା । ତାର ଆଗ୍ରହ ଦେଖି ରାଜକୁମାରୀ ତାକୁ ସେଇ ଶିଶୁର ଧାତ୍ରୀ ରୂପେ ନିଯୁକ୍ତ କଲେ ଏବଂ କିଛିକାଳ ସକାଶେ ଶିଶୁଟିକୁ ସ୍ତନ୍ୟପାନ କରାଇ ସେ ପୁଣି ତାକୁ ରାଜଜେମାଙ୍କ ହାତରେ ସମର୍ପଣ କରି ଆସିଲା ।

 

ରାଜକୀୟ ଆଦର ଓ ଯତ୍ନରେ ମୋଜେସ୍‌ର ରୂପ ଏବଂ ଗୁଣ ଦିନକୁଦିନ ବଢ଼ିବାକୁ ଲାଗିଲା, ମାତ୍ର ବିଶେଷ ଦୈବୀକଳାରେ ଜନ୍ମଗ୍ରହଣ କରିଥିବା ଯୋଗୁଁ ନିଜ ଜାତିଭାଇ ଇହୁଦୀମାନଙ୍କ ଲାଗି ତା ମନରେ ସ୍ନେହ ଓ ସହାନୁଭୂତି ସର୍ବଦା ଜାଗ୍ରତ ରହିଥିଲା ।

 

ଦିନେ ମୋଜେସ୍ ଦେଖିଲା ଯେ ଦୁଇଜଣ ମିଶରୀୟ ରାଜକର୍ମଚାରୀ ଜଣେ ଇହୁଦୀ କ୍ରୀତଦାସ ଉପରେ ଅତ୍ୟାଚାର କରୁଚନ୍ତି । ଏ ପ୍ରକାର ଅନାଚାର ସହି ନପାରି, ସେ ମିଶରୀୟ କର୍ମଚାରୀ ଦୁଇଜଣଙ୍କୁ ହତ୍ୟା କରି ସେମାନଙ୍କର ମୃତଦେହ ଦୁଇଟି ବାଲିରେ ପୋତି ପକାଇଲା; ମାତ୍ର ସମୟକ୍ରମେ ଏହି ହତ୍ୟାକାଣ୍ଡ କଥା ପଦାକୁ ପ୍ରକାଶ ପାଇଲା ଏବଂ ଫାରାଓ ଏ ଘଟଣାରେ ଅତ୍ୟନ୍ତ ବିରକ୍ତ ହୋଇ ମୋଜେସ୍‌କୁ ପ୍ରାଣରେ ମାରିପକାଇବାଲାଗି ଆଦେଶ ଦେଲେ; ମାତ୍ର ଫାରାଓଙ୍କର ଏଇ ଆଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ମୋଜେସ୍‌ ନିଜ ଜୀବନ ରକ୍ଷା କରିବା ଲାଗି ରାଜଧାନୀଠାରୁ ବହୁ ଦୂରରେ ଥିବା ମିଡ଼ିଆନ ବୋଲି ଗୋଟିଏ ସହରକୁ ପଳାଇଯାଇ ଆତ୍ମଗୋପନ କଲା ।

 

ମିଡ଼ିଆନ ସହରର ପୁରୋହିତଙ୍କର ସାତଗୋଟି ଝିଅ ଥିଲେ । ସେମାନେ ପ୍ରିତିଦିନ ଗୋଟିଏ କୂଅରୁ ପାଣି ଆଣିବାକୁ ଯାଉଥିଲେ । ମାତ୍ର ମିଶରୀୟ ମେଷପାଳକମାନେ ସେମାନଙ୍କୁ କୂଅପାଖରୁ ତଡ଼ିଦେଇ ପ୍ରଥମେ ନିଜ ନିଜ ମେଣ୍ଢାପଲ ସକାଶେ ପାଣିଘେନି ଯାଉଥିଲେ । ଫଳରେ ପ୍ରତିଦିନ ସେଇ ଝିଅମାନେ ବହୁତ ବିଳମ୍ବରେ ପାଣିଘେନି ଘରକୁ ଫେରୁଥିଲେ ।

 

ସେଦିନ ମଧ୍ୟ ସେଇ ଝିଅମାନେ ଯଥାରୀତି କୂଅରୁ ପାଣି ନେବାକୁ ଆସିଥିଲେ । ମେଷପାଳକମାନେ ସେମାନଙ୍କୁ ତଡ଼ୁଥିବାର ଦେଖି ମୋଜେସ୍ ଆଗଭର ହୋଇ ସେଇ ଦୃଷ୍ଟ ମେଷପାଳକମାନଙ୍କୁ ତଡ଼ିଦେଇ କୂଅରୁ ପାଣି କାଢ଼ି ସେମାନଙ୍କ ପାତ୍ର ଭରିଦେଲା । ସେଦିନ ଝିଅମାନେ ଏତେ ଶୀଘ୍ର ପାଣି ଘେନି ଘରକୁ ଫେରିବାର ଦେଖି ସେମାନଙ୍କର ବାପା ଆଶ୍ଚର୍ଯ୍ୟ ହୋଇ ଘଟଣା କଣ ବୋଲି ପଚାରିଲେ । ଝିଅମାନେ ଜବାବ ଦେଲେ–“ମିଶରୀୟଙ୍କ ପରି ପୋଷାକ ପିନ୍ଧିଥିବା ମାତ୍ର ଇହୁଦୀମାନଙ୍କ ପରି ଦିଶୁଥିବା ଜଣେ ତେଜୋମୟ ଯୁବକ ସେଇ ଦୁଷ୍ଟ ମେଷ-ଜଗୁଆଳମାନଙ୍କୁ ତଡ଼ି ଆମକୁ ନିଜେ ପାଣି କାଢ଼ି ଯୋଗାଇଦେଲେ । ତେଣୁ ଆମେ ଆଜି ଏତେ ଶୀଘ୍ର ଘରକୁ ଫେରିପାରିଲୁ ।” ଏକଥା ଶୁଣି ସେଇ ପୁରୋହିତ ନିଜେ ଯାଇ ମୋଜେସ୍‌ଙ୍କ ସଙ୍ଗେ ସାକ୍ଷାତ କଲେ ଏବଂ ତାଙ୍କଠାରେ ଐଶ୍ୱରିକ ଲକ୍ଷଣ ଥିବାର ଦେଖି ତାଙ୍କ ସହିତ ନିଜର ବଡ଼ ଝିଅ ଜିପୋରାକୁ ବିବାହ କରାଇଦେଲେ । କିଛିଦିନ ପରେ ମୋଜେସ୍‌ଙ୍କର ଗୋଟିଏ ପୁଅ ଜନ୍ମିଲା ଏବଂ ପିଲାଟିର ନାମ ସେ ରଖିଲେ ଗାର୍ସୋମ ।

 

ବିବାହ କରିବା ପରେ କେତେକ ବର୍ଷ ପର୍ଯନ୍ତ ମୋଜେସ୍ ନିଜ ଶ୍ୱଶୁର ଯେଥ୍ରୋଙ୍କ ଘରେ ରହି ତାଙ୍କର ଚାଷବାସ ଓ ମେଣ୍ଢାପଲର ତଦାରଖି କରିବାକୁ ଲାଗିଲେ । ଦିନେ ମେଣ୍ଢାପଲଙ୍କୁ ଚରାଇବା ଲାଗି ମୋଜେସ୍ ଶ୍ୱଶୁର ଘରଠାରୁ କିଛି ଦୂରରେ ଥିବା ଗୋଟିଏ ପାହାଡ଼ ପାଖରେ ପହଂଚି ମେଣ୍ଢାପଲଙ୍କୁ ଚରାଇବାକୁ ଛାଡ଼ିଦେଇ ନିଜେ ଗୋଟିଏ ଗଛମୂଳେ ବସି ବିଶ୍ରାମ କରିବାକୁ ଲାଗିଲେ । ଏପରି ସମୟରେ ସେ ଅକସ୍ମାତ୍ ଦେଖିଲେ ଯେ ଖଣ୍ଡେ ଦୂରରେ ଥିବା ଗୋଟିଏ ବୁଦା ହୁ ହୁ ହୋଇ ଜଳୁଚି, ମାତ୍ର ସେଇ ନିଆଁରେ ବୁଦାର ଗୋଟିଏ ପତ୍ର ପୋଡ଼ି ଯାଉ ନାହିଁ । ଏପରି ଅଦ୍ଭୁତ ଦୃଶ୍ୟ ଦେଖି ମୋଜେସ୍ ଅନୁମାନ କଲା ଯେ ସେଇ ଘଟଣା ପଛରେ ନିଶ୍ଚୟ କୌଣସି ଗୂଢ଼ ରହସ୍ୟ ରହିଚି, ଏବଂ ସେଇ ରହସ୍ୟ କଣ ତାହା ବୁଝିବା ଲାଗି ସେ କୌତୂହଳୀ ହୋଇ ସେଇ ବୁଦା ପାଖକୁ ଚାଲିଆସିଲା ।

 

ବୁଦା ନିକଟରେ ପହଞ୍ଚିବା ମାତ୍ରେ ଦୈବବାଣୀ ଶୁଭିଲା–“ମୋଜେସ୍‌ ! ମୋଜେସ୍ !” ଚମକିପଡ଼ି ଠିଆ ହୋଇଯାଇ ମୋଜେସ୍ କହିଲା–“କିଏ ମତେ ଡ଼ାକୁଛନ୍ତି ?” ପୁଣି ଦୈବରାଣୀ ହେଲା–ମୋଜେସ୍‌, ମନ ଲଗାଇ ଶୁଣ, ମୁଁ ସର୍ବନିୟନ୍ତା ପରମେଶ୍ୱର କହୁଚି ।” ଏକଥା ଶୁଣିବା ମାତ୍ରେ ମୋଜେସ୍ ଭୂଇଁରେ ଲମ୍ବ ହୋଇ ପଡ଼ିଯାଇ ପରମେଶ୍ୱରଙ୍କୁ ପ୍ରଣାମ କଲା । ତା’ ପରେ ଆଦେଶ ଶୁଭିଲା–“ବର୍ତ୍ତମାନ ଏ ସ୍ଥାନ ବିଶେଷ ପବିତ୍ର । ତୁମେ ପାଦରୁ ଯୋତା କାଢ଼ି ନିଆଁ ଜଳୁଥିବା ବୁଦା ନିକଟକୁ ଆସ ।” ମୋଜେସ୍ ଜୋତା ହଳକ ପାଦରୁ ଦୂରକୁ ଫିଙ୍ଗିଦେଇ ସେଇ ବୁଦା ନିକଟରେ ପହଂଚିବାରୁ ପୁଣି ଦୈବବାଣୀ ହେଲା–“ମୋଜେସ୍, ତୁମର ପୂର୍ବପୁରୁଷ ଆବ୍ରାହାମ୍‌ ଅତି ଧର୍ମପରାୟଣ ଓ ମୋର ଏକନିଷ୍ଠ ଭକ୍ତ ଥିଲେ । ମୁଁ ଜାଣିଚି ଯେ ତୁମେମାନେ ଫାରାଓର ଅତ୍ୟାଚାର ସହି ନ ପାରି ବହୁତ କଷ୍ଟ ଭୋଗୁଚ । ତେଣୁ ଆବ୍ରାହାମଙ୍କ ବଂଶଧର ଇହୁଦୀମାନଙ୍କୁ ଏକ ଶସ୍ୟମାଳା ଦେଶକୁ ଘେନିଯିବା ଲାଗି ମୁଁ ସ୍ଥିର କରିଚି । ମାତ୍ର ସହଜରେ ଏ ଲକ୍ଷ୍ୟ ହାସଲ କରି ହେବ ନାହିଁ । ଏଥିପାଇଁ ବହୁ ଧୈର୍ଯ୍ୟ ଧରିବାକୁ ହେବ ଓ କଷ୍ଟ ସହିବାକୁ ପଡ଼ିବ । ତୁମରି ମାଧ୍ୟମରେ ମୁଁ ମୋର ଇଚ୍ଛା ପୂରଣ କରିବି । ତୁମେ ଶୀଘ୍ର ମିଶରକୁ ଫେରିଯାଇ ଫାରାଓ ଓ ସେଠାରେ ଥିବା ଇହୁଦୀମାନଙ୍କୁ ଏ କଥା ଜଣାଇଦିଅ ।”

 

ସବୁ ଶୁଣି ଭୟରେ ଥରି ଥରି ମୋଜେସ୍ ପଚାରିଲେ–“ହେ ସର୍ବଶକ୍ତିମାନ, ମୋ ପରି ଦରିଦ୍ର ଦୁର୍ବଳ ଲୋକଠାରୁ ଏପରି କଥା ଶୁଣିଲେ କେହି ତାହା ବିଶ୍ୱାସ କରିବେ ନାହିଁ । ତେଣୁ, କେଉଁ ଉପାୟରେ ମୁଁ ଆପଣଙ୍କ ଆଦେଶ ପାଳନ କରିପାରିବି ତାହା ବୁଝାଇ ଦିଅନ୍ତୁ ।”

 

ପରମେଶ୍ୱର କହିଲେ–“ମୋଜେସ୍‌ ! ଭୟ କର ନାହିଁ, ମୁଁ ଅଦୃଶ୍ୟରେ ତୁମ ସଙ୍ଗରେ ଥାଇ ତୁମକୁ ସବୁ ପ୍ରକାରେ ସାହାଯ୍ୟ କରିବି । ମୁଁ ବୁଝୁଚି ଯେ ତୁମେ ମୋର ଦୂତ ରୂପେ ଆସିଚ ବୋଲି ଫାରାଓ ବା ଇହୁଦୀମାନେ ସହଜରେ ବିଶ୍ୱାସ କରିବେ ନାହିଁ । ତେଣୁ ତୁମେ ଯେ ଯଥାର୍ଥରେ ମୋର ଦୂତ, ସେ କଥାର ପ୍ରମାଣରୂପେ ମୁଁ ତୁମକୁ ଗୋଟିଏ ଅଦ୍ଭୁତ ପଦାର୍ଥ ଦେବି । ତୁମେ ଏଇ ଜଳନ୍ତା ବୁଦା ଭିତରେ ପଶି ଦେଖ ତା ମଝିରେ କଣ ଥୁଆ ହୋଇଚି ।”

 

ଏ କଥା ଶୁଣି ମୋଜେସ୍ ପରମ ବିଶ୍ୱାସ ଓ ନିର୍ଭୟରେ ହୁ ହୁ ହୋଇ ଜଳୁଥୁବା ସେଇ ବୁଦା ଭିତରେ ପଶିଗଲେ । ଆଶ୍ଚର୍ଯ୍ୟର କଥା, ତାଙ୍କ ଦେହରେ ନିଆଁ ତାତି ଟିକିଏ ହେଲେ ବାଜିଲା ନାହିଁ । ବୁଦା ଭିତରେ ପଶି ମୋଜେସ୍ ଦେଖିଲେ ତା ମଝିରେ ଗୋଟିଏ ନାଲି ରଙ୍ଗର ବଙ୍କୁଲୀ ବାଡ଼ି ଥୁଆ ହୋଇଚି । ସେଟିକୁ ହାତରେ ଧରି ସେ ପୁଣି ନିଜ ସ୍ଥାନକୁ ଫେରିଆସିଲେ।

 

ମୋଜେସ୍ ବାଡ଼ିଟି ଧରି ଆସିବା ପରେ ଈଶ୍ୱର କହିଲେ–“ବର୍ତ୍ତମାନ ଏଇ ବାଡ଼ିଟିକୁ ଭୂଇଁରେ ପକାଇ ଦିଅ ।” ମୋଜେସ୍‌ ସେପରି କରିବା ମାତ୍ରେ ବାଡ଼ିଟି ଆଖି ପିଛୁଳାକେ ଗୋଟାଏ ମସ୍ତବଡ଼ ବିଷାକ୍ତ ସାପ ହୋଇଗଲା । ଏହା ଦେଖି ସେ ଭୟରେ ଚମକି ପଡ଼ିଲେ । ମାତ୍ର ଈଶ୍ୱର ପୁଣି କହିଲେ–“ଏଥର ସେଇ ସାପର ଲାଞ୍ଜଟା ଡ଼ାହାଣ ହାତରେ ଧରି ତୁମ ପାଖକୁ ଟାଣି ଆଣ ।” ମୋଜେସ୍ ସେହିପରି କରିବା ମାତ୍ରେ ସାପଟା ପୁଣି ପୂର୍ବପରି ବାଡ଼ି ପାଲଟିଗଲା । ସେଠୁ ଈଶ୍ୱର କହିଲେ–“ଏଇ ବାଡ଼ିର କରାମତି ଦେଖି ସମସ୍ତେ ବୁଝିପାରିବେ ଯେ ତୁମେ ମୋର ଦୂତ । ଏଥର ରାଜଧାନୀକୁ ଫେରିଯାଇ ଇହୁଦୀମାନଙ୍କୁ କୁହ ଯେ ସେମାନଙ୍କୁ ମୁକ୍ତି ଦେବା ପାଇଁ ମୁଁ ତୁମକୁ ସେମାନଙ୍କର ନେତା କରି ପଠାଇଚି; ସେମାନେ ଯେପରି ବିନା ଦ୍ୱିଧାରେ ତୁମର ପ୍ରତ୍ୟେକ ଆଦେଶ ପାଳନ କରିବେ । ତା ପରେ ଫାରାଓକୁ ଭେଟି କହିବ ଯେ ସେ ଯଦି ଶୀଘ୍ର ଇହୁଦୀମାନଙ୍କୁ ମୁକ୍ତି ନ ଦିଏ, ତେବେ ମୋର ଅଭିଶାପରେ ତାର ରାଜ୍ୟ ଓ ଧନସମ୍ପଦ ଛାରକାର ହୋଇଯିବ ।” ଏକଥା କହି ପରମେଶ୍ୱର ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ବୁଦାରେ ଜଳୁଥିବା ପ୍ରଚଣ୍ଡ ନିଆଁ ମଧ୍ୟ ହଠାତ୍ ଉଭେଇଗଲା । ପୁଣି ଥରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି, ମୋଜେସ୍ ବଙ୍କୁଲୀ ବାଡ଼ିଟି ଧରି ରାଜଧାନୀକୁ ଯିବା ଲାଗି ପ୍ରସ୍ତୁତ ହେଲେ ।

Image

 

ଦୈବଦଣ୍ଡ

 

ନିଜ ସ୍ତ୍ରୀ ଓ ପୁଅକୁ ସାଙ୍ଗରେ ଘେନି, ହାତରେ ଈଶ୍ୱର-ଦତ୍ତ ବଙ୍କୁଲୀ ବାଡ଼ିଟିକୁ ଧରି ମୋଜେସ୍ ରାଜଧାନୀରେ ଆସି ପହଞ୍ଚିଲେ । ରାଜଧାନୀରେ ପହଞ୍ଚି ପ୍ରଥମେ ସେଠାରେ ରହୁଥିବା ଇହୁଦୀମାନଙ୍କ ମୁଖିଆ ଆରନ୍‌ଙ୍କୁ ଡ଼ାକି ସେ ନିଜର ଆସିବାର କାରଣ କହିଲେ । ଆରନ୍ ପ୍ରଥମେ ତାଙ୍କ କଥା ବିଶ୍ୱାସ କରୁ ନଥିଲେ, ମାତ୍ର ସେଇ ଐଶ୍ୱରିକ ବାଡ଼ିର ମାହାତ୍ମ୍ୟ ଦେଖି ଆରନ୍‌ଙ୍କ ମନରୁ ସବୁ ସନ୍ଦେହ ଦୂରହୋଇଗଲା ଏବଂ ସେ ଦେବଦୂତ ଜ୍ଞାନରେ ମୋଜେସ୍‌ଙ୍କୁ ଉପଯୁକ୍ତ ଚର୍ଚ୍ଚା କରି ତାଙ୍କୁ ଇହୁଦୀ ଜାତିର ନେତା ଓ ପରିତ୍ରାଣକର୍ତ୍ତା ବୋଲି ସ୍ୱୀକାର କଲେ । ଆରନ୍‌ଙ୍କଠାରୁ ସବୁ ବିଷୟ ଶୁଣି ଅନ୍ୟ ଇହୁଦୀମାନେ ମଧ୍ୟ ମୋଜେସ୍‌ଙ୍କ ନିକଟରେ ଆନୁଗତ୍ୟ ସ୍ୱୀକାରକଲେ ଏବଂ ତାଙ୍କର ଆଦେଶ ପାଳିବେ ବୋଲି ପ୍ରତିଶ୍ରୁତି ଦେଲେ ।

 

ଏହା ପରେ ଦିନେ ମୋଜେସ୍‌ ଏବଂ ଆରନ୍ ଏକ ସଙ୍ଗେ ଫାରାଓଙ୍କ ନିକଟରେ ପହଞ୍ଚିଲେ । ଈଶ୍ୱରଙ୍କ ଆଦେଶ ଅନୁସାରେ ମୋଜେସ୍ ଧୀର ଗମ୍ଭୀର ସ୍ୱରରେ କହିଲେ–“ହେ ଫାରାଓ ! ସର୍ବଶକ୍ତିମାନ ପରମେଶ୍ୱରଙ୍କ ଆଦେଶ ଅନୁସାରେ ମୁଁ ଆପଣଙ୍କୁ ଜଣାଉଚି ଯେ ଆପଣ ଅତି ଶୀଘ୍ର କ୍ରୀତଦାସରୂପେ ରଖିଥିବା ଇହୁଦୀମାନଙ୍କୁ ମୁକ୍ତି ଦିଅନ୍ତୁ । ସେମାନେ ଆପଣଙ୍କ ଦେଶ ଛାଡ଼ି ଅନ୍ୟ ଆଉ ଏକ ଦେଶ ଚାଲିଯିବେ । ଏଇ ଆଦେଶ ଅମାନ୍ୟ କଲେ, ଈଶ୍ୱରଙ୍କ ଅଭିଶାପରେ ଆପଣଙ୍କର ଧନ, ଜନ, ସାମ୍ରାଜ୍ୟ ସବୁ ଛାରଖାର ହୋଇଯିବ ।”

 

ମୋଜେସଙ୍କ କଥା ଶୁଣି ଫାରାଓ କହିଲେ–“ଈଶ୍ୱର ଏପରି ଆଦେଶ ଦେଇଥିବା କଥା ତୁମେ ଜାଣିଲ କିପରି ?”

 

ମୋଜେସ୍ ଉତ୍ତର ଦେଲେ–“ମତେ ପରମେଶ୍ୱର ଦୂତ କରି ପଠାଇଛନ୍ତି ।”

 

“ତୁମେ ଈଶ୍ୱରଙ୍କ ଦୂତ ବୋଲି କଣ ପ୍ରମାଣ ଅଛି ?” ଫାରାଓ ପଚାରିଲେ ।

 

ସେଠୁ ମୋଜେସ୍ ହାତରେ ଧରିଥିବା ବଙ୍କୁଲୀ ବାଡ଼ିଟିକୁ ତଳେ ପକାଇଦେଲେ । ତଳେ ପଡ଼ିବା ମାତ୍ରେ ସେଟି ଗୋଟାଏ ବିଷଧର ସାପ ହୋଇ ସିଂହାସନ ଆଡ଼କୁ ଧାଇଁଲା । ଏହା ଦେଖି ଫାରାଓ ଭୟରେ ଚିତ୍କାର କରି କହିଲେ–“ଶୀଘ୍ର ତୁମର ସାପକୁ ନେଇଯାଅ ।” ତାଙ୍କର ଭୟ ଦେଖି ମୋଜେସ୍ ସାପର ଲାଞ୍ଜଟା ଧରି ଟାଣି ଆଣିବା ମାତ୍ରେ ତାହା ପୁଣି ବାଡ଼ି ପାଲଟିଗଲା ।

 

ଏହା ପରେ ଫାରାଓ ନିଜ ମନ୍ତ୍ରୀମାନଙ୍କୁ ଡ଼ାକି ସେମାନଙ୍କ ସଙ୍ଗେ ମୋଜେସ୍ କହୁଥିବା ବିଷୟ ପରାମର୍ଶ କଲେ । ମାତ୍ର ଦୁଷ୍ଟ ମନ୍ତ୍ରୀମାନେ ଫାରାଓଙ୍କୁ କହିଲେ–“ମହାରାଜ ! ଏଇ ଇହୁଦୀମାନେ ବେଠି ଖଟି ଆମର ବହୁ କାମ ବିନା ଖର୍ଚ୍ଚରେ କରି ଦେଉଚନ୍ତି । ସେମାନଙ୍କୁ ମୁକ୍ତ କରିଦେଲେ ରାଜ୍ୟର ଘୋର କ୍ଷତି ହେବ । ସେ ଲୋକଟା ଗୋଟାଏ ଗୁଣିଆ, ତେଣୁ ଗୁଣୀ-ବିଦ୍ୟା ବଳରେ ବାଡ଼ିଟାକୁ ସାପ କରିଦେଇ ଆପଣଙ୍କୁ ଡ଼ରାଇ ଇହୁଦୀମାନଙ୍କୁ ନେଇଯିବାକୁ ବସିଚି ।” ସେମାନଙ୍କ ଖଳ ପରାମର୍ଶ ଗ୍ରହଣ କରି ଫାରାଓ ମୋଜେସ୍‌ଙ୍କୁ ଅପମାନ ଦେଇ ପ୍ରାସାଦରୁ ତଡ଼ିଦେଲେ ।

 

ଘରକୁ ଫେରିଯାଇ ମୋଜେସ୍ ଈଶ୍ୱରଙ୍କୁ ପ୍ରାର୍ଥନା କଲେ । ପ୍ରାର୍ଥନା ପରେ ଈଶ୍ୱର ଦୈବବାଣୀ ଦ୍ୱାରା କଣ କରିବାକୁ ହେବ ତାହା ମୋଜେସ୍‌ଙ୍କୁ ଜଣାଇଦେଲେ । ତାଙ୍କ ନିର୍ଦ୍ଦେଶ ମାନି ଏକ ସପ୍ତାହ ପରେ ମୋଜେସ୍ ପୁଣି ଫାରାଓଙ୍କ ଆଗରେ ଉପସ୍ଥିତ ହୋଇ କହିଲେ–“ଆପଣ ଏ ପର୍ଯ୍ୟନ୍ତ ଇହୁଦୀମାନଙ୍କୁ ମୁକ୍ତି ନ ଦେଇଥିବା ଯୋଗୁଁ ଈଶ୍ୱର ଆପଣଙ୍କ ଉପରେ ବଡ଼ ବିରକ୍ତ ହୋଇଚନ୍ତି । ଈଶ୍ୱର ଇହୁଦୀମାନଙ୍କୁ ଏକ ନୂତନ ଦେଶକୁ ଘେନିଯିବା ସକାଶେ ଇଚ୍ଛା କରିଚନ୍ତି । ସେଇ ଇଚ୍ଛା ପୂରଣ କରିବା ସକାଶେ ସେ ମୋତେ ଇହୁଦୀମାନଙ୍କର ନେତାରୂପେ ବାଛିଚନ୍ତି । ତେଣୁ ଈଶ୍ୱର ଆପଣଙ୍କୁ ଜଣାଇ ଦେବା ଲାଗି କହିଚନ୍ତି ଯେ ଆପଣ ଯଦି ଅତି ଶୀଘ୍ର ଇହୁଦୀମାନଙ୍କୁ ଏଇ ଦାସତ୍ୱରୁ ମୁକ୍ତି ନଦିଅନ୍ତି, ତେବେ ତାଙ୍କର ଅଭିଶାପରେ ପଲ ପଲ ବେଙ୍ଗ ଶୂନ୍ୟରୁ ଆସି ଆପଣଙ୍କର ରାଜ୍ୟସାରା ଉତ୍ପାତ ଆରମ୍ଭ କରିବେ ।”

 

ଫାରାଓ ଏଇ କଥା କର୍ଣ୍ଣପାତ ନ କରିବାରୁ ମୋଜେସ୍ ବଙ୍କୁଲୀ ବାଡ଼ିଟିକୁ ଟେକି ଧରିବା ମାତ୍ରେ ଲକ୍ଷ ଲକ୍ଷ ବେଙ୍ଗ ସତେ ଅବା ଶୂନ୍ୟରୁ ଜନ୍ମ ହୋଇ ରାଜଧାନୀଯାକ ଖେଦିଗଲେ । ଏପରିକି ଫାରାଓଙ୍କର ପ୍ରାସାଦରେ ମଧ୍ୟ ବେଙ୍ଗଙ୍କ ଉତ୍ପାତ ଯୋଗୁଁ ସମସ୍ତେ ଅତିଷ୍ଠ ହୋଇପଡ଼ିଲେ । ଗୋଟାଏ ବେଙ୍ଗକୁ ମାରିବା ମାତ୍ରେ ଚାହୁଁ ଚାହୁଁ ତା’ ସ୍ଥାନରେ ପାଞ୍ଚଟା ବେଙ୍ଗ କାହୁଁ ଆସି ହାଜର ହୋଇଗଲେ । ଶେଷକୁ ଅବସ୍ଥା ଅସମ୍ଭାଳ ହେବାରୁ ଫାରାଓ ଆକୁଳ ହୋଇ ମୋଜେସ୍‌ଙ୍କୁ କହିଲେ–“ମୁଁ ସ୍ୱୀକାର କରୁଚି ଯେ ତୁମେ ଜଣେ ଦେବଦୂତ । ଏବେ ଶୀଘ୍ର ତୁମର ଏଇ ବେଙ୍ଗ ପଲକୁ ହଟାଇ ନିଅ । ତା’ କଲେ ମୁଁ ତୁମ କଥା ନିଶ୍ଚୟ ରକ୍ଷା କରିବି ।”

 

ଫାରାଓ କଥା ଶୁଣି ମୋଜେସ୍ ପୁଣି ନିଜ ବାଡ଼ିଟାକୁ ଟେକି ଧରିଲେ ଏବଂ ପରମୂହୁର୍ତ୍ତରେ ସବୁତକ ବେଙ୍ଗ ଅନ୍ତର୍ଦ୍ଧାନ ହୋଇଗଲେ । ତାପରେ ଆଶାନ୍ୱିତ ହୃଦୟରେ ମୋଜେସ୍ ଘରକୁ ଫେରିଆସିଲେ । ମାତ୍ର ଫାରାଓ ପୁଣି ତାଙ୍କ ଖଳ ମନ୍ତ୍ରୀମାନଙ୍କ ପରାମର୍ଶ ମାନି ଇହୁଦୀମାନଙ୍କୁ ମୁକ୍ତି ଦେବା ଲାଗି ନାସ୍ତି କରିଦେଲେ ।

 

ଏହାର ଏକ ସପ୍ତାହ ପରେ ପୁଣି ଫାରାଓ ପାଖରେ ପହଞ୍ଚି ମୋଜେସ୍ କହିଲେ–“ଈଶ୍ୱର ତୁମର ଅନ୍ୟାୟ ଆଚରଣ ଦେଖି ବିଶେଷ ବିରକ୍ତ ହୋଇଚନ୍ତି । ତୁମେ ଶୀଘ୍ର ଇହୁଦୀମାନଙ୍କୁ ମୁକ୍ତି ନ ଦେଲେ ରାଜ୍ୟସାରା ଲୋକେ ନିଶ୍ଚୟ ଅନାହାରରେ ପ୍ରାଣତ୍ୟାଗ କରିବେ-।”

 

ଫାରାଓ ମୋଜେସଙ୍କ କଥା ବିଶ୍ୱାସ ନ କରିବାରୁ ସେ ନିଜେ ବାଡ଼ିଟାକୁ ଟେକିଧରିବା ମାତ୍ରେ କୋଟି କୋଟି ଝିଣ୍ଟିକା ଶ୍ରାବଣ ମାସ ବଉଦ ପରି ଆକାଶ ସାରା ଛାଇ ହୋଇଗଲେ ଏବଂ ମିଶର ଦେଶରେ ଯେଉଁଠି ଯେତେ ଶସ୍ୟକ୍ଷେତ୍ର ଥିଲା ସବୁ ନିର୍ମୂଳି କରିବାରେ ଲାଗିପଡ଼ିଲେ । ଏଇ ଘଟଣାରେ ବିଶେଷ ଆତଙ୍କିତ ହୋଇ ଫାରାଓ କହି ପକାଇଲେ–“ହେ ଦେବଦୂତ ! ମୁଁ ଖୁବ୍ ଶ୍ରୀଘ୍ର ଇହୁଦୀମାନଙ୍କୁ ମୁକ୍ତ କରଦେବି । ତୁମେ ଚଞ୍ଚଳ ଏଇ ଝିଣ୍ଟିକାଗୁଡ଼ାକ ହଟାଇ ଦିଅ ।” ମୋଜେସ୍‌ ପୁଣି ବାଡ଼ିଟି ଟେକି ଧରିବାରୁ ଝିଣ୍ଟିକା ପଲ ଶୂନ୍ୟରେ ଲୁଚିଗଲେ ।

 

ଏଥର ମଧ୍ୟ ଫାରାଓ ଦୁଷ୍ଟ ଲୋକଙ୍କ ମନ୍ଦ ପରାମର୍ଶରେ ମାତି ଇହୁଦୀମାନଙ୍କୁ ମୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କ ଉପରେ ଅଧିକ ଅତ୍ୟାଚାର ଆରମ୍ଭ କଲେ । ତେଣୁ ଏକ ସପ୍ତାହ ପରେ ମୋଜେସ୍ ପୁଣି ଫାରାଓଙ୍କୁ ଭେଟି କହିଲେ–“ତୁମେ ପରମେଶ୍ୱରଙ୍କୁ ମଧ୍ୟ ଠକିବାକୁ ଚେଷ୍ଟା କରୁଚ । ଏକ ସପ୍ତାହ ମଧ୍ୟରେ ଇହୁଦୀମାନଙ୍କୁ ମୁକ୍ତି ନ ଦେଲେ ରାଜ୍ୟସାରା ଲୋକେ ଶୋଷରେ ପ୍ରାଣ ହରାଇବେ ବୋଲି ଈଶ୍ୱର ଆଦେଶ ଦେଇଚନ୍ତି ।”

 

ମୋଜେସ୍‌ଙ୍କ କଥା ଶୁଣି ଫାରାଓ ଓ ତାଙ୍କ ମନ୍ତ୍ରୀମାନେ ବିଦ୍ରୁପ କରି ହସୁଥିବାର ଦେଖି ମୋଜେସ୍ ଈଶ୍ୱରଦତ୍ତ ବାଡ଼ିଟିକୁ ଟେକି ଧରିବା ମାତ୍ରେ ଦେଶସାରା ନଈ, କୂଅ, ପୋଖରୀ ଇତ୍ୟାଦିରେ ଥିବା ପାଣି ହଠାତ୍ ରକ୍ତ ପାଲଟିଗଲା । ପିଇବା ପାଇଁ ଟୋପାଏ ହେଲେ ପାଣି ମିଳିଲା ନାହିଁ । ଏପରିକି ଫାରାଓଙ୍କର ରାଜପ୍ରାସାଦରେ ପିତଳ ଗରାରେ ରଖାଯାଇଥିବା ପାଣି ମଧ୍ୟ ହଠାତ୍ ରକ୍ତ ପାଲଟିଗଲା ।

 

ଏପ୍ରକାର ଅଦ୍ଭୁତ ଘଟଣା ଦେଖି ଫାରାଓ ଭୟରେ ଥରି ଥରି କହିଲେ–“ହେ ଦେବଦୂତ-! ମୁଁ ପ୍ରତିଜ୍ଞା କରି କହୁଚି ଯେ ଆଗାମୀ ତିନିଦିନ ମଧ୍ୟରେ ମୁଁ ଇହୁଦୀମାନଙ୍କୁ ମୁକ୍ତି ଦେବି-। ଏବେ ଆପଣ ଆମକୁ ଏଇ ଅଭିଶାପର ଦାଉରୁ ରକ୍ଷାକରନ୍ତୁ । ତାଙ୍କ କଥା ଶୁଣି ମୋଜେସ୍ ପୁଣି ସେଇ ଦୈବୀ ବାଡ଼ି ସାହାଯ୍ୟରେ ସ୍ୱାବାବିକ ଅବସ୍ଥା ଫେରାଇ ଆଣିଲେ ।

 

ମୋଜେସ୍ ଚାଲିଯିବା ପରେ ଫାରାଓ ବିଚାର କଲେ ଯେ ଇହୁଦୀମାନଙ୍କୁ ମୁକ୍ତି ଦେଲେ ସେମାନେ କରୁଥିବା କାମ ତୁଲାଇବା ଲାଗି ବହୁ ଶ୍ରମିକ ଦରକାର ହେବେ ଏବଂ ସେଇ ଶ୍ରମିକମାନଙ୍କ ବେତନ ବାବଦକୁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ଲୋଭ କବଳରେ ପଡ଼ି ସେ ନିଜ ପ୍ରତିଜ୍ଞା ଖିଲାପ କରି ଇହୁଦୀମାନଙ୍କୁ ଦ୍ୱିଗୁଣ ପରିଶ୍ରମ କରିବାକୁ ଆଦେଶ ଦେଲେ ।

 

ଫାରାଓଙ୍କ ପୂର୍ବ ପ୍ରତିଜ୍ଞା ମୁତାବକ ତିନିଦିନ ବିତିଯିବା ପରେ ଚତୁର୍ଥ ଦିନ ମୋଜେସ୍ ରାଜଦରବାରକୁ ଆସି ଅତି ଗମ୍ଭୀର ସ୍ୱରରେ ଫାରାଓଙ୍କୁ କହିଲେ–“ତୁମେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସଙ୍ଗେ ବିଶ୍ୱସଘାତକତା କରିଚ । ଏଣୁ ଆଉ ତୁମର ରକ୍ଷା ପାଇବାର ଉପାୟ ନାହିଁ-। ଏହିକ୍ଷଣି ଯଦି ଇହୁଦୀମାନଙ୍କୁ ମୁକ୍ତି ଦେବା ସକାଶେ ଆଦେଶ ନ ଦିଅ, ତେବେ ରାଜଧାନୀରେ ରହୁଥିବା ପ୍ରତ୍ୟେକ ମିଶରୀୟର ବଡ଼ ପୁଅ ଆଜି ରାତି ଭିତରେ ପ୍ରାଣ ହରାଇବ ।” ମୋଜେସ୍‌ଙ୍କ ଚେତାବନୀକୁ ଫାରାଓ ଓ ତାଙ୍କର ମନ୍ତ୍ରୀମାନେ ବେଖାତିର କଲେ ଏବଂ ନିଜ ନିଜ ଘର ଚାରିପଟେ ରାତିସାରା କଡ଼ା ପହରାର ବନ୍ଦୋବସ୍ତ ମଧ୍ୟ କଲେ ।

 

ଈଶ୍ୱରଙ୍କ ଆଦେଶ ଅଲଙ୍ଘ୍ୟ । ପରଦିନ ରାତି ନ ପାହୁଣୁ ରାଜଧାନୀର ପ୍ରତି ଘରେ କାନ୍ଦ ଶୁଭିଲା । ପ୍ରତି ପରିବାରର ବଡ଼ ପୁଅମାନେ ରାତିକ ଭିତରେ ବିନା ବ୍ୟାଧିରେ ପ୍ରାଣତ୍ୟାଗ କରିଥିଲେ । ଏପରିକି ଫାରାଓଙ୍କର ବଡ଼ ପୁଅ ସ୍ୱୟଂ ଯୁବରାଜ ମଧ୍ୟ ସେଇ ରାତିକ ମଧ୍ୟରେ ମଣିଷରୁ ମୁର୍ଦ୍ଦାର ପାଲଟି ଗଲେ । ଏଇ ଦାରୁଣ ଦୁର୍ବିପାକ ଦେଖି ରାଜଧାନୀର ଲୋକେ ଦଳ ଦଳ ହୋଇ ଫାରାଓଙ୍କ ପାଖରେ ପହଂଚି କହିଲେ–“ମହାରାଜ ! ବେଠି ପଛକେ ବନ୍ଦ ଥାଉ, ଏଇ ଇହୁଦୀଗୁଡ଼ାକୁ ଶ୍ରୀଘ୍ର ଆମ ରାଜ୍ୟରୁ ବିଦାୟ କରନ୍ତୁ । ନଚେତ୍ ସେମାନେ ମରିବା ପୂର୍ବରୁ ଆମେ ସବଂଶରେ ପ୍ରାଣ ହରାଇଥିବୁ ।”

 

ଫାରାଓ ମଧ୍ୟ ଯୁବରାଜଙ୍କ ଆକସ୍ମିକ ମରଣ ଯୋଗୁଁ ବିଶେଷ ଦୁଃଖବିହ୍ୱଳ ହୋଇପଡ଼ିଥିଲେ । ତେଣୁ ନିଜ ଦେଶବାସୀଙ୍କ ଦୁର୍ଦ୍ଦଶା ଦେଖି ଏବଂ ସେମାନଙ୍କର ଦାବୀ ଶୁଣି ଫାରାଓ ସେହିକ୍ଷଣି ଆଦେଶ ଦେଲେ–“ଯେଉଁଠି ଯେତେ ଇହୁଦୀ ଅଛନ୍ତି, ସେମାନଙ୍କୁ ସଙ୍ଗେ ସଙ୍ଗେ ଦେଶ ଛାଡ଼ି ଚାଲିଯିବା ଲାଗି କୁହ । ସେମାନେ ଇଚ୍ଛା କଲେ ନିଜ ନିଜ ଜିନିଷ ମଧ୍ୟ ସଙ୍ଗରେ ଘେନିଯାଇ ପାରିବେ ।” ଫାରାଓ ଏକଥା କହିବା ସଙ୍ଗେ ସଙ୍ଗେ ମିଶରୀୟ ରାଜକର୍ମଚାରୀମାନେ ରାଜ୍ୟରେ ରହୁଥିବା ଇହୁଦୀମାନଙ୍କୁ ଡ଼କାଇ ସେମାନଙ୍କର ପରିବାର ଓ ଜିନିଷ ପତ୍ର ସହ ଶୀଘ୍ର ମିଶର ଦେଶ ଛାଡ଼ି ଚାଲିଯିବା ପାଇଁ ଆଦେଶ ଦେଲେ ।

 

ବହୁ ଯୁଗର ଦାସତ୍ୱରୁ ମୁକ୍ତି ପାଇ ଇହୁଦୀମାନେ ପ୍ରଥମେ ଆନନ୍ଦରେ ଇଚ୍ଛ୍ୱସିତ ହୋଇଉଠିଲେ ସତ, ମାତ୍ର ମିଶର ଦେଶ ଛାଡ଼ି ସୁଖ ଓ ଶାନ୍ତିରେ ଜୀବନଧାରଣ କରିବା ଲାଗି କେଉଁ ଦେଶକୁ ଯିବେ ତାହା ବୁଝି ନପାରି ବଡ଼ ବ୍ୟସ୍ତ ହୋଇପଡ଼ିଲେ । ମୋଜେସ୍ କହିଲେ–“ମୁଁ ଈଶ୍ୱରଙ୍କଠାରୁ ଆଜି ରାତିରେ ଆଦେଶ ଗ୍ରହଣ କରିବି । ସେ ପର୍ଯ୍ୟନ୍ତ ତୁମେମାନେ ଶାନ୍ତ ହୋଇ ରହ ।”

 

ସେଦିନ ରାତିରେ ମୋଜେସ, ଈଶ୍ୱରଙ୍କୁ ସବୁ କଥା ଜଣାଇବାରୁ ଦୈବବାଣୀ ହେଲା–“କାଲି ସକାଳୁ ତୁମେ ସମସ୍ତେ ଦେଶବାସୀଙ୍କୁ ସଙ୍ଗରେ ଧରି ଯାତ୍ରା ଆରମ୍ଭ କରିବ । ମୁଁ ଖଣ୍ଡେ ନାଲି ମେଘ ରୂପରେ ତୁମେ ଆଗେ ଆଗେ ବାଟ କଢ଼ାଇ ନେବି । ମୁଁ ଦେଇଥିବା ବାଡ଼ିଟିକୁ ତୁମେ ସର୍ବଦା ହାତରେ ଧରିଥିବ ।” ଏହା ଶୁଣି ମୋଜେସ୍ ନିଶ୍ଚିନ୍ତ ହୋଇ ଶୋଇବାକୁ ଗଲେ ।

 

ପରଦିନ ସକାଳୁ ମୋଜେସ୍ ଆରନ୍ ପ୍ରଭୃତି ମୁଖିଆମାନଙ୍କୁ ଡ଼କାଇ ସେ ଶୁଣିଥିବା ଦୈବବାଣୀ କଥା କହିଲେ ଏବଂ ସଙ୍ଗେ ସଙ୍ଗେ ଯାତ୍ରା କରିବା ପାଇଁ ପରମର୍ଶ ଦେଲେ । ଚାହୁଁ ଚାହୁଁ ହଜାର ହଜାର ଇହୁଦୀ ସ୍ତ୍ରୀ ପୁରୁଷ, ବାଳକ ବାଳିକା ନିଜ ନିଜ ଜିନିଷପତ୍ର ଧରି ନିରୁଦ୍ଦେଶ ଯାତ୍ରା ସକାଶେ ପ୍ରସ୍ତୁତ ହୋଇ ମୋଜେସ୍‌ଙ୍କ ଘର ସାମନାରେ ରୁଣ୍ଡହେଲେ ।

 

ସମସ୍ତେ ପ୍ରସ୍ତୁତ ହୋଇ ପହଞ୍ଚିବାର ଦେଖି ମୋଜେସ୍ ପ୍ରଥମେ ଆଣ୍ଠୁମାଡ଼ି ଈଶ୍ୱରଙ୍କ ଆଶୀର୍ବାଦ ଓ ଦୟା ପ୍ରାର୍ଥନା କଲେ । ପ୍ରାର୍ଥନା ପରେ ସେ ଦେଖିଲେ ଯେ ସତକୁ ସତ ସତ ଗୋଟିଏ ନାଲି ମେଘ ପୂର୍ବ ଦିଗରୁ ପଶ୍ଚିମ ପଟକୁ ଧୀରେ ଧୀରେ ଭାସିଯାଉଚି । ମୋଜେସ୍ ଦେବଦତ୍ତ ବାଡ଼ି ଖଣ୍ଡିକ ହାତରେ ଧରି ସେଇ ମେଘ ପଛେ ପଛେ ଚାଲିଲେ ଆଉ ତାଙ୍କ ପଛରେ ଧାଡ଼ି ବାନ୍ଧି ଚାଲିଲେ ହଜାର ହଜାର ଆଶ୍ରୟହୀନ ଇହୁଦୀ ନରନାରୀ ।

 

ସୁଦୀର୍ଘ ବାଟରେ ନାନା ପ୍ରକାର କଷ୍ଟ ଅସୁବିଧା ସହି ତୃତୀୟ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ସେମାନେ ସମୁଦ୍ର କୂଳରେ ଆସି ପହଞ୍ଚିଲେ । ସମୁଦ୍ର ପାରି ହେବା ଲାଗି ଜାହାଜ ତ ଦୂରର କଥା, ସାମାନ୍ୟ ଡଙ୍ଗା ଖଣ୍ଡେ ମଧ୍ୟ ନାହିଁ । ତେଣୁ କଣ କରାଯିବ ବୋଲି ସମସ୍ତେ ବ୍ୟସ୍ତ ହେବାରୁ ମୋଜେସ୍ କହିଲେ–“ଈଶ୍ୱର ଆମର ସହାୟ । ଯଥା ସମୟରେ ସେ ଆମକୁ ଠିକ୍‌ ବାଟ ବତାଇଦେବେ । ଅଯଥା ବ୍ୟସ୍ତ ହୁଅ ନାହିଁ ।”

 

ଏତିକିବେଳେ ଇହୁଦୀମାନଙ୍କ ହିତାକାଂକ୍ଷୀ ଜଣେ ମିଶରବାସୀ ସେଠାକୁ ଧାଇଁଆସି ଖବର ଦେଲା ଯେ ମନ୍ତ୍ରୀମାନଙ୍କ କୁପରାମର୍ଶରେ ପଡ଼ି ଫାରାଓ ପୁଣି ଇହୁଦୀମାନଙ୍କୁ ଧରିନେବା ସକାଶେ ଦଳେ ସୈନ୍ୟ ଘେନି ସେହି ଦିଗକୁ ଆସୁଛନ୍ତି। ପରଦିନ ସକାଳସୁଦ୍ଧା ସସୈନ୍ୟ ଫାରାଓ ସେଠାକୁ ଆସି ପହଂଚିଯିବେ । ଏଇ ଦୁଃସମ୍ବାଦ ଶୁଣି ସମସ୍ତେ ଭୟରେ କଂପିବାକୁ ଲାଗିଲେ, ମାତ୍ର ଈଶ୍ୱର-ବିଶ୍ୱାସୀ ମୋଜେସ୍ ଧୀର ଓ ଦୃଢ଼ ଭାବରେ କହିଲେ–“କିଛି ଭୟ କର ନାହିଁ। ସର୍ବଶକ୍ତିମାନ୍‌ ପରମେଶ୍ୱର ଆମର ରକ୍ଷାକର୍ତ୍ତା । ଉପରକୁ ଚାହିଁ ଦେଖ, ସେ ଆମକୁ ତ୍ୟାଗ କରିନାହାନ୍ତି ।” ମୋଜେସ୍‌ଙ୍କ କଥା ଶୁଣି ସମସ୍ତେ ଆକାଶକୁ ଅନାଇ ଦେଖିଲେ ସେଇ ନାଲି ରଙ୍ଗର ମେଘଟି ସେମାନଙ୍କ ମୁଣ୍ଡ ଉପରେ ସ୍ଥିର ହୋଇ ରହିଚି ।

 

ସେଦିନ ରାତିରେ ପ୍ରାର୍ଥନା ପରେ ଈଶ୍ୱର ମୋଜେସ୍‌ଙ୍କୁ କହିଲେ–“ଫାରାଓ ଧ୍ୱଂସ ପାଇବାର ସମୟ ଅତି ନିକଟ ହେଲାଣି । ତେଣୁ ସେ ତୁମମାନଙ୍କୁ ପୁଣି ଧରିନେବା ଲାଗି ସୈନ୍ୟ ସାମନ୍ତ ଘେନି ଏତେ ବାଟ ଧାଇଁ ଆସିଚି । କାଲି ସୂର୍ଯ୍ୟୋଦୟ ହବା ମାତ୍ରେ ତୁମେ ସମୁଦ୍ରକୂଳରେ ଛିଡ଼ାହୋଇ ମୁଁ ଦେଇଥିବା ବାଡ଼ିରେ ସମୁଦ୍ର ପାଣିକୁ ତିନିଥର ଆଘାତ କରିବ । ତାହେଲେ ତୁମମାନଙ୍କର ରକ୍ଷା ପାଇବାର ବାଟ ଫିଟିଯିବ ।” ମୋଜେସ୍‌ ସଙ୍ଗେ ସଙ୍ଗେ ଏ କଥା ସମସ୍ତଙ୍କୁ ଜଣାଇ ଶୋଇବାକୁ ଗଲେ ।

 

ପରଦିନ ସକାଳୁ ମୋଜେସ୍‌ଙ୍କ ସହିତ ସମସ୍ତେ ସମୁଦ୍ର କୂଳରେ ରୁଣ୍ଡ ହେଲେ । ଏଣେ ଫାରାଓ ଓ ତାଙ୍କର ସୈନ୍ୟମାନେ ମଧ୍ୟ ସେମାନଙ୍କଠାରୁ ପ୍ରାୟ ଏକ ମାଇଲ ଦୂରରେ ଆସି ପହଞ୍ଚି ଗଲେ । ଇହୁଦୀମାନଙ୍କୁ ସମୁଦ୍ର କୂଳରେ ଠିଆ ହୋଇଥିବାର ଦେଖି ଫାରାଓ ଚିତ୍କାର କରି କହିଲେ–“ଆରେ କିଣା ଗୋଲାମମାନେ ! ଏବେ ତୁମେମାନେ କେଉଁଠାକୁ ଯିବ ? ସାମନାରେ ସମୁଦ୍ର ଆଉ ପଛପଟେ ମୁଁ ଏଥର କିଏ ତୁମକୁ ରକ୍ଷାକରିବ, ଦେଖିବି ।”

 

ଫାରାଓଙ୍କର କଥା ନସରୁଣୁ ମୋଜେସ୍ ନିଜ କୁହୁକ ବାଡ଼ିରେ ସମୁଦ୍ର ପାଣିକୁ ତିନିଥର ପିଟିଦେଲେ । କି ଆଶ୍ଚର୍ଯ୍ୟ ! ସଙ୍ଗେ ସଙ୍ଗେ ସମୁଦ୍ର ଲହଡ଼ି ଦୁଇ ପଟକୁ ଘୁଞ୍ଚିଯାଇ ସମୁଦ୍ର ମଝିରେ ଆଠହାତ ଓସାରର ଗୋଟିଏ ଶୁଖିଲା ବାଟ ଫିଟିଗଲା । ମୋଜେସ୍ ଉପରକୁ ଅନାଇ ଦେଖିଲେ ନାଲି ମେଘଟି ସେଇ ବାଟ ଉପରେ ଭାସିଯାଉଚି । ତେଣୁ ନିଶ୍ଚିନ୍ତ ହୋଇ ସେ ଆଗକରି ସମୁଦ୍ର ଭିତରକୁ ପଶିଗଲେ । ତାଙ୍କ ପଛେ ପଛେ ଅନ୍ୟ ଇହୁଦୀମାନେବି ସେଇ ବାଟରେ ସମୁଦ୍ର ପାରି ହେବାକୁ ଲାଗିଲେ ।

 

ଏଭଳି ନାହିଁ ନଥିବା ଘଟଣା ଦେଖି ଫାରାଓ ଓ ତାଙ୍କର ସୈନ୍ୟମାନେ କେତେବେଳେଯାଏ ବିସ୍ମୟରେ ସ୍ଥାଣୁ ପାଲଟି ଗଲେ । ସେମାନଙ୍କର ଚେତା ପଶିବା ବେଳକୁ ଇହୁଦୀମାନେ ସମୁଦ୍ରର ଅଧା ଟପିସାରିଲେଣି । ଫାରାଓ ଚିତ୍କାର କରି କହିଲେ–“ଧର, ଧର, କିଣା ଗୋଲାମ ଗୁଡ଼ାକ ପଳାଇ ଯାଉଛନ୍ତି ।” ଏହା କହି ସେ ନିଜ ରଥରୁ କୁଦିପଡ଼ି ସମୁଦ୍ର ଭିତରେ ଥିବା ବାଟକୁ ଧାଇଁଗଲେ । ତାଙ୍କ ଦେଖାଦେଖି ତାଙ୍କ ସୈନ୍ୟମାନେ ମଧ୍ୟ ସେଇ ବାଟରେ ଧାଇଁଲେ ।

 

ଇହୁଦୀମାନେ ବହୁତ ଆଗରୁ ଯାତ୍ରା ଆରମ୍ଭ କରିଥିବା ଯୋଗୁ ଫାରାଓ ଓ ତାଙ୍କର ସୈନ୍ୟଦଳ ମଝି ସମୁଦ୍ରରେ ହୋଇଥିବା ବେଳକୁ ସେମାନେ ଆରପଟରେ ପହଞ୍ଚି ସାରିଥିଲେ । ସବୁ ଇହୁଦୀ ସମୁଦ୍ର ଭିତରୁ କୂଳ ଉପରକୁ ଉଠିବା ମାତ୍ରେ ଆକାଶବାଣୀ ଶୁଭିଲା–“ପଛପଟକୁ ଚାହଁ-।”

 

ପଛକୁ ଅନାଇ ସମସ୍ତେ ଦେଖିଲେ, ସେମାନେ ସମୁଦ୍ର ଭିତରେ ଆସିଥିବା ବାଟରେ ମେଘନାଦ ପାଚେରୀ ପରି ଛିଡ଼ା ହୋଇଥିବା ସମୁଦ୍ର ପାଣି ହଠାତ୍ ପ୍ରବଳ ବେଗରେ ଅଜାଡ଼ି ହୋଇ ପଡ଼ିଲା ଏବଂ ସେଇ ଅତଳ ସମୁଦ୍ର ଗର୍ଭରେ ଅତ୍ୟାଚାରୀ ଫାରାଓ ଏବଂ ତାଙ୍କର ସୈନ୍ୟସାମନ୍ତ ଚିରଦିନ ଲାଗି ନିଶ୍ଚିହ୍ନ ହୋଇଗଲେ ।

Image

 

ମହାବୀର ସାମସନ୍‌

 

ପରମେଶ୍ୱରଙ୍କ କୃପାରୁ ମୋଜେସ୍ ଇହୁଦୀମାନଙ୍କୁ ଫାରାଓର ଅତ୍ୟାଚାରରୁ ମୁକୁଳାଇ ମଧ୍ୟପ୍ରାଚ୍ୟକୁ (ଯାହାକୁ କି ଏବେ ସିରିଆ ଓ ପାଲେଷ୍ଟାଇନ୍‌ କୁହାଯାଉଚି) ଘେନିଆସିଲେ । ଏଠାରେ ପହଞ୍ଚି ଇହୁଦୀମାନେ ବହୁଦିନଯାଏ ସଂଯତ ଓ ନ୍ୟାୟସଂଗତ ଭାବରେ ଚଳିଲେ; ମାତ୍ର ଧୀରେ ଧୀରେ ପୁଣି ସେମାନଙ୍କର ମଧ୍ୟରେ ପାପ ଓ ଦୁର୍ନୀତି ପ୍ରବେଶକଲା । ମୋଜେସ୍‌ଙ୍କ ମାଧ୍ୟମରେ ଈଶ୍ୱର ସେମାନଙ୍କୁ ଯେଉଁ ଦଶ ଗୋଟି ନିୟମ ମାନି ଚଳିବା ଲାଗି ଆଦେଶ ଦେଇଥିଲେ, କ୍ରମେ କ୍ରମେ ସେମାନେ ତାହା ଅମାନ୍ୟ କରିବାକୁ ଆରମ୍ଭ କଲେ । ଇହୁଦୀମାନେ ଧର୍ମପଥରେ ରହିଥିବା ପର୍ଯ୍ୟନ୍ତ ସେମାନଙ୍କ ଉପରେ କୌଣସି ବିପଦ ପଡ଼ିନଥିଲା । ମାତ୍ର ଅନବରତ ପାପ କାର୍ଯ୍ୟରେ ମାତି ରହିବାରୁ ଈଶ୍ୱରଙ୍କ ଅଭିଶାପରେ ‘ଫିଲିଷ୍ଟାଇନ’ ନାମକ ଗୋଟିଏ ଦୁର୍ଦ୍ଦର୍ଷ ଓ ଅସଭ୍ୟ ଉପଜାତି ବାରମ୍ବାର ସେମାନଙ୍କ ଉପରେ ଆକ୍ରମଣ କରି ନାନାପ୍ରକାର ଅତ୍ୟାଚାର ଚଳାଇଲେ । କ୍ରମେ ଫିଲିଷ୍ଟାଇନ୍‌ମାନଙ୍କ ଅତ୍ୟାଚାର ଏପରି ପ୍ରବଳ ହେଲା ଯେ ସେଠାରେ ବାସ କରୁଥିବା ଇହୁଦୀମାନେ ଅନ୍ୟ ଦେଶକୁ ପଳାଇବା ଲାଗି ବାଟ ଖୋଜିଲେ ।
 

ଏହି ସମୟରେ ‘ଜୋରା’ ସହରରେ ମାନୋଆ ବୋଲି ଜଣେ ଧାର୍ମିକ ଇହୁଦୀ ବାସକରୁଥିଲେ । ତାଙ୍କର ପତ୍ନୀ ସୁସ୍ଥସବଳ ଥିଲେ ସୁଦ୍ଧା ପୌଢ଼ ବୟସ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା । ସ୍ୱାମୀ ସ୍ତ୍ରୀ ଦୁହେଁ ସେଥି ସକାଶେ ବଡ଼ ଦୁଃଖରେ ଜୀବନ କଟାଉଥିଲେ । ଦିନେ ମାନୋଆର ସ୍ତ୍ରୀ ନିଜ ବଗିଚାରେ କାମ କରୁଚି, ଏପରି ସମୟରେ ଜଣେ ଜ୍ୟୋତିର୍ମୟ ପୁରୁଷ ତା ଆଗରେ ଉଭାହୋଇ କହିଲେ–“ମୁଁ ଜଣେ ଦେବଦୂତ । ଈଶ୍ୱର ତୁମକୁ ଖବର ପଠାଇଛନ୍ତି ଯେ ଅତି ଶୀଘ୍ର ତୁମର ଗୋଟିଏ ପୁଅ ହେବ । ସେ ପୁଅ ଏପରି ଅସାଧାରଣ ଶକ୍ତିଶାଳୀ ହେବ ଯେ ସାରା ପୃଥିବୀରେ କୌଣସି ଲୋକ ତାର ସମକକ୍ଷ ହେବ ନାହିଁ । ପିଲିଷ୍ଟାଇନ୍‌ମାନଙ୍କ ଅତ୍ୟାଚାରରୁ ଇହୁଦୀମାନଙ୍କୁ ରକ୍ଷାକରିବା ଲାଗି ଈଶ୍ୱର ତାକୁ ପଠାଉଛନ୍ତି । ତେଣୁ ଆଜିଠାରୁ ତୁମେ କୌଣସି ମାଦକଦ୍ରବ୍ୟ ବା ଅପରିଷ୍କାର ଖାଦ୍ୟ ଖାଇବ ନାହିଁ । ଆଉ ଗୋଟିଏ କଥା, ତୁମର ଏ ଯେଉଁ ପୁଅଟି ଜନ୍ମିବ, କଦାପି ତାର ବାଳ କାଟିବ ନାହିଁ । ବାଳ କାଟିଦେଲେ ପିଲାର ଘୋର ଅନିଷ୍ଟ ହେବ ।” ଏ କଥା କହି ଦେହଦୂତ ପୁଣି ହଠାତ୍ ଉଭାଇଗଲେ-

 

ତାପରେ ମାନୋଆର ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଯାଇ ସବୁକଥା ଜଣାଇଲା । ମାନୋଆ ଏକପ୍ରାଣରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବାରୁ ପୁଣି ସେଇ ଦେବଦୂତ ତାଙ୍କ ଆଗରୁ ଆସି ସେ ଆଗରୁ କହିଥିବା କଥାଗୁଡ଼ାକୁ ପୁଣି ଥରେ କହିଗଲେ ।

 

ଏକ ବର୍ଷ ପରେ ମାନୋଆର ଗୋଟିଏ ପୁଅ ଜନ୍ମ ହେଲା । ମାନୋଆ ବଡ଼ ଶ୍ରଦ୍ଧାରେ ଏଇ ପିଲାଟିର ନାମ ରଖିଲେ ‘ସାମସନ୍‌’ । ଚାହୁଁ ଚାହୁଁ ସାମସନ୍ ଅତି ହୃଷ୍ଟ ପୃଷ୍ଟ ଓ ବଳିଷ୍ଠ ହୋଇ ବଢ଼ିବାକୁ ଲାଗିଲା । ତାର ସାଙ୍ଗ ପିଲାଏ ଦଶ ପନ୍ଦର ଜଣ ଏକାଠି ମିଶି ମଧ୍ୟ ତାକୁ ବଳରେ ପାରୁ ନ ଥିଲେ । ଈଶ୍ୱରଙ୍କ ଆଦେଶ ଅନୁସାରେ ବାପ ମା ସାମସନ୍‌ର ବାଳ କଦାପି କାଟୁ ନ ଥିଲେ । ତେଣୁ ତାର ବାଳଗୁଡ଼ିକ ଲମ୍ବ ଲମ୍ବ ହୋଇ ତାର କାନ୍ଧଯାଏ ଓହଳିପଡ଼ିଥିଲା ।

 

କ୍ରମେ ସାମସନ୍‌ ବଡ଼ ହେଲା । ଦିନେ ସେ ଟିମନାଥ ସହରକୁ ବୁଲିବାକୁ ଯାଇ ସେଠାରେ ଗୋଟିଏ ଅତି ରୂପବତୀ ଫିଲିଷ୍ଟାଇନ୍‌ ଝିଅକୁ ଦେଖି ତାର ରୂପରେ ମୁଗ୍‌ଧ ହେଲା ଓ ଘରକୁ ଫେରିଆସି ସେହି ଝିଅକୁ ବିଭା ହେବ ବୋଲି ଜିଦ୍ ଧରିଲା । ଫଳରେ ମାନୋଆ ତାକୁ ସେଇ ଫିଲିଷ୍ଟାଇନ୍‌ ଝିଅଟି ସଙ୍ଗରେ ବିଭା କରାଇଦେଲେ ।

 

ବିଭା ହେବାର କିଛି ଦିନ ପୂର୍ବେ ଥରେ ସାମସନ୍ ବହୁତ ଦୂରରେ ଥିବା ଗୋଟାଏ ଗାଁକୁ ଯାଉ ଯାଉ ବାଟରେ ଗୋଟାଏ ମସ୍ତବଡ଼ ସିଂହ ହଠାତ୍ ତାକୁ ଆକ୍ରମଣ କଲା । ଆଖ ପାଖରେ ସାହାଯ୍ୟ କରିବା ଲାଗି କେହି ନ ଥିଲେ; ମାତ୍ର ଈଶ୍ୱର ତ ସାମସନକୁ ଅସାଧାରଣ ଶକ୍ତିଶାଳୀ କରି ଗଢ଼ିଥିଲେ, ତେଣୁ ସେ ସେଇ ସିଂହଟାକୁ ଗୋଟାଏ କୁକୁର ଛୁଆ ପରି ହାତରେ ଟେକିଧରି ଏପରି ଜୋରରେ କଚାଡ଼ିଦେଲା ଯେ ସାଙ୍ଗେ ସଙ୍ଗେ ତା’ର ପ୍ରାଣ ବାହାରିଗଲା । ବିଭାଘର ପରେ ଦିନେ ସାମସନ୍‌ ପୁଣି ସେଇ ବାଟରେ ଆସୁ ଆସୁ ଦେଖିଲା ଯେ ସିଂହଟାର କଙ୍କାଳ ସେଇଠାରେ ପଡ଼ିରହିଚି ଏବଂ ସେଇ କଙ୍କାଳ ଭିତରେ ଦଳେ ମହୁମାଛି ଗୋଟାଏ ବଡ଼ ମହୁଫେଣା ବାନ୍ଧିଚନ୍ତି । ଏହା ଦେଖି ସାମସନ୍‌ ଥୋଡ଼ାଏ ଶୁଖିଲା କାଠି କୁଟା ଆଣି ନିଆଁ ଜାଳି ମହୁମାଛିଗୁଡ଼ାକୁ ତଡ଼ି ମହୁତକ ଧରି ଘରକୁ ଫେରିଲା ।

 

ଘରକୁ ଫେରି ସାମସନ୍‌ ଦେଖିଲା ଯେ ତା’ ସ୍ତ୍ରୀର କେଇଜଣ ଜ୍ଞାତି ଭାଇ ଆସିଚନ୍ତି । ତେଣୁ ସେମାନଙ୍କୁ ଚର୍ଚ୍ଚା କରିବା ଲାଗି ଘରେ ତିଆରି ହୋଇଥିବା ନାନା ପ୍ରକାର ସୁଖାଦ୍ୟ ସାଙ୍ଗରେ ମହୁତକ ମଧ୍ୟ ବାଢ଼ି ଦେଇ ସାମସନ୍‌ ସେମାନଙ୍କୁ କହିଲା–“ମୁଁ ଏବେ ତୁମମାନଙ୍କୁ ଗୋଟିଏ ଧନ୍ଦା ପଚାରିବି । ତୁମେମାନେ ଯଦି ନିଜ ବୁଦ୍ଧିରେ ସେ ଧନ୍ଦାର ଉତ୍ତର ଦେଇପାରିବ ମୁଁ ତୁମମାନଙ୍କୁ ତିରିଶଟା ପୋଷାକ ଦେବି । ଯଦି ନ ପାରିବ, ତେବେ ତୁମେମାନେ ମତେ ତିରିଶଟା ପୋଷାକ ଦେବ ।” ଏଥିରେ ସମସ୍ତେ ରାଜି ହେବାରୁ ସାମ୍‌ସନ୍‌ କହିଲା, “ମୋ ଧନ୍ଦା ହେଉଚି–“ଖାଦକ ଦେଲା ଖାଦ୍ୟ, ଦୁର୍ବଳ ହେଲା ରାଜା; ତରଳ ହେଲା ଟାଣ, ଖାରା ହୋଇଲା ଖଜା । ଏହାର ଅର୍ଥ କଣ ତୁମେମାନେ ନିଜେ ଭାବି କହିପାରିଲେ ମୁଁ ନିଜ ଜବାବ ରଖିବି । ତୁମମାନଙ୍କୁ ମୁଁ ଏକ ସପ୍ତାହ ସମୟ ଦେଲି, ଚେଷ୍ଟା କରି ଦେଖ ।”

 

ଚାହୁଁ ଚାହୁଁ ପାଞ୍ଚଦିନ ବିତିଗଲା, ସାମ୍‌ସନ୍‌ର ଶ୍ୱଶୁରଘର ଲୋକେ ସେଇ ଧନ୍ଦାର କୌଣସି ଅର୍ଥ ଖୋଜି ବାହାର କରି ନ ପାରି, ହାରିଯିବା ଭୟରେ, ସାମ୍‌ସନ୍‌ର ସ୍ତ୍ରୀକୁ ଅଲଗା ଡାକି କହିଲେ–“ତୁ ଆମ ଭଉଣୀ, ଆମେ ହାରିଯାଇ ଅପମାନ ପାଇଲେ ତତେ ବି ଲାଜ ହବ । ତୁ ଯେକୌଣସି ପ୍ରକାରେ, ଛଳେ ବଳେ କୌଶଳରେ ସାମ୍‌ସନ୍‌ଠୁଁ ଏଇ ଧନ୍ଦାର ରହସ୍ୟ କଣ ବୁଝି ଆମକୁ କହିବୁ, ନଚେତ୍ ଆଉ କଦାପି ଆମେ ତୋ ଘରେ ପାଦ ପକାଇବୁ ନାହିଁ ।”

 

ଏ କଥାରେ ମାତିଯାଇ ସାମ୍‌ସନ୍‌ର ସ୍ତ୍ରୀ ଧନ୍ଦାର ପ୍ରକୃତ ଅର୍ଥ କଣ କହିବାଲାଗି ସାମ୍‌ସନ୍‌ ସଙ୍ଗେ ଖୁବ ଜିଦ୍ ଆରମ୍ଭ କଲା । ଶେଷକୁ ତାର ଜିଦ୍ ଆଉ ଅଭିମାନ ସହି ନପାରି ସାମ୍‌ସନ୍ ଧନ୍ଦାର ଉତ୍ତରଟା ତାକୁ କହିଦେଲା ଏବଂ ଉତ୍ତର ଆଉ କାହାକୁ ନ ଜଣାଇବା ଲାଗି ନିୟମ କରାଇନେଲା; ମାତ୍ର ସେ ଘରୁ ପାଦ କାଢ଼ିବା ମାତ୍ରେ ସଙ୍ଗେ ସଙ୍ଗେ ସାମ୍‌ସନ୍‌ର ସ୍ତ୍ରୀ ନିଜ ଭାଇମାନଙ୍କୁ ଭେଟି ସ୍ୱାମୀଠାରୁ ଶୁଣିଥିବା ଉତ୍ତରଟି ସେମାନଙ୍କୁ ଜଣାଇଦେଲା । ପରଦିନ ସକାଳୁ ସୋମାନେ ସାମ୍‌ସନ୍‌କୁ ସଦର୍ପରେ କହିଲେ–“ତୁମେ ପଚାରିଥିବା ଧନ୍ଦାଟା ସବୁଠୁଁ ସହଜ । ସିଂହ ବଞ୍ଚିଥିବାଯାଏ ସବୁ ପ୍ରଣୀଙ୍କୁ ଖାଏ; ମାତ୍ର ସେ ମରିଗଲେ ବିଲୁଆ ପ୍ରଭୃତି ଛାର ଜୀବମାନେ ତାକୁ ଖାଆନ୍ତି–ତେଣୁ ଖାଦକ ଖାଦ୍ୟ ହେଲା । ପୁଣି ବଞ୍ଚିଥିବା ଯାଏ ସିଂହ ବଣର ରାଜା; ମାତ୍ର ମଲା ପରେ ତା ମୁର୍ଦାର ଉପରେ ମହୁମାଛିମାନେ ବି ରାଜାପଣ କଲେ । ସିଂହର ହାଡ଼ ଖୁବ୍ ଟାଣ ଏବଂ ଖାଇବାକୁ ଖାରିଆ ଲାଗେ, ମାତ୍ର ତାହା ମହୁଫେଣା ହୋଇଯିବାରୁ ତରଳ ହୋଇଗଲା ଏବଂ ମହୁଠୁଁ ବେଶି ମିଠା ଆଉ କଣ ବା ଅଛି ?” ଏତକ କହିସାରି ସେମାନେ ସାମ୍‌ସନ୍‌ଠୁଁ ତାର ଜବାବ ମୁତାବକ ତିରିଶଟା ପୋଷାକ ଦାବୀକଲେ ।

 

ସେମାନେ ଜବାବ ଶୁଣି ସାମ୍‌ସନ୍‌ ସଙ୍ଗେ ସଙ୍ଗେ ସବୁ କଥା ବୁଝିପାରିଲା । ଫିଲିଷ୍ଟାଇନ୍‌ମାନଙ୍କର ଏପରି ବିଶ୍ୱାସଘାତକତା ଦେଖି ସେ ଅତ୍ୟନ୍ତ ରାଗିଗଲା । ତେଣୁ ସେମାନଙ୍କୁ ଏକପ୍ରକାର ଅନ୍ୟାୟର ଉଚିତ ଦଣ୍ଡ ଦେବା ସେ କହିଲା–“ତୁମେମାନେ କିଛି ସମୟ ଅପେକ୍ଷା କର, ମୁଁ ପୋଷାକତକ ଧରି ଆସୁଚି ।” ଏହା କହି ନିକଟରେ ଥିବା ଗୋଟିଏ ସହରକୁ ଯାଇ ବାଛିବାଛି ତିରିଶଜଣ ବଳିଷ୍ଠ ଓ ଅତ୍ୟାଚାରୀ ଫିଲିଷ୍ଟାଇନଙ୍କୁ ହତ୍ୟାକରି ସେମାନଙ୍କର ପୋଷାକ ଆଣି ନିଜ ସ୍ତ୍ରୀର କୁଟୁମ୍ବମାନଙ୍କୁ ଦେଇ ବିଦାକଲା ଏବଂ ସେମାନଙ୍କ ସଙ୍ଗେ ସଙ୍ଗେ ସେଇ ଅବିଶ୍ୱାସୀ ସ୍ତ୍ରୀକୁ ମଧ୍ୟ ଚିରଦିନ ଲାଗି ବିଦାୟଦେଲା ।

 

ତିରିଶ ଜଣ ଫିଲିଷ୍ଟାଇନ୍‌ଙ୍କୁ ସାମ୍‌ସନ୍‌ ହତ୍ୟା କରିଥିବା କଥା ଜାଣି ଅନ୍ୟ ଫିଲିଷ୍ଟାଇନ୍‌ମାନେ ରାଗରେ ଅସମ୍ଭାଳ ହୋଇଉଠିଲେ ଏବଂ ଏହାର ପ୍ରତିଶୋଧ ନେବା ଲାଗି ଦିନେ ସାମ୍‌ସନ୍‌ ନ ଥିବା ସମୟରେ ତା ଘରେ ପଶି ସବୁ ଜିନିଷ ଲୁଟି ନେଲେ ଏବଂ ତାର ଶସ୍ୟକ୍ଷେତ୍ରରେ ନିଆଁ ଲଗାଇଦେଲେ । ସାମ୍‌ସନ୍‌ ଘରକୁ ଫେରି ସବୁ ଶୁଣି ସେଇ ସହରରେ ପଶି ତୁଚ୍ଛା ହାତରେ ପଚାଶ ଜଣ ଫିଲିଷ୍ଟାଇନ୍‌ଙ୍କୁ ପିଟି ପିଟି ମାରିପକାଇ ଏଟମ୍ ପାହାଡ଼ ଉପରକୁ ପଳାଇଲା ।

 

କିଛି ସମୟ ପରେ ତିନି ହଜାର ଫିଲିଷ୍ଟାଇନ୍‌ ସେଇ ପାହାଡ଼ ଉପରେ ଚଢି ସାମ୍‌ସନ୍‌କୁ କହିଲେ–“ଆରେ ହତଭାଗା ଦୁଷ୍ଟ ! ତୁ କଣ ଜାଣିନାହୁଁ ଯେ ଫିଲିଷ୍ଟାଇନ୍‌ମାନେ ତୁମର ମାଲିକ । କେଉଁ ସାହାସରୁ ତୁ ଏପରି ଘୋର ଅନ୍ୟାୟ କଲୁ ?” ଏ କଥା ଶୁଣି ସାମ୍‌ସନ୍‌ କହିଲା–“ତୁମେମାନେ ମୋ ପ୍ରତି ଯେପରି ଆଚରଣ କରିଚ, ମୁଁ ମଧ୍ୟ ତୁମମାନଙ୍କ ପ୍ରତି ଠିକ୍ ସେହିପରି କରିଚି, ତେଣୁ ମୋର କୌଣସି ଦୋଷ ହୋଇନାହିଁ ।”

 

ସାମ୍‌ସନ୍‌ର ରୋକ୍‌ଠୋକ୍‌ ଜବାବ ଶୁଣି ଫିଲିଷ୍ଟାଇନ୍‌ମାନେ କହିଲେ–“ତୁ ଦୋଷୀ କି ନିର୍ଦ୍ଦୋଷ ସେ କଥା ଆମ ରାଜା ବିଚାର କରିବେ । ଏବେ ତୁ ଶୀଘ୍ର ଆମ ନିକଟକୁ ଚାଲି ଆ; ଆମେ ତତେ ବାନ୍ଧି ବିଚାର ଲାଗି ରାଜାଙ୍କ ନିକଟକୁ ନେଇଯିବୁ ।”

 

ସାମ୍‌ସନ୍‌ ନିର୍ଭୟରେ ସେଇ ତିନିହଜାର ଫିଲିଷ୍ଟାଇନଙ୍କ ଆଗରେ ଛିଡ଼ା ହେବା ମାତ୍ରେ ସେମାନେ ସଙ୍ଗରେ ଧରି ଆସିଥିବା ମୋଟା ମୋଟା ରଶିରେ ତାର ପାଦ ହାତ ଖୁବ୍ ଟାଣକରି ବାନ୍ଧି, ତାକୁ ଘୋଷାରି ଘୋଷାରି ସେହି ସହରରେ ରହୁଥିବା ସେମାନଙ୍କ ରାଜାଙ୍କ ନିକଟକୁ ନେଇଗଲେ । ରାଜସଭାରେ ପହଞ୍ଚି ସେମାନେ ସାମ୍‌ସନ୍‌ କୁ ଗୋଟାଏ ମୋଟା ଖମ୍ବରେ ବାନ୍ଧି ପକାଇ ତାର ବିଚାର କରିବା ପରିବର୍ତ୍ତେ ତାକୁ ନାନା ପ୍ରକାର ଗାଳି ଗୁଲଜ ଓ ଅପମାନ କରିବାକୁ ଲାଗିଲେ । ଶେଷରେ ସାମ୍‌ସନ୍‌ ଧୈର୍ଯ୍ୟ ସୀମା ଟପିଯିବାରୁ ସେ ରାଗରେ ନିଜର ପୂରା ଶକ୍ତି ପ୍ରୟୋଗ କରିବା କ୍ଷଣି ତାକୁ ବାନ୍ଧି ରଖିଥିବା ମୋଟା ମୋଟା ରଶିଗୁଡ଼ାକ ବୁଢିଆଣୀ ଜାଲ ପରି ଛିଡ଼ିଗଲା ଏବଂ ଏକ ପ୍ରବଳ ଧକ୍‌କାରେ ସେଇ ଖମ୍ବଟାକୁ ଓପାଡ଼ି ଆଣିଲା । ସାମ୍‌ସନ୍‌ ସେଟାକୁ ଗଦାପରି ବ୍ୟବହାର କରି ପ୍ରାୟ ଏକହଜାର ଫିଲିଷ୍ଟାଇନ୍‌ଙ୍କ ପ୍ରାଣନାଶ କରି ନିଜ ଘରକୁ ଫେରିଗଲା ।

 

ଏହି ଘଟଣା ପରେ ଫିଲିଷ୍ଟାଇନ୍‌ମାନଙ୍କ ମନରେ ସାମ୍‌ସନ୍‌ ପ୍ରତି ଏପରି ଭୟ ଦେଖାଦେଲା ଯେ ସେମାନେ ସାମ୍‌ସନ୍‌ ରହୁଥିବା ସ୍ଥାନର ଆଖପାଖକୁ ମଧ୍ୟ ଯାଉ ନଥିଲେ । ଏହା ଫଳରେ ଇହୁଦୀମାନଙ୍କ ଉପରେ ଫିଲିଷ୍ଟାଇନ୍‌ମାନଙ୍କ ଅତ୍ୟାଚାର ବହୁ ପରିମାଣରେ କମିଯିବାରୁ ସେମାନେ ଟିକିଏ ଆଶ୍ୱସ୍ତ ହେଲେ ।

 

କିଛି ଦିନ ପରେ ସାମ୍‌ସନ୍‌ ଗାଜା ସହରରେ ଆସି ରହିଲା । ଏଇ ସହରରେ ରହିବା ସମୟରେ ‘ଡେଲିଲା’ ବୋଲି ଗୋଟିଏ ଖୁବ୍ ସୁନ୍ଦରୀ ନର୍ତ୍ତକୀକୁ ଦେଖି ସାମ୍‌ସନ୍‌ ତା ପ୍ରତି ବିଶେଷ ଆକୃଷ୍ଟ ହେଲା । ଶେଷକୁ ସେମାନଙ୍କର ଘନିଷ୍ଠତା ଏତେଦୂର ବଢ଼ିଗଲା ଯେ ସାମ୍‌ସନ୍‌ ନିଜ ବସା ଛାଡ଼ି ଡେଲିଲା ଘରେ ଯାଇ ରହିଲା । ଡେଲିଲାକୁ ସମ୍‌ସାନ୍‌ ସୁଖ ପାଉଥିଲା, ସେହିପରି ବିଶ୍ୱାସ ମଧ୍ୟ କରୁଥିଲା ।

 

ଫିଲଷ୍ଟାଇନ୍‌ମାନେ ମଧ୍ୟ ସାମ୍‌ସନ୍‌ର ସର୍ବନାଶ କରିବା ଲାଗି ସର୍ବଦା ସୁଯୋଗ ଖୋଜୁଥିଲେ । ଡେଲିଲା ସଂଗରେ ତାର ଏଭଳି ଘନିଷ୍ଠତା ଦେଖି ସେମାନେ ନାନାପ୍ରକାର ଦାମିକା ଅଳଙ୍କାର ଓ ଲୁଗାପଟା ଉପହାର ଦେଇ ତାକୁ ନିଜ ହାତ ମୁଠାକୁ ଆଣି କହିଲେ–“କେଉଁଠାରୁ ସାମ୍‌ସନ୍‌ ଏପରି ଅସାଧାରଣ ଶକ୍ତି ପାଇଚି, ସେ କଥା ତୁମେ ତାଠୁଁ ବୁଝି ଯଦି ଆମକୁ କହିବ, ତେବେ ଆମେ ତମକୁ ଗଧ ବୋହି ପାରିବା ଭଳି ସୁନା ମୁଣ୍ଡା ଆଣିଦେବୁ ।”

 

ଏ କଥା ଶୁଣି ଡେଲିଲା ଲୋଭରେ ରାଜିହୋଇ ନାନାପ୍ରକାର ଚେଷ୍ଟାକରି କିଛିଦିନ ପରେ ଜାଣିପାରିଲା ଯେ ନିଜ ମୁଣ୍ଡରେ ଥିବା ଲମ୍ବ ବାଳଗୁଡ଼ାକରୁହିଁ ସାମସନ୍‌ ଏପରି ଅସାଧାରଣ ଶକ୍ତି ପାଇପାରୁଚି । ଏ କଥା ସେ ଫିଲିଷ୍ଟାଇନ୍‌ମାନଙ୍କୁ ଜଣାଇଦେବାରୁ ସେମାନେ ଗୋଟାଏ ପୁଡ଼ିଆରେ କିଛି ନିଦ ଔଷଧ ଏବଂ ଗୋଟିଏ କ୍ଷୁର ଆଣି ଡେଲିଲାକୁ ଦେଇ କହିଲେ–“ଆଜି ରାତିରେ ସାମ୍‌ସନ୍‌କୁ ତା ଅଜାଣତରେ ଦୁଧ ସଙ୍ଗରେ ଏଇ ଔଷଧ ଖୁଆଇଦେବ । ତାପରେ ସେ ନିଦରେ ଶୋଇପଡ଼ିଲେ, ଏଇ କ୍ଷୁରରେ ତା ମୁଣ୍ଡର ବାଳତକ କାଟିଆଣି ଆମକୁ ଦେଇଦବ । ଏତକ କଲେ ଆମେ ତମକୁ ଜବାବ ଦେଇଥିବା ପୁରସ୍କାର ପଠାଇ ଦେବୁ ।” ଲୋଭରେ ପଡ଼ି ଡେଲିଲା ଆଗ ପଛ ନ ବିଚାରି ସେମାନଙ୍କ ପ୍ରସ୍ତାବରେ ରାଜି ହେଲା ।

 

ସେଦିନ ରାତିରେ ସାମ୍‌ସନ୍‌ ଔଷଧ ପ୍ରଭାବରେ ଗାଢ଼ ନିଦରେ ଶୋଇଥିଲା ସମୟରେ ଡେଲିଲା ସେଇ କ୍ଷୁର ସାହାର୍ଯ୍ୟରେ ତା ମୁଣ୍ଡର ଲମ୍ବ ବାଳତକ କାଟିଆଣି ଫିଲିଷ୍ଟାଇନ୍‌ମାନଙ୍କୁ ଦେଇଦେଲା । ବାଳତକ ହସ୍ତଗତ ହେବା ମାତ୍ରେ ଦଳେ ଫିଲିଷ୍ଟାଇନ୍‌ ଡେଲିଲା ଘରେ ପଶି ସାମ୍‌ସନ୍‌ଙ୍କୁ ଘେରି ପକାଇଲେ । ସେମାନଙ୍କ ପାଟିତୁଣ୍ଡ ଶୁଣି ସାମ୍‌ସନ୍‌ ନିଦରୁ ଉଠିବା ମାତ୍ରେ ସେମାନେ ତାକୁ ବାନ୍ଧି ପକାଇ ପୁଣି ସେମାନଙ୍କ ରାଜାଙ୍କ ନିକଟକୁ ନେଇଗଲେ । ପୂର୍ବଥର ପରି ସାମ୍‌ସନ୍‌ ସେଇ ରଶି ଛିଣ୍ଡାଇବା ଲାଗି ପ୍ରାଣପଣ ଚେଷ୍ଟାକଲେ ସୁଦ୍ଧା ତା ମୁଣ୍ଡର ବାଳତକ କଟା ହୋଇଥିବା ଯୋଗୁଁ ନିଜର ଦୈବୀଶକ୍ତି ହରାଇ ସେଇ ବନ୍ଧନକୁ ଟିକେ ହୁଗୁଳା ମଧ୍ୟ କରି ପାରିଲା ନାହିଁ । ତାର ଏପରି ଦୁରବସ୍ଥା ଦେଖି ଫିଲିଷ୍ଟାଇନ୍‌ମାନେ ଆନନ୍ଦରେ ଉଛୁଳିଉଠିଲେ ।

 

ଏହାପରେ ସାମ୍‌ସନ୍‌ର ବିଚାର ହୋଇ ସେ ଦୋଷୀ ସାବ୍ୟସ୍ତ ହେବାରୁ ତାକୁ ଅନ୍ଧକରି ଗୋଟିଏ ନିର୍ଜନ କୋଠରୀରେ ବନ୍ଦୀରୂପେ ରଖାଗଲା । ତାହାଛଡ଼ା ବଳଦ ପରି ପ୍ରତିଦିନ ତାକୁ ଗୋଟାଏ ଘଣାରେ ବାନ୍ଧି ତେଲ ପେଡ଼ିବା କାମରେ ଲଗାଗଲା । ଅନ୍ଧ ସାମ୍‌ସନ୍‌ ନିର୍ଜନ ବନ୍ଦୀଶାଳାରେ ବସି ତାର କେଉଁ ଭୁଲ ସକାଶେ ଏପରି ଦୁର୍ଦ୍ଦଶା ପଡ଼ିଲା ତାହା ବୁଝିପାରିଲା ଏବଂ ସେଇ ଯନ୍ତ୍ରଣାରୁ ଉଦ୍ଧାର ପାଇବା ଲାଗି ମନପ୍ରାଣ ଲଗାଇ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା ।

 

ଚାହୁଁ ଚାହୁଁ ପ୍ରାୟ ଏକବର୍ଷ ବିତିଗଲା । ସାମ୍‌ସନ୍‌ର ଭୟରୁ ରକ୍ଷା ପାଇବା ଯୋଗୁଁ ଫିଲିଷ୍ଟାଇନ୍‌ମାନେ ସେମାନେ ପୂଜା କରୁଥିବା ଅପଦେବତା ‘ଦାଗନ୍’ର ସମ୍ମାନରେ ଗୋଟାଏ ବଡ଼ ଭୋଜି କରିବା ଲାଗି ସ୍ଥିର କଲେ । ଭୋଜି ଦିନ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଫିଲିଷ୍ଟାଇନ୍‌ ଆସି ରାଜପ୍ରସାଦର ବିଶାଳଦରବାର ଘରେ ରୁଣ୍ଡ ହେଲେ । କିଛି ସମୟ ନାଚ ଗୀତ ହେବାପରେ କେତେଜଣ କହିଲେ–“ସାମ୍‌ସନ୍‌କୁ ଏଠାକୁ ନେଇ ଆସିଲେ ମଜା ହେବ ।” ଏକଥା ସମସ୍ତଙ୍କ ମନକୁ ପାଇବାରୁ ଦଳେ ଫିଲିଷ୍ଟାଇନ୍‌ ବନ୍ଦୀଶାଳାରୁ ସାମ୍‌ସନ୍‌କୁ ଘେନିଆସି, ଦରବାର ଘର କାନ୍ଥରେ ଲାଗିଥିବା ଗୋଟାଏ ଲୁହା କଡ଼ାରେ ଟାଣ କରି ବାନ୍ଧି ପକାଇଲେ । ତା ପରେ ସେଠି ରୁଣ୍ଡ ହୋଇଥିବା ହଜାର ହଜାର ଲୋକ ସାମ୍‌ସନ୍‌କୁ ନନା ପ୍ରକାର ବିଦ୍ରୁପ ଓ ଅପମାନ କଲେ ଏବଂ କେହି କେହି ତା ଉପରେ ଛେପ ମଧ୍ୟ ପକାଇଲେ ।

 

ବର୍ଷକ ମଧ୍ୟରେ ସାମ୍‌ସନ୍‌ର କଟାଯାଇଥିବା ବାଳ ପୂର୍ବପରି ଲମ୍ବ ହୋଇଯାଇଥିବା ଯୋଗୁଁ ତାର ହଜି ଯାଇଥିବା ଐଶ୍ୱରିକ ଶକ୍ତି ପୁଣି ଫେରିଆସିଲା ଏବଂ ସେଇ ଲୁହାକଡ଼ାରେ ବନ୍ଧା ଥାଇ ସେ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କଲା–“ହେ ପ୍ରଭୁ ! ମୁଁ ମରିବାକୁ ପ୍ରସ୍ତୁତ; ମାତ୍ର ଏଇ ଅତ୍ୟାଚାରୀମାନଙ୍କୁ ନିପାତ କରି ମୁଁ ଯେପରି ମରିପାରେ, ସେଇ ଆଶୀର୍ବାଦ କର ।” ଏହା କହି ସେ ବନ୍ଧାହୋଇଥିବା କାନ୍ଥକୁ ପ୍ରାଣପଣ ଶକ୍ତିରେ ଏପରି ଏକ ଧକ୍‌କା ମାରିଲା ଯେ ତାହା ସଙ୍ଗେ ସଙ୍ଗେ ଦୁଇଫାଳ ହୋଇଗଲା ଏବଂ ବହୁ ଉଚ୍ଚରେ ଥିବା ଛାତଟା ଭୂଷୁଡ଼ି ପଡ଼ିବାର ସାମ୍‌ସନ୍‌ ସମେତ ସେଠାରେ ରୁଣ୍ଡହୋଇଥିବା ହଜାର ହଜାର ଫିଲିଷ୍ଟାଇନ୍‌ ଓ ସେମାନଙ୍କର ରଜା ପେଷି ହୋଇ ପ୍ରାଣ ହରାଇଲେ । ପରଦିନ ସାମ୍‌ସନ୍‌ର ଆତ୍ମୀୟମାନେ ସେଇ ଧ୍ୱଂସ ସ୍ତୁପ ଭିତରୁ ତା ମୃତଦେହ କାଢ଼ିଆଣି ଯଥାବିଧି କବର ଦେଲେ ଏବଂ ସେହିଦିନଠାରୁ ଇହୁଦୀମାନଙ୍କ ଉପରେ ଫିଲିଷ୍ଟାଇନ୍‌ମାନଙ୍କ ଅତ୍ୟାଚାର ବନ୍ଦହୋଇଗଲା ।

Image

 

ଆଦର୍ଶ ରାଜା ସଲୋମନ

 

ଫିଲିଷ୍ଟାଇନମାନେ ଧ୍ୱଂସ ପାଇବା ପରେ ବହୁଦିନ ଯାଏ ଇହୁଦୀମାନେ ସୁଖ ଓ ଶାନ୍ତିରେ ଦିନ କଟାଇଲେ । କ୍ରମେ କ୍ରମେ ସେମାନଙ୍କର ଧନସଂପଦ ଓ ଶକ୍ତି ବଢ଼ିବାକୁ ଲାଗିଲା । ସେଇ ଯୁଗରେ ଡେଭିଡ୍‌ ବୋଲି ଜଣେ ବୀର ଓ ଧାର୍ମିକ ରାଜା ଇହୁଦୀମାନଙ୍କୁ ବହୁବର୍ଷ ଶାସନ କରିଥିଲେ । ଡେଭିଡ୍‌ଙ୍କର ଦୁଇଗୋଟି ରାଣୀ ଓ ପାଞ୍ଚଜଣ ପୁଅ ଥିଲେ ମଧ୍ୟ ଦିନେ ସେ ଘୋଡ଼ାରେ ଚଢ଼ି ବୁଲୁ ବୁଲୁ ବାଥସେବା ନାମକ ଗୋଟିଏ ରୂପସୀ ଓ ସୁଲକ୍ଷଣା ବିଧବାକୁ ଦେଖି ତାକୁ ବିବାହ କରିବା ଲାଗି ମନରେ ସ୍ଥିର କଲେ । ରଜା ବହୁ ଅନୁରୋଧ କରିବାରୁ ବାଥସେବା ବିବାହ କରିବା ଲାଗି ସମ୍ମତି ଦେଲେ ଏବଂ ଅତି ଗୋପନରେ ଏଇ ବିବାହ ସଂପନ୍ନ ହେଲା । ଏଇ ବିବାହ ଫଳରେ କିଛିଦିନ ପରେ ବାଥସେବାଙ୍କ ଗର୍ଭରୁ ଡେଭିଡ୍‌ଙ୍କର ଗୋଟିଏ ପୁଅ ଜନ୍ମ ହେଲା । ପୁଅଟି ଯେପରି ସୁନ୍ଦର ସେହିପରି ଶୁଭଲକ୍ଷଣ ଯୁକ୍ତ ଦେଖି ବାଥସେବା ତାର ନାଁ ରଖିଲେ ‘ସଲୋମନ’ ବା ‘ଦେବଦତ୍ତ’ ।

 

ସମୟକ୍ରମେ ଡେଭିଡ୍‌ ବୃଦ୍ଧ ଓ ଅଥର୍ବ ହୋଇପଡ଼ିଲେ; ମାତ୍ର ତାଙ୍କର ପାଞ୍ଚ ପୁଅ ମଧ୍ୟରୁ ଜଣକଠାରେ ହେଲେ ଶାସନ ଦାୟିତ୍ୱ ତୁଲାଇବାର ଯୋଗ୍ୟତା ନ ଥିଲା । ତେଣୁ ତାଙ୍କ ମୃତ୍ୟୁ ପରେ ରାଜ୍ୟର ଅବସ୍ଥା କଣ ହେବ, ସେ କଥା ବିଚାରି ସେ ସର୍ବଦା ବ୍ୟସ୍ତ ହେବାକୁ ଲାଗିଲେ । କ୍ରମେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇଆସିଲା । ଏପରି ସମୟରେ ନାଥାନି ନାମକ ଜଣେ ଖୁବ ଜ୍ଞାନୀ ଓ ତ୍ରିକାଳଜ୍ଞ ସାଧକ ବାଥସେବାଙ୍କୁ ଆସି କହିଲେ–“ତୁମେ ଶୀଘ୍ର ସଲୋମନକୁ ସଙ୍ଗରେ ଘେନି ଡେଭିଡ୍‌ଙ୍କ ନିକଟକୁ ଯାଅ । ସେ ତୁମର କଣ ପ୍ରୟୋଜନ ପଚାରିଲେ ତୁମେ କହିବ ଯେପରିକି ତାଙ୍କ ଅନ୍ତେ ସଲୋମନ ଏ ଦେଶର ରାଜଗାଦିରେ ବସିବ ।”

 

ନାଥାନିଙ୍କ କଥା ମାନି, ବାଳକ ସଲୋମନଙ୍କୁ ସଙ୍ଗରେ ଘେନି ବାଥସେବା ଡେଭିଡ୍‌ଙ୍କ ରାଜପ୍ରାସାଦରେ ପହଂଚିଲେ । ସେଠାରେ ପହଂଚି ସେ ଦେଖିଲେ ଯେ ଡେଭିଡ୍‌ ଅତ୍ୟନ୍ତ ଅସୁସ୍ଥ ଏବଂ ରାଜଚିକିତ୍ସକମାନେ ନାନା ପ୍ରକାର ଔଷଧ ଖୁଆଇ ଓ ତୈଳ ମାଲିସ କରି ତାଙ୍କୁ ବଞ୍ଚାଇ ରଖିବା ଲାଗି ଚେଷ୍ଟା କରୁଛନ୍ତି । ସଲୋମନ୍‌ର ରୂପ ଦେଖି ଡେଭିଡ୍‌ ମନେ ମନେ ବଡ଼ ସନ୍ତୁଷ୍ଟ ହେଲେ । ତେଣୁ ଯେତେବେଳେ ତାଙ୍କ ପ୍ରଶ୍ନର ଉତ୍ତରରେ ବାଥସେବା ସଲୋମନକୁ ସେ ଦେଶର ଭବିଷ୍ୟତ ଶାସନକର୍ତ୍ତା କରବାକୁ ଚାହିଁଲେ, ଡେଭିଡ୍‌ ସେ ପ୍ରସ୍ତାବରେ ସମ୍ପୂର୍ଣ୍ଣ ଏକମତ ହୋଇ ସଂଗେ ସଂଗେ ସେହିପରି ଆଦେଶ ଦେଲେ । ଏହାର ଅଳ୍ପଦିନ ପରେ ଡେଭିଡ୍‌ ପ୍ରାଣତ୍ୟାଗ କଲେ ସଲୋମନ ରାଜା ହୋଇ ସିଂହାସନରେ ବସିଲେ ।

 

ସଲୋମନ ଯେଭଳି ବୀର, ସେହିପରି ସୁବିଚାରକ, ସୁଶାସକ ଓ ଜ୍ଞାନୀ ଥିଲେ । ତେଣୁ ତାଙ୍କ ଶାସନ ସମୟରେ ଇସ୍ରାଏଲ୍‌ ରାଜ୍ୟ ଚାହୁଁ ଚାହୁଁ ଅତି ସମୃଦ୍ଧ ଓ ଶକ୍ତିଶାଳୀ ହୋଇଉଠିଲା । ସଲୋମନଙ୍କ ଜ୍ଞାନ ଓ ଦକ୍ଷତା ବିଷୟ ଶୁଣି ମିଶର ଦେଶର ତତ୍‌କାଳୀନ ଫାରାଓ ତାହା କେତେଦୂର ସତ ବୁଝିବା ଲାଗି ରାଜା ସଲୋମନଙ୍କ ଦରବାରକୁ ଜଣେ ଦୂତ ପଠାଇଲେ ।

 

ଦିନେ ସଲୋମନ ମନ୍ତ୍ରୀ ଓ ଅମାତ୍ୟମାନଙ୍କ ସହ ଦରବାରରେ ବସିଚନ୍ତି, ଏପରି ସମୟରେ ଫାରାଓ ଦୂତ ପହଞ୍ଚି ପ୍ରଥମେ ତାଙ୍କ ହାତକୁ ନିଜ ପରିଚୟ ପତ୍ରଟି ବଢ଼ାଇଦେଲା । ସେଇଟି ପଢ଼ି ସଲୋମନ କେଉଁ ଉଦ୍ଦେଶ୍ୟରେ ଫାରାଓ ତାଙ୍କୁ ପଠାଇଛନ୍ତି ବୋଲି ପଚାରିବାରୁ ଦୂତ କୌଣସି ଉତ୍ତର ନ ଦେଇ ନିଜ ପୋଷାକ ଭିତରୁ ଖଣ୍ଡେ ଖଡ଼ି କାଢ଼ି ସଲୋମନଙ୍କ ସିଂହାସନ ଚାରିପଟେ ଗୋଟାଏ ବୃତ୍ତ ଟାଣି ଦେଇ ତା ମଝିରେ ମୁଠାଏ ଶସ୍ୟ ବିଞ୍ଚି ଦେଲା । ଏହା ଦେଖି ସଲୋମନ ନିଜ ମନ୍ତ୍ରୀମାନଙ୍କୁ ସେଇ ସମସ୍ୟା ସମାଧାନ କରିବା ଲାଗି କହିଲେ; ମାତ୍ର ତାଙ୍କର ଜଣେହେଲେ ମନ୍ତ୍ରୀ ମିଶରୀୟ ଦୂତର ସାଙ୍କେତିକ ପ୍ରଶ୍ନ ବୁଝି ତହିଁର ଉତ୍ତର ଦେଇ ପାରିଲେ ନାହିଁ । ଶେଷକୁ ସଲୋମନ କହିଲେ–“ମୁଁ ନିଜେ ତେବେ ଫାରାଓଙ୍କ ପ୍ରଶ୍ନ ଉତ୍ତର ଦେଉଚି ।” ଏହା କହି ସେ ଜଣେ ଭୃତ୍ୟକୁ ପକ୍ଷିଶାଳାରୁ ଗୋଟାଏ କୁକୁଡ଼ା ଆଣିବା ଲାଗି କହିଲେ । କୁକୁଡ଼ାଟି ଅଣାଯିବାରୁ ସଲୋମନ ତାକୁ ସେଇ ବୃତ୍ତ ମଝିରେ ଛାଡ଼ିଦେଲେ । ସେଠାରେ ବୁଣା ହୋଇଥିବା ଶସ୍ୟତକ ଦେଖି କୁକୁଡ଼ାଟି ମନ ଖୁସୀରେ ସେଗୁଡ଼ିକ ଚଞ୍ଚଳ ଗିଳିବାରେ ଲାଗିଲା । ଏହି ଦେଖି ସଲୋମନ ଈଷତ୍ ହସି ଫାରାଓଙ୍କ ଦୂତକୁ କହିଲେ, “ତୁମେ ପ୍ରଶ୍ନର ଉତ୍ତର ତ ପାଇଲ, ଏବେ ନିଜ ଦେଶକୁ ଫେରିଯାଇପାର ।” ଦୂତ ମଧ୍ୟ ସଲୋମନଙ୍କୁ ଅତି ନମ୍ର ଭାବରେ ନମସ୍କାର କରି ଦରବାରରୁ ବାହାରିଗଲା ।

 

ଦୂତ ବିଦାୟ ଘେନିବା ପରେ ମନ୍ତ୍ରୀମାନେ ନିଜ କୈତୁହଳ ସମ୍ଭାଳି ନ ପାରି ସଲୋମନଙ୍କୁ ସେଇ ଘଟଣାର ତାତ୍ପର୍ଯ୍ୟ ପଚାରିଲେ । ହସି ହସି ସଲୋମନ କହିଲେ–“ଦୂତ ଦେଇଥିବା ସଙ୍କେତର ଅର୍ଥ ହେଲା ଯେ ମିଶର ଦେଶର ଫାରାଓ ଅସୁମାରି ସୈନ୍ୟ ଘେନି ଆମ ରାଜ୍ୟ ଘେରାଉ କଲେ ଆମେ କଣ କରିବୁ । ଶସ୍ୟ ଗୁଡ଼ିକର ଅର୍ଥ ଅସୁମାରି ସୈନ୍ୟ ଏବଂ ବୃତ୍ତର ଅର୍ଥ ଘେରାଉ କରିବା । ମୁଁ ତେଣୁ କୁକୁଡ଼ାଟି ଛାଡ଼ି ବୁଝାଇ ଦେଲି ଯେ ମିଶର ରାଜାଙ୍କ ଆକ୍ରମଣକୁ ଆମେ ଖାତିର କରୁନାହୁଁ, କାରଣ ଆମର ଜଣେ ଲେଖାଁ ସୈନିକ ତାଙ୍କର ଶହେ ଜଣ ସୈନ୍ୟ ସଙ୍ଗେ ସମାନ । କୁକୁଡ଼ାଟି ସବୁତକ ଶସ୍ୟ ଗିଳି ପକାଇବା ପରି ଆମର ଜଣେ ଜଣେ ସୈନ୍ୟ ଶତାଧିକ ମିଶର ସୈନ୍ୟକୁ ହତ୍ୟା କରିପାରିବ । ଆମର ଦୃଢ଼ତା ବୁଝିପାରି ଦୂତ ନିଜ ଦେଶକୁ ଫେରିଗଲା ।”

 

ସଲୋମନଙ୍କ ଉତ୍ତର ଶୁଣି ସଭାରେ ଉପସ୍ଥିତ ଥିବା ସବୁ ଲୋକ ସଲୋମନଙ୍କ ଅସାଧାରଣ ବୁଦ୍ଧିର ପ୍ରଶଂସା କରିବାରେ ଲାଗିଲେ । ଏହି ଘଟଣାରୁ ଫାରାଓଙ୍କ ମନରେ ମଧ୍ୟ ସଲୋମନଙ୍କ ପ୍ରତି ଏପରି ଗଭୀର ଶ୍ରଦ୍ଧା ଜନ୍ମିଲା ଯେ ସେ ସଲୋମନଙ୍କୁ ବନ୍ଧୁରୂପେ ପଇବା ଲାଗି ତାଙ୍କ ସଙ୍ଗେ ନିଜ ସାନ ଭଉଣୀର ବିବାହ କରାଇଦେଲେ ।

 

ସଲୋମନଙ୍କ ରାଜ୍ୟଠାରୁ କିଛି ଦୂରରେ ‘ସେବା’ ବୋଲି ଗୋଟିଏ ସାନ ରାଜ୍ୟଥିଲା । ସେ ଦେଶର ରାଜା ଅପୁତ୍ରିକ ଅବସ୍ଥାରେ ମରିଯିବାରୁ ତାଙ୍କ ଝିଅ ରାଣୀ ହୋଇ ସିଂହାସନରେ ବସି ଶାସନ କାର୍ଯ୍ୟ ଚଳାଉଥିଲେ । ଏହି ରାଣୀ ନିଜକୁ ଖୁବ୍ ଦକ୍ଷ ଓ ବୁଦ୍ଧିମତୀ ବିଚାରି ମନେମନେ ଖୁବ୍ ଗର୍ବବୋଧ କରୁଥିଲେ । ତେଣୁ ଲୋକଙ୍କ ମୁହଁରେ ସଲୋମନଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରଶଂସା ଶୁଣି ରାଣୀଙ୍କ ମନରେ ଘୋର ଈର୍ଷା ଜନ୍ମିଲା । ତେଣୁ ସେ ବହୁ ବୁଦ୍ଧି ଖର୍ଚ୍ଚ କରି ସଂପୂର୍ଣ୍ଣ ଏକ ପ୍ରକାର ଦିଶୁଥିବା ମଣିଷ ଆକୃତିର ତିନିଗୋଟି କଣ୍ଢେଇ ତିଆରି କରାଇ ସଲୋମନଙ୍କ ନିକଟକୁ ପଠାଇଦେଲେ ଏବଂ ଖବର ଦେଲେ ଯେ କଣ୍ଢେଇଗୁଡିକୁ ନ ଭାଙ୍ଗି କେଉଁଟି ସବୁଠାରୁ ଶ୍ରେଷ୍ଠ ତାହା ଜଣାଇଦେବା ପାଇଁ । ସଲୋମନଙ୍କ ମନ୍ତ୍ରୀମାନେ କଣ୍ଢେଇଗୁଡ଼ିକୁ ବହୁତ ପରୀକ୍ଷା କରି ସେଗୁଡ଼ିକ ମଧ୍ୟରେ କୌଣସି ପାର୍ଥକ୍ୟ ନପାଇ ଶେଷକୁ ନିରାଶ ହେଲେ । ଏହା ଦେଖି ସଲୋମନ ନିଜେ କଣ୍ଢେଇ ତିନୋଟିକୁ କିଛି ସମୟ ନିରୀଷଣ କରି ତହିଁ ମଧ୍ୟରୁ ଗୋଟାକୁ ତଫାତ୍ କରି ଦେଇ କହିଲେ–“ଏଇଟା ହେଉଚି ସବୁଠାରୁ ଶ୍ରେଷ୍ଠ ।” ତହୁଁ ରାଣୀଙ୍କର ଦୂତ ଓ ସଭାରେ ଉପସ୍ଥିତ ଥିବା ଅନ୍ୟମାନେ ସଲୋମନ କିପରି ଏହା ଜାଣି ପାରିଲେ ପଚାରିବାରୁ ରାଜା ଉତ୍ତର ଦେଲେ–“ଗୋଟିଏ କଣ୍ଢେଇର ଦୁଇ କାନ ଓ ଓଠରେ ସୂକ୍ଷ୍ମ ଛିଦ୍ରମାନ ରହିଚି । ଏହାର ଅର୍ଥ ଏ ସେଇ ଶ୍ରେଣୀର ଲୋକ ଯିଏ କି ଯେଉଁଠି ଯାହା ଶୁଣିବ, ସମସ୍ତଙ୍କ ଆଗରେ ତାହା ଗାଇ ବୁଲିବ । ତେଣୁ ଏହା ନିଃସନ୍ଦେହରେ ଅତି ନୀଚ ଧରଣର । ଆଉ ଗୋଟିଏ କଣ୍ଢେଇର କେବଳ କାନ ଦୁଇଟିରେ ଯୋଡ଼ିଏ ଛିଦ୍ର ରହିଚି; ଏହାର ଅର୍ଥ ସେ କାନରେ ଯାହା ଶୁଣିବ, ଆର କାନବାଟେ ତାହା ବାହାର କରିଦେବ । ଯେତେ ଯାହା ଶୁଣିଲେ ମଧ୍ୟ କୌଣସି କଥା ମନେ ରଖିବ ନାହିଁ । ତେଣୁ ତାକୁ ମଧ୍ୟମ ଶ୍ରେଣୀର କୁହାଯାଇ ପାରେ; ମାତ୍ର ମୁଁ ଯେଉଁ କଣ୍ଢେଇଟିକୁ ବାଛିଦେଲି, ତାର ଗୋଟିଏ ମାତ୍ର କାନରେ ସୂକ୍ଷ୍ମ ଛିଦ୍ରଟିଏ ରହିଚି । ଏଥିରୁ ଜଣାପଡ଼ୁଛି ସେ ସବୁ କଥା ଶୁଣି ନିଜ ମନ ଭିତରେ ରଖିବ, ମାତ୍ର କାହା ଆଗରେ କୌଣସି କଥା ପ୍ରକାଶ କରିବ ନାହିଁ । ତେଣୁ ସେଇ କଣ୍ଢେଇଟିକୁହିଁ ମୁଁ ନିଃସନ୍ଦେହରେ ଶ୍ରେଷ୍ଠ ବୋଲି ବିଚାର କଲି ।” ସଲୋମନଙ୍କ ସୂକ୍ଷ୍ମ ଦୃଷ୍ଟି ଓ ତୀକ୍ଷଣ ବୁଦ୍ଧି ଦେଖ ସମସ୍ତେ ସ୍ତମ୍ଭିତ ହୋଇଗଲେ ।

 

ଏହି ଘଟଣାରେ ପରାଭବ ପାଇ ମଧ୍ୟ ସେବା ରାଜ୍ୟର ରାଣୀଙ୍କ ମନ ଶାନ୍ତ ହେଲା ନାହିଁ । ତେଣୁ ଦିନେ ସେ ନିଜେ ଏକାପରି ଦିଶୁଥିବା ଦୁଇଗୋଟି ପଦ୍ମଫୁଲ ଧରି ସଲୋମନଙ୍କ ଦରବାରରେ ପହଂଚି କହିଲେ–ହେ ମହାରାଜ ସଲୋମନ ! ଆପଣଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରଶଂସା ମୁଁ ବହୁ ଲୋକଙ୍କ ମୁହଁରୁ ଶୁଣିଛି ସତ, ମାତ୍ର ତହିଁରେ ସନ୍ତୁଷ୍ଟ ନ ହୋଇ ନିଜେ ପ୍ରତ୍ୟକ୍ଷ ପ୍ରମାଣ ନେବା ଲାଗି ଆସିଚି । ମୁଁ ହାତରେ ଧରିଥିବା ଦୁଇଗୋଟି ଫୁଲମଧ୍ୟରୁ ଗୋଟିଏ ଅସଲ ଏବଂ ଆରଟି ନକଲ । ଆପଣ ନିକଟକୁ ନ ଆସି ସେଇ ସିଂହାସନରେ ବସି ଯଦି କେଉଁ ଫୁଲଟି ଅସଲ କହି ଦେଇ ପାରିବେ, ତେବେ ମୁଁ ଆପଣଙ୍କୁ ବିବାହ କରି ଆପଣଙ୍କର ବଶ୍ୟତା ସ୍ୱୀକାର କରିବି ।”

 

ରାଣୀଙ୍କ କଥା ଶୁଣି ସଲୋମନ ବହୁ ସମୟ ପର୍ଯ୍ୟନ୍ତ ଏକା ଲୟରେ ସେଇ ଫୁଲ ଦିଓଟିକୁ ନିରୀକ୍ଷଣ କଲେ; ମାତ୍ର ସୁଦକ୍ଷ କାରିଗର ନକଲ ଫୁଲଟିକୁ ଏପରି ନିଖୁଣ ଭାବରେ ତିଆରି କରିଥିଲା ଯେ ଏତେ ଚେଷ୍ଟା କରି ମଧ୍ୟ ସେ କୌଣସି ପାର୍ଥକ୍ୟ ବୁଝିପାରିଲେ ନାହିଁ । ସେଠୁ ସେ ଜଣେ ଭୃତ୍ୟକୁ ଡାକି ସିଂହାସନ ପଛପଟେ ଥିବା ଝରକାଟିକୁ ଖୋଲିଦବା ଲାଗି କହିଲେ । ସିଂହାସନ ଆରପଟେ ସଲୋମନଙ୍କ ଫୁଲବଗିଚା ଥିଲା । ତେଣୁ ଝରକାଟା ଖୋଲି ଦେବାର ଅଳ୍ପ ସମୟ ପରେ ଫୁଲ ବଗିଚା ଭିତରୁ କୋତେଟି ମହୁମାଛି ଦରବାର ଘର ଭିତରେ ପଶି ଉଡ଼ୁ ଉଡ଼ୁ ରାଣୀ ଧରିଥିବା ଫୁଲଦିଓଟି ପାଖରେ ପହଂଚିଲେ । ମହୁମାଛିମାନେ ନକଲି ଫୁଲଟିକୁ ନ ଚାହିଁ ଅସଲ ଫୁଲଟି ଉପରେ ବସିବାକୁ ଲାଗିଲେ । ଏହା ପରେ ସଲୋମନ ହସି ହସି କହିଲେ–“ମାନନୀୟା ସେବା ରାଣୀ, କେଉଁ ଫୁଲଟି ଅସଲ ତାହା ଚିହ୍ନାଇ ଦେବାର ପ୍ରୟୋଜନ ଆଉ ଅଛି କି ?” ବୁଦ୍ଧି-ଯୁଦ୍ଧରେ ହାରିଯାଇ ରାଣୀ ସଲୋମନଙ୍କ ନିକଟରେ ବଶ୍ୟତା ସ୍ୱୀକାର କଲେ ଏବଂ ଅଳ୍ପ ଦିନ ମଧ୍ୟରେ ସଲୋମନ ତାଙ୍କୁ ବିବାହ କରି ନିଜ ପ୍ରାସାଦକୁ ଘେନିଆସିଲେ ।

 

ନିଜ ଅସାଧାରଣ ବୁଦ୍ଧିବଳରେ ସଲୋମନ ଅତି କଠିନ ଓ ଜଟିଳ ସମସ୍ୟାର ସମାଧାନ ମଧ୍ୟ କରିପାରୁଥିଲେ । ତାଙ୍କ ରାଜ୍ୟରେ ରହୁଥିବା ଜଣେ ଲୋକର ଦୁଇଗୋଟି ସ୍ତ୍ରୀ ଥିଲେ । ଯୋଗକୁ ଏକାଦିନରେ ଦୁଇ ସ୍ତ୍ରୀଙ୍କର ଦିଓଟି ପୁଅ ଜନ୍ମ ହେଲା; ମାତ୍ର ଗୋଟିଏ ପୁଅ ମୃତ ଏବଂ ଅନ୍ୟଟି ସୁସ୍ଥ ଅବସ୍ଥାରେ ଜନ୍ମ ହେଲା । ସୁସ୍ଥ ପୁଅଟି ଜନ୍ମ ଦେଇଥିବା ସ୍ତ୍ରୀ ଲୋକଟି ପ୍ରସବ କଷ୍ଟ ସହି ନପାରି ବହୁ ସମୟ ଅଜ୍ଞାନ ଅବସ୍ଥାରେ ଥିଲା । ଏହି ସୁଯୋଗରେ ଅନ୍ୟ ସ୍ତ୍ରୀଟି ନିଜର ମଲା ପୁଅକୁ ତା ନିକଟରେ ଥୋଇ ନିଜେ ଜୀବିତ ପୁଅଟିକୁ ନେଇଆସିଲା । ଚେତା ପଶିବା ପରେ ଧାଈଠାରୁ ସବୁ କଥା ଶୁଣି ସେ ଅନ୍ୟ ସ୍ତ୍ରୀକୁ ନିଜ ପୁଅଟିକୁ ଫେରାଇ ଦେବା ଲାଗି କହିଲା; ମାତ୍ର ଆର ସ୍ତ୍ରୀ ଲୋକଟି ସବୁ ମିଛ କଥା ବୋଲି କହି ପିଲାଟିକୁ ଫେରାଇବାକୁ ନାରାଜ ହେବାରୁ, ଏଇ ବିବାଦର ସମାଧାନ ପାଇଁ ଦୁଇଜଣଯାକ ସ୍ତ୍ରୀ ସଙ୍ଗରେ ଟିକି ପିଲାଟିକୁ ଧରି ସଲୋମନଙ୍କ ଦରବାରରେ ପହଞ୍ଚିଲେ । ସଲୋମନଙ୍କ ଆଗରେ ଛିଡ଼ାହୋଇ ପ୍ରତ୍ୟେକେ ହଲପ୍ କରି ପିଲାଟି ନିଜର ବୋଲି କହିଲେ । ଶେଷକୁ ସଲୋମନ ଅନ୍ୟ ଉପାୟ ନ ଦେଖି ଭୃତ୍ୟକୁ ଗୋଟାଏ ଖଣ୍ଡା ଆଣିବା ଲାଗି କହିଲେ । ଖଣ୍ଡାଟି ଅଣାଯିବା ପରେ ସଲୋମନ ଟିକି ପୁଅଟିକୁ ନିଜ ପାଖକୁ ନେଇ ଆସି କହିଲେ–“ତୁମେ ଦୁହେଁ ପ୍ରତ୍ୟେକେ ପିଲାଟିକୁ ନିଜର ବୋଲି ଦାବୀ କରୁଚ, ମାତ୍ର ଅପର ଜଣକ ମିଛ କହୁଚି ବୋଲି କୌଣସି ପ୍ରମାଣ ଦେଖାଇ ପାରୁନାହିଁ । ତେଣୁ ତୁମ ଦୁହିଁଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ଲାଗି ମୁଁ ଏଇଠାରେ ପିଲାଟିକୁ ଅଣ୍ଟା ପାଖରୁ ଦୁଇଗଡ଼ କରି କାଟି ପ୍ରତ୍ୟେକକୁ ଖଣ୍ଡେ ଲେଖାଁ ବାଣ୍ଟି ଦେବି। ଏବେ କିଏ ମୁଣ୍ଡପଟ ଓ କିଏ ପାଦପଟ ନବ ସ୍ଥିର କରି କହ ।” ଏହା କହି ସଲୋମନ ପିଲାଟିକୁ ଦି’ଗଡ଼ କରିବା ସକାଶେ ଖଣ୍ଡାଟି ଉଞ୍ଚାଇ ପ୍ରସ୍ତୁତ ହେଲେ । ତାଙ୍କ କଥା ଶୁଣି ଜଣେ ସ୍ତ୍ରୀ ଲୋକ କହିଲା–“ମହାରାଜ ! ଧନ୍ୟ ଆପଣଙ୍କର ବିଚାର ! ଆପଣ ଯେଉଁପଟୁ ଦେବେ ମୁଁ ତାହା ନେବାକୁ ପ୍ରସ୍ତୁତ ।” ମାତ୍ର ଅନ୍ୟ ସ୍ତ୍ରୀ ଜଣକ ବଡ଼ ବିକଳ ହୋଇ କହିପକାଇଲା–“ମହାରାଜ ! ନିର୍ଦ୍ଦୋଷ ପିଲାଟିକୁ ମାରିପକାନ୍ତୁ ନାହିଁ । ମୋର ସଉତୁଣୀ ତାକୁ ନେଲେ ନଉ ପଛେ ମାତ୍ର ମୋ ପୁଅ ପ୍ରାଣରେ ବଂଚିଥାଉ ।” ଏ କଥା ଶୁଣିବା ମାତ୍ରେ ସଲୋମନ ସେଇ ସ୍ତ୍ରୀ ଲୋକ ହାତରେ ପିଲାଟିକୁ ସମର୍ପି ଦେଇ ଆର ସ୍ତ୍ରୀଟିକୁ କହିଲେ–“ନିଜ ଭିତରେ ଈର୍ଷାଭାବ ଥିବା ଯୋଗୁଁ ତୁମେ ଗୋଟିଏ ନିର୍ଦ୍ଦୋଷ ଶିଶୁର ପ୍ରାଣନାଶ କରିବାକୁ ତିଆର ହୋଇଥିଲ-। ତୁମ ପରି ଖଳ ପ୍ରକୃତିର ଲୋକ ଲାଗି ମୋ ରାଜ୍ୟରେ ସ୍ଥାନ ନାହିଁ । ତୁମେ ଅତି ଶୀଘ୍ର ମୋ ରାଜ୍ୟ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଅ ।” ସଲୋମନଙ୍କ ବୁଦ୍ଧି ଓ ବିଚାର କୌଶଳ ଦେଖି ସମସ୍ତେ ଧନ୍ୟ ଧନ୍ୟ କଲେ ।

 

ସଲୋମନ ନିଜ ରାଜ୍ୟକୁ ବାରଗୋଟି ଅଂଶରେ ବିଭକ୍ତ କରି ପ୍ରତି ଅଂଶର ସୁପରିଚାଳନା ସକାଶେ ଜଣେ ନ୍ୟାୟପରାୟଣ ଓ ସୁଦକ୍ଷ ବ୍ୟକ୍ତିଙ୍କୁ ଶାସନକର୍ତ୍ତା ରୂପେ ନିଯୁକ୍ତ କରିଥିଲେ । ଏହା ଫଳରେ ରାଜ୍ୟସାରା ଆଇନ କାନୁନ ବଜାୟ ରହିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଅଂଶର ଲୋକେ ନ୍ୟାୟ ବିଚାରରୁ ମଧ୍ୟ ବଞ୍ଚିତ ହେଉ ନ ଥିଲେ । ପୁଣି ସଲୋମନ ପ୍ରତି କୃଷକଠାରୁ ତା କ୍ଷେତରୁ ଆଦାୟ ହୋଇଥିବା ଫସଲର ଏକ ପଞ୍ଚମାସ ଏବଂ ପ୍ରତ୍ୟେକ ବ୍ୟବସାୟୀଠାରୁ ସେ ଲାଭ କରୁଥିବା ଅର୍ଥର ଏକ ଷଷ୍ଠାଂଶ ରାଜସ୍ୱ ରୂପେ ଗ୍ରହଣ କରୁଥିଲେ । ଏହା ଫଳରେ ରାଜ୍ୟର କୌଣସି ପ୍ରଜା ଉପରେ ଅତ୍ୟାଚାର ନ କରି ମଧ୍ୟ ରାଜକାର୍ଯ୍ୟର ସୁପରିଚାଳନା ସକାଶେ ଯଥେଷ୍ଟ ପରିମାଣ ଅର୍ଥ ସଂଗ୍ରହ କରାଯାଇ ପାରୁଥିଲା । ପୁଣି ସବୁ ଦିଗରେ ସଲୋମନ ସୁତୀକ୍ଷଣ ଦୃଷ୍ଟି ରଖୁଥିବା ଯୋଗୁଁ ତାଙ୍କକର୍ତ୍ତୃକ ନିଯୁକ୍ତ ବାରଜଣ ଶାସନକର୍ତ୍ତା ବା ସେମାନଙ୍କ ଅଧୀନରେ କାମ କରୁଥିବା ରାଜକର୍ମଚାରୀମାନଙ୍କ ମଧ୍ୟରୁ କେହି ହେଲେ ଏଇ ରାଜସ୍ୱରୁ କୌଣସି ଅଂଶ ଆତ୍ମସାତ୍ କରିପାରୁ ନ ଥିଲେ । ତାହାଛଡ଼ା ସଲୋମନ ସବୁ ବିଷୟରେ ବୁଝି ବିଚାରି ଖର୍ଚ୍ଚ କରୁଥିବା ଯୋଗୁଁ, ତାଙ୍କ ରାଜସ୍ୱର କୌଣସି ଅଂଶ ଅଯଥା ବା ଅନ୍ୟାୟ କାମରେ ଖର୍ଚ୍ଚ ହେଉ ନଥିଲା । ଫଳରେ ନିୟମିତ ଆଦାୟ ହେଉଥିବା ଦାଜସ୍ୱରୁ ବହୁ ପରିମାଣ ଅର୍ଥ ଉଦବୃତ୍ତ ରହୁଥିଲା ଏବଂ ଭବିଷ୍ୟତ ପ୍ରୟୋଜନ ସକାଶେ ରାଜା ସଲୋମନ ସେଇ ବଳକା ଧନକୁ ସୁନା ବା ହୀରା, ମୁକ୍ତା ଇତ୍ୟାଦିରେ ପରିଣତ କରି ଗୋଟିଏ ଗୋପନ ଗୁହାରେ ସାଇତି ରଖୁଥିଲେ-। ସଲୋମନ ଷାଠିଏ ବର୍ଷ କାଳ ଇସ୍ରାଏଲ ଦେଶରେ ରାଜପଣ କରିଥିଲେ । ନିଜ ବିବେଚନା ଓ ମିତବ୍ୟୟିତା ଫଳରେ ଏଇ ଦୀର୍ଘ ଷାଠିଏ ବର୍ଷ ମଧ୍ୟରେ ସେ ଏତେ ପରିମାଣ ଧନ ରତ୍ନ ସଞ୍ଚୟକରି ପାରିଥିଲେ ଯେ ଆଜିଯାଏ ତାହା ପ୍ରବାଦ ବାକ୍ୟ ହୋଇ ରହିଚି । କଥିତ ଅଛି, ଯେଉଁ ଗୁହାରେ ସଲୋମନ ତାଙ୍କର କୁବେର-ସମ୍ପଦ ସାଇତି ରଖିଥିଲେ, ତାହା ଏର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ ଏବଂ ସେଇ ଗୋପନ ଗୁହା ମଧ୍ୟରେ ଆଜିଯାଏ ଏତେ ବିପୁଳ ପରିମାଣ ଧନରତ୍ନ ସଞ୍ଚିତ ରହିଚି, ଯାହାଦ୍ୱାରା ପୃଥିବୀରେ ସବୁ ଦେଶଗୁଡ଼ିକୁ ଅକ୍ଳେଶରେ କିଣାଯାଇ ପାରିବ ।

 

ସଲୋମନଙ୍କ ପରି ଜ୍ଞାନୀ ଓ ବୁଦ୍ଧିମାନ୍ ରାଜା ଅନ୍ତତଃ ଏକ ଶହ ବର୍ଷ ଯାଏ ଶାସନ କରିବାର କଥା; ମାତ୍ର ସେ ଦୁର୍ବଳତା ଯୋଗୁଁ ସତୁରୀ ଜଣ ନାରୀଙ୍କୁ ବିବାହ କରିବା ଯୋଗୁଁ ପରମେଶ୍ୱର ବିରକ୍ତ ହୋଇ ତାଙ୍କ ରାଜୁତି ଷାଠିଏ ବର୍ଷ ପୂରିଯିବା ମାତ୍ରେ ତାଙ୍କୁ ପରଲୋକକୁ ଘେନିଗଲେ ।

Image

 

ସାଧକ ଏଲିଜା

 

ଏକ ସମୟରେ ଆହାଜ ନାମରେ ଜଣେ ରାଜା ଇହୁଦୀମାନଙ୍କ ଉପରେ ରାଜପଣ କରୁଥିଲେ । ଫିଲିଷ୍ଟାଇନ ଓ ଅନ୍ୟ ଉପଜାତୀୟମାନଙ୍କ ଦେଖାଦେଖି ଆହାଜ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପରିବର୍ତ୍ତେ ‘ବାଲଜେବାବ’ ବୋଲି ଏକ ଅପଦେବତାକୁ ପୂଜା କରିବାକୁ ଲାଗିଲେ । ଏହା ଦେଖି ପରମେଶ୍ୱର ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ଆହାଜଙ୍କୁ ଦଣ୍ଡ ଦେବା ସକାଶେ ସ୍ଥିର କଲେ ।

 

ଥରେ ଆହାଜ ନିଜ ପ୍ରାସାଦର ଦୋତାଲାରୁ ପଡ଼ିଯାଇ ଗୁରୁତର ଭାବରେ ଆହତ ହେଲେ । ଯେତେ ଚିକିତ୍ସା କରାଇଲେ ସୁଦ୍ଧା ସେ ବିଛଣାରୁ ଆଉ ଉଠି ପାରିଲେ ନାହିଁ । ତେଣୁ ସେ ନିଜର କେଇଜଣ ଅନୁଚରଙ୍କୁ ଡ଼ାକି ଏକ୍ରନ ସହରରେ ଥିବା ବାଲଜେବାବଙ୍କ ମନ୍ଦିରକୁ ଯାଇ ତାଙ୍କ ଆରୋଗ୍ୟ ଲାଗି ପୂଜା କରିବାକୁ କହିଲେ ।

 

ଏହି ସମୟରେ ରାଜଧାନୀରେ ଏଲିଜା ନାମରେ ଜଣେ ଧାର୍ମିକ ସାଧକ ରହୁଥିଲେ । ଯେଉଁଦିନ ଆହାଜର ଦୂତମାନେ ବାଲଜେବାବ ମନ୍ଦିରକୁ ଯିବା କଥା, ତହିଁର ପୂର୍ବଦିନ ରାତିରେ ଜଣେ ଦେବଦୂତ ଏଲିଜାଙ୍କୁ ଡ଼ାକି କହିଲେ–“କାଲି ସକାଳୁ ଆହାଜର କେଇଜଣ ଭୃତ୍ୟ ଏକ୍ରନ ସହରକୁ ଯିବେ । ସେମାନେ ଯିବା ବାଟରେ ଗୋଟିଏ ସାନ ପାହାଡ଼ ଅଛି, ତୁମେ ସେଇ ପାହାଡ଼ ଉପରୁ ଥାଇ ସେମାନଙ୍କୁ କହିବ–ହେ ଭୃତ୍ୟମାନେ ! ତୁମେମାନେ ଶୀଘ୍ର ଫେରିଯାଇ ଆହାଜକୁ ଜଣାଦିଅ ଯେ ସେ ସର୍ବଶକ୍ତିମାନ ଈଶ୍ୱରଙ୍କ ପରିବର୍ତ୍ତେ ‘ବାଲଜେବାବ’କୁ ପୂଜା କରୁଥିବା ଯୋଗୁଁ ତାର ରୋଗ କଦାପି ଭଲ ହେବ ନାହିଁ; ସେ ଚିରଜୀବନ ଏହିପରି ଶଯ୍ୟାଶାୟୀ ହୋଇ ରହିବ ।” ଏହାକହି ଦେବଦୂତ ଚାଲିଗଲେ ।

 

ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଏଲିଜା ଯାଇ ଦେବଦୂତ କହିଥିବା ପାହାଡ଼ ଉପରେ ବସି ରହିଲେ । କିଛି ସମୟ ପରେ ଆହାଜର ଭୃତ୍ୟମାନେ ସେଇ ବାଟେ ଏକ୍ରନକୁ ଯାଉଥିବା ଦେଖି ପାହାଡ଼ ଉପରୁ ସେମାନଙ୍କୁ ଡ଼ାକି ସେ ଦେବଦୂତ କହିଥିବା ଚେତାବନୀ ଶୁଣାଇଦେଲେ । ଭୃତ୍ୟମାନେ ଏଲିଜାଙ୍କ କଥା ଶୁଣି ଭୀତ ହୋଇ ଆହାଜଙ୍କ ପାଖକୁ ଫେରିଯାଇ ତାଙ୍କୁ ସବୁ ଜଣାଇଲେ । ଭୃତ୍ୟମାନଙ୍କ କଥା ଶୁଣି ଆହାଜ ଅତ୍ୟନ୍ତ ରାଗି ଯାଇ ଜଣେ ସେନାପତିଙ୍କୁ କହିଲା–“ତୁମେ ଏହିକ୍ଷଣି ପଚାଶ ଜଣ ସୈନ୍ୟ ଘେନି ସେଇ ପାହାଡ଼ ଉପରେ ଚଢି ଏଲିଜାକୁ ଧରି ମୋ ଆଗକୁ ନେଇଆସ ।”

 

ଆହାଜର ଆଦେଶ ଅନୁସାରେ ପଚାଶ ଜଣ ସୈନ୍ୟ ସହ ସେଇ ସେନାପତି ପାହାଡ଼ ଉପରେ ଚଢି ଏଲିଜାକୁ କହିଲେ–“ଆହାଜ ଆଦେଶ ଦେଇଚନ୍ତି ତୁମେ ଶୀଘ୍ର ଆମ ସଙ୍ଗରେ ତାଙ୍କ ନିକଟକୁ ଚାଲ ।” ଏହା ଶୁଣି ଏଲିଜା କହିଲେ–“ମୁଁ ଯଦି ଯଥାର୍ଥରେ ଈଶ୍ୱରଙ୍କ ଆଦେଶ ପାଳନ କରିଥାଏ, ତେବେ ତୁମେ ସମସ୍ତେ ଏହିକ୍ଷଣି ବଜ୍ରପାତରେ ମରିଯିବ ।’’ ସେ ଏହା କହିବା ମାତ୍ରେ ଶୂନ୍ୟରୁ ବଜ୍ର ପଡ଼ି ସେନାପତି ଓ ପଚାଶ ଜଣ ସୈନ୍ୟଙ୍କୁ ସେହିକ୍ଷଣି ମାରିଦେଲା ।

 

ଦେଖଣାହାରୀମାନଙ୍କଠାରୁ ଏ ଘଟଣା ଜାଣି ଆହାଜ ପୁଣି ପଚାଶଜଣ ସୈନ୍ୟ ସହ ଆଉ ଜଣେ ସେନାପତିଙ୍କୁ ଏଲିଜାଙ୍କୁ ଧରି ଆଣିବା ସକାଶେ ପଠାଇଲେ । ଏଥର ମଧ୍ୟ ସେହି ସେନାପତି ଓ ସୈନ୍ୟଦଳ ପୂର୍ବପରି ବଜ୍ରାଘାତରେ ପ୍ରାଣ ହରାଇଲେ ।

 

ଦୁଇଥର ଏହିପରି ଦୁର୍ଦ୍ଦଶା ଭୋଗି ମଧ୍ୟ ଆହାଜଙ୍କର ଜିଦ୍ କମିଲା ନାହିଁ । ତେଣୁ ଆଉ ଜଣେ ସେନାପତିଙ୍କ ଅଧୀନରେ ସେ ପୁଣି ପଚାଶ ଜଣ ସୈନ୍ୟଙ୍କୁ ପଠାଇଦେଲେ ଏଲିଜାଙ୍କୁ ଧରି ଆଣିବା ପାଇଁ; ମାତ୍ର ଏଥର ଆସିଥିବା ସେନାପତି ପୂର୍ବ ସେନାପତିମାନଙ୍କ ପରି ଉଦ୍ଧତ ବା ଉଗ୍ର ନହୋଇ ଏଲିଜାଙ୍କ ଆଗରେ ପହଂଚି ଆଣ୍ଠୁ ମାଡ଼ି ପ୍ରଣାମ କରି କହିଲେ–“ହେ ଧର୍ମାତ୍ମା, ଆପଣ ଜଣେ ଧର୍ମଦୂତ । ତେଣୁ ପ୍ରଥମେ ମୁଁ ମୋର ଓ ମୋ ସୈନ୍ୟମାନଙ୍କପ୍ରାଣରକ୍ଷା ଲାଗି ଆପଣଙ୍କୁ ପ୍ରାର୍ଥନା ଜଣାଉଚି । ମୋର ମାଲିକ ରାଜା ଆହାଜ ଆପଣଙ୍କୁ ତାଙ୍କ ନିକଟକୁ ଯିବା ଲାଗି ଖବର ପଠାଇଛନ୍ତି । ଆପଣ ଆମ ସଙ୍ଗରେ ତାଙ୍କ ନିକଟକୁ ଗଲେ ଆମେ ବଡ଼ ଅନୁଗୃହୀତ ହେବୁ ।”

 

ସେନାପତିଙ୍କର ଏପରି ନମ୍ର ଓ ଭଦ୍ର ବ୍ୟବହାର ଦେଖି ଏଲିଜା କଣ କରିବେ ସ୍ଥିର କରିନପାରିବାରୁ ଦେବଦୂତ ଅଦୃଶ୍ୟରେ ଥାଇ ତାଙ୍କୁ କହିଲେ–“ବିନା ଭୟରେ ତୁମେ ଏଇ ସେନାପତି ସଙ୍ଗରେ ଆହାଜ ନିକଟକୁ ଯାଇ ତାକୁ ପରମେଶ୍ୱରଙ୍କର ଆଦେଶ ଶୁଣାଇ ଦିଅ ।” ଏହା ଶୁଣି ଏଲିଜା ସେଇ ସୈନ୍ୟମାନଙ୍କ ସଙ୍ଗରେ ଆହାଜଙ୍କ ନିକଟକୁ ଗଲେ ।

 

ଏଲିଜାଙ୍କୁ ଦେଖିବା ମାତ୍ରେ ଆହାଜ ସେଇ ରୋଗଶରଯ୍ୟାରୁ ରାଗରେ ଚିତ୍କାର କରି କହିଲେ–“ଆରେ ଭଣ୍ଡ ! ତୁ ବୃଥାରେ କାହିଁକି ମତେ ଡ଼ରାଇବା ଲାଗି ଚେଷ୍ଟା କରୁଚୁ ? ତୋର ଉଦ୍ଦେଶ୍ୟ କଣ ?”

 

ଧୀର କଣ୍ଠରେ ଏଲିଜା ଉତ୍ତର ଦେଲେ–“ମୁଁ ଈଶ୍ୱରଙ୍କର ଜଣେ ସାମାନ୍ୟ ଭୃତ୍ୟ । ତୁମେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଅବଜ୍ଞା କରି ଅଜ୍ଞ, ଅସଭ୍ୟ ଲୋକଙ୍କପରି ଅପଦେବତାର ପୂଜାରେ ମାତି ରହଥିବାଯୋଗୁଁ ଈଶ୍ୱର ତୁମକୁ ଦୁଇ ଥର ଚେତାଇ ଦେଲେଣି । ଏବେ ସୁଦ୍ଧା ତୁମେ ଯଦି ନିଜର ଭୁଲ ଲାଗି ଅନୁତାପ କରି ପରମେଶ୍ୱରଙ୍କୁ କ୍ଷମା ନ ମାଗିବ, ତା’ହେଲେ ଆଜି ରାତି ପାହିବା ପୂର୍ବରୁ ତୁମର ମୃତ୍ୟୁ ନିଶ୍ଚୟ ଘଟିବ ।” ଏଲିଜାଙ୍କ ଚେତାବନୀ ଶୁଣି ମଧ୍ୟ ଆହାଜ ନିଜ ମତ ପରିବର୍ତ୍ତନ କଲେନାହିଁ ଏବଂ ସେଇଦିନ ରାତିରେ ସେ ନିଜେ ରୋଗଶର୍ଯ୍ୟାରେ ପ୍ରାଣତ୍ୟାଗ କଲେ-। ତାଙ୍କର ମୃତ୍ୟୁପରେ ଜୋହରାମ ନାମକ ତାଙ୍କର ଜଣେ ଧର୍ମଭୀରୁ ଆତ୍ମୀୟଙ୍କୁ ରାଜଗାଦିରେ ବସାଇ ଏଲିଜା ବିଦାୟ ଘେନି ଆସିଲେ ।

 

ଏଲିଜା ଦେଖିବାକୁ ବଡ଼ କୁତ୍ସିତ ଥିଲେ । ତାଙ୍କ ମୁଣ୍ଡଟା ଚନ୍ଦା, ଦେହଯାକ ପଶୁ ପରି ଲମ୍ବ ରୁମ ଏବଂ ବର୍ଣ୍ଣ ମଧ୍ୟ କଳା । ତେଣୁ ବହୁ ଲୋକ ତାଙ୍କୁ ଦେଖି ଭୟ କରୁଥିଲେ, ପୁଣି କେତେକ ଦୃଷ୍ଟଲୋକ ଏଇ କୁରୂପ ଘେନି ତାଙ୍କୁ ବିଦ୍ରୁପ ମଧ୍ୟ କରୁଥିଲେ ।

 

ଆହାଜର ରାଜଧାନୀରୁ ଫେରି ଯାଉ ଯାଉ ଏଲିଜା ‘ଜେରିଚେ’ ବୋଲି ଗୋଟିଏ ସାନ ସହରରେ ପହଂଚିଲେ । ଏଲିଜା ଜେରିଚେକୁ ଆସିଚନ୍ତି ଜାଣିପାରି ସହରର ମୁଖିଆ ଲୋକମାନେ ସସମ୍ମାନରେ ତାଙ୍କୁ ପାଛୋଟି ଆଣି କହିଲେ–“ଆପଣ ଜଣେ ମହାଶକ୍ତୀଶାଳୀ ପୁରୁଷ, ତେଣୁ ଏଇ ଜେଚିଚେ ସହରକୁ ଆପଣ ରକ୍ଷାକରନ୍ତୁ । ଆମ ସହରଟି ବଡ଼ ସୁନ୍ଦର, ମାତ୍ର ଏଠିକାର ପାଣି ଏପରି ଦୋଷଯୁକ୍ତ ଯେ ଏହା ପିଇ ହୁଏନାହିଁ ବା ତା ଦ୍ୱାରା କୌଣସି ଫସଲ ମଧ୍ୟ ଫଳେନାହିଁ । ପାଣି ଅଭାବରୁ ଯୁଗ ଯୁଗ ଧରି ଆମେ ବଡ଼ କଷ୍ଟ ସହୁଚୁ । ଆପଣ ଏହାର ପ୍ରତିକାର କରନ୍ତୁ ।”

 

ଏହା ଶୁଣି ଏଲିଜା ଗୋଟିଏ କାଠ ଡ଼ିବା ଓ ମୁଠାଏ ଲୁଣ ଆଣିବା ଲାଗି କହିଲେ । ତାହା ଅଣାଯିବାରୁ ସେ ଲୁଣତକ ସେଇ କାଠ ଡ଼ିବାରେ ପୂରାଇ ପ୍ରଥମେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ-। ତା’ପରେ ଲୁଣ ଥିବା ଡ଼ିବାଟି ସହରର ପ୍ରଧାନ ପୋଖରୀ ମଧ୍ୟକୁ ଫୋପାଡ଼ି ଦେଇ କହିଲେ–“ମଙ୍ଗଳମୟ ଈଶ୍ୱରଙ୍କ ଅନୁଗ୍ରହରୁ ଆଜିଠାରୁ ତୁମମାନଙ୍କ ପାଣି କଷ୍ଟ ଦୂର ହୋଇଗଲା ।” ଏହା ଶୁଣି ତାଙ୍କ ଚାରି ପଟେ ରୁଣ୍ଡହୋଇଥିବା ଲୋକେ ସଙ୍ଗେ ସଙ୍ଗେ ସେଇ ପୋଖରୀରୁ ପାଣି କାଢ଼ି ଦେଖିଲେ ଯେ ତାହା ଯେପରି ନିର୍ମଳ ସେହିପରି ସୁସ୍ୱାଦୁ ହୋଇଯାଇଚି । ବହୁଦିନର କଷ୍ଟରୁ ରକ୍ଷାପାଇ ସେମାନେ ଏଲିଜାଙ୍କୁ ବାରମ୍ବାର ଧନ୍ୟବାଦ ଦେବାକୁ ଲାଗିଲେ ।

 

ପୋଖରୀ ପାଖକୁ ଏଲିଜା ସହର ମଧ୍ୟକୁ ଯାଉଥିବା ସମୟରେ ଦଳେ ଦୁଷ୍ଟ ପିଲା ତାଙ୍କ ଦେହର ଲମ୍ବ ଲମ୍ବ ରୁମ ଦେଖି ‘ଭାଲୁ ! ଭାଲୁ !’ ବୋଲି ତାଙ୍କୁ ବିଦ୍ରୁପ କରିବାରେ ଲାଗିଲେ । ସେହି ପିଲାଙ୍କର ବାପ ମା’ ମାନେ ମଧ୍ୟ ଏପରି ଆଚରଣରେ ବାଧା ଦେଲେ ନାହିଁ । ତେଣୁ, ଖୁବ୍ ବିରକ୍ତ ହୋଇ ଏଲିଜା କହି ପକାଇଲେ–“ଈଶ୍ୱରଙ୍କ ଅଭିଶାପରେ ତୁମେମାନେ ଭାଲୁ ପେଟକୁ ଯାଅ ।” ସେ ଏହା କହିବା ମାତ୍ରେ ହଠାତ୍ ଦୁଇଗୋଟି ବିଶାଳକାୟ ଭାଲୁ ସଡ଼କ କଡ଼ ଗଛ ଉଢ଼ାଳରୁ ବାହାରିଆସି ଚାହୁଁ ଚାହୁଁ ଚାଳିଶ ଜଣ ଦୃଷ୍ଟ ପିଲାଙ୍କୁ ଗିଳିପକାଇଲେ । ଏହି ଦେଖି ଅନ୍ୟମାନେ ଭୟ ଓ ଅନୁତାପରେ ଏଲିଜାଙ୍କ ପାଦତଳେ କ୍ଷମା ପ୍ରାର୍ଥନା କରିବାରୁ ଭାଲୁ ଦିଓଟି ପୁଣି ଶୂନ୍ୟରେ ମିଶିଗଲେ । ଏହି ଘଟଣା ପରଠାରୁ ଏଲିଜାଙ୍କୁ ବିଦ୍ରୁପ କରିବା ଲାଗି ଆଉ କେହି ସାହସ କଲେନାହିଁ ।

 

ଏଲିଜା ପ୍ରତିଦିନ ଯା ଆସ କରୁଥିବା ସଡ଼କ କଡ଼ରେ ସୁନେମୀ ବୋଲି ଗୋଟିଏ ଧାର୍ମିକା ସ୍ତ୍ରୀ ଓ ତାର ସ୍ୱାମୀ ରହୁଥିଲେ । ଏଲିଜା ଜଣେ ସିଦ୍ଧ ପୁରୁଷ ହୋଇଥିବାର ଜାଣି ସ୍ୱାମୀ ସ୍ତ୍ରୀ ଦୁହେଁ ପ୍ରାୟ ପ୍ରତିଦିନ ତାଙ୍କୁ ନିଜ ଘରକୁ ପାଛୋଟି ଆଣି ନାନା ପ୍ରକାର ଚର୍ଚ୍ଚା କରି ବହୁ ସୁଖାଦ୍ୟ ଖୁଆୁଥିଲେ । ଏଇ ସ୍ୱାମୀ ସ୍ତ୍ରୀଙ୍କର କୌଣସି ସନ୍ତାନ ନଥିଲା । ତେଣୁ ସୁନେମୀ ଦିନେ ଏଲିଜାଙ୍କ ଆଗରେ ନିଜ ଦୁଃଖ କଥା ଜଣାଇବାରୁ ସେ କହିଲେ–“ପରମେଶ୍ୱର ସର୍ବଶକ୍ତିମାନ । ସେ ଚାହିଁଲେ ନିଶ୍ଚୟ ତୁମର ଗୋଚିଏ ପୁଅ ହେବ ।” ଏହା କହି ସେ ଗୋଟିଏ ଘରକୁ ମନ୍ତ୍ରପୁତ କରି ସୁନେମୀକୁ କହିଲେ–“ଆଜି ରାତିରେ ତୁମେ ଓ ତୁମର ସ୍ୱାମୀ ଏଇ ଘରେ ରହି ଈଶ୍ୱରଙ୍କୁ ପ୍ରାର୍ଥନା କରିବ ।” ସେମାନେ ସେହିପରି କଲେ ଏବଂ ଅଳ୍ପଦିନ ମଧ୍ୟରେ ସୁନେମୀର ଗୋଟିଏ ପୁଅ ହେଲା ।

 

ସୁନେମୀର ପୁଅ ହେବାର ଖବର ପାଇ ଏଲିଜା ପିଲାଟିକୁ ଦେଖିବା ଲାଗି ଆସି ସୁନେମୀକୁ ଗୋଟିଏ ଅଦ୍ଭୁତ ଧରଣର ଟୋପି ଦେଇ କହିଲେ–“ତୁମ ପୁଅ ଚାଲି ଶିଖିଲେ ତାକୁ ସବୁ ସମୟରେ ଏଇ ଟୋପିଟି ପିନ୍ଧାଇବ । ତା ମୁଣ୍ଡରେ ଏଇ ଟୋପିଟି ନ ରହିଲେ, ସେ ନିଶ୍ଚୟ ଘୋର ବିପଦରେ ପଡ଼ିବ ।” ଏହା କହି ଏଲିଜା ବହୁ ଦୂରରେ ଥିବା ଗୋଟିଏ ପାହାଡ଼ ଉପରକୁ ଚାଲିଗଲେ ।

 

ସୁନେମୀର ପୁଅଟି ରୂପ ଓ ଗୁଣରେ ନିଖୁଣ ହୋଇ ବଢ଼ିବାକୁ ଲାଗିଲା । ସୁନେମୀ ସର୍ବଦା ତା ପୁଅ ମୁଣ୍ଡରେ ଏଲିଜା ଦେଇଥିବା ଟୋପିଟି ଲଗାଇ ରଖେ ଏବଂ କଦାପି ତାହା ନ ଫିଟାଇବା ସକାଶେ ତାକୁ ବାରମ୍ବାର ସାବଧାନ କରି ଦେଇଥାଏ । ଦିନେ ପୁଅଟି କେଇଜଣ ପିଲାଙ୍କ ସାଙ୍ଗେ ଘର ପାଖ ପଡ଼ିଆରେ ଖେଳୁ ଖେଳୁ ହଠାତ ତା ମୁଣ୍ଡରୁ ଟୋପିଟି ଖସିପଡିଲା । ଟୋପିଟା ପଡିଯିବା ମାତ୍ରେ ତାହା ଶୂନ୍ୟରେ ଉଭାଇଗଲା ଏବଂ ପିଲାଟି ‘ମୋ ମୁଣ୍ଡ କଣ ହୋଇଯାଉଛି,’ ‘ମୋ ମୁଣ୍ଡ କଣ ହୋଇଯାଉଚି କହୁ କହୁ ଯନ୍ତ୍ରଣାରେ ଘରକୁ ଧାଇଁ ଆସି ଅଚେତ ହୋଇ ପଡ଼ିଗଲା । ଚାହୁଁ ଚାହୁଁ ଅଳ୍ପ ସମୟ ମଧ୍ୟରେ ତାର ପ୍ରାଣ ଛାଡିଗଲା ।

 

ଏଇ ଆକସ୍ମିକ ଦୁର୍ଘଟଣାରେ ସେମାନଙ୍କ ଘରେ କାନ୍ଦ ବୋବାଳି ପଡ଼ିଗଲା ଏବଂ ଆତ୍ମୀୟସ୍ଵଜନ ଓ ପ୍ରତିବେଶୀମାନେ ପହଞ୍ଚି ମୃତ ବାଳକାଟିକୁ କବର ଦେବାର ଆୟୋଜନ କାଲେ; ମାତ୍ର ସୁନେମୀ ଏଥିପ୍ରତି ଦୃଷ୍ଟି ନ ଦେଇ, ମୃତ ପୁଅଟିକୁ ଟେକି ଆଣି ଏଲିଜା ମନ୍ତ୍ରପୂତ କରିଦେଇଥିବା ଘରେ ଶୁଆଇ ସମସ୍ତଙ୍କୁ କହିଲା–“ସାଧୁଙ୍କ ଆଶୀର୍ବାଦରେ ଜନ୍ମ ହେଇଥିବା ପୁଅର ଅକାଳ ମରଣ କଦାପି ହୋଇନପାରେ । ମୁଁ ସେହି ମହାପୁରୁଷଙ୍କ ନିକଟକୁ ଯାଉଚି । ମୁଁ ଫେରି ନ ଆସିବା ପର୍ଯ୍ୟନ୍ତ ଯେପରି ମୋ ପୁଅକୁ କବର ଦିଆ ନ ଯାଏ ।” ଏହା ପରେ ଜଣେ ଭୃତ୍ୟକୁ ସଙ୍ଗରେ ଧରି ଏଲିଜା ରହିଥିବା ପାହାଡ଼ ଦିଗକୁ ସେ ଦ୍ରୁତଗତିରେ ଚାଲିଲା ।

 

ଏଲିଜାଙ୍କ ନିକଟରେ ପହଞ୍ଚି ସୁନେମୀ ତାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି ନିଜ ଦୁର୍ଭାଗ୍ୟ ବିଷୟ ଜଣାଇଲା । ସବୁ ଶୁଣି ଏଲିଜା କହିଲେ–“ଈଶ୍ୱର ମଙ୍ଗଳମୟ, ତା ଛଡ଼ା ତୁମର ମଧ୍ୟ ଈଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ ରହିଚି । ତେଣୁ ମୁଁ ଭାବୁଚି ଯେ ତୁମର ଦୁଃଖ ନିଶ୍ଚୟ ଦୂରହେବ-।” ଏହା କହି ସେ ସୁନେମୀ ସଙ୍ଗରେ ତା ଘରକୁ ଆସି ପିଲାଟିର ଶବ ରଖାଯାଇଥିବା କୋଠରୀରେ ପଶି ଝରକାଗୁଡ଼ିକ ବନ୍ଦକରିଦେଲେ ଏବଂ ଈଶ୍ୱରଙ୍କ ନାମ ନେଇ ପିଲାଟିର ପାଦ ଚୁମ୍ବନ କରିବାକୁ ଲାଗିଲେ । କିଛି ସମୟ ପରେ ପାଦ ଦୁଇଟିରେ ଜୀବନ ସଂଚାର ହେବାପରି ଲାଗିଲା । ସେ କ୍ରମାନ୍ୱୟରେ ତାର ପେଟ, ପିଠି, ଛାତି ଓ ହାତକୁ ଚୁମ୍ବନ କରିବାରେ ଲାଗିଲେ । ଶେଷରେ ମୃତ ବାଳକର ବାଳ ଫୁଙ୍କୁ ଫୁଙ୍କୁ ତାର ବୁଜି ହୋଇ ରହିଥିବା ଆଖି ଦୁଇଟିକୁ ଚୁମା ଦେବାରେ ଲାଗିଲେ । କିଛି ସମୟ ପରେ ବାଳକଟି ଆଖି ମେଲାଇ ଚାରିପଟକୁ ଅନାଇଲା । ପ୍ରାୟତିନି ଘଣ୍ଟା ପରେ ସେ ଶୋଇଥିବା ଶେଯରୁ ଆପେ ଉଠି ଚାଲବୁଲ ଆରମ୍ଭ କଲା । ଏହା ଦେଖି ଏଲିଜା କହିଲେ–“ପରମେଶ୍ୱର ତୁମ ପୁଅର ଜୀବନ ଫେରାଇ ଦେଇଚନ୍ତି, ଆଉ ଭୟ କରିବାର କୌଣସି କାରଣ ନାହିଁ ।”

 

ଏହାର କିଛିଦିନ ପରେ ଆଉ ଜଣେ ସ୍ତ୍ରୀ ଲୋକ ଏଲିଜାଙ୍କ ନିକଟକୁ ଆସି ‘ହେ ଦେବଦୂତ ମତେ ରକ୍ଷା କରନ୍ତୁ’ କହି କାନ୍ଦିବାକୁ ଲାଗିଲା । ଏଲିଜା ପଚାରିବାରୁ ସେ କହିଲା–“ମୋର ସ୍ୱାମୀ କିଛି ଋଣ ନେଇ ବିଦେଶକୁ ଯାଇଥିଲେ । ଏବେ ମୁଁ ଖବର ପାଇଲି ଯେ ସେଠାରେ ତାଙ୍କର ପରଲୋକ ହୋଇଯାଇଚି । ମୋର ଦିଓଟି ଶିଶୁ ସନ୍ତାନ ଅଛନ୍ତି, ମାତ୍ର ମୁଁ ଏଡ଼େ ଦରିଦ୍ର ଯେ ସେମାନଙ୍କୁ ପୋଷିବାର ଶକ୍ତି ମଧ୍ୟ ମୋର ନାହିଁ । ପୁଣି, ତା’ ଉପରେ ମୋ ସ୍ୱାମୀଙ୍କୁ ଋଣ ଦେଇଥିବା ଲୋକେ ଆସି ତାଙ୍କ ଟଙ୍କା ଫେରାଇ ଦେବା ସକାଶେ ମତେ ଜୁଲୁମ କରୁଚନ୍ତି । ମୁଁ ଏବେ କଣ କରିବି, ଆପଣ ବତାଇ ଦିଅନ୍ତୁ ।”

 

ଟିକେ ସମୟ ଚିନ୍ତାକରି ଏଲିଜା କହିଲେ–“ତୁମ ଘରେ କଣ କଣ ଅଛି ମତେ କୁହ ।” ସ୍ତ୍ରୀ ଲୋକଟି ଉତ୍ତର ଦେଲା–“କେଇଖଣ୍ଡ ପୁରୁଣା ପୋଷାକ ଓ ଗୋଟିଏ ପାତ୍ରରେ ଟିକେ ତେଲ ଛଡ଼ା ଆଉ କିଛି ନାହିଁ ।” ତାହା ଶୁଣି ଏଲିଜା କହିଲେ–“ତୁମେ ଏବେ ଘରକୁ ଫେରି ଯାଇ ତୁମର ପରିଚିତ ପ୍ରତ୍ୟେକ ଲୋକଠାରୁ ତେଲ ରଖିବା ସକାଶେ ଗୋଟାଏ ଲେଖାଁ ବଡ଼ ପାତ୍ର ମାଗି ଆଣ । ତା ପରେ ଯା କରିବାକୁ ହେବ ମୁଁ କହିଦେବି ।”

 

ତାଙ୍କ କଥା ଅନୁସାରେ ସ୍ତ୍ରୀ ଲୋକଟି ଆଖପାଖ ସାଇ ପଡ଼ିଶାଙ୍କଠାରୁ ତେଲ ରଖିବା ସକାଶେ ବହୁତ ଗୁଡ଼ାଏ ବଡ଼ ବଡ଼ ମାଠିଆ ଘେନି ଆସିଲା । ଏଲିଜା ତା ଘରେ ପହଞ୍ଚି ଗୋଟିଏ ସାନ ପାତ୍ରରେ ଥିବା ଅଳ୍ପ ପରମାଣ ତେଲକୁ ଛୁଇଁ ଦେଇ ତାକୁ କହିଲେ–“ଏବେ ତୁମ ପାତ୍ରରେ ଥିବା ତେଲ ଢାଳିବାକୁ ଆରମ୍ଭ କର । ଗୋଟାଏ ପାତ୍ର ପୂରିଗଲେ ପୁଣି ଆଉ ଗୋଟିକରେ ଢାଳିବ-।” ବିସ୍ନିତା ହୋଇ ସ୍ତ୍ରୀ ଲୋକଟି ତାଙ୍କ କହିବା ଅନୁସାରେ ତେଲ ଢ଼ାଳିବାକୁ ଆରମ୍ଭ କରିବାରୁ ସେ ଆଣିଥିବା ସବୁ ବଡ଼ ବଡ଼ ପାତ୍ରଗୁଡ଼ିକ ପୂରି ଯାଇ ମଧ୍ୟ ତା ନିଜ ଘରେ ଥିବା ତେଲ ଯେତିକିକୁ ସେତିକି ରହିଲା । ଏ କଥା ଏଲିଜାଙ୍କୁ ଜଣାଇବାରୁ,ଏଲିଜା କହିଲେ–“ଏବେ ତୁମେ ଏ ତେଲ ତକ ନେଇ ହାଟରେ ବିକି ଦିଅ । ଏହାର ମୂଲ୍ୟ ବାବଦକୁ ତୁମେ ବହୁତ ଟଙ୍କା ପାଇବ । ସେଇ ଟଙ୍କାରେ ଜମିବାଡ଼ି କିଣି ଚାଷକରି ଦୁଇ ପିଲାଙ୍କୁ ଧରି ସୁଖରେ ରହିପାରିବ ।”

 

ଏହି ସମୟରେ ଆସିରିଆ ଦେଶର ରାଜା ‘ଡାମାଗ’ ନାମକ ଗୋଟିଏ ଅପଦେବତାର ଉପାସକ ଥିଲେ । ଥରେ କେତେକ ଗୋଷ୍ଠୀର ଉପଜାତି ଏକାଠି ହୋଇ ଆସିରିଆ ଆକ୍ରମଣ କରିବାରୁ ଆତ୍ମରକ୍ଷାର ଅନ୍ୟ ଉପାୟ ନ ଦେଖି ରାଜା ‘ନାହାମ’ ଏଲିଜାଙ୍କର ଶରଣ ପଶିଲେ । ନାହାମଙ୍କ ବ୍ୟାକୁଳତା ଦେଖି ଏଲିଜା ତାଙ୍କୁ ସାହାର୍ଯ୍ୟ କରିବା ଲାଗି ସମ୍ମତ ହେଲେ, ମାତ୍ର ପ୍ରଥମେ ସେ ନାହାମଙ୍କୁ ଶପଥ କରାଇ ନେଲେ ଯେ ସେଇ ବିପଦରୁ ଉଦ୍ଧାର ପାଇଲେ ନାହାମ ଆଉ ଅପଦେବତାକୁ ପୂଜା ନ କରି ସର୍ବଶକ୍ତିମାନ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ । ରାଜା ସେହି ପ୍ରକାର ଅଂଗୀକାର କରିବାରୁ ଏଲିଜା ତାଙ୍କ ସଙ୍ଗେ ଆସିରିଆକୁ ଗଲେ ।

 

ଆସିରିଆରେ ପହଂଚି ଏଲିଜା ଆସିରୀୟ ସେନା-ଛାଉଣୀ ସମ୍ମୁଖରେ କେତେଗୋଟା ଗାତ ଖୋଳାଇ ତା ମଧ୍ୟରେ ପାଣି ପୂରାଇ ଦେବା ଲାଗି ନାହାମଙ୍କୁ ପରାମର୍ଶ ଦେଲେ । ସେପରି କରାଯିବା ଉତ୍ତାରୁ ଏଲିଜା ସେ ଦେଶର ସେନାପତିମାନଙ୍କୁ ଡ଼କାଇ ଛାଉଣୀଠାରୁ ଖଣ୍ଡେ ଦୂରରେ ବଣବୁଦା ମଧ୍ୟରେ ଲୁଚି ରହି ଶତ୍ରୁସେନାଙ୍କ ଆସିବାକୁ ଅପେକ୍ଷା କରିବା ପାଇଁ କହିଲେ । ତାଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ଧ୍ୟାସୁଦ୍ଧା ସବୁ ସୈନ୍ୟ ନିଜ ଛାଉଣୀ ଛାଡ଼ି ଆଖ ପାଖରେ ଥିବା ବଣ ବିଦା ଭିତରେ ଲୁଚି ରହିଲେ । ଏଣେ ଶତ୍ରୁ ପକ୍ଷର ସେନାମାନେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଆସିରୀୟ ସେନାଙ୍କ ଛାଉଣୀ ସାମନାରେ ପହଂଚିଗଲେ; ମାତ୍ର ରାତିରେ ଯୁଦ୍ଧ କରିବା ଅସୁବିଧାଜନକ ବୋଲି ପରଦିନ ସକାଳ ଯାଏ ଅପେକ୍ଷା କଲେ ।

 

ପରଦିନ ସକାଳୁ ଆସିରୀୟମାନଙ୍କ ଛାଉଣୀ ପାଖରେ ପହଂଚି ଶତ୍ରୁସେନା ଦେଖିଲେ ଯେ ଭିତରେ କେହି ଜଣା ପଡ଼ୁନାହାନ୍ତି ଏବଂ ଛାଉଣୀ ସାମନାରେ ରକ୍ତର ସୁଅ ଛୁଟୁଚି । ଏଲିଜାଙ୍କ ପ୍ରାର୍ଥନା ବଳରେ ସଂଜରେ ସଞ୍ଚିତ ହୋଇଥିବା ପାଣିତକ ଯେ ରକ୍ତ ପାଲଟି ଯାଇଚି ଏକଥା ଶତ୍ରୁପକ୍ଷ ଜାଣି ନ ଥିବାରୁ ସେମାନେ ଭାବିଲେ ଯେ ତାଙ୍କ ପୂର୍ବରୁ ଅନ୍ୟ କୌଣସି ଶତ୍ରୁସେନା ପହଂଚି ଆସିରୀୟମାନଙ୍କୁ ହତ୍ୟା କରି ଚାଲିଯାଇଛନ୍ତି । ତେଣୁ ଛାଉଣୀରେ ପଡ଼ିଥିବା ଜିନିଷତକ ଆତ୍ମସାତ କରିବା ଉଦ୍ଦେଶ୍ୟରେ ଶତ୍ରୁ ସେନାମାନେ ଶୃଙ୍ଖଳା ଭଂଗକରି ଏଣେ ତେଣେ ଧାଇଁବାକୁ ଲାଗିଲେ । ଏହି ସମୟରେ ନାହାମଙ୍କ ସେନାପତିମାନେ ନିଜ ନିଜର ପ୍ରସ୍ତୁତ ରହିଥିବା ସୈନଦଳକୁ ଧରି ଶତ୍ରୁ ସେନା ଉପରେ ପ୍ରବଳ ବେଗରେ ଆକ୍ରମଣ ଆରମ୍ଭ କଲେ । ଏହି ଅତର୍କିତ ଆକ୍ରମଣକୁ ସମ୍ଭାଳି ନ ପାରି ଅଧିକାଂଶ ଶତ୍ରୁ ସେହିଠାରେ ମୃତ୍ୟୁ ମୁଖରେ ପଡ଼ିଲେ ଏବଂ ଅନ୍ୟମାନେ ପ୍ରାଣ ଭୟରେ ନିଜ ନିଜ ଦେଶକୁ ପଳାଇଗଲେ ।

 

ନିଶ୍ଚିତ ପରାଜୟ କବଳରୁ ରକ୍ଷାପାଇ ରାଜା ନାହାମ ନିଜର ପୂର୍ବ ପ୍ରତିଶ୍ରୁତି ଅନୁସାରେ ତାଙ୍କ ରାଜ୍ୟସାରା ନିୟମିତରୂପେ ପୂଜା ପାଉଥିବା ଅପରଦେବତା ‘ଡାମାଗା’ର ସବୁ ପ୍ରତିମୂର୍ତ୍ତି ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲେ ଏବଂ ଏଲିଜାଙ୍କ ଉପଦେଶ ମାନି ସର୍ବବ୍ୟାପୀ ପରମେଶ୍ୱରଙ୍କୁ ପ୍ରାର୍ଥନା କରି ଶିଖିଲେ ।

Image

 

ଦ୍ୱିତୀୟାର୍ଦ୍ଧ–ନୂତନ ଖଣ୍ଡ

ସମ୍ଭବାମି ଯୁଗେ ଯୁଗେ

 

ଆବ୍ରାହାମ, ଡେଭିଡ୍‌, ସଲୋମନ ପ୍ରଭୃତିଙ୍କ ରାଜତ୍ୱ ସମୟରେ ଇହୁଦୀମାନେ କିଛି କାଳ ପାଇଁ ଧର୍ମପଥରେ ଚାଲିଲେ ସୁଦ୍ଧା ତା ପରେ ପରେ ସେମାନେ ନାନାପ୍ରକାର ଅନ୍ୟାୟ ଓ ଦୁର୍ନୀତିରେ ମାତି ଉଠିଲେ । ଏହି ସମୟରେ ରୋମାନ୍‌ମାନେ ଖୁବ୍ ଶକ୍ତିଶାଳୀ ହୋଇ ମିଶର ପର୍ଯ୍ୟନ୍ତ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରିଥିଲେ । ଇହୁଦୀମାନେ ରହୁଥିବା ଜୁଡ଼ିଆ ଅଞ୍ଚଳରେ ସେମାନେ ‘ହେରଡ଼’ ବୋଲି ଜଣେ ବିଳାସୀ ଓ ଅତ୍ୟାଚାରୀ ଲୋକକୁ ସେଠାକାର ଶାସନକର୍ତ୍ତା ନିଯୁକ୍ତ କରିଥିଲେ । ରୋମାନ୍‌ମାନେ ପରମେଶ୍ୱରଙ୍କ ପୂଜା ନକରି ନାନାପ୍ରକାର ଅପଦେବତାଙ୍କୁ ପୂଜା କରୁଥିଲେ । ସେମାନଙ୍କ ଦେଖାଦେଖି ହେରଡ଼ ଓ ଅଧିକାଂଶ ଇହୁଦୀ ଏଇ ପ୍ରକାର ପୂଜାରେ ମାତି ଉଠିଲେ । ପରମେଶ୍ୱରଙ୍କ ପୂଜକ ଧର୍ମପ୍ରାଣ ଲୋକଙ୍କ ଉପରେ ଏମାନେ ନାନାପ୍ରକାର ଦମନ ଓ ଅତ୍ୟାଚାର ଚଳାଇବାରୁ ସେମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ । ଏହି ସମୟରେ ମିକା ବୋଲି ଜଣେ ସିଦ୍ଧ ସାଧକ ଚାରିଆଡ଼େ ବୁଲି ବୁଲି କହିବାକୁ ଲାଗିଲେ–“ପାପୀମାନେ, ଶୀଘ୍ର ସଚେତନ ହୁଅ । କାରଣ ତୁମମାନଙ୍କୁ ଉଦ୍ଧାର କରିବା ଲାଗି ଜଣେ କୁମାରୀ କନ୍ୟା ଗର୍ଭରୁ ପରମେଶ୍ୱରଙ୍କ ଅବତାର ଜନ୍ମ ହେବେ ।” ତାଙ୍କର ଏଇ କଥା ଖୁବ୍ କମ୍ ଲୋକେ ବିଶ୍ୱାସ କଲେ; ଅଧିକାଂଶ ଲୋକଙ୍କଠାରୁ ସେ ଗାଳି ଓ ନିନ୍ଦା ଶୁଣିଲେ ।

 

ଏହି ସମୟରେ ଜୁଡ଼ିଆ ଦେଶରେ ଆବ୍ରାହାମ ଓ ରାଜା ଡେଭିଡ୍‌ଙ୍କ ବଂଶଧର ଜୋସେଫ୍ ବୋଲି ଜଣେ ଧାର୍ମିକ ଲୋକ ରହୁଥିଲେ । ସେଇ ସ୍ଥାନରେ ରହୁଥିବା ମେରୀ ବୋଲି ଗୋଟିଏ ସୁନ୍ଦରୀ ଝିଅ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା । ମେରୀଙ୍କର ରୂପ ଯେପରି ଗୁଣ ମଧ୍ୟ ସେହିପରି । ଦିନେ ମେରୀ କାମ କରୁଥିବା ସମୟରେ ତାଙ୍କ ଚାରିପଟେ ଏକ ଅତି ଉଜ୍ୱଳ ଜ୍ୟୋତି ଘେରିଗଲା । ମେରୀ ଭୟରେ ଆଖି ବୁଜି ପକାଇଲେ । ଏହାର କିଛି ଦିନ ପରେ ମେରୀଙ୍କ ଗର୍ଭରେ ସନ୍ତାନ ଥିବା କଥା ଜଣାପଡ଼ିଲା । ଏହା ଫଳରେ ସେଠିରକାର ସବୁ ଲୋକ ମେରୀଙ୍କୁ ଖୁବ ନିନ୍ଦା କରିବାକୁ ଲାଗିଲେ। ଜୋସେଫ୍‌ ଅତି ଧାର୍ମିକ ଲୋକ ହୋଇଥିବା ଯୋଗୁଁ ସେ ମେରୀକୁ ନିନ୍ଦା କଲେ ନାହିଁ କି ଗାଳି ଦେଲେନାହିଁ ସତ, ମାତ୍ର ତାଙ୍କୁ ବିବାହ କରିବେ ନାହିଁ ବୋଲି ସ୍ଥିର କଲେ ।

 

ଦିନେ ରାତିରେ ଜୋସେଫ୍‌ ଶୋଇ ଶୋଇ ନିଜର ଶେଷ ସିଦ୍ଧାନ୍ତ କିପରି ମେରୀଙ୍କୁ ଜଣାଇଦେବେ ବୋଲି ଚିନ୍ତା କରୁଚନ୍ତି, ଏପପରି ସମୟରେ ତାଙ୍କର ଅନ୍ଧକାର କୋଠରୀଟି ହଠାତ୍ ଖୁବ୍ ଉଜ୍ୱଳ ଦିଶିଲା ଏବଂ ଜଣେ ଦେବଦୂତ ତାଙ୍କ ସାମନାରେ ଦେଖାଦେଇ କହିଲେ–“ଜୋସେଫ୍-! ତୁମେ ମେରୀଙ୍କୁ ବିବାହ କରିବା ଲାଗି ପରମେଶ୍ୱର ଆଦେଶ ଦେଇଚନ୍ତି । ମେରୀଙ୍କ ଗର୍ଭରେ ପରମେଶ୍ୱର ନିଜ ଅବତାରକୁ ପଠାଇଛନ୍ତି । ସେଇ ପିଲାଟି ଜନ୍ମିଲେ ତା’ ନାଁ ରକିବ ‘ଯୀଶୁ’ । ସେ ସାରା ପୃଥିବୀର ପାପୀଙ୍କୁ ଉଦ୍ଧାର କରିବ । ପୁଣି, ସ୍ୱୟଂ ଈଶ୍ୱରଙ୍କ ଅବତାରଙ୍କୁ ନିଜ ଗର୍ଭରେ ଧରିଥିବା ଯୋଗୁଁ ମେରୀ ‘ପବିତ୍ର କୁମାରୀ’ ନାମରେ ସାରା ପୃଥିବୀରେ ପୂଜା ପାଇବେ । ତୁମେ ଶୀଘ୍ର ତାଙ୍କୁ ଗ୍ରହଣ କର ।” ଏହା କହି ଦେବଦୂତ ଉଭାଇଗଲେ ।

 

ଯୋସେଫ୍‌ ଅତି ଧର୍ମପ୍ରାଣ ହୋଇଥିବାରୁ ସଙ୍ଗେ ସଙ୍ଗେ ମେରୀଙ୍କୁ ବିବାହ କରି ତାଙ୍କୁ ନିଜ ନିକଟକୁ ଘେନିଆସିଲେ । ଯୋସେଫ୍‌ ଏବଂ ମେରୀ ଅତି ପବିତ୍ର ଭାବରେ ଜୀବନ କଟାଇବାକୁ ଲାଗିଲେ ।

 

ଏହି ସମୟରେ ରୋମର ସମ୍ରାଟ ଇହୁଦୀମାନଙ୍କୁ ବଡ଼ ହଇରାଣ କରୁଥିଲା । ଏଇ ସମ୍ରାଟଙ୍କର ଗୋଟାଏ ଆଦେଶ ଅନୁସାରେ ଯୋସେଫ୍‌ଙ୍କୁ ହଠାତ୍ ବେଥଲହେମ ସହରକୁ ଯିବାକୁ ପଡ଼ିଲା । ସେତେବେଳେକୁ ମେରୀଙ୍କର ସନ୍ତାନ ଜନ୍ମ ସମୟ ଅତି ନିକଟ ହୋଇଆସିଲାଣି । ତେଣୁ ଯୋସେଫ୍ ତାଙ୍କୁ ଗୋଟିଏ ଗଧ ପିଠିରେ ବସାଇ ବହୁ କଷ୍ଟରେ ଯାଇ ବେଥେଲହେମ ସହରେ ପହଂଚିଲେ । ସେହିନ ରାତିରେ ସହରର କୌଣସି ଚଟି ଘରେ ସ୍ଥାନ ନ ମିଳିବାରୁ ଯୋସେଫ ଓ ମେରୀ ଗୋଟିଏ ଗାଈ ଗୁହାଳରେ ରାତିଟା କଟାଇଦେଲା । ସେଇ ରାତିରେ ମେରୀଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ ।

 

ଯୀଶୁ ଜନ୍ମ ହେବାର କେଇଦିନ ପୂର୍ବରୁ ବହୁ ଦୂର ପ୍ରାଚ୍ୟ ଦେଶରୁ ତିନିଜଣ ଜ୍ଞାନିଲୋକ ଓଟ ପିଠିରେ ନାନା ପ୍ରକାର ଦାମିକା ଉପହାର ଲଦି, ଜୁଡ଼ିଆର ଶାସକ ହେରଡ଼ ପାଖରେ ପହଂଚି କହିଲେ–“ମହାରାଜ, ଇହୁଦୀମାନଙ୍କର ନୂତନ ରାଜା, ଯେ କି ସ୍ୱୟଂ ଈଶ୍ୱରଙ୍କର ଅବତାର, ସେ ଆପଣଙ୍କ ରାଜ୍ୟରେ କେଉଁ ଏକ ସ୍ଥାନରେ ଜନ୍ମଗ୍ରହଣ କରିଚନ୍ତି । ଏକଥା ଆମେ ଆକାଶରେ ଏକ ବିଶେଷ ଉଜ୍ଜ୍ୱଳ ତାରା ଦେଖି ଜାଣିପାରିଛୁ । ସେଇ ତାରାଟି ଏବେ ଆପଣଙ୍କ ଦେଶ ଉପରେ ଜଳୁଚି ।”

 

ଏ କଥା ଶୁଣି ହେରଡ଼ ସତରେ ଯେପରି ଶିଶୁଟି ଜନ୍ମିଲେ ନିଜର ପ୍ରତିଦ୍ୱନ୍ଦୀ ହେବ ବୁଝି ମନେ ମନେ ବଡ଼ ଅସ୍ଥିର ହୋଇପଡ଼ିଲା । ସେ ସଙ୍ଗେ ସଙ୍ଗେ ନିଜ ରାଜ୍ୟର ବଡ଼ ବଡ଼ ଜ୍ୟୋତିଷମାନଙ୍କୁ ଡ଼କାଇଆଣି ସତରେ ଏପରି ଶିଶୁ ଜନ୍ମୁଚି କି ନାହିଁ ଏବଂ ଜନ୍ମିଲେ, କେଉଁଠାରେ ଜନ୍ମୁଚି ତାହା ସ୍ଥିର କରିବା ପାଇଁ କହିଲା । ଜ୍ୟୋତିଷମାନେ ଗଣନାକରି କହିଲେ–“ମହାରାଜ, ଜଣେ ଦେବଶିଶୁ ଅତି ନିକଟରେ ବେଥେଲହେମ ସହରରେ ଜନ୍ମିବ ।” ସେଠୁ ହେରଡ଼ ସେଇ ତିନିଜଣ ଜ୍ଞାନିଲୋକଙ୍କୁ ଛଳନା କରି କହିଲା–“ଆପଣମାନେ ଶୀଘ୍ର ଯାଇ ଦେବଶିଶୁକୁ ଠାବକରି ତାର ଅର୍ଚ୍ଚନା କରି ଆସନ୍ତୁ । ଆପଣମାନେ ଫେରିବା ବାଟରେ ସେଇ ଶିଶୁ କେଉଁଠି ଅଛି ମତେ ଅନୁଗ୍ରହ କରି ଜଣାଇ ଯିବେ, କାରଣ ମୁଁ ମଧ୍ୟ ନିଜେ ଯାଇ ସେଇ ଦେବଶିଶୁକୁ ବନ୍ଦନା କରିବା ଲାଗି ଚାହୁଁଚି ।”

 

ହେରଡ଼ର ଦରବାରରୁ ବାହାରି ସେଇ ତିନି ଜ୍ଞାନୀ ବେଥେଲହେମ ସହରଆଡ଼କୁ ଯିବାକୁ ଲାଗିଲେ । ରାତିରେ ସେମାନେ ଦେଖିପାରିଲେ ଯେ ସତକୁ ସତ ବେଥେଲହେମ ସହର ଉପରେ ସେଇ ବିଶେଷ ତାରାଟି ଗୋଟାଏ ଗୁହାଳ ଉପରେ ସ୍ଥିର ହୋଇ ରହିଚି । ଏହା ଦେଖି ତିନିଜଣଯାକ ସେଇ ଗୁହାଳ ଭିତରେ ପଶି ସଦ୍ୟ ଜନ୍ମ ହୋଇଥିବା ଶିଶୁ ଯୀଶୁଙ୍କୁ ପ୍ରଣାମ କରି ସେମାନେ ସାଙ୍ଗରେ ଆଣିଥିବା ଦାମିକା ଉପହାରମାନ ତାଙ୍କ ଆଗରେ ଥୋଇଦେଲେ ।

 

ହେରଡ଼ର ଉଦ୍ଦେସ୍ୟ ଥିଲା ଯେ ସେଇ ତିନିଜ୍ଞାନୀଙ୍କଠାରୁ ଯୀଶୁଙ୍କର ଠାବ ପାଇଲେ ସଙ୍ଗେ ସଙ୍ଗେ ତାଙ୍କୁ ମାରିଦେବ । ତେଣୁ ସେଇ ରାତିରେ ଜ୍ଞାନୀ ତିନିଜଣ ଶୋଇଥିବା ସମୟରେ ଜଣେ ଦେବଦୂତ ସ୍ୱପ୍ନରେ ଏ ସବୁ କଥା ତାଙ୍କୁ ଜଣାଇ ଦେଇ କହଲେ–“ତୁମେମାନେ ହେରଡ଼ ସଙ୍ଗେ ଦେଖା ନ କରି ଭିନ୍ନ ରାସ୍ତାରେ ନିଜ ଦେଶକୁ ଫେରିଯାଅ ।” ପରଦିନ ସକାଳୁ ତିନିଜଣ ସ୍ୱପ୍ନାଦେଶ ମାନି ଅନ୍ୟ ଗୋଟିଏ ବୁଲାଣିଆ ବାଟରେ ନିଜ ଦେଶକୁ ଫେରିଗଲେ ।

 

ହେରଡ଼ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ସେଇ ପ୍ରାଚ୍ୟଦେଶବାସୀ ଜ୍ଞାନୀ ତିନିଜଣଙ୍କୁ ଅପେକ୍ଷା କଲା; ମାତ୍ର ତେବେ ସୁଦ୍ଧା ସେମାନେ ନ ଫେରିବାରୁ ଅତ୍ୟନ୍ତ ରାଗିଯାଇ ଦଳେ ସୈନ୍ୟଙ୍କୁ ଡ଼ାକି ଆଦେଶ ଦେଲା–“ତୁମେମାନେ ସଙ୍ଗେ ସଙ୍ଗେ ଯାଇ ବେଥେଲହେମ ସହରରେ ଯେତେ ଶିଶୁ ଦୁଇବର୍ଷ ଭିତରେ ଜନ୍ମ ହୋଇଚନ୍ତି, ସେମାନଙ୍କୁ ହତ୍ୟା କରି ମୋତେ ଜଣାଅ ।” ହେରଡ଼ ଏଇ ଆଦେଶ ଦେବା ଦିନ ରାତିରେ ଜଣେ ଦେବଦୂତ ଯୋଶେଫଙ୍କୁ ଦେଖାଦେଇ କହିଲେ–“ତୁମେ ଶୀଘ୍ର ମେରୀ ଓ ଯୀଶୁଙ୍କୁ ସଙ୍ଗରେ ଧରି ଏ ଦେଶ ଛାଡ଼ି ମିଶର ଦେଶକୁ ଚାଲିଯାଅ ।’’ ଇଶ୍ୱରଙ୍କ ଆଦେଶ ମାନି ସେଇ ରାତି ଅଧରେ ଯୋସେଫ୍‌ ମେରୀ ଓ ଯୀଶୁଙ୍କୁ ଏକ ଗଧ ପିଠିରେ ବସାଇ ମିଶରଦେଶକୁ ଯାତ୍ରା ଆରମ୍ଭକଲେ ।

 

ହେରଡ଼ ପଠାଇଥିବା ସୈନ୍ୟମାନେ ବେଥେଲହେମରେ ପହଞ୍ଚି ସହରର ସବୁ ଶିଶୁଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟା କଲେ । ମାତ୍ର ଯୀଶୁ ମିଶର ଦେଶରେ ନିରାପଦରେ ରହି ବଢ଼ିବାକୁ ଲାଗିଲେ । କେତେକ ବର୍ଷ ପରେ ହେରଡ଼ର ମୃତ୍ୟୁ ହେଲା । ତାପରେ ତାର ପୁଅ ଶାସନ ଗାଦିରେ ବସିଲା । ତେଣୁ ଦିନେ ରାତିରେ ଜଣେ ଦେବଦୂତ ଯୋସେଫଙ୍କୁ କହିଲେ–“ଏବେ ତୁମେ ଯୀଶୁଙ୍କୁ ସଙ୍ଗରେ ଧରି ନିଜ ଦେଶକୁ ଫେରିଯାଅ; ମାତ୍ର ବେଥେଲହେମ ସହରକୁ ଆଉ ନଯାଇ ନାନାରେଥ ସହରରେ ଘର କରି ରହିବ ।” ଦେବଦୂତଙ୍କ ଆଦେଶ ଅନୁସାରେ ଯୋସେଫ୍‌ ଓ ମେରୀ ନାଜାରେଥ ସହରରେ ଯୀଶୁଙ୍କୁ ଧରି ରହିଲେ ।

Image

 

Unknown

ଅଲୌକିକ ଶକ୍ତି

 

ଯୀଶୁ ବଡ଼ ହୋଇଯିବା ପରେ ଚାରିଆଡ଼େ ବୁଲି ବୁଲି ସମସ୍ତଙ୍କୁ ଅନ୍ୟାୟ ଓ ଦୁର୍ନୀତି ଛାଡ଼ି, ପ୍ରକୃତ ଧର୍ମ ବାଟରେ ଚାଲିବା ପାଇଁ ପ୍ରବର୍ତ୍ତାଇବାକୁ ଲାଗିଲେ । ଲୋକମାନଙ୍କୁ ଡ଼ାକି ସେ କହିଲେ–ବାହ୍ୟ ଆଡ଼ମ୍ବର ବା ଆଚରଣଦ୍ୱାରା ଧର୍ମ ଅର୍ଜନକରି ହୁଏ ନାହିଁ । ସର୍ବବ୍ୟାପୀ ପରମେଶ୍ୱରଙ୍କଠାରେ ଆତ୍ମସମର୍ପଣ ହିଁ ମୁକ୍ତିର ଏକମାତ୍ର ବାଟ । ଯୀଶୁ କହିଲେ–“କେହି ଲୋକ ତୁମକୁ ଆଘାତ କଲେ ବା ଗାଳିଦେଲେ ତୁମେ ତାକୁ ସ୍ନେହରେ କ୍ଷମା କରିବ । କାହାରି ନିନ୍ଦା କରିବ ନାହିଁ । ତୁମାନଙ୍କୁ ଠିକ୍ ବାଟ ଦେଖାଇବା ଲାଗି ପରମେଶ୍ୱର ମୋତେ ପଠାଇଚନ୍ତି । ମୋ କଥା ମାନି ଚଳିଲେ ତୁମେମାନେ ନିଶ୍ଚୟ ମୁକ୍ତି ପାଇବ ।”

 

ଏପରି କଥା ଶୁଣି ଇହୁଦୀ-ଧର୍ମଯାଜକ ‘ରାବି’ମାନେ ଏବଂ ସେମାନଙ୍କ ଦେଖାଦେଖି ବହୁ ଇହୁଦୀ ଯୀଶୁଙ୍କ ବିରୁଦ୍ଧରେ ଗଲେ । ସେମାନେ କହିବାକୁ ଲାଗିଲେ–ଯୀଶୁ ଜଣେ ମିଥ୍ୟାବାଦୀ ଓ ଭଣ୍ଡ । ପ୍ରକୃତରେ ଯଦି ଇହୁଦୀମାନଙ୍କୁ ମୁକ୍ତି ଦେବା ଲାଗି ଈଶ୍ୱର ଯୀଶୁଙ୍କୁ ପଠାଇଚନ୍ତି, ତେବେ କୌଣସି ଆଶ୍ଚର୍ଯ୍ୟକାମ କରି ସେ ତାହା ପ୍ରମାଣ କରନ୍ତୁ ।

 

ଦିନେ ଜୁଡ଼ିଆ ଦେଶର ଗାଲିଲି ହ୍ରଦ କୂଳରେ ଯୀଶୁ ବହୁ ନରନାରୀଙ୍କ ମେଳରେ ଉପଦେଶ ଦେଉଚନ୍ତି, ଏପରି ସମୟରେ ତେତେକ ରାବି ଦଳେ ଦୃଷ୍ଟ ଇହୁଦୀଙ୍କୁ ସଙ୍ଗରେ ଧରି ତାଙ୍କୁ ନାନପ୍ରକାର ନିନ୍ଦା ଓ ବିଦ୍ରୁପ କରିବାରେ ଲାଗିଲେ; ମାତ୍ର ଯୀଶୁ ସେମାନଙ୍କ ଗାଳିର କୌଣସି ପ୍ରତିବାଦ ନକରି ଗୋଟିଏ ଡଙ୍ଗାରେ ହ୍ରଦର ଆରପଟକୁ ଯିବାଲାଗି ପ୍ରସ୍ତୁତ ହେଲେ । ଯୀଶୁଙ୍କ ସଙ୍ଗେ ତାଙ୍କର ଦଳେ ଭକ୍ତ ମଧ୍ୟ ସେଇ ଡଙ୍ଗାରେ ଚଢ଼ିଲେ । ସେ ରାବିମାନେ ମଧ୍ୟ ଯୀଶୁଙ୍କୁ ଆହୁରି ଅପମାନିତ କରିବା ସକାଶେ ସେଇ ଡଙ୍ଗାରେ ବସିଲେ । ଡଙ୍ଗା ହ୍ରଦ ମଝିରେ ପହଞ୍ଚିଲା ବେଳକୁ ହଠାତ୍ କଳା ମେଘ ଆକାଶଯାକ ଛାଇଗଲା ଏବଂ ଗୋଟାଏ ପ୍ରବଳ ତୋଫାନ ଉଠିଲା । ଏଇ ତୋଫାନ ଯୋଗୁଁ ହ୍ରଦରେ ଉଠୁଥିବା ବଡ଼ ବଡ଼ ଲହଡ଼ିଗୁଡ଼ିକ ସମ୍ଭାଳି ନପାରି ସାନ ଡଙ୍ଗାଟି ବୁଡ଼ିବା ପରି ହେଲା । ଡଙ୍ଗାରେ ଥିବାସବୁ ଲୋକ ପ୍ରାଣ ବିକଳରେ ଚିତ୍କାର କରିବାକୁ ଲାଗିଲେ, ମାତ୍ର ଯୀଶୁ ଶାନ୍ତ ଓ ଗମ୍ଭୀର ସ୍ୱରରେ କହିଲେ–“କେବଳ ଅବିଶ୍ୱାସୀମାନେ ଭୟ କରନ୍ତି । ଏହା କହି ସେ ଆକାଶକୁ ଅନାଇ ପ୍ରାର୍ଥନା କଲେ–“ହେ ପିତା ପରମେଶ୍ୱର ! ଆପଣ ଅନୁଗ୍ରହ କରି ଏଇ ଝଡ଼କୁ ବନ୍ଦ କରି ଦିଅନ୍ତୁ ।” ଆଶ୍ଚର୍ଯ୍ୟର କଥା, ତାଙ୍କର ଏଇ ପ୍ରାର୍ଥନା ସରିବା ମାତ୍ରେ ସେଇ ପ୍ରବଳ ଝଡ଼ ଶାନ୍ତ ହୋଇଗଲା ଏବଂ ଆକାଶରୁ କଳା ମେଘ ଅପସରିଯାଇ ପୂର୍ବପରି ନୀଳ ଓ ଉଜ୍ଜ୍ୱଳ ଦିଶିଲା । ଏହି ଅଦଭୁତ ଘଟଣା ଦେଖି ଡଙ୍ଗାରେ ଥିବା ସାଧାରଣ ଲୋକ ଯୀଶୁଙ୍କ ନାଁରେ ଜୟଧ୍ୱନି ଦେବାକୁ ଲାଗିଲେ । ରାବିମାନେ ମଧ୍ୟ କିଛି ସମୟ ଲାଗି ନିର୍ବାକ ରହି, ପୁଣି କହିବାକୁ ଲାଗିଲେ–“ଦୈବକୁ ଝଡ଼ ବନ୍ଦ ହୋଇଗଲା; ଯୀଶୁଙ୍କର ଏ ଘଟଣାରେ କୌଣସି କୃତିତ୍ୱ ନାହିଁ ।

 

ଡଙ୍ଗାଟି ହ୍ରଦର ଆରପଟେ ଥିବା କପେରନାମ ଗାଁ ଘାଟରେ ଯାଇ ଲାଗିଲା । ଡଙ୍ଗା ଘାଟରେ ଲାଗିବାରୁ ଦେଖାଗଲା ଯେ ଦଳେ ଲୋକ ଗୋଟିଏ ଆଜନ୍ମ ପଙ୍ଗୁ ବାଳକକୁ ଗୋଟିଏ ଖଟିଆରେ ବୋହି ଆଣି ବସିଚନ୍ତି । ପିଲାଟି କୌଣସି ଉପାୟରେ ଉଠି ପାରୁ ନଥିବା ଯୋଗୁଁ ସେମାନେ ତାକୁ ଆରେଗ୍ୟ କରିବାର ଶେଷ ଚେଷ୍ଟା ଲାଗି କିଛି ଦୂରରେ ଥିବା ଗୋଟିଏ ଦେବ ମନ୍ଦିରର ପୁରୋହିତମାନଙ୍କ ନିକଟକୁ ଘେନିଯାଉଥିଲେ ।

 

ଏହି ସୁଯୋଗରେ ରାବିମାନେ ଯୀଶୁଙ୍କୁ ଅପଦସ୍ଥ କରିବା ଲାଗି ବଡ଼ ପାଟି କରି କହିଲେ–“ଏଇ ଭଣ୍ଡ ଲୋକଟା କହୁଚି ଯେ ସେ ପରମେଶ୍ୱରଙ୍କ ପୁତ୍ର । ତାକୁ କହିଦିଅ, ସେ ଯଦି ପ୍ରକୃତରେ ତାହା ହୋଇଥାଏ, ତେବେ ଏଇ ପଂଗୁ ବାଳକଟିକୁ ଆରେଗ୍ୟ କରି ଦେଉ ।” ଘାଟରେ ରୁଣ୍ଡ ହୋଇଥିବା ଲୋକମାନେ ମଧ୍ୟ ଏଇ କଥା ଶୁଣି ବିଶେଷ କୌତୂହଳୀ ହେଲେ। ଏତିକିବେଳେ ଯୀଶୁ ଡଙ୍ଗା ମଝିରେ ଛିଡ଼ା ହୋଇ ଧୀର ଭାବରେ କହିଲେ–“ତୁମମାନଙ୍କ ଉଦ୍ଧାର ମତେ ପରମେଶ୍ୱର ପଠାଇଛନ୍ତି । ଦିନେ ନା ଦିନେ ତୁମେମାନେ ଏକଥା ସ୍ୱୀକାର କରିବ ।” ଏହା କହି ଖଟିଆରେ ଶୋଇଥିବା ପଂଗୁ ବାଳକଟିକୁ ସମ୍ବୋଧନ କରି କହିଲେ–“ପୁତ୍ର ! ମୁଁ କହୁଚି ତୁମଠାରେ ଆଉ କୌଣସି ରୋଗ ନାହିଁ । ତୁମେ ଏବେ ଖଟିଆଟିକୁ ମୁଣ୍ଡାଇ ନିଜ ଘରକୁ ଫେରିଯାଅ ।” ରୁଣ୍ଡହୋଇଥିବା ଅବିଶ୍ୱାସୀ ରାବିମାନେ ଏବଂ ଅନ୍ୟ ଲୋକେ ସ୍ତମ୍ଭିତ ହୋଇ ଦେଖିଲେ ଯେ, ଜନ୍ମରୁ ପଂଗୁ ସେଇ ପିଲାଟି ହଠାତ୍ ଖଟିଆ ଉପରୁ କୁଦିପଡ଼ି, ସେ’ଟିକୁ ମୁଣ୍ଡାଇ, ସୁସ୍ଥ ସବଳ ମଣିଷ ପରି ନିଜ ଗାଁଆଡ଼େ ଚାଲିଲା । ଏହା ପରେ ରାବିମାନଙ୍କ ପାଟି ଆଉ ଫିଟିଲା ନାହିଁ ଏବଂ ଅନ୍ୟ ଲୋକେ ଯୀଶୁଙ୍କ ଜୟଧ୍ୱନିରେ ଆକାଶ କମ୍ପାଇ ଦେଲେ ।

 

ପରଦିନ ସକାଳେ ନିକଟବର୍ତ୍ତୀ ମନ୍ଦିରର ପୂଜା ଦାୟିତ୍ୱରେ ଥିବା ରାବି ଯୀଶୁଙ୍କ ପାଦ ତଳେ ପଡ଼ି କାନ୍ଦି କାନ୍ଦି କହିଲା–“ମୋ ଝିଅଟି କାଲି ରାତିରୁ ମରିଯାଇଚି । ଏବେ ତାକୁ କବର ଦେବାର ଆୟୋଜନ ଚାଲିଚି । ମୁଁ ଆପଣଙ୍କ ବିଷୟରେ ଯାହା ଶୁଣିଚି, ସେଥିରୁ ମୋର ବିଶ୍ୱାସ ହେଉଚି ଯେ ଆପଣ ଇଚ୍ଛା କଲେ ମୋର ଏକମାତ୍ର ଝିଅଟି ପୁଣି ଜୀବନ ଫେରି ପାଇବ । ଆପଣ ଅନୁଗ୍ରହ କରି ମୋ ସାଙ୍ଗରେ ଆମ ଘରକୁ ଚାଲନ୍ତୁ ।” ରାବିର ବ୍ୟାକୁଳତା ଦେଖି ଯୀଶୁ ସଙ୍ଗେ ସଙ୍ଗେ ତା ଘରକୁ ଯିବା ଲାଗି ରାଜି ହେଲେ । ତାଙ୍କ ପଛେ ପଛେ ଘଟଣା କଣ ହେଉଚି, ଜାଣିବା ଲାଗି ବହୁ କୌତୁହଳୀ ଲୋକ ମଧ୍ୟ ଧାଡ଼ି ବାନ୍ଧି ଚାଲିଲେ ।

 

ଘର ପାଖାପାଖା ଆସି ଯିବାରୁ ମୁର୍ଦ୍ଦାର ବୁହା ହେବାର ବାଜା ବାଜୁଥିବାର ଶୁଭିଲା । ରାବି ଘରେ ପହଞ୍ଚି ଯୀଶୁ ଦେଖିଲେ ଝିଅଟିର ଶବକୁ ଯଥାବିଧି ଗୋଟିଏ ନୂଆ ଲୁଗାରେ ଗୁଡ଼ାଇ ଦିଆଯାଇଚି ଏବଂ ତାକୁ କବର ଦେବାର ଅନ୍ୟାନ୍ୟ ଆୟୋଜନ ମଧ୍ୟ ସଂପୂର୍ଣ୍ଣ ହୋଇଯାଇଚି । ପ୍ରଥମେ ଯୀଶୁ ଶବ ଚାରିପଟେ ଘେରି ରହିଥିବା ଲୋକମାନଙ୍କୁ ଆଡ଼େଇଦେଲେ, ତାର ପରେ ଶବ ଦେହରୁ ନୂଆ ଲୁଗାଟା କାଢ଼ି ଆଣି, ତାର ଗୋଟିଏ ହାତ ଧରି କହିଲେ–“ପିତା ପରମେଶ୍ୱରଙ୍କ ନାଁରେ ମୁଁ କହୁଚି, ଝିଅ, ତୁମେ ଶୀଘ୍ର ଉଠିଆସ ସୁସ୍ଥ ଭାବରେ ଚାଲବୁଲ କର ।” ମୁର୍ଦାର ପୁଣି ଜୀବନ ଫେରି ପାଇବାର ଦେଖି ସେଠି ଘେରି ରହିଥିବା ଲୋକେ ପଥର ପାଲଟି ଗଲେ । ଏହା ପରେ ବହୁ ଲୋକ ଆପେ ଆପେ ଆସି ଯୀଶୁଙ୍କ କଥା ଶୁଣି ସେହିପରି ଭାବରେ ଚଳିବାକୁ ଲାଗିଲେ ।

Image

 

ସବୁ ସମ୍ଭବ

 

ଚାହୁଁ ଚାହୁଁ ଯୀଶୁଙ୍କର ମାହାତ୍ମ୍ୟ ଦେଶସାରା ବ୍ୟାପିଗଲା । ତାଙ୍କୁ ଦେଖିବା ଲାଗି ଓ ତାଙ୍କ କଥା ଶୁଣିବା ଲାଗି ପ୍ରତିଦିନ ହଜାର ହଜାର ଲୋକ ତାଙ୍କ ଚାରିପଟେ ରୁଣ୍ଡ ହେବାରେ ଲାଗିଲେ । ଏହିପରି ଭିଡ଼ ଦାଉରୁ ରକ୍ଷା ପାଇବା ଲାଗି ଯୀଶୁ ଦିନେ ଦୂର ପାହାଡ଼ ପାଖରେ ଥିବା ଗୋଟିଏ ବଣ ଭିତରକୁ ଧ୍ୟାନ କରିବା ଲାଗି ଯାଇଥିଲେ । ଧ୍ୟାନସାରି ଫେରିବା ବେଳକୁ ଦେଖିଲେ ଯେ ପ୍ରାୟ ପାଞ୍ଚହଜାର ଲୋକ ତାଙ୍କୁ ଅପେକ୍ଷା କରି ସେଇ ଜଙ୍ଗଲ ବାହାରେ ବସି ରହିଚନ୍ତି । ଯୀଶୁଙ୍କୁ ଦେଖି ଭିଡ଼ ଭିତରୁ ଗୋଟିଏ ଲୋକ ବାହାରିଆସି ସେ ସାଙ୍ଗରେ ଆଣିଥିବା ପାଞ୍ଚଖଣ୍ଡ ରୁଟି ଓ ଦୁଇଟି ମାଛଭଜା ଯୀଶୁଙ୍କୁ ଉପହାର ଦେଲା । ରୁଟିତକ ଓ ମାଛଭଜା ଦୁଇଖଣ୍ଡି ହାତରେ ଧରି ଯୀଶୁ ପଚାରିଲେ–“ତୁମମାମନଙ୍କୁ କଣ ଖୁବ ଭୋକ ଲାଗୁଚି ?” ଉପସ୍ଥିତ ଥିବା ଲୋକେ ଉତ୍ତର ଦେଲେ–“ହଁ, ବଡ଼ ଭୋକ କରୁଚି ସତ, ମାତ୍ର ଖାଇବା ପଦାର୍ଥ ଆମ ପାଖରେ କିଛି ହେଲେ ନାହିଁ-।” ସେଠୁ ଯୀଶୁ ଜଣେ ଲୋକକୁ ଡ଼ାକି ସେଇ ରୁଟି ପାଞ୍ଚଟି ଓ ମାଛଭଜା ଯୋଡ଼ିକ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବା ଲାଗି କହିଲେ । ଏପରି ଅଦ୍ଭୁତ କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ କହିଲେ–“ମହାଶୟ, ଏତକ ଖାଦ୍ୟ ତ ଜଣେ ଲୋକକୁ ନିଅଣ୍ଟ, ପାଞ୍ଚହଜାର ଲୋକଙ୍କ ଭିତରେ ଏହା ବଣ୍ଟାଯିବ କିପରି ?” ଯୀଶୁ ଉତ୍ତର ଦେଲେ–“ପରମପିତା ଇଚ୍ଛା କଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ତାଙ୍କର ନାଁରେ ଏଇ ଖାଦ୍ୟ ବଣ୍ଟା ଯାଉଚି । ତେଣୁ ତୁମେମାନେ ପ୍ରତ୍ୟେକେ ନିଶ୍ଚୟ ସନ୍ତୁଷ୍ଟ ହେବ ।” ଏହା କହି ଯୀଶୁ ସେଇ ଲୋକମାନଙ୍କୁ ଧାଡ଼ିବାନ୍ଧି ବସି ଦୁଇ ହାତ ପତାଇବା ଲାଗି କହିଲେ । ତା ପରେ ଯୀଶୁଙ୍କ ଆଦେଶ ଅନୁସାରେ ସେଇ ରୁଟି ଓ ମାଛ ବାଣ୍ଟିବା ଆରମ୍ଭ ହେଲା । ପ୍ରତ୍ୟେକେ କାବା ହୋଇ ଦେଖିଲେ ଯେ ପ୍ରତି ଲୋକ ପ୍ରଚୁର ପରିମାଣ ରୁଟି ଓ ମାଛ ପାଇବା ପରେ ମଧ୍ୟ ପାଞ୍ଚ ଟୋକେଇ ରୁଟି ଓ ଦି ଟୋକେଇ ରୁଟି ଓଦି ଟୋକେଇ ମାଛ ଭଜା ବଳକା ରହିଲା । ଏହି ଘଟଣାର ସେମାନେ ନିଶ୍ଚିତ ଭାବରେ ବୁଝିଲେ ଯେ ଯୀଶୁ ଜଣେ ଦେବଦୂତ ଓ ମହାପୁରୁଷ । ତେଣୁ ସେମାନେ ସବୁ ପ୍ରକାର ଭୁଲ କାମ ଛାଡ଼ି ଯୀଶୁଙ୍କ କଥା ମାନି ଚଳିବାକୁ ଲାଗିଲେ ।

 

ଏହି ସମୟରେ ଗ୍ୟାଲିଲି ଅଂଚଳରେ ସାଇମନ୍‌ ବୋଲି ଜଣେ କେଉଟ ରହୁଥିଲା । ସେ ଯେପରି ଦୁଷ୍ଟ ସେହିପରି ବଳିଷ୍ଠ । ଦିନସାରା ସେ ମାଛ ଧରେ ଓ ରାତିରେ ମାତାଲହୋଇ ସାଇପଡ଼ିଶାଠାରୁ ଆରମ୍ଭକରି ବାଟୋଇ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ନାନା ପ୍ରକାର ଜୁଲମ କରେ । ସେ ଧର୍ମକର୍ମର ଧାର ଧାରୁ ନ ଥିଲା ଏବଂ ସେ ବିଷୟରେ ତାକୁ କେହି କିଛି ଉପଦେଶ ଦେଲେ ସେ ଓଲଟା ସେମାନଙ୍କୁ ଗାଳି ମାଡ଼ି ଦେଉଥିଲା ।

 

ଦିନେ ସାଇମନ୍‌ କେତେକ କେଉଟଙ୍କ ସଙ୍ଗେ ସଙ୍ଗେ ମିଶି ଗ୍ୟାଲିଲି ହ୍ରଦ ମଝିରେ ଜାଲ ପକାଇ ମାଛ ମାରୁଥିବା ସମୟରେ ଯୀଶୁ ହ୍ରଦ କୂଳରେ ପହଂଚି ସାଇମନକୁ ଡ଼ାକି କହିଲେ–“ଶୁଣ ସାଇମନ, ମୁଁ ଆଜିଠାରୁ ତୁମ ନାଁ ‘ପିଟର’ ରଖିଲି, (‘ପିଟର’ ଶବ୍ଦର ଅର୍ଥ ପର୍ବତ), କାରଣ ନଦୀ ପୋଖରୀରୁ ମାଛ ମାରିବା ଲାଗି ତୁମେ ଜନ୍ମ ହୋଇନାହଁ । ପର୍ବତ ପରି ଅଟଳ ରହି ତୁମେ ହଜାର ହଜାର ଲୋକଙ୍କୁ ଆଶ୍ରୟ ଦେବ ଏବଂ ସେମାନଙ୍କୁ ଧର୍ମ ମାର୍ଗରେ ଚଳାଇବ ।”

 

ଯୀଶୁଙ୍କ କଥା ଶୁଣି ସାଇମନ ଓ ତାର ସାଂଗମାନେ ବିଦ୍ରୁପ କରି ହସିଲେ ଏବଂ ଯୀଶୁଙ୍କୁ ନାନା ଅପମାନ ଦେଲେ । ଏହା ଦେଶି ଯୀଶୁ ଶୁଖିଲା ଭୂଇଁରେ ଚାଲିଲାପରି ସେଇ ପାଣି ଉପର ଦେଇ ସାଇମନ୍ ଆଡ଼କୁ ଚାଲିଲେ । ଏପରି ଅଦ୍ଭୁତ ଦୃଶ୍ୟ ଦେଖି ସାଇମନର ସଂଗୀମାନେ ଭୟରେ ଆଖି ବୁଜିଦେଲେ; ମାତ୍ର ପାଷାଣ ହୃଦୟ ସାଇମନ କହିଲା–“ମୁଁ ଶୁଣିଚି ଯେ ତୁମେ ଜଣେ ପକ୍‌କା ଭଣ୍ଡ ଏବଂ କିମିଆ କଲାବାଲା । ତୁମେ ଯଦି ପ୍ରକୃତରେ ଈଶ୍ୱରଙ୍କ ପୁଅ ହୋଇଥାଅ, ତାହେଲେ ହୁକୁମ କର, ଯେପରିକି ମୁଁ ଏଇ ପାଣି ଉପରେ ଚାଲିପାରିବ ।”

 

ସାଇମନ କଥା ଶୁଣି ଯୀଶୁ କହିଲେ–“ତୁମ ଅନୁରୋଧ ମାନି ମୁଁ ପିତାଙ୍କ ନାମରେ ଆଦେଶ ଦେଉଚି ଯେ ତୁମେ ଏଇ ପାଣି ଉପରେ ଚାଲି ଚାଲି ମୋ ପାଖକୁ ଆସ ।” ଯୀଶୁ ଏହା କହିବା ମାତ୍ରେ ସାଇମନ ପାଣି ଭିତରକୁ କୁଦିପଡ଼ି ଖଣ୍ଡେବାଟ ଅକ୍ଳେଶରେ ଚାଲିଗଲା, ମାତ୍ର ହଠାତ୍ ତା ମନରେ ଭୟ ପଶିଲା ଏବଂ ସେ ଭାବିବାକୁ ଲାଗିଲା–‘ଯଦି ଏଇ ଲୋକଟା କଥା ମିଛ ହୋଇଥାଏ, ତା’ହେଲେ ମୁଁ ନିଶ୍ଚୟ ଏହିଠାରେ ବୁଡ଼ିମରିବି ।’ ସେ ଏପରି ଚିନ୍ତା କରିବା ମାତ୍ରେ ପାଣି ଭିତରେ ବୁଡ଼ିଯିବାକୁ ଲାଗିଲା ଏବଂ ତାକୁ ରକ୍ଷାକରିବା ଲାଗି ଯୀଶୁଙ୍କୁ ଡ଼ାକ ପକାଇଲା । ଅନ୍ତର୍ଯ୍ୟାମୀ ଯୀଶୁ ସେହିଠାରେ ଛିଡ଼ା ରହି କହିଲେ–“ହେ ମୂର୍ଖ, ମତେ ଅବିଶ୍ୱାସ କରିବା ଯୋଗୁଁ ତୁମେ ଏପରି ଦୁର୍ଦ୍ଦଶା ଭୋଗୁଚ । ଶୀଘ୍ର ମୋ ଉପରେ ବିଶ୍ୱାସ ଫେରାଇଆଣ, ତା’ହେଲେ ତୁମେ ନିରାପଦରେ ଏଠାକୁ ପାଦରେ ଚାଲି ଆସିପାରିବ ।” ଯୀଶୁଙ୍କ କଥା ଶୁଣି ସାଇମନ ନିଜ ମନ ମଧ୍ୟରେ ଯୀଶୁଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ଆଣିଲା ଏବଂ ସେଇ ପାଣି ଉପରେ ଚାଲି ଚାଲି ତାଙ୍କ ପାଖରେ ଯାଇ ପହଂଚିଲା । ସେଇ ମୂହୂର୍ତ୍ତଠାରୁ ସାଇମନ ନିଜର ପୁରୁଣା ନାଁ ସଂଗେ ସଂଗେ ନିଜର ମାଛଧରା ବ୍ୟବସାୟ ଏବଂ ସବୁ ଦୋଷ ଦୁର୍ଗୁଣ ଛାଡ଼ି ଯୀଶୁଙ୍କୁର ଏକନିଷ୍ଠ ଭକ୍ତ ପାଲଟିଗଲା ଏବଂ ଭବିଷ୍ୟତରେ ସେଣ୍ଟ୍‌ ପିଟର ବା ସାଧୁ ପିଟର ନାମରେ ସାରା ପୃଥିବୀର ଶ୍ରଦ୍ଧା ଓ ସମ୍ମାନ ଅର୍ଜନ କରିପାରିଲା । ସାଇମନ୍‌ର ଦେଖାଦେଖି ତା ସାଙ୍ଗର ଅନ୍ୟ କେଉଟମାନେ ମଧ୍ୟ ଯୀଶୁଙ୍କ ନିଜ ଗୁରୁରୂପେ ମାନି ତାଙ୍କ ଉପଦେଶ ଅନୁସାରେ ଚଳିବାକୁ ଲାଗିଲେ ।

Image

 

ଅପୂର୍ବ ବିଚାର

 

ଯୀଶୁ ସର୍ବଦା କହୁଥିଲେ–“ପାପ ବିରୁଦ୍ଧରେ ଲଢ଼ି, ମାତ୍ର ପାପୀକୁ ଆନ୍ତରିକ ଭାବରେ ସ୍ନେହ କର ।” ସେ କହୁଥିଲେ ଯେ ଯେଉଁ ଲୋକ ଭୁଲ ବାଟରେ ଯାଉଚି, ତାକୁ ସ୍ନେହ ଓ ସହାନୁଭୂତି ଦ୍ୱାରା ଠିକ୍ ବାଟକୁ ଫେରାଇଆଣିବାହିଁ ମଣିଷର ପରମ କର୍ତ୍ତବ୍ୟ ।

 

ଦିନେ ଯୀଶୁ ଗୋଟିଏ କୂଅ ପାଖରେ ମୁଣ୍ଡ ପୋତି ବସି ଚିନ୍ତା କରୁଚନ୍ତି, ଏପରି ସମୟରେ ଦଳେ ଲୋକ ଜଣେ ନାରୀକୁ ଘୋଷାରି ଘୋଷାରି ତାଙ୍କ ସାମାନାକୁ ଆଣି କହିଲା–“ମହାଶୟ, ଏଇ ନାରୀ ଅତି ଗୁରୁତର ଅନ୍ୟାୟ କାମ କରିଚି । ଶାସ୍ତ୍ରରେ ଲେଖା ଅଛି ଯେ ଏପରି ଘୋର ଅନ୍ୟାୟ କରିଥିବା ଲୋକକୁ ପଥର ଫିଙ୍ଗି ହତ୍ୟା କରାଯିବା ଉଚିତ; ମାତ୍ର ଆପଣ ଏ ବିଷୟରେ କଣ କହୁଚନ୍ତି ଜାଣିବା ସକାଶେ ତାକୁ ଘେନି ଆମେ ଏଠାକୁ ଆସିଚୁ ।”

 

ଯୀଶୁ ମୁଣ୍ଡ ଟେକି ଦେଖିଲେ ଯେ ବଡ଼ ବଡ଼ ପଥର ଖଣ୍ଡ ଧରି ଶହ ଶହ ଲୋକ ସେଇ ଦୁଷ୍ଟା ରମଣୀକୁ ଘେରି ଛିଡ଼ା ହୋଇଚନ୍ତି । କ୍ଷଣକାଳ ଚିନ୍ତା କରି ସେ କହିଲେ–“ଶାସ୍ତ୍ରରେ ଲେଖା ଯାଇଥିବା ବିଧାନ ବିରୁଦ୍ଧରେ ମୋର କିଛି କହିବାର ନାହିଁ; ମାତ୍ର ଗୋଟିଏ କଥା ମନେ ରଖ । ତୁମମାନଙ୍କ ମଧ୍ୟରୁ ଯେଉଁ ଜଣକ ସଂପୂର୍ଣ୍ଣ ନିର୍ଦୋଷ, ଏଇ ସ୍ତ୍ରୀ ଲୋକଟି ଉପରକୁ ସେ ହିଁ ପ୍ରଥମ କରି ପଥର ଫୋପାଡ଼ିବ ।” ଏତକ କହିସାରି ଯୀଶୁ ପୁଣି ମୁଣ୍ଡ ପୋତି ଗଭୀର ଚିନ୍ତାରେ ମଗ୍ନ ହୋଇଗଲେ ।

 

ପ୍ରାୟ ଦୁଇ ଘଣ୍ଟା ପରେ ଛିଡ଼ାହୋଇ ଯୀଶୁ ଦେଖିଲେ ଯେ ଖଣ୍ଡେ ଦୂରରେ ପଥର ଗୁଡ଼ାକ ଏଣେ ତେଣେ ବିଛାଇହୋଇ ପଡ଼ିଚି ଏବଂ ତା ମଝିରେ ଅପରାଧିନୀ ଜଣକ ଏକା ଛିଡ଼ା ହୋଇଚି । ଏହା ଦେଖି ଯୀଶୁ ପଚାରିଲେ–“ନାରୀ ! ତୁମ ବିରୁଦ୍ଧରେ ଯେଉଁ ଲୋକମାନେ ଅଭିଯୋଗ କରୁଥିଲେ, ସେମାନେ କାହାନ୍ତି ?”

 

ସ୍ତ୍ରୀ ଲୋକଟି କହିଲା–“ପ୍ରଭୁ ! ଆପଣଙ୍କ କଥା ଶୁଣି ସେମାନେ କେତେ ସମୟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କିଏ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ. ତାହା ଖୋଜିବାକୁ ଲାଗିଲେ; ମାତ୍ର ସେପରି ଜଣେ ସୁଦ୍ଧା ନ ମିଳିବାରୁ ସେମାନେ ଯା ଯାହା ଘରକୁ ଫେରିଯାଇଚନ୍ତି ।”

 

ତାର ଉତ୍ତର ଶୁଣି ଯୀଶୁ କହିଲେ–“ତାହେଲେ ତୁମେ କଣ ପାଇଁ ଏଠାରେ ଏକା ଛିଡ଼ାହୋଇ ରହିଚ ?”

 

ସ୍ତ୍ରୀ ଲୋକଟି ଆଉ ନିଜକୁ ସମ୍ଭାଳି ନ ପାରି ଯୀଶୁଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି କହିଲା–“ପ୍ରଭୁ ! ପ୍ରକୃତରେ ମୁଁ ଘୋର ପାପିନୀ । ଏ ଜୀବନରେ ମୁଁ ଅନେକ ଖରାପ କାମ କରିଚି-। ଏବେ ମୋର ଗତି କଣ ହେବ ଏବଂ କିପରି ସେଇ ମହାପାପରୁ ମୁଁ ରକ୍ଷା ପାଇବି, ସେଇ ଚିନ୍ତା ମତେ ଘାରିପକାଉଚି ।”

 

ତାର କାନ୍ଦ ଶୁଣି ଯୀଶୁ ସ୍ନେହବୋଳା ସ୍ୱରରେ କହିଲେ–“ଶାନ୍ତ ହୁଅ । ନିଜ ଘରକୁ ଫେରିଯାଅ ଏବଂ ଆଉ କଦାପି ଭୁଲ କାମ କରନାହିଁ ।” ଯୀଶୁଙ୍କର ଆଶ୍ୱାସବାଣୀ ଶୁଣି ସେଇ ଦୁଷ୍ଟା ରମଣୀ ନିଜର କଳଙ୍କିତ ଅତୀତକୁ ସମ୍ପୂର୍ଣ୍ଣ ରୂପେ ପୋଛି ପକାଇ ଏକ ପବିତ୍ର ଓ ଆଦର୍ଶ ଜୀବନ ଯାପନ କରିବାକୁ ଲାଗିଲେ । ଯୀଶୁଙ୍କ ଦେହ ତ୍ୟାଗ ପରେ ମଧ୍ୟ ସେ ଲୋକମାନଙ୍କ ମଧ୍ୟରେ ଯୀଶୁଙ୍କର ଉପଦେଶ ଓ ବାଣୀ ପ୍ରଚାର କରି ଜୀବନ କଟାଇଲା ।

Image

 

ଗଳ୍ପ ଛଳରେ ଶିକ୍ଷା

 

ଯୀଶୁ ଗରିବ ଶ୍ରେଣୀର ଏବଂ ଗାଁଗଣ୍ଡାର ଲୋକଙ୍କ ମେଳରେ ଅଧିକାଂଶ ସମୟ କଟାଉଥିଲେ। ସେ ଯୁଗରେ କେବଳ ଧନୀ ଏବଂ ଅଭିଜାତ ଶ୍ରେଣୀର ପିଲାଏ ବିଦ୍ୟାଶିକ୍ଷାର ସୁଯୋଗ ପାଉଥିଲେ । ଫଳରେ ଗରିବ ଲୋକେ ଏବଂ ତାଙ୍କର ପିଲାମାନେ ଚିରଜୀବନ । ମୂର୍ଖ ଏବଂ ଅଜ୍ଞ ହୋଇ ରହୁଥିଲେ। ଶାସ୍ତ୍ର ପଢ଼ିଇବାର ବା ବୁଝିବାର ଶକ୍ତି ସେମାନଙ୍କଠାରେ ନ ଥିଲା । ତେଣୁ ଏଇ ଲୋକମାନଙ୍କୁ ଧର୍ମତତ୍ତ୍ୱ ବୁଝାଇ ସତମାର୍ଗକୁ ଆଣିବା ସକାଶେ ଯୀଶୁ ଯେଉଁସବୁ ଉପଦେଶମୂଳକ ଓ ଚିତ୍ତାକର୍ଷକ ଗଳ୍ପମାନ କହୁଥିଲେ, ତାହା ତାଙ୍କର ଏକ ଅତୁଳନୀୟ ଅବଦାନ । ସେ କହିଥିବା ଶହ ଶହ ଗଳ୍ପ ମଧ୍ୟରୁ କେତୋଟି ଏଠାରେ ଦିଆଗଲା ।

 

[୧–ଓଲଟା ନିୟମ]

 

ଜଣେ ଜମିଦାର ଦିନେ ଘୋଷଣା କଲେ ଯେ ପରଦିନ ତାଙ୍କ ଜମିଦାରୀରେ ଥିବା ସବୁ ମୂଲିଆ ଆସି ତାଙ୍କ କାମରେ ଲାଗିବେ ଏବଂ ପ୍ରତି ଲୋକକୁ ତାର କାମ ଅନୁସାରେ ପାରିଶ୍ରମିକ ଦିଆଯିବ । ଏକଥା ଶୁଣି ପରଦିନ ସକାଳୁ ଦଳକୁ ଦଳ ମୂଲିଆ ରୁଣ୍ଡ ହୋଇ ଜମିଦାରଙ୍କ ଘର ଓ ବିଲବାଡ଼ିରେ ଯେଉଁଠି ଯାହା କାମ ଥିଲା କରିବାକୁ ଲାଗିଲେ; ମାତ୍ର ମୂଲିଆମାନଙ୍କ ସଂଖ୍ୟା ଏତେ ବେଶି ଥିଲା ଯେ ସମସ୍ତଙ୍କ ହାତକୁ କାମ ଜୁଟିଲା ନାହିଁ । ଫଳରେ କାମ ପାଇ ନ ଥିବା ଲୋକଙ୍କ ଭିତରୁ ଅଧିକାଂଶ ସେଠାରେ ଅପେକ୍ଷା କରିବା ବୃଥା ହେବ ବିଚାରି ନିଜ ନିଜ ଘରକୁ ଫେରିଗଲେ; ମାତ୍ର ଅଳ୍ପ କେତେ ଜଣ, ଜମିଦାରଙ୍କ ଆଦେଶ ମନେପକାଇ ତାଙ୍କ ଦାଣ୍ଡଦୁଆରେ ଅପେକ୍ଷା କରି ରହିଲେ । ଦିନ ଦି’ପହରବେଳକୁ ଜମିଦାର ପହଂଚି ଦେଖିଲେ ଯେ କେତେ ଜଣ ଲୋକ ତାଙ୍କ ଘର ଆଗରେ ଅପେକ୍ଷା କରି ରହିଚନ୍ତି । ଜମିଦାର ପହଂଚିବାରୁ ସେମାନେ ଉତ୍ତର ଦେଲେ–“ଆପଣଙ୍କ କହିବା ଅନୁସାରେ ଆମେ ଏଠାକୁ ଆସି କୌଣସି କାମ ନ ମିଳିବାରୁ ଆପଣଙ୍କ ଆଦେଶକୁ ଅପେକ୍ଷା କରି ରହିଚୁ ।” ଏହା ଶୁଣି ଜମିଦାର ସେମାନଙ୍କୁ ଏଣୁତେଣୁ କେତୋଟି ମାମୁଲି କାମରେ ଲଗାଇଦେଲେ । ସଞ୍ଜବେଳକୁ ସବୁ ମୂଲିଆ ରୁଣ୍ଡ ହେବାରୁ, ଜମିଦାର ପ୍ରତ୍ୟେକଙ୍କୁ ଦଶଟଙ୍କା ଲେଖାଁ ପାରିଶ୍ରମିକ ଦେଲେ । ଏହା ଦେଖି କ୍ଷେତରେ କାମ କରୁଥିବା ଲୋକ ଅସନ୍ତୁଷ୍ଟ ହୋଇ କହିଲେ–“ହଜୁର ! ଆପଣ କଣ ଏଇ ନ୍ୟାୟ ବିଚାର କଲେ ! ସକାଳୁ ସଞ୍ଜଯାଏ ବିଲକାମ କରି ଆମେ ଦଶଟଙ୍କା ଲେଖାଁ ପାଇଲୁ । ଆଉ ଏଇ କେତେଜଣ ଲୋକ ମାତ୍ର ତିନିଘଣ୍ଟା ହଲଚଲ ହୋଇ ସେଇ ଦଶଟଙ୍କା ଲେଖାଁ ପାଇଲେ ! ପୁଣି ଆପଣ ପ୍ରଥମେ ସେମାନଙ୍କୁ ମଜୁରୀ ଦେଇ ଆମକୁ ତାଙ୍କ ପରେ ଦେଲେ ।”

 

ଏହା ଶୁଣି ଜମିଦାର କହିଲେ–“ମୁଁ କିଛି ଭୁଲ ବିଚାର କରିନାହିଁ । ହାତ ପାଖରେ କାମ ଥିଲା ବୋଲି ତୁମେମାନେ ସେଥିରେ ଲାଗି ରହିଥିଲେ; ମାତ୍ର କୌଣସି କାମ ନ ଥିଲେ ସୁଦ୍ଧା ସେମାନେ କେବଳ ମୋ ଆଦେଶକୁ ମାନି ଦି’ପହର ଯାଏ ଅପେକ୍ଷା କରି ବସିଥିଲେ । ଏଥିରୁ ପ୍ରମାଣିତ ହେଲା ଯେ ସେମାନଙ୍କର ପ୍ରଭୁଭକ୍ତି ଓ ବାଧ୍ୟତା ତୁମମାନଙ୍କଠାରୁ ଅଧିକ । ତେଣୁ ମୁଁ ପ୍ରଥମେ ସେମାନଙ୍କୁ ଟଙ୍କା ଦେଲି ।”

 

ନିଜ ଅନୁଚରମାନଙ୍କୁ ଏଇ ଗପଟି ଶୁଣାଇ ଯୀଶୁ କହିଲେ–ଧର୍ମଜଗତରେ ଜ୍ଞାନ ବା କର୍ମ ଅପେକ୍ଷା ଭକ୍ତିର ମୂଲ୍ୟ ବେଶି । ଯେଉଁମାନେ ପ୍ରକୃତରେ ଭକ୍ତ, ସେମାନେହିଁ ପ୍ରଥମେ ମୁକ୍ତି ପାଇବେ ।

 

[୨–କୁପୁତ୍ର କାହାଣୀ]

 

ମଦ୍ୟପ, ଦଙ୍ଗାବାଜ, ଦୁଶ୍ଚରିତ୍ର ବା ଅନ୍ୟାନ୍ୟ ଦୁଷ୍ଟ ଲୋକଙ୍କୁ ଯୀଶୁ ଅଧିକ ସ୍ନେହ କରୁଥିବା ଯୋଗୁଁ ଏବଂ ସେମାନଙ୍କର ଅନୁରୋଧ ପ୍ରଥମେ ରକ୍ଷା କରୁଥିବା ଯୋଗୁଁ ଶିକ୍ଷିତ ଓ ଉଚ୍ଚବଂଶରୁ ଆସିଥିବା ଅନୁଚରମାନେ ମନେ ମନେ ବଡ଼ ଦୁଃଖିତ ହେଉଥିଲେ । ସେମାନଙ୍କ ମନ କଥା ଜାଣିପାରି ଦିନେ ଯୀଶୁ ସେମାନଙ୍କୁ ଏଇ ଗପଟି କହିଲେ ।

 

ଗୋଟିଏ ଲୋକର କେତୋଟି ପୁଅ ଥିଲେ । ସେମାନେ ସମସ୍ତେ ବାଧ୍ୟ ଓ ଭଦ୍ର, ମାତ୍ର ସାନ ପୁଅଟି ଯେପରି ଦୁଷ୍ଟ ସେହିପରି ବିପଥଗାମୀ । ତାର ପିତା ଓ ଭାଇମାନେ ବହୁ ଚେଷ୍ଟା କରି ସୁଦ୍ଧା ତାକୁ ଭଲ ବାଟକୁ ଆଣି ପାରିଲେ ନାହିଁ । ଦିନେ ସାନପୁଅ ନିଜ ପିତାଙ୍କୁ ଯାଇ କହିଲା–“ମୁଁ ଆଉ ଆପଣମାନଙ୍କ ସଙ୍ଗେ ଏକାଠି ଚଳି ପାରିବି ନାହିଁ । ସମ୍ପତ୍ତିରେ ଥିବା ମୋର ଅଂଶ ମତେ ଦେଇ ଦିଅନ୍ତୁ, ମୁଁ ଅନ୍ୟତ୍ର ରହି ମୋ ନିଜ ଇଚ୍ଛା ଅନୁସାରେ ଚଳିବି ।” ଅନ୍ୟ ପୁଅମାନଙ୍କ ଅନିଚ୍ଛା ସତ୍ତ୍ୱେ ତାର ପିତା ସମ୍ପତ୍ତିରେ ଥିବା ତାର ଅଂଶ ତାକୁ ଅଲଗା କରି ଦେଇଦେଲେ ।

 

ସାନପୁଅ ନିଜ ଅଂଶକୁ ସଙ୍ଗେ ସଙ୍ଗେ ବିକି ଦେଇ, ସବୁତକ ଟଙ୍କା ଧରି ଗାଁ ଛାଡ଼ି ସହରକୁ ଚାଲିଗଲା । ସେଠି ସେ କେତେକ ଖରାପ ଲୋକଙ୍କ ସଙ୍ଗରେ ମିଶି ମଦ ପିଇବା, ଜୁଆ ଖେଳିବା ପ୍ରଭୃତି ଖରାପ କାମରେ ସମୟ କଟାଇବାକୁ ଲାଗିଲା । କିଛି ଦିନ ଏହି ଭାବରେ ଚଳିବା ପରେ ତା ପାଖରେ ଥିବା ଟଙ୍କାତକ ସରିଗଲା । ସେଠୁ ସେ ନିଜ ଘରେ ଥିବା ମୂଲ୍ୟବାନ ଆସବାବମାନ ବିକି କିଛି ଦିନ ଫୂର୍ତ୍ତି କଲା । ସେ ଟଙ୍କା ମଧ୍ୟ ଶେଷ ହୋଇ ଯିବାରୁ ସେ ନିଜର କୁସଙ୍ଗୀମାନଙ୍କଠାରୁ ଟଙ୍କା କରଜ କରି ଖରାପ କାମରେ ଖର୍ଚ୍ଚ କରିବାକୁ ଲାଗିଲା । କିଛି ଦିନ ପରେ ସେଇ କୁସଙ୍ଗୀମାନେ ତାକୁ ଦେଇଥିବା ଋଣ ଟଙ୍କା ଫେରସ୍ତ ମାଗିଲେ; ମାତ୍ର ଟଙ୍କା ଫେରସ୍ତ ଦେବା ଲାଗି ସେ ଅକ୍ଷମ ହେବାରୁ ସେଇ ଦୁଷ୍ଟ ସାଙ୍ଗମାନେ ତାର ଦାମିକା ପୋଷାକ, କମିଜ ଛଡ଼ାଇ ଆଣି ଛିଣ୍ଡା ଲୁଗା ପିନ୍ଧାଇ ତାକୁ ସେଇ ଘରୁ ଧକକା ମାରି ବାହାର କରିଦେଲେ । ଏପରି ଦୁର୍ଦ୍ଦଶା ଓ ଅପମାନ ସହି ସାନପୁଅ ନିଜର ଭୁଲ ବୁଝିପାରିଲା ଏବଂ ଶେଷ ଆଶ୍ରୟ ପାଇବା ସକାଶେ ପୁଣି ନିଜ ପିତାଙ୍କ ନିକଟକୁ ଫେରିଯିବା ଲାଗି ମନେ ମନେ ସ୍ଥିର କଲା ।

 

ଭୋକ ଓପାସରେ ଦୀର୍ଘ ବାଟ ଚାଲି ଚାଲି ସାନପୁଅ ନିଜ ପୈତୃକ ଘରେ ପହଞ୍ଚିଲାବେଳକୁ ତାର ବଡ଼ ଭାଇମାନେ ଚାଷକାମ ତଦାରଖ କରିବା ଲାଗି କ୍ଷେତକୁ ଯାଇଥିଲେ, ଏବଂ ବୃଦ୍ଧ ପିତା ଘର ଭିତରେ ବିଶ୍ରାମ କରୁଥିଲେ । ସାନପୁଅର ଛିଣ୍ଡା, ଶୁଖିଲା ମୁହଁ ଓ ନୁଖୁରା ବାଳ ଦେଖି ଦାଣ୍ଡଦୁଆରେ ଥିବା ଚାକରମାନେ ତାକୁ ଗୋଟିଏ ଭିକାରୀ ବିଚାରି ଭିତରକୁ ପଶିବା ଲାଗି ଅନୁମତି ଦେଉ ନଥିଲେ । ଏପରି ସମୟରେ ତାର କଣ୍ଠ ସ୍ୱର ଶୁଣି ବୃଦ୍ଧ ପିତା ବାହାରି ଆସି ତାକୁ ଦେଖିବାମାତ୍ରେ ସ୍ନେହରେ କୋଳ ଉପରକୁ ଟାଣି ଆଣି ତାର ଖବର ପଚାରିବାରୁ ଅନୁତପ୍ତ ସାନପୁଅ ପିତାଙ୍କ ପାଦ ତଳେ ପଡ଼ି କାନ୍ଦି କାନ୍ଦି ନିଜର ଦୋଷ ସ୍ୱୀକାର କରି ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା ।

 

ବୃଦ୍ଧ ସଙ୍ଗେ ସଙ୍ଗେ ଭୃତ୍ୟମାନଙ୍କୁ ଡ଼ାକି ପୁଅପାଇଁ ଖୁବ୍ ଦାମିକା ପୋଷାକ ଆଣିବାକୁ କହିଲେ । ପୋଷାକ ଅଣାଗଲା ଉତ୍ତାରୁ ତାଙ୍କ ଆଦେଶରେ ଦୁଇଜଣ ଭୃତ୍ୟ ସାନପୁଅକୁ ଉତ୍ତମରୂପେ ସୁଗନ୍ଧୀ ତେଲ ମାଲିସ କରି ସ୍ନାନ କରାଇ ଦେଲେ ଏବଂ ସେଇ ଦାମିକା ପୋଷାକ ପିନ୍ଧାଇ ଦେଲେ । ତା ପରେ ବୃଦ୍ଧଙ୍କ ଆଦେଶ ଅନୁସାରେ ତାଙ୍କର ମେଣ୍ଢାପଲ ମଧ୍ୟରୁ ସବୁଠାରୁ ଭଲ ମେଣ୍ଡାଟିକୁ ମାରି ଏକ ଭୋଜିର ଆୟୋଜନ କରାଗଲା । ଆଖ ପାଖ ସାଇ ପଡ଼ିଶା ସମସ୍ତେ ଏଇ ଭୋଜିରେ ଯୋଗ ଦେବା ଲାଗି ତାଙ୍କ ଘରେ ପହଞ୍ଚିଲେ ।

 

ବଡ଼ ପୁଅମାନେ ସଞ୍ଜବେଳେ ବିଲରୁ ଫେରି ଏଇ ଭୋଜିର ଆୟୋଜନ ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲେ । ସବୁ ଘଟଣା ଶୁଣି ବଡ଼ ପୁଅ ଖୁବ୍ ଦୁଃଖିତ ହୋଇ ନିଜ ପିତାଙ୍କୁ ଯାଇ କହିଲା–“ଯେଉଁ ପୁଅ ଘରର କାହାରି ଭଲମନ୍ଦ ନବୁଝି, ନିଜର ସୁଖ ସକାଶେ ସମ୍ପତ୍ତିର ଭାଗନେଇ ଚାଲିଗଲା, ତାରି ସକାଶେ ଆପଣ ଏତେ ଟଙ୍କା ଖର୍ଚ୍ଚ କରି ଏପରି ଉତ୍ସବ କରୁଛନ୍ତି ! ସେପରି ଅଯେୋଗ୍ୟ ପୁଅକୁ ତ ଘରେ ପଶିବାକୁ ଦେବା ଅନୁଚିତ ।”

 

ଏକଥା ଶୁଣି ବୃଦ୍ଧ ଉତ୍ତର ଦେଲେ–“ତୋର ଅନେକ ଗୁଡ଼ିଏ ଗାଈ ଅଛନ୍ତି । ସେଗୁଡ଼ିକ ମଧ୍ୟରୁ ଯଦି ଗୋଟିଏ ଗାଈ ହଜିଯାଏ, ତେବେ ତୁ ଯେପରି ସବୁବେଳେ ସେଇ ହଜିଯାଇଥିବା ଗାଈଟି ସକାଶେ ସବୁବେଳେ ଦୁଃଖ କରୁଥିବୁ ଏବଂ ଯେଉଁଦିନ ସେଇ ହଜିଲା ଗାଈଟି ଫେରି ଆସିବ, ସେଦିନ ତୋ ମନ ଯେପରି ଆନନ୍ଦରେ ପୂରିଯିବ, ତୋର ଦୁଷ୍ଟ ସାନଭାଇ ଏତେ ଦିନ ପରେ ଭଲ ବାଟକୁ ଫେରି ଆସିଥିବା ଯୋଗୁଁ ମୋ ମନ ଆଜି ଠିକ୍ ସେଇପରି ଆନନ୍ଦିତ ହେଉଚି-।”

 

ଏହି ଗପଟି ଶେଷ କରି ଯୀଶୁ କହିଲେ–“ଆମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ । ପାପୀ କୁହାଯାଉଥିବା ବିପଥଗାମୀ ସନ୍ତାନମାନଙ୍କ ଲାଗି ତାଙ୍କର ସ୍ନେହ ଅଧିକ ଏବଂ ସେ ସର୍ବଦା ସେମାନଙ୍କର ଫେରି ଆସିବାକୁ ଅପେକ୍ଷା କରି ରହିଚନ୍ତି । ତେଣୁ ପାପକୁ ବିରୋଧ କରିବା ସଙ୍ଗେ ସଙ୍ଗେ ପାପୀମାନଙ୍କୁ ଆନ୍ତରିକ ସ୍ନେହ କରିବା ଓ ସହାନୁଭୂତି ଦେଖାଇବା ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ।”

 

[୩–ଅନୁତାପର ଶକ୍ତି]

 

ଯୀଶୁ ଜନ୍ମ ହେବା ପୂର୍ବରୁ ଜନ୍ ନାମରେ ଜଣେ ସାଧକ ମଧ୍ୟପ୍ରାଚ୍ୟ ସାରା ବୁଲି ବୁଲି କହୁଥିଲେ–“ପାପୀମାନେ, ଶୀଘ୍ର ଅନୁତାପ କର, କାରଣ ଅତି ନିକଟରେ ସ୍ୱୟଂ ଭଗବାନଙ୍କ ଅବତାର ଜନ୍ମଗ୍ରହଣ କରିବେ ।” ଏ କଥାର ଅର୍ଥ ଯେ ଅନୁତପ୍ତ ଲୋକେ ନିଶ୍ଚେଁ ସ୍ୱର୍ଗରାଜ୍ୟ ବା ମୋକ୍ଷର ଅଧିକାରୀ ହେବେ, କାରଣ ଆନ୍ତରିକ ଅନୁତାପ ଫଳରେ ସେମାନଙ୍କର ଅନ୍ତର ମଧ୍ୟରେ ସଞ୍ଚିତ ହୋଇ ରହିଥିବା ପାପ ଓ କଳୁଷ ନିଶ୍ଚିହ୍ମ ହୋଇଯିବ । ଅନୁତାପର ଶକ୍ତି ବୁଝାଇବା ଲାଗି ଯୀଶୁ ନିଜ ଅନୁଚରମାନଙ୍କୁ ଦିଓଟି ଗଳ୍ପ କହିଥିଲେ ।

 

ଜଣେ ଲୋକର ଦିଓଟି ପୁଅ ଥିଲେ । ଦିନେ ସେ ବଡ଼ପୁଅକୁ ଡ଼ାକି କହିଲା–“ଆଜି ମୋ ଦେହ ଅସୁସ୍ଥ ଲାଗୁଛି । ତୁ ଆଜି କ୍ଷେତକୁ ଯାଇ ଚାଷ କାମ କଥା ବୁଝିବୁ ।” ଏ କଥା ଶୁଣି ବଡ଼ପୁଅ ସିଧା ସଳଖ ଜବାବ୍ ଦେଲା–“ମୁଁ ଏ କାମ କରି ପାରିବି ନାହିଁ ।” କିଛି ସମୟ ପରେ ସେ ନିଜର ଭୁଲ ବୁଝିପାରି ଅନୁତପ୍ତ ହେଲା ଏବଂ କ୍ଷେତକୁ ଯାଇ ଚାଷ କାମ ତଦାରଖ କଲା ।

 

ବଡ଼ ପୁଅର ଉତ୍ତର ଶୁଣି ସେଇ ଲୋକଟି ସାନପୁଅକୁ ଡ଼ାକି କ୍ଷେତ କାମ ତଦାରଖ କରିବା ଲାଗି କହିଲା । ସାନପୁଅ ମୁହଁରେ ‘ହଁ’ କହିଲେ ସୁଦ୍ଧା, ଘରୁ ବାହାରି ନିଜ ସାଙ୍ଗମାନଙ୍କୁ ପାଖକୁ ଚାଲିଗଲା ଏବଂ କ୍ଷେତକାମ କଥା ଥରେ ହେଲେ ମନେ ପକାଇଲା ନାହିଁ ।

 

ଦୁଇ ପୁଅଙ୍କ ମଧ୍ୟରୁ କାହା ଆଚରଣ ଶ୍ରେଷ୍ଠ ? –ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରଶ୍ନ କଲେ ।

 

ଶିଷ୍ୟମାନେ ଉତ୍ତର ଦେଲେ–“ବଡ଼ପୁଅର ଆଚରଣ ।”

 

କେଉଁ କାରଣରୁ ସେମାନେ ଏପରି ଭାବୁଚନ୍ତି ବୋଲି ଯୀଶୁ ପଚାରିବାରୁ ଶିଷ୍ୟମାନେ କୌଣସି ଉତ୍ତର ଦେଇ ପାରିଲେ ନାହିଁ । ସେଠୁ ଯୀଶୁ ସେମାନଙ୍କୁ ବୁଝାଇବା ଲାଗି କହିଲେ–“ଏହାର କାରଣ ଯେ ବଡ଼ ପୁଅ ପରେ ନିଜ ଭୁଲ ବୁଝିପାରି ଅନୁତାପ କଲା ଏବଂ ସେଇ ଅନୁତାପ ଫଳରେ ତାର ହୃଦୟରେ ନିର୍ମଳ ହୋଇଗଲା । ସାନପୁଅ ମୁହଁରେ ବାଧ୍ୟତା ପ୍ରକାଶ କରିଥିଲେ ସୁଦ୍ଧା କାମରେ ବିପରୀତ ଭାବ ପ୍ରକାଶ କଲା ।”

 

ଦ୍ୱିତୀୟ ଗପଟି ହେଲା ଯେ ଗୋଟିଏ ଗାଁରେ ଜଣେ ବ୍ୟବସାୟୀ ଓ ଜଣେ ଗୁମାସ୍ତା ଥିଲେ । ଗୁମାସ୍ତାଟି ଖଜଣା ଆଦାୟ କରିବା ସମୟରେ ପ୍ରଜାମାନଙ୍କ ଉପରେ ନାନା ପ୍ରକାର ଜୁଲମ କରି ବହୁ ଅଧିକା ଟଙ୍କା ଅସୁଲ କରୁଥିଲା । ବ୍ୟବସାୟୀଟି ପ୍ରତିଦିନ ନାନା ପ୍ରକାର ବାହ୍ୟିକ ଉପକରଣରେ ବହୁ ସମୟ ଧରି ପୂଜା ପ୍ରାର୍ଥନା କରୁଥିଲା ଏବଂ ଏଥିସକାଶେ ନିଜକୁ ଯଥାର୍ଥ ଧାର୍ମିକ ବିଚାରି ମନେ ମନେ ବିଶେଷ ଗର୍ବ ମଧ୍ୟ ବୋଧକରୁଥିଲା ।

 

ଦିନେ ସେଇ ବ୍ୟବସାୟୀ ଓ ଗୁମାସ୍ତା ଏକା ସମୟରେ ପ୍ରର୍ଥନା ଲାଗି ମନ୍ଦିରରେ ପହଞ୍ଚିଲେ । ପ୍ରାର୍ଥନା କରିବା ସମୟରେ ବ୍ୟବସାୟୀଟି ବଡ଼ ପାଟି କରି କହିଲା–“ହେ ପରମେଶ୍ୱର-! ତୁମର ଅଶେଷ ଦୟା ଯେ ତୁମେ ମତେ ପାପୀମାନଙ୍କଠାରୁ, ବିଶେଷରେ ସେଇ ଗୁମାସ୍ତା ପରି ପାପୀଠାରୁ ବହୁ ଉଚ୍ଚ ସ୍ତରରେ ରଖିଚ । ମୁଁ ପ୍ରତିଦିନ ଯଥାବିଧି ତୁମର ପୂଜା ଅର୍ଚ୍ଚନା କରୁଚି, ଅଥଚ ସେଇ ନରାଧମ ପ୍ରତିଦିନ ନିର୍ଦ୍ଦୋଷ ଲୋକଙ୍କୁ ଶୋଷଣ କରି ନିଜେ ଧନୀ ହେଉଚି-।”

 

ଗୁମାସ୍ତା ଜଣକ ବଡ଼ ପାଟିରେ କୌଣସି ପ୍ରାର୍ଥନା ନ କଲେ ମଧ୍ୟ ଲୁହ ଛଳ ଛଳ ଆଖିରେ ମନେ ମନେ କୁହୁଥାଏ–“ହେ ପ୍ରଭୁ ! ମୋଠାରୁ ବଳି ଦୋଷୀ ଓ ପାପୀ ପୃଥିବୀରେ ଆଉ କେହି ନାହିଁ । ମୁଁ ନିଜ ମନର ଦୁର୍ବଳତାକୁ ଆୟତ୍ତ କରି ନପାରି ନାନାପ୍ରକାର ଅନ୍ୟାୟ କାମ କରିଚି-। ହେ ପରମେଶ୍ୱର ! ତୁମ ଦୟା ବିନା ମୁଁ ଏଇ ଘୋର ପାପାରୁ କଦାପି ଉଦ୍ଧାର ପାଇ ପାରିବି ନାହିଁ-। ତୁମେ ଶକ୍ତି ଦିଅ, ମୁଁ ଯେପରି ଆଉ ଏ ପାପ ବାଟରେ ନ ଚାଲେ ।”

 

ଯୋଗକୁ ଏକା ଦିନରେ ସେଇ ବ୍ୟବସାୟୀ ଓ ଗୁମାସ୍ତା ମୃତ୍ୟୁ ମୁଖରେ ପଡ଼ିଲେ । ମୃତ୍ୟୁ ପରେ ବ୍ୟବସାୟୀର ଆତ୍ମା ନରକରୁ ଏବଂ ଗୁମାସ୍ତାଟିର ଆତ୍ମା ସ୍ୱର୍ଗକୁ ଗଲା । ଏହା ଦେଖି ବ୍ୟବସାୟୀ ଜଣକ ବଡ଼ ଦୁଃଖିତ ହୋଇ ଭଗବାନଙ୍କୁ ପଚାରିଲା–“ପ୍ରଭୁ ! ଆପଣ ଏପରି ଅନ୍ୟାୟ ବିଚାର କଲେ କାହିଁକି ? ମୁଁ ପ୍ରତିଦିନ ନିୟମିତ ପୂଜା ପ୍ରାର୍ଥନା କରି ସୁଦ୍ଧା ନରକଜ୍ୱାଳା ଭୋଗୁଚି, ମାତ୍ର ସେଇ ଗୁମାସ୍ତା ଜଣକ ନାନା ପାପକାମ କରି ଏବଂ ତୁମ ପ୍ରାର୍ଥନାରେ ଅତି ଅଳ୍ପ ସମୟ ଦେଇ ସୁଦ୍ଧା ସ୍ୱର୍ଗକୁ ଗଲା । ଏହାର କାରଣ କଣ ?”

 

ଏହା ଶୁଣି ଭଗବାନ କହିଲେ–“ତୁମ ଶରୀରଟା ପୂଜା କରୁଥିଲା ସତ, ମାତ୍ର ଗର୍ବ ଓ ଅହଂକାର ତୁମ ମନକୁ ଏପରି କଳୁଷିତ କରି ଦେଇଥିଲା ଯେ ସେଇ ପୂଜାର କୌଣସି ସୁକୃତି ତୁମେ ଭାଗକରି ପାରିଲ ନାହିଁ; ମାତ୍ର ସେଇ ଗୁମାସ୍ତାଟି ଲୋଭ ହେତୁରୁ ନାନାପ୍ରକାର ଖରାପ କାମ କରିଥିଲେ ସୁଦ୍ଧା ଶେଷକୁ ଏପରି ଗଭୀର ଭାବରେ ଅନୁତାପ କଲା ଯେ ତା ଫଳରେ ତାର ସମସ୍ତ ପାପ ଧୋଇ ହୋଇଯାଇ ତାର ଦୃଦୟ ନିର୍ମଳ ହୋଇଗଲା । ତେଣୁ ସେ ସ୍ୱର୍ଗରାଜ୍ୟରେ ପଶିବାର ଅଧିକାର ପାଇଚି ।”

 

[୪–ବିଶ୍ୱାସର କରାମତି]

 

ଦିନୁ ଯୀଶୁ ଗ୍ୟାଲିଲି ଦ୍ରଦ କୂଳରେ କେତେକ ଲୋକଙ୍କୁ ଉପଦେଶ ଦେଉଚନ୍ତି, ଏପରି ସମୟରେ ଜଣେ ଧନୀ ଇହୁଦୀ ତାଙ୍କ ପାଖରେ ପହଞ୍ଚି କାନ୍ଦି କାନ୍ଦି କହିଲା–“ମହାଶୟ ! ମୁଁ ଶୁଣିଚି ଯେ ଆପଣ ମୃତକୁ ବଞ୍ଚାଇଚନ୍ତି ଓ ଅନ୍ଧକୁ ଦୃଷ୍ଟି ଶକ୍ତି ଦେଇଚନ୍ତି । ମୋର ଗୋଟିଏ ବାରବର୍ଷର ପୁଅ ଅଛି । ଗତ ତିନିବର୍ଷ ହେଲା ସେ ଏକ ମାରାତ୍ମକ ମାନସିକ ବ୍ୟାଧି ଭୋଗୁଚି । କେତେବେଳେ ନିଆଁ ଭିତରକୁ, ପୁଣି କେତେବେଳେ ବା ସମୁଦ୍ର ପାଣିକୁ ପଶି ଯାଉଚି । ବହୁ ଚେଷ୍ଟା କରି ମଧ୍ୟ ମୁଁ ତାକୁ ଆରୋଗ୍ୟ କରିପାରି ନାହିଁ । ଆପଣ ଦୟା କଲେ ମୋର ପୁଅଟି ନିଶ୍ଚୟ ଆରୋଗ୍ୟ ହୋଇ ପାରିବ ।”

 

ଏହା ଶୁଣି ଯୀଶୁ ପିଲାଟିକୁ ତାଙ୍କ ନିକଟକୁ ଆଣିବା ଲାଗି କହିଲେ । କିଛି ସମୟ ପରେ ଲୋକଟି ନିଜ ପୁଅକୁ ଧରି ପହଞ୍ଚିବାରୁ ଯୀଶୁ ସେହି ପିଲାଟି ଆଡ଼କୁ ଚାହିଁ କହିଲେ–“ପରମ ପିତାଙ୍କ ଦୟାରୁ ତୁମ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଚି । ଏବେ ନିଜ ଘରକୁ ଫେରିଯାଅ ।” ସତକୁ ସତ ଯୀଶୁ ଏହା କହିବା ମାତ୍ରେ ସେହି ପିଲାଠାରେ ଦିଶୁଥିବା ସବୁ ଅସ୍ୱାଭାବିକ ଲକ୍ଷଣ ଦୂର ହୋଇଗଲା ଏବଂ ସେ ସ୍ୱାଭାବିକ ଭାବରେ ଚାଲବୁଲ କରିବାକୁ ଲାଗିଲା ।

 

ଏହି ଆଶ୍ଚର୍ଯ୍ୟ ଘଟଣା ଦେଖି ସେଠାରେ ରୁଣ୍ଡ ହୋଇଥିବା ଲୋକେ ଯୀଶୁଙ୍କୁ ପଚାରିଲେ–“ଆପଣ କେଉଁ ଶକ୍ତିବଳରେ ଏପରି ଅସାଧ୍ୟ ସାଧନା କରିପାରୁଚନ୍ତି ?”

 

ସେମାନଙ୍କ କଥା ଶୁଣି ଯୀଶୁ କହିଲେ–“ତୁମେମାନେ ଅବିଶ୍ୱାସୀ, ତେଣୁ ଏହି ଘଟଣା ଦେଖି ଏତେ ଆଶ୍ଚର୍ଯ୍ୟ ହେଉଚ । ଯଦି ତୁମମାନଙ୍କଠାରେ ତିଳେ ମାତ୍ର ବିଶ୍ୱାସ ଥାଆନ୍ତା, ତେବେ ତାହା ବଳରେ ତୁମେ ପ୍ରତ୍ୟେକେ ନିଜର ତଥା ଅନ୍ୟମାନଙ୍କର ବହୁ ମଙ୍ଗଳ କରିପାରନ୍ତ । ଯେ ଯଥାର୍ଥ ବିଶ୍ୱାସୀ, ସେ ଆନ୍ତରିକ ଭାବରେ ଚାହିଁଲେ ଗୋଟିଏ ପର୍ବତ ମଧ୍ୟ ନିଜ ଆସ୍ଥାନରୁ ଘୁଞ୍ଚି ଯିବ-।” ଏହା ପରେ ବିଶ୍ୱାସର ବଳ ବୁଝାଇବା ଲାଗି ସେ ଏହି ଗଳ୍ପଟି କହିଲେ ।

 

ଥରେ ପରମେଶ୍ୱେର ପୃଥିବୀରେ କେଉଁ ସବୁ ଲୋକ ସ୍ୱର୍ଗରାଜ୍ୟର ଅଧିକାରୀ ତାହା ସ୍ଥିର କରିବା ସକାଶେ ଜଣେ ଦେବଦୂତଙ୍କୁ ପଠାଇଲେ । ଦେବଦୂତ ନାନା ଦେଶ ବୁଲୁ ବୁଲୁ ଦିନେ ଗୋଟିଏ କୋଳି ଗଛ ତଳେ ବସିଥିବା ଜଣେ ସାଧକଙ୍କୁ ଭେଟିଲେ । ଦେବଦୂତ ନିଜର ପରିଚୟ ଦେବାରୁ ସାଧକ କହିଲେ–“ମୁଁ ଆଜିକି କୋଡ଼ିଏ ବର୍ଷ କାଳ ଶାସ୍ତ୍ରର ନିର୍ଦ୍ଦେଶ ମାନି ପୂଜା ପ୍ରାର୍ଥନା କରି ଆସୁଚି । ତେଣୁ ମୁଁ ଯେ ନିଶ୍ଚୟ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବି ସେ ବିଷୟରେ ମୋର ଆଉ ସନ୍ଦେହ ନାହିଁ । ତେବେ ଆପଣ ତ ସ୍ୱର୍ଗରାଜ୍ୟର ବାସିନ୍ଦା । ସେଠାରେ ଆପଣ କଣ କଣ ଦେଖିଚନ୍ତି ମତେ ଅନୁଗ୍ରହ କରି କହନ୍ତୁ ।” ଦେବଦୂତ କହିଲେ–“ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାରା ଅତି ସାନ, ଗୋଟିଏ ଛୁଞ୍ଚିର ଫୋଡ଼ପରି;–ମାତ୍ର ସେଇ ଫୋଡ଼ବାଟେ ବଡ଼ ବଡ଼ ଓଟ, ଘୋଡ଼ା ଇତ୍ୟାଦି ଅନାୟାସରେ ଯା ଆସ ହେଉଚନ୍ତି ।” ତାଙ୍କ ଉତ୍ତର ଶୁଣି ସାଧକଟି ବହୁ ସମୟ ହସି ବିଦ୍ରୂପ କରି କହିଲେ–“ମହାଶୟ ! ଆପଣ ଜଣେ ଦେବଦୂତ ହୋଇ ଏପରି ଅସମ୍ଭବ କଥା କହୁଚନ୍ତି କିପରି ଏବଂ ମୁଁ ମଧ୍ୟ କେଉଁ ପସନ୍ଦରେ ତାହା ବିଶ୍ୱାସ କରିବି ।” ଦେବଦୂତ ତାଙ୍କ ବିଦ୍ରୂପର କୌଣସି ଉତ୍ତର ନ ଦେଇ ନିଜ ବାଟରେ ଚାଲିଲେ ।

 

କିଛି ଦୂର ଯିବାପରେ ଦେବଦୂତ ଦେଖିଲେ, ଗୋଟିଏ କୁଡ଼ିଆ ସାମନାରେ ଜଣେ ରମଣୀ ବିଷର୍ଣ୍ଣ ମୁହଁରେ ବସିଚି । ଦେବଦୂତ ତାକୁ ନିଜର ପରିଚୟ ଦେବାରୁ, ସେ ତାଙ୍କୁ ପ୍ରଣାମ କରି କହିଲା–“ହେ ଧର୍ମାତ୍ମା ! ବହୁବର୍ଷ ଧରି ନାନା ଅନ୍ୟାୟ ଓ ପାପ କାର୍ଯ୍ୟ କରି ମୋର ଜୀବନ କଳଙ୍କିତ ହୋଇଚି । ତେଣୁ ମୃତ୍ୟୁପରେ ମୁଁ ନିଶ୍ଚୟ ନରକରେ ପଡ଼ିବି; ମାତ୍ର ଆପଣ ଜଣେ ଦେବଦୂତ । ସେଣୁ ସ୍ୱର୍ଗରାଜ୍ୟ କିପରି ତାହା ଅନୁଗ୍ରହ କରି ମୋତେ କହନ୍ତୁ, କାରଣ ସେଠାକୁ ଯିବାର ଭାଗ୍ୟ କଦାପି ହେବନାହିଁ ।” ଏହା ଶୁଣି ଦେବଦୂତ ଛୁଞ୍ଚି ଫୋଡ଼ି ବାଟେ ଓଟ, ଘୋଡ଼ା ଇତ୍ୟାଦି ଯା ଆସ ହେଉଥିବାର କଥା କହିଲେ । ଏହା ଶୁଣି ସାରି ସ୍ତ୍ରୀ ଲୋକଟି ପରମ ଭକ୍ତିରେ କହିଲା–“ନିଶ୍ଚୟ, ନିଶ୍ଚୟ ! ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ପକ୍ଷରେ ଏହା ତ ଏକ ଅତି ତୁଚ୍ଛ ଘଟଣା-। ସେ ଇଚ୍ଛା କଲେ କଣ ବା ନ ହୋଇ ପାରିବ !”

 

ସେହି ଦିନ ରାତିରେ ସ୍ତ୍ରୀ ଲୋକଟି ସ୍ୱପ୍ନରେ ଆଦେଶ ପାଇଲା–“ନିଶ୍ଚିନ୍ତ ଥାଅ, ଅତିଶୀଘ୍ର ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ।” ମାତ୍ର ସାଧକଟି ପ୍ରତି ସ୍ୱପ୍ନାଦେଶ ହେଲା–“ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ଲାଗି ତୁମର ବହୁତ ବିଳମ୍ବ ଅଛି । ଯେଉଁ କୋଳିଗଛ ତଳେ ତୁମେ ବସିଚ, ସେଇ ଗଛରେ ଯେତୋଟି ପତ୍ର ଅଛି, ଆହୁରି ସେତିକି ବର୍ଷ ସାଧନା କରି ନିଜ ହୃଦୟକୁ ଶୁଦ୍ଧ କଲେ ତୁମେ ସ୍ୱର୍ଗରେ ପ୍ରବେଶ କରି ପାରିବ ।”

 

ଗପଟି ଶେଷ କରି ଯୀଶୁ ସହିଲେ–“ବିଶ୍ୱାସ ହଉଚି ମୁକ୍ତିର ମୂଳ ମନ୍ତ୍ର । ବିଶ୍ୱସ ନଥିଲେ ଜ୍ଞାନ, ପାଣ୍ଡିତ୍ୟ ବା ବାହ୍ୟିକ ନିଷ୍ଠା କୌଣସି କାମରେ ଲାଗେ ନାହିଁ । ଯେ ଅବିସ୍ୱାଶୀ, ତାର ମୁକ୍ତି ଅସମ୍ଭବ ।”

Image

 

ସଇତାନର ପରାଜୟ

 

ଯୀଶୁ ପାପୀ ଓ ଅଜ୍ଞ ଲୋକଙ୍କୁ ଭଲ ବାଟକୁ ଆଣୁଚନ୍ତି ଦେଖି ପାପବୁଦ୍ଧିର ମାଲିକ ଶଇତାନ ବଡ଼ ବ୍ୟସ୍ତ ହୋଇପଡ଼ିଲା । ସେ ବୁଝିପାରିଲା ଯେ ଅଳ୍ପ ଦିନ ମଧ୍ୟରେ ତାର ପ୍ରତିପତ୍ତି ଏକ ପ୍ରକାର ଲୋପ ପାଇଯିବ । ତେଣୁ ସେ ନିଜର ପରମଶତ୍ରୁ ଯୀଶୁଙ୍କୁ ନିଜ ଆୟତ୍ତକୁ ଆଣିବା ଲାଗି ନାନା ପ୍ରକାର ଚେଷ୍ଟା ଆରମ୍ଭ କଲା ।

 

ଯୀଶୁ ଏହା ଜାଣିପାରି ନିଜ ଶିଷ୍ୟମାନଙ୍କୁ କହିଲେ–“ଜେରୁଯେଲମ ନିକଟରେ ଥିବା ଗୋଟିଏ ପାହାଡ଼ ଉପରେ ମୁଁ ଚାଳିଶ ଦିନ ଉପବାସ ରହି ପରମେଶ୍ୱରଙ୍କର ଉପାସନା କରିବି । ଏହି ସମୟ ମଧ୍ୟରେ ତୁମେମାନେ କେହି ମୋ ନିକଟକୁ ଆସିବ ନାହିଁ ।” ଏହା କହି ସେ ଗୋଟିଏ ଟାଙ୍ଗରା ପାହାଡ଼ ଉପରକୁ ଏକାକୀ ଚାଲିଗଲେ ।

 

ଚାହୁଁ ଚାହୁଁ ଏକମାସ ବିତିଗଲା । ଯୀଶୁ ଦାରୁଣ ଭୋକ ଓ ଅସହ୍ୟ ଖରାତାତିକୁ ଉପେକ୍ଷା କରି ପ୍ରାର୍ଥନାରେ ମଗ୍ନ ରହିଚନ୍ତି ଦେଖି ଶଇତାନ ଆଉ ନିଜକୁ ସମ୍ଭାଳି ନ ପାରି ସିଧାସଳଖ ସେହି ପାହାଡ଼ ଉପରେ ପହଂଚି ତାଙ୍କୁ କହିଲା–“ତୁମେ ଯଦି ପ୍ରକୃତରେ ଈଶ୍ୱରଙ୍କ ପୁଅ ହୋଇଥାଅ, ତା’ହେଲେ ଏଇ ଟାଙ୍ଗରା ଭୂମିରେ କେତେଗୁଡ଼ିଏ ଗଛ ସୃଷ୍ଟି କରି ନିଜ ଶରୀରକୁ ଖରାତାତିରୁ ରକ୍ଷାକର ।”

 

ଯୀଶୁ ଉତ୍ତର ଦେଲେ–“ଶରୀରଟା କ୍ଷଣଭଙ୍ଗୁର, ଆତ୍ମାହିଁ ଚିରସ୍ଥାୟୀ । ତେଣୁ ଶରୀରକୁ ଉପେକ୍ଷା କରି ଆତ୍ମାର ଉନ୍ନତି ସାଧନ ଲାଗି ଶାସ୍ତ୍ରରେ କୁହାଯାଇଚି ।”

 

ଏହା ଶୁଣି ପୁଣି ଶଇତାନ କହିଲା–“ତୁମେ ବୃଥା ଭୋକରେ ଏତେ କଷ୍ଟ ଭୋଗୁଚ କାହିଁକି ? ତୁମେ ତ ଈଶ୍ୱରଙ୍କର ପୁଅ, ତେଣୁ ତୁମେଏଇ ପଥରଗୁଡ଼ାକୁ ନିଜ ଶକ୍ତିରେ ରୁଟିରେ ପରିଣତ କରି ନିଜର ଭୋକ ଶାନ୍ତ କର ।”

 

ଏ କଥା ଶୁଣି ଯୀଶୁ କହିଲେ–“ଶରୀରର ଖାଦ୍ୟ ରୁଟି, ମାତ୍ର ଆତ୍ମାର ଖାଦ୍ୟ ଉପାସନା-। ଉପାସନା ଦ୍ୱାରାହିଁ ଆତ୍ମା ଶକ୍ତିଶାଳୀ ହୁଏ । ପୁଣି ଆତ୍ମା ଅବିନଶ୍ୱର । ତେଣୁ ରୁଟି ଅପେକ୍ଷା ଉପାସନାହିଁ ମୋ ପକ୍ଷରେ ଅଧିକ ଆବଶ୍ୟକ ।”

 

କୂଟବୁଦ୍ଧି ଶଇତାନ ତଥାପି ନିରସ୍ତ ନ ହୋଇ ପୁଣି କହିଲା–“ଲୋକମାନେ ତୁମକୁ ଈଶ୍ୱରଙ୍କ ପୁତ୍ର ବୋଲି ସ୍ୱୀକାର କରୁନାହାନ୍ତି । ତେଣୁ ସେମାନଙ୍କର ପ୍ରତ୍ୟେୟ ଜନ୍ମାଇବା ସକାଶେ ତୁମେ ଏଇ ପାହାଡ଼ ଉପରୁ ତଳକୁ କୁଦିପଡ଼ । ତୁମେ ତ ଈଶ୍ୱରଙ୍କର ପୁତ୍ର, ତେଣୁ ସେ ତୁମକୁ ରକ୍ଷାକରିବା ନିମନ୍ତେ ନିଶ୍ଚୟ ଦେବଦୂତମାନଙ୍କୁ ପଠାଇବେ ଏବଂ ତୁମେ ତଳେ ପଡ଼ି ଆଘାତ ପାଇବା ପୂର୍ବରୁ ସେମାନେ ନିଶ୍ଚୟ ତୁମକୁ କୋଳରେ ଧରିପକାଇବେ । ଏହା ଘଟିଲେ ସବୁ ଲୋକ ତୁମକୁ ବିଶ୍ୱାସ କରିବେ ଏବଂ ତୁମ କଥା ମାନିବେ ।”

 

ଯୀଶୁ ଦୃଢ଼କଣ୍ଠରେ ଉତ୍ତର ଦେଲେ–“ଶାସ୍ତ୍ରରେ ଲେଖାଯାଇଚି, ସର୍ବଶକ୍ତିମାନ୍ ପରମେଶ୍ୱରଙ୍କୁ ଅକାରଣରେ ତାଙ୍କ ମାହାତ୍ମ୍ୟ ପ୍ରକାଶ କରିବା ଲାଗି କହିବ ନାହିଁ । ତେଣୁ ମୁଁ କଦାପି ଏପରି ଅପକାର୍ଯ୍ୟ କରିପାରିବିନାହିଁ ।”

 

ସବୁ ପ୍ରକାରେ ନିରାଶ ହୋଇ ଶଇତାନ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରି କହିଲା–“ଏଇ ପୃଥିବୀର ସବୁ ଧନ, ସଂପଦ ଓ ଲୋକ ମୋର ଅଧୀନ । ତୁମେ ଥରେ ମାତ୍ର ମତେ ନିଜର ପ୍ରଭୁ ବୋଲି ସ୍ୱୀକାର କଲେ ମୁଁ ତୁମକୁ ସାରା ପୃଥିବୀର ସମ୍ରାଟ କରିଦେବି । ତେଣିକି ତୁମେ ଅତୁଳ ଶକ୍ତି ଓ ସଂପଦର ଅଧିକାରୀ ହୋଇ ଯାହା ଇଚ୍ଛା ତାହା କରିପାରିବ ।”

 

ଯୀଶୁ କହିଲେ–“ପାର୍ଥିବ ଧନ ବା ଶକ୍ତିରେ ମୋର କୌଣସି ପ୍ରୟୋଜନ ନାହିଁ । ଯାହା ଅନନ୍ତ ଓ ଅବିନଶ୍ୱର ତାହାହିଁ ମୋର ଲୋଡ଼ା । ମୋର ପିତା ପରମେଶ୍ୱର ମୋ ସକାଶେ କୌଣସି ଅଭାବ ରଖିନାହାନ୍ତି । ତୁମେ ଈଶ୍ୱର-ଦ୍ରୋହୀ । ତେଣୁ ତୁମ କଥା ମାନି କୌଣସି କାମ କଲେ ବା ତୁମଠାରୁ କୌଣସି ଦାନ ଗ୍ରହଣ କଲେ, ମୁଁ ମଧ୍ୟ ଈଶ୍ୱରଙ୍କର ବିରୁଦ୍ଧାଚରଣ କରିବି । ତେଣୁ, ତୁମେ ମତେ ଅଯଥା ପ୍ରଲୋଭନ ନ ଦେଖାଇ ଶୀଘ୍ର ଏ ସ୍ଥାନ ଛାଡ଼ି ଚାଲିଯାଅ ।”

 

ସବୁ ପ୍ରକାରେ ପରାଜୟ ପାଇ ଶଇତାନ ନିରାଶ ହୋଇ ପାହାଡ଼ ଉପରୁ ଅନ୍ତର୍ଦ୍ଧାନ ହୋଇଗଲା ।

Image

 

ପୁରୋହିତମାନଙ୍କର କ୍ରୋଧ

 

ଯୀଶୁଙ୍କର ଉପଦେଶ ଶୁଣି ଏବଂ ତାଙ୍କର ସ୍ୱର୍ଗୀୟ ଆଚରଣ ଦେଖି କ୍ରମେ ଅଧିକ ଲୋକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାକୁ ଲାଗିଲେ । ଏହା ଫଳରେ ଇହୁଦୀ ପୁରୋହିତ (ରାବି) ମାନଙ୍କର ସମ୍ମାନ, ପ୍ରତିପତ୍ତି ଏବଂ ଆୟ ଯଥେଷ୍ଟ ପରିମାଣରେ କମିଗଲା । ତେମୁ ଯୀଶୁଙ୍କୁ ଭଣ୍ଡ ଓ ରାଜଦ୍ରୋହୀ ବୋଲି ପ୍ରମାଣିତ କରି ଦଣ୍ଡ ଦିଆଇବା ଲାଗି ସେମାନେ ସବୁପ୍ରକାର ଚେଷ୍ଟା କଲେ ।

 

ପ୍ରଥମେ ସେମାନେ ଯୀଶୁଙ୍କର ଅଲୌକିକ ଶକ୍ତିକୁ ମିଥ୍ୟା ଓ ପ୍ରତାରଣା କହି ଉଡ଼ାଇ ଦେବାକୁ ଚେଷ୍ଟା କରିଥିଲେ; ମାତ୍ର ସେମାନଙ୍କ ଆଗରେ ଯୀଶୁ ଏକାଧିକ ଅଲୌକିକ କାର୍ଯ୍ୟ କରିବାରୁ ଏବଂ ବିଶେଷରେ ଜଣେ ରାବିର ମୃତ କନ୍ୟାକୁ ଜୀଆଇ ଦେବାର ଦେଖି ସେମାନେ ଆଉ ତାଙ୍କୁ ମିଥ୍ୟାବାଦୀ କହିପାରିଲେ ନାହିଁ । ତେଣୁ ତାଙ୍କୁ ଅପଦସ୍ଥ କରିବା ଲାଗି ଅନ୍ୟ ବାଟ ଖୋଜିବାକୁ ଲାଗିଲେ ।

 

ଇହୁଦୀମାନଙ୍କ ଶାସ୍ତ୍ରରେ ଲେଖା ଅଛି ଯେ ରବିବାର ଦିନଟିକୁ ଈଶ୍ୱର ବିଶ୍ରାମ ଓ ପ୍ରାର୍ଥନା ଲାଗି ନିର୍ଦ୍ଦିଷ୍ଟ କରିଚନ୍ତି । ତେଣୁ ସେଦିନ ପ୍ରାର୍ଥନା ବ୍ୟତୀତ ଅନ୍ୟ କୌଣସି କାମ କରିବା ଧର୍ମ-ବିରୁଦ୍ଧ । ଥରେ ଗୋଟିଏ ରବିବାର ଦିନ ଜଣେ ଲୋକ ତାର ଜନ୍ମାନ୍ଧ ପୁଅକୁ ଆଣି ତାର ଦୃଷ୍ଟିଶକ୍ତି ଫେରାଇ ଦେବା ଲାଗି ଯୀଶୁଙ୍କୁ ଅନୁରୋଧ କଲା । ତାର ବ୍ୟାକୁଳତା ଦେଖି ଯୀଶୁ ନିଜ ଐଶ୍ୱରିକ ଶକ୍ତି ବଳରେ ସେଇ ପିଲାଟିକୁ ଦୃଷ୍ଟି ଶକ୍ତି ଦେଲେ । ଏହା ଦେଖି ରାବିମାନେ ସଙ୍ଗେ ସଙ୍ଗେ ଘୋର ପ୍ରତିବାଦ କରି କହିଲେ–“ଯୀଶୁ ଶାସ୍ତ୍ରର ବିରୁଦ୍ଧା-ଚରଣ କରିଚନ୍ତି । ରବିବାରଦିନ ଉପାସନା ବ୍ୟତୀତ ଅନ୍ୟ କାମରେ ଲିପ୍ତ ରହି ସେ ଧର୍ମ ଭଙ୍ଗ କରିଚନ୍ତି, ତେଣୁ ସେ ଆଇନ ଅନୁସାରେ ଦଣ୍ଡନୀୟ ।”

 

ଏହା ଶୁଣି ଯୀଶୁ କହିଲେ–“ତୁମେମାନେ ଘୋର ଅଜ୍ଞ । ତୁମେ କେବଳ ଅକ୍ଷର ଚିହ୍ନି ଶିଖିଚ ମାତ୍ର, ଶାସ୍ତ୍ରର ମର୍ମ ବୁଝିପାରିନାହିଁ । ଆଚ୍ଛା, ସତ କରି କହ ତ ଦେଖି, ପ୍ରତି ରବିବାରେ ତୁମେମାନେ କଣ ଖାଇବା, ଗାଧୋଇବା ପ୍ରଭୃତି ନିତ୍ୟ ନୈମିତ୍ତିକ କାମଗୁଡ଼ିକ ବନ୍ଦ ରଖ ?”

 

ରାବିମାନେ କୌଣସି ଉତ୍ତର ଦେଇ ନ ପାରି ନୀରବ ରହିଲେ ।

 

ଯୀଶୁ ପୁଣି କହିବାକୁ ଲାଗିଲେ–“ମନେକର ରବିବାର ଦିନ ତୁମେ ଯଦି ଦେଖିବ ଯେ ତୁମ ଗାଈଟି ପୋଖରୀରେ ପଡ଼ି ବୁଡ଼ି ଯାଉଚି, ତେବେ ତୁମେ କଣ ‘ରବିବାର’ ଦିନ କୌଣସି କାମ କରିବା ମନା’ ବୋଲି ତାକୁ ବୁଡ଼ି ମରିବା ପାଇଁ ଛାଡ଼ିଦବ ନା ସଙ୍ଗେ ସଙ୍ଗେ ପୋଖରୀ ଭିତରେ ପଶି ତାକୁ ନିଶ୍ଚିତ ମରଣରୁ ଉଦ୍ଧାର କରିବ ?”

 

ଏଥର ମଧ୍ୟ ରାବିମାନେ କୌଣସି ଉତ୍ତର ଦେଇ ନ ପାରି ଲଜ୍ଜାରେ ମୁଣ୍ଡ ପୋତି ରହିଲେ ।

 

ଏହି ପରାଜୟରେ ଅତିରିକ୍ତ ଅପମାନିତ ହୋଇ ସେମାନେ ଭିନ୍ନ ପନ୍ତାରେ ଯୀଶଙ୍କୁ ଜବତ୍ କରିବାର ଉପାୟ ଖୋଜିଲେ ।

 

ସେ ସମୟରେ ଜୁଡ଼ିଆ ଦେଶ ରୋମର ଗୋଟିଏ କରଦ ରାଜ୍ୟ ଥିଲା । ସେ ଦେଶରେ ଜଣେ ରାଜା ରହୁଥିଲେ ମଧ୍ୟ ରୋମ ସମ୍ରାଟଙ୍କର ପ୍ରତିନିଧି ତାଙ୍କଠାରୁ ବହୁତ ବେଶି କ୍ଷମତାଶାଳୀ ଥିଲେ । ତେଣୁ ରାବିମାନେ ରୋମ ସମ୍ରାଟଙ୍କ ପ୍ରତିନିଧି ପାଇଲଟଙ୍କ ନିକଟରେ ଯାଇ କହିଲେ–“ରୋମ ସମ୍ରାଟଙ୍କୁ କର ନଦେବା ଲାଗି ଯୀଶୁ ଲୋକମାନଙ୍କୁ ମତାଉଚି । ସେ କହୁଚି ଯେ ତୁମର ଯାହା କିଛି ଅଛି ସବୁ ମୋର ପିତା ଈଶ୍ୱରଙ୍କୁ ଦିଅ, ତେବେ ଯାଇ ତୁମେମାନେ ମୁକ୍ତି ପାଇବ-। ଆପଣ ଯଦି ଶୀଘ୍ର ଏହାର ପ୍ରତିକାର ନ କରନ୍ତି, ତେବେ ଅଳ୍ପଦିନ ମଧ୍ୟରେ ଦେଶସାରା ବିଦ୍ରୋହ ଏବଂ ଅରାଜକତା ବ୍ୟାପିଯିବ ।”

 

ଏହା ଶୁଣି ପାଇଲଟ ଚିନ୍ତିତ ହୋଇ ଘଟଣାର ଗୁରୁତ୍ୱ ବୁଝିବା ସକାଶେ ଯୀଶୁଙ୍କ ନିକଟକୁ ଜଣେ କର୍ମଚାରୀଙ୍କୁ ପଠାଇଲେ । ରାଜକର୍ମଚାରୀ ଯୀଶୁଙ୍କ ନିକଟରେ ପହଞ୍ଚିଲାବେଳକୁ ସେ ଦଳେ ଲୋକଙ୍କୁ ଧର୍ମ ଉପଦେଶ ଦେଉଥିଲେ । କର୍ମଚାରୀଟି ସଭା ମଧ୍ୟରେ ପହଞ୍ଚି ନିଜର ପରିଚୟ ଦେଇ ଯୀଶୁଙ୍କୁ ପଚାରିଲେ–“ଆହେ ଯୀଶୁ ! ତୁମେ କୁଆଡ଼େ ଏ ଦେଶର ଲୋକମାନଙ୍କୁ ସିଜରଙ୍କୁ କର ନ ଦେବା ପାଇଁ କହୁଚ ?”

 

ଯୀଶୁ କହିଲେ–“କେଉଁ ପ୍ରକାରେ ସିଜରଙ୍କୁ କର ଦିଆ ହୁଏ, ତାହା ମତେ ଟିକିଏ ବୁଝାଇ ଦିଅନ୍ତୁ ।”

 

କର୍ମଚାରୀ କହିଲେ–“ଟଙ୍କା ଆକାରରେ କର ଦିଆଯାଏ ।”

 

“ଅନୁଗ୍ରହ କରି ଗୋଟାଏ ଟଙ୍କା ମତେ ଦେଖାନ୍ତୁ”–ଯୀଶୁ ଅନୁରୋଧ କଲେ ।

 

ଏହା ଶୁଣି କର୍ମଚାରୀ ଜଣକ ନିଜ ପୋଷାକର ପକେଟରୁ ଗୋଟିଏ ରୁପାର ମୁଦ୍ରା କାଢ଼ି ଯୀଶୁଙ୍କୁ ଦେଖାଇଲେ । ମୁଦ୍ରାଟିର ଦୁଇପଟ ଦେଖିସାରି ଯୀଶୁ କହିଲେ–“ମୁଁ ତ ନିରକ୍ଷର ମୂର୍ଖ । ଏଇ ମୁଦ୍ରାର ଏକପଟେ ଯେଉଁ ଛବିଟି ଅଛି ସେଟି କାହାର ଏବଂ ଆରପଟେ କଣ ଲେଖାଯାଇଚି ତାହା ମୋତେ ବୁଝାଇ ଦିଅନ୍ତୁ ।”

 

ଏହା ଶୁଣି ରାଜକର୍ମଚାରୀ ଜଣକ କହିଲେ–ଏଁ ପଟର ଛବିଟି ରୋମର ସମ୍ରାଟ ସୀଜରଙ୍କର । ଅନ୍ୟ ପଟେ ସୀଜରଙ୍କର ନାମ ଲେଖାଯାଇଚି ।”

 

ତାଙ୍କ କଥା ସରିବାରୁ ଯୀଶୁ ଧୀର କଣ୍ଠରେ କହିଲେ–“ଯାହାର ଜିନିଷ ତାକୁ ହିଁ ଫେରାଇ ଦେବା ଉଚିତ । ଏଇ ମୁଦ୍ରାରେ ସୀଜରଙ୍କ ଛବି ଓ ନାମ ରହିଚି । ତେଣୁ ତାହା ତାଙ୍କୁ ଦେଇ ଦେବା ଅବଶ୍ୟ କର୍ତ୍ତବ୍ୟ । ସୀଜର ତାଙ୍କର ପ୍ରାପ୍ୟତକ ନେବେ; ମାତ୍ର ଯାହା କିଛି ତୁମର ନିଜସ୍ୱ ସେ ସମସ୍ତହିଁ ଈଶ୍ୱରଙ୍କର ପ୍ରାପ୍ୟ ।”

 

ଏତେ ଲୋକଙ୍କ ସମ୍ମୁଖରେ ଯୀଶୁଙ୍କର ସୁସ୍ପଷ୍ଟ ଉକ୍ତି ଶୁଣି, କର୍ମଚାରୀଟି ନିରୁପାୟ ହୋଇ ପାଇଲଟଙ୍କ ନିକଟକୁ ଫେରିଆସି ସବୁ ଘଟଣା କହିଲେ । ଏହା ଶୁଣି ପାଇଲଟ ନିଶ୍ଚିତ ରୂପେ ବୁଝି ପାରିଲେ ଯେ ଯୀଶୁ ଯଥାର୍ଥରେ ନିର୍ଦୋଷ ଏବଂ ଜଣେ ଉତ୍ତମ ବ୍ୟକ୍ତି ।

Image

 

ଯୋଗ୍ୟ ହେଲେ ପାଇବ

 

ଯୀଶୁ ସର୍ବଦା କହୁଥିଲେ ଈଶ୍ୱର ପରମ ଦୟାଳୁ, ସମସ୍ତଙ୍କ ପ୍ରତି ତାଙ୍କର ଦୟା ରହିଚି; ମାତ୍ର ସେ ଦୟା ପାଇବା ସକାଶେ ନିଜକୁ ଯୋଗ୍ୟ କରିବାକୁ ହେବ । ଯୋଗ୍ୟତାର ପ୍ରଥମ ଓ ପ୍ରଧାନ ଚିହ୍ନ ହେଉଚି ନିଜ ମନକୁ ଭକ୍ତିଭାବରେ ପୂର୍ଣ୍ଣ କରିବା । ଭକ୍ତିପୂର୍ଣ୍ଣ ହୃଦୟ ଘେନି ଇଶ୍ୱରଙ୍କ ଆଶୀର୍ବାଦକୁ ଅପେକ୍ଷା କରିବାକୁ ପଡ଼ିବ, କାରଣ କେତେବେଳେ ତାଙ୍କର ଆଶୀର୍ବାଦ ଆସିବ, ସେ କଥା କାହାକୁ ହେଲେ ଜଣାନାହିଁ; ପୁଣି ଭକ୍ତିହୀନ ହୃଦୟରେ ଈଶ୍ୱରଙ୍କ ଆଶୀର୍ବାଦ କଦାପି ଅବତୀର୍ଣ୍ଣ ହେବନାହିଁ । ଏହି କଥାଟିକୁ ସ୍ପଷ୍ଟରୂପେ ବୁଝାଇବା ଲାଗି ଯୀଶୁ ଗୋଟିଏ ଗଳ୍ପ କହିଲେ ।

 

ଗୋଟିଏ ଗାଁର ଜଣେ ଜମିଦାରଙ୍କ ଝିଅ ସଙ୍ଗେ ଜଣେ ରାଜା ପୁଅର ବିବାହ ସ୍ଥିର ହେଲା । ବର ରାତିରେ ଆସି କନ୍ୟାଘର ଗାଁରେ ପହଂଚିବ । ତେଣୁ ସେଇ ଗାଁର ଝିଅମାନେ ଗୋଟିଏ ଲେଖାଁ ବତି ସଜକରି ରଖିଲେ; ବର ଆସିବା ସମୟରେ ସେଇ ବତି ଜାଳି ତାର ରୂପ ଦେଖିବେ ଏବଂ ତା’ପରେ ସେଇ ପଟୁଆର ସଙ୍ଗରେ ମିଶି ବିଭାଘର ଭୋଜିକୁ ଯିବେ । ସବୁ ଝିଅ ନିଜ ନିଜ ବତିର କାଚକୁ ସଫା କରି ତା ଭିତରେ ତେଲ ପୂରାଇ ରଖିଲେ, ମାତ୍ର ପାଞ୍ଚଜଣ ଅଳସୋଈ ନିଜ ନିଜ ବତିରେ ତେଲ ପୁରାଇବାକୁ ସୁଦ୍ଧା ଭୁଲିଗଲେ । ଗଭୀର ରାତିରେ ଯେତେବେଳେ ବର ଆସି ପହଞ୍ଚିଗଲା, ସେତେବେଳେ ଅନ୍ୟ ଝିଅମାନେ ନିଜର ବତିଟିମାନ ଜାଳିଲାବେଳକୁ, ତେଲ ନ ଥିବାଯୋଗୁଁ ଏଇ ପାଞ୍ଚ ଜଣଙ୍କର ବତି ଜଳିଲା ନାହିଁ । ଫଳରେ ସେମାନେ ଅନ୍ଧାରରେ ବରର ରୂପ ଦେଖିପାରିଲେ ନାହିଁ। ଯା ହେଉ, ବତିଟିମାନ ଜାଳି ବିବାହ ଭୋଜିକୁ ଯିବେ ବୋଲି ସେମାନେ ବ୍ୟାକୁଳ ହୋଇ ଅନ୍ୟମାନଙ୍କଠାରୁ ଟିକିଏ ତେଲ ଧାର ସ୍ୱରୂପ ମାଗିଲେ; ମାତ୍ର କାହା ପାଖରେ ବଳକା ତେଲ ନ ମିଳିବାରୁ, ସେମାନେ ବ୍ୟସ୍ତ ହୋଇ ତେଲ କିଣିବା ସକାଶେ ଦୋକାନୀ ଘରକୁ ଧାଇଁଲେ। ଦୋକାନୀଟି ନିଦରେ ଶୋଇ ପଡ଼ିଥିଲା । ଏମାନଙ୍କର ଡାକ ଶୁଣି ନିଦରୁ ଉଠି ତେଲ କାଢ଼ି ଦେଉ ଦେଉ ଖୁବ୍ ବିଳମ୍ବ ହୋଇଗଲା । ତେଲ ଧରି ସେମାନେ ବାହାରିଲା ବେଳକୁ ବର ସାଙ୍ଗରେ ଆଉ ସମସ୍ତେ ଚାଲିଗଲେଣି । ସେଠୁ ବତିଟିମାନ ଜାଳି ସେମାନେ ଜମିଦାର ଘରକୁ ଧାଇଁଲେ । ସେଠି ମଧ୍ୟ ପହଞ୍ଚି ଦେଖିଲେ ଯେ ବିବାହ ଭୋଜି ସରି ଯାଇଥିବା ଯୋଗୁଁ ଦାଣ୍ଡ ଦୁଆର ବନ୍ଦ ହୋଇଗଲାଣି । ଶେଷକୁ ହତାଶ ହୃଦୟରେ ସେମାନେ ନିଜ ନିଜ ଘରକୁ ଫେରିଆସିଲେ ।

 

ସେହିପରି, ଯୀଶୁ କହିଲେ, ନିଜ ନିଜ ହୃଦୟରେ ଭକ୍ତିରୂପକ ତେଲ ସଞ୍ଚୟ କରି ନରଖିଲେ ଈଶ୍ୱରଙ୍କ ଅନୁଗ୍ରହ ଯଥା ସମୟରେ ପହଞ୍ଚି, ଭକ୍ତିହୀନ ହୃଦୟକୁ ସ୍ପର୍ଶ ମଧ୍ୟ ନ କରି ଭିନ୍ନ ବାଟରେ ଚାଲିଯିବ ।

 

ଯୋଗ୍ୟତାର ଦ୍ୱିତୀୟ ଚିହ୍ନ ହେଉଚି, ଈଶ୍ୱର ପ୍ରତି ମଣିଷକୁ ଦେଇଥିବା ଶକ୍ତିର ଉପଯୁକ୍ତ ସଦ୍‌ବ୍ୟବହାର କରିବା । ପ୍ରତି ମଣିଷକୁ ଈଶ୍ୱର କମ୍ ବେଶି କିଛି ହେଲେ କିଛି ଗୁଣ ଦେଇଛନ୍ତି । ଯେଉଁ ଲୋକ ଏଇ ଈଶ୍ୱରଦତ୍ତ ଗୁଣର ସଦ୍‌ବ୍ୟବହାର କରି ତାକୁ ପ୍ରସ୍ଫୁଟିତ କରି ପାରିବ, ଈଶ୍ୱର ନିଶ୍ଚୟ ତାକୁ ଅନୁଗ୍ରହ କରିବେ । ଏ ସଂପର୍କରେ ମଧ୍ୟ ଯୀଶୁ ଗୋଟିଏ ଗପ କହିଲେ ।

 

ଜଣେ ଧନିଲୋକଙ୍କର ତିନିଜଣ ଚାକର ଥିଲେ । ଥରେ ସେଇ ଧନିଲୋକ ବହୁଦିନ ଲାଗି ବିଦେଶ ଯାତ୍ରା କଲେ । ଯିବା ପୂର୍ବରୁ ତିନିଜଣ ଭୃତ୍ୟଙ୍କୁ ଡ଼ାକି, ଜଣକୁ ପାଞ୍ଚ ହଜାର, ଜଣକୁ ଦୁଇ ହଜାର ଏବଂ ତୃତୀୟ ଜଣକୁ ଏକ ହଜାର ଟଙ୍କାଦେଇ କହିଲେ–“ମୁଁ ଫେରି ନଆସିବା ପର୍ଯ୍ୟନ୍ତ ଏଇ ଟଙ୍କାକୁ ତୁମେ ଯିଏ ଯେପରି ଇଚ୍ଛା କରି ବ୍ୟବହାର କରିପାରବ; ମାତ୍ର ମୁଁ ଫେରିଆସିଲେ ମତେ ମୁଁ ଦେଇଥିବା ଟଙ୍କା ଫେରାଇଦେବ ।” ଏହା କହି ଧନିଲୋକଟି ବିଦେଶ ଯାତ୍ରା କଲେ । ପାଞ୍ଚବର୍ଷ ପରେ ସେ ନିଜ ଘରକୁ ଫେରି ଆସି ତିନି ଭୃତ୍ୟଙ୍କୁ ଡ଼ାକି ସେ ଦେଇଥିବା ଟଙ୍କା କଥା ପଚାରିବାରୁ ପ୍ରଥମ ଜଣକ କହିଲା–“ପ୍ରଭୁ, ଆପଣ ମତେ ଦେଇଥିବା ପାଞ୍ଚହଜାର ଟଙ୍କାକୁ ବ୍ୟବସାୟରେ ଲଗାଇ ମୁଁ ପାଞ୍ଚହଜାର ଟଙ୍କା ଅର୍ଜନ କରିଚି । ଏଇ ନିଅନ୍ତୁ ଦଶ ହଜାର ଟଙ୍କା । ଏକଥା ଶୁଣି ତାର ମାଲିକ ଖୁସି ହୋଇ କହିଲେ–“ତୁମେ ଖୁବ୍ ଯୋଗ୍ୟ ଓ ଦକ୍ଷ ଲୋକ । ମୁଁ ତୁମକୁ ସବୁତକ ଟଙ୍କା ଦାନ କରିଦେଲି ।” ତା ପରେ ଦ୍ୱିତୀୟ ଜଣକ କହିଲା–“ଆପଣ ଦେଇଥିବା ଦୁଇ ହଜାର ଟଙ୍କା ସୁଧରେ ଲଗାଇ ମୁଁ ହଜାରେ ଟଙ୍କା ଅର୍ଜନ କରିଚି । ଏଇ ନିଅନ୍ତୁ ସେଇ ତିନି ହଜାର ଟଙ୍କା ।” ତା କଥା ଶୁଣି ମାଲିକ କହିଲେ–“ତୁମେ ମଧ୍ୟ ସନ୍ତୋଷଜନକ କାମ କରିଚ । ତେଣୁ ସେଇ ହଜାର ଟଙ୍କା ମୁଁ ତୁମକୁ ଦାନ କଲି ।” ଏହା ପରେ ତୃତୀୟ ଭୃତ୍ୟ କହିଲା–“ପ୍ରଭୁ ! ଆପଣ କେଡ଼େ ବିଶ୍ୱାସରେ ମତେ ନଗଦ ହଜାର ଟଙ୍କା ଦେଇ ଯାଇଥିଲେ । ତେଣୁ କାଳେ ସେଇ ଟଙ୍କା ନଷ୍ଟ ହୋଇଯିବ, ଏପରି ଆଶଙ୍କା କରି ମୁଁ ଟଙ୍କାତକ ମୋ ଶୋଇବା ଘରେ ପୋତି ରଖିଚି । ଟିକିଏ ଅପେକ୍ଷା କରନ୍ତୁ, ମୁଁ ସେଇ ହଜାରେ ଟଙ୍କା ଆପଣଙ୍କୁ ଆଣି ଦେଉଚି-।” ଏହା ଶୁଣି ଧନିବ୍ୟକ୍ତିଟି ରାଗରେ କହିଲେ–“ତୁ ଅଳସୁଆ ଏବଂ ମିଛୁଆ । ଟଙ୍କା ନଷ୍ଟ ହେବା ଭୟରେ ତୁ ତାହା ପୋତି ରଖିନଥିଲୁ; ଏପରି କରିବା ମୂଳରେ ରହିଚି ତୋର ଅଳସୁଆ ପ୍ରକୃତି । ତୁ ଶୀଘ୍ର ସେ ଟଙ୍କା ଆଣି ମୋତେ ଫେରାଇଦେ, ତୋ ପରି ଅଳସୁଆକୁ ମୁଁ କିଛି ହେଲେ ଦେବି ନାହିଁ ।”

 

ଯେଉଁ ଲୋକ ଈଶ୍ୱରଙ୍କୁଠାରୁ ପାଇଥିବା ଗୁଣ ଓ ଶକ୍ତିର ଯେଉଁ ପରିମାଣ ସଦ୍‌ବ୍ୟବହାର କରିବ, ସେ ସେହି ପରିମାଣରେ ଈଶ୍ୱରଙ୍କ ଆଶୀର୍ବାଦ ପାଇବ ।

Image

 

କ୍ଷମା କଲେ କ୍ଷମା ମିଳିବ

 

ଯୀଶୁଙ୍କର ଅଲୌକିକ କାର୍ଯ୍ୟ କଳାପ ଦେଖି ଏବଂ ତାଙ୍କର ମହତ୍ ଉପଦେଶମାନ ଶୁଣି ଥରେ ଜଣେ ସମ୍ଭ୍ରାନ୍ତ ଇହୁଦୀ ତାଙ୍କୁ ନିଜ ଘରକୁ ଖାଇବା ସକାଶେ ନିମନ୍ତ୍ରଣ କଲା । ଯୀଶୁ ମଧ୍ୟ ତାର ନିମନ୍ତ୍ରଣ ଗ୍ରହଣ କରି ଯଥା ସମୟରେ ପହଞ୍ଚିବେ ବୋଲି ଜଣାଇଦେଲେ ।

 

ନିର୍ଦ୍ଦିଷ୍ଟ ଦିନ ଯୀଶୁ ତା ଘରେ ପହଞ୍ଚିବା ମାତ୍ରେ, ତା ଘର ସାମନାରେ ରହୁଥିବା ଜଣେ ରମଣୀ ଯୀଶୁଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି କହିଲା–“ପ୍ରଭୁ, ଆପଣ ଅନୁଗ୍ରହ କରି କ୍ଷଣକ ସକାଶେ ମୋ ଘରେ ଟିକିଏ ପାଦ ପକାନ୍ତୁ ।” ଏହି ସ୍ତ୍ରୀ ଲୋକଟି ଅତି ଦୁଷ୍ଟ ସ୍ୱଭାବର ଏବଂ ନାନା ପ୍ରକାର କୁକାର୍ଯ୍ୟ କରିବାରେ ଅଭ୍ୟସ୍ତ ଥିଲା । ଯୀଶୁଙ୍କ ନାମ ଶୁଣିବା ଦିନୁଁ ସେ ଗୋପନରେ ତାଙ୍କ ଉପଦେଶମାନ ଶୁଣିବାକୁ ଯାଉଥିଲା, କାରଣ ସେ ଜାଣିଥିଲା ଯେ ତାକୁ ଦେଖିବା ମାତ୍ରେ ଅନ୍ୟ ଲୋକେ ନିନ୍ଦା ଓ ଘୃଣା କରିବେ । ଯୀଶୁ ଏସବୁ ଘଟଣା ଜାଣିଥିଲେ ମଧ୍ୟ ତାର ଅନୁରୋଧ ରକ୍ଷାକଲେ ଏବଂ ତାଙ୍କ ନିମନ୍ତ୍ରଣକର୍ତ୍ତା ସେଇ ଧନିବ୍ୟକ୍ତି ଏବଂ ସେଠାରେ ଉପସ୍ଥିତ ଥିବା ଆହୁରି ଅନେକ ଲୋକ କୌତୁହଳବଶତଃ ତାଙ୍କ ପଛେ ପଛେ ସେଇ ସ୍ତ୍ରୀଲୋକ ଘରେ ପଶିଲେ । ଯୀଶୁ ତା ଘରେ ପାଦ ପକାଇବା ମାତ୍ରେ, ସେ ପାଣି ଆଣି ନିଜ ହାତରେ ତାଙ୍କ ପାଦ ଧୋଇଦେଲା ଏବଂ ଖୁବ୍ ଦାମିକା ସୁଗନ୍ଧ ତୈଳ ପାଦରେ ମାଲିସ୍ କଲା । ତା ପରେ ତାଙ୍କ ସାମନାରେ କେତେକ ଖାଦ୍ୟ ଥୋଇ କାନ୍ଦି କାନ୍ଦି କହିଲା–“ପ୍ରଭୁ ! ମୁଁ ଯେତେ ପାପ କରିଚି, ତା କବଳରୁ କିପରି ରକ୍ଷା ପାଇବି, ସେ କଥା ମୋତେ ଅନୁଗ୍ରହ କରି କହନ୍ତୁ ।” ଯୀଶୁ ସେ ବାଢ଼ିଥିବା ଖାଦ୍ୟତକ ଗ୍ରହଣ କରି ଶାନ୍ତ ସ୍ୱରରେ କହିଲେ–“ଝିଅ ! ବ୍ୟସ୍ତ ହୁଅ ନାହିଁ । ମୁଁ ନିଶ୍ଚୟ କରି କହୁଚି ଯେ ପରମେଶ୍ୱର ତୁମର ସବୁ ଅପରାଧ ମାର୍ଜନା କରିଦେଇଚନ୍ତି ।” ଏହା କହି ତାକୁ ସନ୍ତୁଷ୍ଟ କରି ଯୀଶୁ ସେଇ ଧନୀ ଇହୁଦୀ ଘରକୁ ଗଲେ ।

 

ସେଠାରେ ପହଞ୍ଚିବା ପରେ ଧନ୍ୟବ୍ୟକ୍ତି ଓ ତାର ସାଙ୍ଗମାନେ ବଡ଼ ବିରକ୍ତ ହୋଇ ଯୀଶୁଙ୍କୁ କହିଲେ–“ଆପଣ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି ପରିଚୟ ଦେଉଥିବା ସତ୍ତ୍ୱ ସେ ଯେ କେଡ଼େ ନିମ୍ନସ୍ତରର ସ୍ତ୍ରୀ ଲୋକ ତାହା ବୁଝି ପାରିଲେ ନାହିଁ, ସେ ବାଢ଼ିଥିବା ଖାଦ୍ୟ ଖାଇଲେ ଏବଂ ତାର ସମସ୍ତ ପାପ ମାର୍ଜନା ହୋଇଯାଇଚି ବୋଲି କହିଲେ । ଆପଣଙ୍କର ଏ ପ୍ରକାର କାମକୁ ଆମେ ଆଦୌ ସମର୍ଥନ କରୁନାହୁଁ ।”

 

ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ–“ଜଣେ ଜମିଦାରଙ୍କର ଦୁଇ ଜଣ ଗୁମାସ୍ତା ଥିଲେ-। ବଡ଼ ଗୁମାସ୍ତା ତାଙ୍କଠାରୁ ଏକହଜାର ଏବଂ ସାନ ଗୁମାସ୍ତା ଏକଶହ ଟଙ୍କା ଧାର କରିଥିଲେ-। ନାନା ଅସୁବିଧା ପଡ଼ିବାରୁ ଦୁହେଁଯାକ ସେଇ ଋଣ ପରିଶୋଧ କରିପାରିଲେ ନାହିଁ; ମାତ୍ର ଜମିଦାର ଜଣକ ଅତି ଦୟାଳୁ ହୋଇଥିବା ଯୋଗୁଁ ସେ ଦୁହିଁଙ୍କର ଋଣ ମାଫି କରିଦେଲେ । ସେ ଦୁହିଁଙ୍କ ମଧ୍ୟରୁ ଜମିଦାର କାହା ପ୍ରତି ଅଧିକ ଅନୁଗ୍ରହ ଦେଖାଇଲେ ?”

 

ସେଠାରେ ଉପସ୍ଥିତ ଥିବା ସମସ୍ତେ ଏକସ୍ୱରରେ କହିଲେ–“ବଡ଼ ଗୁମାସ୍ତା ପ୍ରତି ।”

 

ଯୀଶୁ କହିଲେ–“ଠିକ୍ କହିଚ; ମାତ୍ର ସାନ ଗୁମାସ୍ତା ବଡ଼ ଗୁମାସ୍ତାଠାରୁ ମଧ୍ୟ ଦଶୋଟି ଟଙ୍କା ଋଣ କରିଥିଲା । ଜମିଦାରଙ୍କ ନିକଟରୁ ଫେରି ବଡ଼ ଗୁମାସ୍ତା ସେ ଧାର ଦେଇଥିଲା ଦଶଟଙ୍କା ଫେରାଇ ଦେବା ଲାଗି ସାନ ଗୁମାସ୍ତାକୁ କହିଲା; ମାତ୍ର ଦାରିଦ୍ର୍ୟ ଯୋଗୁଁ ସାନ ଗୁମାସ୍ତା ସେଇ ଟଙ୍କା ଫେରାଇ ନ ପାରିବାରୁ ବଡ଼ ଗୁମାସ୍ତା ତାକୁ ନାନା ପ୍ରକାର ଗାଳିଗୁଲଜ କରି ନିଷ୍ଠୁର ଭାବରେ ପିଟିଲା । ଜମିଦାର ଏହା ଶୁଣି ବଡ଼ ଗୁମାସ୍ତାକୁ ଡ଼କକାଇ କହିଲେ–“ତୁମେ ଅଭାବରେ ରହିଚ ଜାଣି ମୁଁ ତୁମକୁ ଧାର ଦେଇଥିବା ଏକ ହଜାର ଟଙ୍କା ଛାଡ଼ିଦେଲି । ଆଉ ସେ ତୁମଠାରୁ ମାତ୍ର ଦଶୋଟି ଟଙ୍କା ଆଣି ଫେରାଇ ନ ପାରିବା ଯୋଗୁଁ ତୁମେ ତା ପ୍ରତି ଏପରି ନିଷ୍ଠୁର ବ୍ୟବହାର କଲ ? ଏଇ ମୂହୂର୍ତ୍ତରୁ ତୁମକୁ ମୁଁ ମୋର କାମରୁ ବରଖାସ୍ତ କଲି । ତୁମେ ଶୀଘ୍ର ମୋ ଜମିଦାରୀ ଛାଡ଼ି ଅନ୍ୟତ୍ର ଚାଲିଯାଅ ।” ଏହା ଶୁଣି ବଡ଼ ଗୁମାସ୍ତା ଭୟରେ ଥରି ଥରି ତାଙ୍କ ପାଦତଳେ ପଡ଼ି କ୍ଷମା ମାଗିବାରୁ ଜମିଦାର କହଲେ–“ସାନ ଗୁମାସ୍ତା ଯେତେବେଳେ ତୁମ ପାଦତଳେ ପଡ଼ି ଠିକ୍ ଏହିପରି ଭାବରେ ନିଜର ତ୍ରୁଟି ସକାଶେ କ୍ଷମା ମାଗିଥିଲା, ସେତେବେଳେ ତୁମେ ତାକୁ କ୍ଷମା କରି ନ ଥିଲ । ତେଣୁ ବର୍ତ୍ତମାନ କେଉଁ କାରଣରୁ ତୁମେ କ୍ଷମା ପାଇବ ବୋଲି ଆଶା କରୁଚ ? ତୁମେ କ୍ଷମାର ଅଯୋଗ୍ୟ-। ତେଣୁ ମୁଁ ତୁମ ପ୍ରତି ଆଉ ଦୟା କରିବି ନାହିଁ ।”

 

ଗପଟି ଶେଷ କରି ଯୀଶୁ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ କହଲେ–“ପ୍ରତ୍ୟେକ ମଣିଷ କିଛି ନା କିଛି, ଦୋଷ କରୁଚି ଏବଂ ସେଇ ଦୋଷର ଦଣ୍ଡରୁ ମୁକ୍ତି ପାଇବା ଲାଗି ଈଶ୍ୱରଙ୍କଠାରେ କ୍ଷମା ମାଗୁଚି; ମାତ୍ର ସେ ଯଦି ଅନ୍ୟ ଦୋଷୀମାନଙ୍କ ପ୍ରତି ଘୃଣା ଓ କ୍ରୋଧ ଦେଖାଏ, ତେବେ ପରମେଶ୍ୱର କଦାପି ତାକୁ କ୍ଷମା କରିବେ ନାହିଁ । ଜୀବନସାରା କରିଥିବା ପ୍ରତିଟି ଦୋଷର ଦଣ୍ଡ ଭୋଗିବା ସକାଶେ ସେ ହକଦାର ହେବ । ଈଶ୍ୱରହିଁ କ୍ଷମା ଦେବାର ଏକମାତ୍ର ଅଧିକାରୀ । ସେ ମଧ୍ୟ ପରମ ଦୟାଳୁ। ଆମେ ବହୁ ଦୋଷ କରୁଥିଲେ ସୁଦ୍ଧା ସେ ତାହା ବରଦାସ୍ତ କରୁଚନ୍ତି । ତେଣୁ ଅନ୍ୟକୁ ନିନ୍ଦା ବା ଘୃଣା ନକରି, କେବଳ ନିଜ ଦୋଷ ଲାଗି ଆନ୍ତରିକ ଅନୁତାପ କଲେ ଈଶ୍ୱରଙ୍କ କ୍ଷମା ମିଳିବ ।”

Image

 

ମୁଁ ଅଧିକ ଦିନ ରହିବି ନାହିଁ

 

ଯୀଶୁ ଲୋକମାନଙ୍କୁ ଧର୍ମଶିକ୍ଷା ଦେବା ସମୟରୁ ଏକାଧିକବାର କହିଥିଲେ–“ମୁଁ ଅଳ୍ପକାଳ ତୁମମାନଙ୍କ ମେଳରେ ରହିବି ।” ତାଙ୍କ ଉପଦେଶ ଶୁଣିବାକୁ ଆସୁଥିବା ଲୋକେ ସେ ଏପରି କାହିଁକି କହୁଚନ୍ତି ଏବଂ ଏ କଥାର ତାତ୍ପର୍ଯ୍ୟ କଣ ପଚାରିବାରୁ ଯୀଶୁ ଉତ୍ତର ଦେଉଥିଲେ–“ପରମପିତାଙ୍କର ଇଚ୍ଛା ଯେ ଯେଉଁ କାମ ଲାଗି ସେ ମତେ ଏଠାକୁ ପଠାଇଚନ୍ତି, ତାହା ଶୀଘ୍ର ଶେଷକରି ମୁଁ ପୁଣି ତାଙ୍କ ନିକଟକୁ ଫେରିଯିବି ।” ଏ ବିଷୟରେ ଏହାଠାରୁ ଅଧିକ କିଛି ସେ କଦାପି କହୁନଥିଲେ ।

 

ଶିଷ୍ୟମାନଙ୍କ ମଧ୍ୟରୁ ବାରଜଣ ଯୀଶୁଙ୍କର ବିଶେଷ ଅନୁରକ୍ତ ଥିଲେ ଏବଂ ସେ ଦେଉଥିବା ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସେହି ବାରଜଣ ଶ୍ରେଷ୍ଠ ଶିଷ୍ୟଙ୍କ ନାଁ ହେଉଚି–ପିଟର, ଜନ୍, ଜେମ୍‌ସ, ଆଣ୍ଡ୍ରୁ, ଫିଲିପ, ଟମାସ୍, ବାର୍ଥଲୋମିଉ, ମାଥ୍ୟୁ, ସାଇମନ୍‌, ଆଲଫାସ୍-ଜେମ୍‌ସ ଏବଂ ଜୁଡ଼ାସ୍ । ଯୀଶୁ ନିଜ ଭବିଷ୍ୟତ ସମ୍ପର୍କରେ ଏପରି ରହସ୍ୟପୂର୍ଣ୍ଣ କଥା କହୁଥିବାରୁ ସେମାନେ ଦିନେ ଯୀଶୁଙ୍କୁ ସେ ବିଷୟ ସେମାନଙ୍କୁ ଖୋଲାଖୋଲି ଭାବରେ ବୁଝାଇ ଦେବା ଲାଗି ବାରମ୍ବାର ଅନୁରୋଧ କଲେ । ସେମାନଙ୍କର ଆଗ୍ରହ ଓ ବ୍ୟାକୁଳତା ଦେଖି ଯୀଶୁ କହିଲେ–“ଯେଉଁମାନେ ଗୁରୁତର ଅପରାଧୀ ସେମାନଙ୍କୁ ପ୍ରଚଳିତ ଆଇନ ଅନୁସାରେ କିପରି ଦଣ୍ଡ ଦିଆଯାଏ ?” ପିଟର କହିଲେ–“ସେପରି ଲୋକଙ୍କୁ କ୍ରୁଶ କାଠରେ ଚଢ଼ାଇ ଓ ପାଦରେ କଣ୍ଟା ଫୋଡ଼ି ଅତି ନିର୍ଦ୍ଦୟ ଭାବରେ ହତ୍ୟା କରାଯାଏ ।”

 

ପିଟରଙ୍କ ଉତ୍ତର ଶୁଣି ଯୀଶୁ କହିଲେ–“ପାପୀମାନଙ୍କୁ ଭଲବାଟକୁ ଆଣିବା ସକାଶେ ପରମେଶ୍ୱର ମତେ ପଠାଇଚନ୍ତି । ତେଣୁ, ପାପୀମାନେ ଯେପରି କଷ୍ଟ ସହ୍ୟ କରନ୍ତି ଓ ଦଣ୍ଡ ଭୋଗନ୍ତି, ମତେ ମଧ୍ୟ ସେହିପରି ସହିବାକୁ ଓ ଭୋଗିବାକୁ ପଡ଼ିବ । ମୋ ରକ୍ତର ବିନିମୟରେ ପାପୀମାନେ ମୁକ୍ତି ପାଇବେ । ତେଣୁ ଦୁଇପଟେ ଦୁଇଜଣ ଦସ୍ୟୁଙ୍କ ସହିତ କ୍ରୁଶ କାଠ ଉପରେ ମୁଁ ମୋର ଶରୀର ସମସ୍ତ ରକ୍ତ ପାପୀ ଓ ବିପଥଗାମୀଙ୍କ ମଙ୍ଗଳ ଲାଗି ଢ଼ାଳି ଦେବି ।”

 

ଏହା ଶୁଣି ଜନ୍ ବଡ଼ ବ୍ୟାକୁଳ ହୋଇ କହିଲେ–“ପ୍ରଭୁ ! ଆପଣଙ୍କ କଥା ମୁଁ ଆଦୌ ବୁଝି ପାରିନାହିଁ । ଆପଣତ କେବେ କୌଣସି ଅନ୍ୟାୟ ବା ଦୋଷ କରି ନାହାନ୍ତି, ତେଣୁ ଆପଣଙ୍କୁ କ୍ରୁଶ ଉପରେ ଚଢ଼ାଇବା ଲାଗି କାହାର ସାହାସ ହବ ?”

 

ଯୀଶୁ ଉତ୍ତର ଦେଲେ–“ପୃଥୀର ମଙ୍ଗଳ ସକାଶେ, ପାପୀମାନଙ୍କ ସଙ୍ଗରେ କ୍ରୁଶ ଉପରେ ମୃତ୍ୟୁ ବରଣ କରିବା ଲାଗି ମୁଁ ଶରୀର ଗ୍ରହଣ କରିଚି । ତେଣୁ ମତେ ତାହା କରିବାକୁ ହିଁ ପଡ଼ିବ । ସୀଜର ମତେ ମାରିବେ ନାହିଁ, ମାତ୍ର ମୋର ନିଜ ଦେଶ ଓ ଧର୍ମର ଲୋକ ଇହୁଦୀମାନେ ହିଁ ମତେ କ୍ରୁଶ ଉପରେ ହତ୍ୟା କରିବେ। ପୁଣି ତୁମ ବାରଜଣଙ୍କ ମଧ୍ୟରୁ ଜଣେ ଏହି କାମ କରିବା ସକାଶେ ସେମାନଙ୍କୁ ସାହାର୍ଯ୍ୟ କରିବ ।”

 

ଏହା ଶୁଣିବାମାତ୍ରେ ବାରଜଣଯାକ ଶିଷ୍ୟ ଅତ୍ୟନ୍ତ ବ୍ୟସ୍ତ ହୋଇ ଏକା ସ୍ୱରରେ କହିଲେ–“ପ୍ରଭୁ, ଏହା କଦାପି ସମ୍ଭବ ହୋଇ ନପାରେ ।”

 

ଧୀର କଣ୍ଠରେ ଯୀଶୁ କହିଲେ–“ମୁଁ ଯଥାର୍ଥ କହୁଚି ଯେ ତୁମ ବାର ଜଣଙ୍କ ମଧ୍ୟରୁ ଜଣେ ମତେ କ୍ରୁଶ କାଠରେ ଚଢ଼ାଇବା ଲାଗି ଇହୁଦୀ ପୁରୋହିତ ଓ ଧନିକମାନଙ୍କୁ ସାହାର୍ଯ୍ୟ କରିବ ।”

 

ଏପରି ଦାରୁଣ ଭବିଷ୍ୟତ ବାଣୀ ଶୁଣି ସେଇ ବାରଜଣ ପ୍ରତ୍ୟେକ ଯୀଶୁଙ୍କୁ ସେଇ ବିଶ୍ୱାସଘାତକ ନାଁ ପ୍ରକାଶ କରିବା ଲାଗି ବାରଂବାର ଅନୁରୋଧ କଲେ; ମାତ୍ର ଯୀଶୁ ସେମାନଙ୍କର ଅନୁରୋଧ ରକ୍ଷା ନ କରି କହିଲେ–“ତୁମମାନଙ୍କ ମଧ୍ୟରୁ ଯେଉଁ ଜଣକ ମୋର ବିରୁଦ୍ଧାଚରଣ କରିବ, ସେ ଏବଠାରୁ ତାହା ଜାଣିସାରିଲାଣି; ମାତ୍ର ତା ନାଁ ପ୍ରକାଶ କରି କୌଣସି ଲାଭ ନାହିଁ । କାରଣ ପରମପିତାଙ୍କ ଆଦେଶ ଯେ ମୁଁ କ୍ରୁଶ ଉପରେ ପ୍ରାଣ ବିସର୍ଜନ କରିବି ଏବଂ ଏଇ ଇଚ୍ଛା ପୂରଣ କରିବା ଲାଗି ସେ ଉପଲକ୍ଷ୍ୟ ମାତ୍ର ହେବ । ତେବେ, ଆଉ ଗୋଟିଏ କଥା ଜାଣି ରଖ । କ୍ରୁଶରେ ପ୍ରାଣତ୍ୟାଗ କରିବାର ତିନିଦିନ ପରେ ମୁଁ ପୁଣି ଜୀବନ୍ତ ହେବି ଏବଂ ମେଘଲୋକ ମଧ୍ୟ ଦେଇ ମୋ ନିଜ ପିତାଙ୍କ ନିକଟକୁ ଫେରିଯିବି । ତେଣୁ କ୍ରୁଶ ଉପରେ ମୋର ମୃତ୍ୟୁ ପରେ ତୁମେମାନେ ମୋ ଶରୀରକୁ ତିନିଦିନ ଯାଏ ଯତ୍ନରେ ସାଇତି ରଖିବ ।” ଏତକ କହିସାରି ଯୀଶୁ ପ୍ରାର୍ଥନା କରିବା ଲାଗି ଗୋଟିଏ ନିର୍ଜନ ସ୍ଥାନକୁ ଚାଲିଗଲେ ଏବଂ ବାରଜଣକଯାକ ଶିଷ୍ୟ କିଏ ଏପରି ଘୋର ପାପ କରିବ ବୋଲି ବିଚାରିବାକୁ ଲାଗିଲେ ।

Image

 

ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତା

 

ଇହୁଦୀ ପୁରୋହିତ ରାବିମାନଙ୍କର ସମ୍ମାନ ଓ ପ୍ରତିପତ୍ତି କ୍ରମେ ଯେତେ କମିବାକୁ ଲାଗିଲା, ସେମାନେ ନିଜର ପରମ ପ୍ରତିଦ୍ୱନ୍ଦି ଯୀଶୁଙ୍କୁ ପ୍ରାଣରେ ମାରିଦେବା ଲାଗି ସେତେ ବ୍ୟଗ୍ର ହୋଇଉଠିଲେ ।

 

ପୂର୍ବରୁ ଯୀଶୁଙ୍କୁ ଅପରାଧୀ ପ୍ରମାଣ କରାଇବାକୁ ଯାଇ ସେମାନେ ଏକାଧିକବାର ଅପ୍ରସ୍ତୁତ ହୋଇଥିଲେ, ତେଣୁ ଏଥର ବହୁ ଚିନ୍ତା କରି ସେମାନେ ଗୋଟିଏ କୂଟ କୌଶଳ ଉଦଭାବନ କଲେ । କେତେକ ଗ୍ରାମବାସୀଙ୍କୁ ଶିଖାଇ ରାବିମାନେ ଗୋଟିଏ ତଟୁଘୋଡ଼ା ଓ କେତେକ ମୂଲ୍ୟବାନ ପୋଷାକ ଓ ଗୋଟିଏ ମୁକୁଟ ସହିତ ସେମାନଙ୍କୁ ଯୀଶୁଙ୍କ ନିକଟକୁ ପଠାଇଲେ । ଯୀଶୁଙ୍କୁ ଭେଟି ସେମାନଙ୍କୁ କହିଲେ–“ପ୍ରଭୁ ! ଆପଣ ଈଶ୍ୱରଙ୍କର ପୁତ୍ର ଓ ପାପୀ ମାନଙ୍କର ପ୍ରାଣକର୍ତ୍ତା । ତେଣୁ ଆପଣ ଇହୁଦୀମାନଙ୍କର ମଧ୍ୟ ରାଜା । ଆମେ ରାଜସମ୍ମାନରେ ଆପଣଙ୍କୁ ଆମ ଗ୍ରାମକୁ ଘେନିଯିବା ଲାଗି ଆସିଚୁ । ଆପଣ ଅନୁଗ୍ରହ କରି ସମ୍ମତି ଦିଅନ୍ତୁ ।” ଏପରି ଘଟିବ ବୋଲି ଯୀଶୁ ପୂର୍ବରୁ ଜାଣିଥିଲେ, ତେଣୁ ସେମାନେ ଅନୁରୋଧ କରିବା ସଙ୍ଗେ ସଙ୍ଗେ ସେ ସେଇ ପ୍ରସ୍ତାବରେ ରାଜି ହେଲେ । ସେଠୁ ସେମାନେ ତାଙ୍କୁ ମହାର୍ଘ ପୋଷାକ ଏବଂ ରାଜମୁକୁଟ ପିନ୍ଧାଇ, ଘୋଡ଼ା ପିଠିରେ ବସାଇ “ଜୟ ! ଇହୁଦୀମାନଙ୍କର ରାଜା ଯୀଶୁଙ୍କ ଜୟ” ବୋଲି ଚିତ୍କାର କରୁ କରୁ ତାଙ୍କୁ ନିଜ ଗ୍ରାମକୁ ପାଛୋଟି ଆଣିଲେ । ପ୍ରକାଶ୍ୟ ଦାଣ୍ଡରେ ଯିବା ସମୟରେ ରାବିମାନଙ୍କ ସହିତ ବହୁ ଅନ୍ୟ ଲୋକ ମଧ୍ୟ ଏଇ ଦୃଶ୍ୟ ଦେଖିଲେ । ଫଳରେ ଯୀଶୁଙ୍କ ବିରୁଦ୍ଧରେ ଧର୍ମଦ୍ରୋହ ଓ ରାଜଦ୍ରୋହର ଅଭିଯୋଗ ଅଣାଯିବାର ବାଟ ସୁଗମ ହୋଇଗଲା ବୁଝି ପ୍ରତିଶୋଧ ପରାୟଣ ରାବିମାନେ ମନେ ମନେ ଖୁବ୍ ଆନନ୍ଦିତ ହେଲେ ।

 

ରାବିମାନଙ୍କର ଷଡ଼ଯନ୍ତ୍ର ସଫଳ ହେଲା ସତ, ମାତ୍ର ଆଉ ଗୋଟିଏ ବାଧା ସେମାନଙ୍କ ଆଗରେ ଦେଖାଗଲା । ସେଟି ହେଉଚି ଯେ ଯୀଶୁଙ୍କୁ ଗିରଫ କରି ଅଣାଯିବ କିପରି ? ନିଜ ମାହାତ୍ମ୍ୟ ଯୋଗୁ ଯୀଶୁ ଏପରି ଜନପ୍ରିୟ ହୋଇଯାଇଥିଲେ ଯେ ଅଧିକାଂଶ ସମୟ ବହୁ ଅନୁଚର ଓ ଭକ୍ତ ତାଙ୍କ ଚାରିପଟେ ଘେରି ରହୁଥିଲେ । ସେପରି ପରିସ୍ଥିତିରେ ତାଙ୍କୁ ଗିରଫ କରିବାକୁ ଗଲେ ନିଶ୍ଚୟ ପ୍ରବଳ ସଂଗ୍ରାମ ହେବ ଏବଂ ତହିଁରେ ଅନେକ ଇହୁଦୀ ମଧ୍ୟ ପ୍ରାଣ ହରାଇବେ । ତେଣୁ ସେ ଏକା ଥିବା ସମୟରେ ତାଙ୍କୁ ଗିରଫ କରାଯାଇପାରିଲେ ସବୁ ଦିଗରୁ ସୁବିଧା; ମାତ୍ର ଯୀଶୁ କେତେବେଳେ ଓ କେଉଁଠାରେ ଏକାକୀ ମିଳିବେ ଏକଥା ଜାଣିବା ରାବିମାନଙ୍କ ପକ୍ଷରେ ସମ୍ଭବ ନଥିଲା । ତେମୁ ସେମାନେ ଯୀଶୁଙ୍କର ବାରଜଣ ବିଶିଷ୍ଟ ଶିଷ୍ୟଙ୍କ ମଧ୍ୟରୁ କାହାରି ହେଲେ ସାହାର୍ଯ୍ୟ ପାଇବା ଲାଗି ଚେଷ୍ଟା କଲେ । ଏହି ବାରଜଣଙ୍କ ମଧ୍ୟରୁ ଜୁଡ଼ାସ୍ ଅପେକ୍ଷାକୃତ ଲୋଭୀ ଓ ଦୁର୍ବଳମନା ଥିଲା । ତେଣୁ ଇହୁଦୀମାନେ ତାଙ୍କୁ କେତେକ ପରିମାଣରେ ନିଜ ଆୟତ୍ତକୁ ଆଣିପାରିଲେ; ମାତ୍ର ସେ ପର୍ଯ୍ୟନ୍ତ ଜୁଡ଼ାସ୍ ରାବିମାନଙ୍କ ପ୍ରାସ୍ତାବରେ ପୂରାପୂରି ସମ୍ମତ ହୋଇ ନ ଥିଲା ।

 

ଇହୁଦୀମାନଙ୍କର ସବୁଠୁଁ ବଡ଼ ପର୍ବ ‘ପାସ ଓଭାର’ ଆସିବାକୁ ଆଉ ଚାରିଦିନ ବାକି ଥାଏ । ବୁଧବାର ଦିନ ରାତିରେ ଯୀଶୁ ବାରଜଣଯାକ ଶିଷ୍ୟଙ୍କୁ ତାଙ୍କ ଘରକୁ ଆସିବା ଲାଗି କହିଲେ-। ଶିଷ୍ୟମାନେ ସଞ୍ଜ ପରେ ତାଙ୍କ ନିକଟରେ ପହଞ୍ଚିବାରୁ ସେ ପାଣି ଆଣି ଜଣ ଜଣ କରି ଶିଷ୍ୟଙ୍କର ପାଦ ନିଜ ହାତରେ ଧୋଇଦେଲେ । ଶିଷ୍ୟମାନେ ଏଥି ଲାଗି ଯେତେ ଆପତ୍ତି କଲେ ବା ବାଧା ଦେଲେ ସୁଦ୍ଧା ଯୀଶୁ ତାହା ଗ୍ରାହ୍ୟ କଲେନାହିଁ । ସମସ୍ତଙ୍କର ପାଦ ଧୁଆ ସରିବା ପରେ ଯୀଶୁ କହିଲେ–“ମୋର ବିଦାୟ ଘେନିବାର ସମୟ ହୋଇଗଲାଣି । ଆଜି ରାତିରେ ହିଁ ମୁଁ ପରମ ପିତା ପରମେଶ୍ୱରଙ୍କ ହାତରେ ନିଜକୁ ସମର୍ପଣ କରିବି । ତେଣୁ ତୁମମାନଙ୍କ ସହିତ ଏହାହିଁ ମୋର ଶେଷ ସାକ୍ଷାତ୍ । ଅବଶ୍ୟ ମୃତ୍ୟୁର ତିନିଦିନ ପରେ ପୁନର୍ଜୀବିତ ହୋଇ ସ୍ୱର୍ଗକୁ ଯିବା ପୂର୍ବରୁ ମୁଁ ପୁଣି ତୁମମାନଙ୍କୁ ସାକ୍ଷାତକରିବି; ମାତ୍ର ସେ କଥା ଭିନ୍ନ । ତୁମେମାନେ ପ୍ରତ୍ୟେକେ ମତେ ପ୍ରଭୁ ବୋଲି କହୁଚ ଓ ସମ୍ମାନ କରୁଚ । ତୁମେମାନେ ମଧ୍ୟ ସେହିପରି ଉଚ୍ଚ, ନୀଚ, ଶତ୍ରୁ ମିତ୍ର ଭେଦ ନ ରଖି ସମସ୍ତଙ୍କର ସେବା କରିବ ଓ ସମସ୍ତଙ୍କ ପ୍ରତି ସ୍ନେହଭାବ ରଖିବ, ଏହାହିଁ ମୋର ଶେଷ ଉପଦେଶ । ବର୍ତ୍ତମାନ ମୁଁ ନିଜ ହାତରେ ତୁମମାନଙ୍କୁ ଖୁଆଇ ଦେବାକୁ ଇଚ୍ଛା କରୁଚି; ତେଣୁ ଜଣ ଜଣ ହୋଇ ମୋ ନିକଟକୁ ଆସ ।”

 

ପିଟର, ଜନ୍, ମ୍ୟଥୁ ପ୍ରମୁଖ ଜଣ ଜଣ ହୋଇ ଯୀଶୁଙ୍କ ନିକଟକୁ ଯିବାରୁ ସେ ପ୍ରତ୍ୟେକଙ୍କୁ କୋଳକୁ ଟାଣି ଆଣି ଖଣ୍ଡେ ଲେଖାଁ ରୁଟି ଝୋଳରୋ ବୁଡ଼ାଇ ଖୁଆଇ ଦେଲେ ଓ କହିଲେ–“ମନେରଖ, ଏହା ମୋର ମାଂସ ଏବଂ ରକ୍ତ, ଅର୍ଥାତ୍ ମୋର ସ୍ମୃତି ଓ ଶିକ୍ଷା ଯେପରି ତୁମ ହୃଦୟ ମଧ୍ୟ ରେ ଚିରଦିନ ଉଜ୍ଜ୍ୱଳ ଓ ଜୀବନ୍ତ ହୋଇ ରହେ ।” ସମସ୍ତଙ୍କ ଶେଷରେ ଜୁଡ଼ାସ୍ ଯୀଶୁଙ୍କ ନିକଟକୁ ଯିବାରୁ ତାକୁ ମଧ୍ୟ ସେ ନିଜ କୋଳକୁ ଟାଣିଆଣି ସେହିପରି ଆଦରରେ ରୁଟି ଓ ଝୋଳ ଖୁଆଇ ଦେଲେ; ମାତ୍ର ତା କାନରେ ଧୀରେ ଧୀରେ କହିଲେ–“ଯାହା କରିବାକୁ ଚାହୁଁଚ, ଆଉ ବିଳମ୍ବ ନ କରି ଶୀଘ୍ରଶୀଘ୍ର କରିପକାଅ ।” ଏ କଥାର ତାତ୍ପର୍ଯ୍ୟ ଅନ୍ୟମାନେ ବୁଝି ନ ପାରିଲେ ମଧ୍ୟ, ଯୀଶୁ ଦେଇଥିବା ରୁଟି ଓ ଝୋଳ ଖାଇବା ମାତ୍ରେ ଜୁଡ଼ସାର ମନ ଭିତରେ ଶଇତାନର ଆଧିପତ୍ୟ ବିସ୍ତାର ଲାଭକଲା ଏବଂ ସେ ଅନ୍ୟମାନଙ୍କ ଅଜାଣତରେ, ରାବିମାନଙ୍କୁ ଭେଟିବା ଲାଗି ସେ ସ୍ଥାନ ଛାଡ଼ି ଏକାକୀ ଚାଲିଗଲା ।

 

ଶଇତାନର କବଳଗ୍ରସ୍ଥ ଜୁଡ଼ାସ୍ ରାବିମାନଙ୍କ ନିକଟରେ ପହଞ୍ଚି କହିଲା–“ଆଜି ରାତିରେ ମୁଁ ଯଦି ଯୀଶୁକୁ ସୁରୁଖୁରୁରେ ତୁମ ହାତରେ ଧରାଇ ଦେଇ ପାରିବି, ତେବେ ତାହା ଲାଗି ତୁମେମାନେ ମତେ କେତେ ପୁରସ୍କାର ଦେବ ?” ରାବିମାନେ ଏଥି ସକାଶେ ତାକୁ ତିରିଶ ଟଙ୍କା ପୁରସ୍କାର ଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ଜୁଡ଼ାସ୍ ସେମାନଙ୍କୁ ସାହାର୍ଯ୍ୟ କରିବା ଲାଗି ସମ୍ମତ ହେଲା ଏବଂ କହିଲା, “ଆଜି ରାତିରେ ଯୀଶୁ ମାତ୍ର ଏଗାର ଜଣ ଶିଷ୍ୟଙ୍କୁ ଘେନି ଅଲିଭ ପାହାଡ଼ ନିକଟରେ ରହିବେ । ତେଣୁ ରାତି ଶେଷ ପ୍ରହର ସମୟକୁ ଦଳେ ସୈନ୍ୟ ପଠାଇଲେ ସେମାନେ ଅକ୍ଳେଶରେ ଯୀଶୁଙ୍କୁ ଗିରଫ କରିପାରିବେ ।”

 

ଏ କଥା ଶୁଣି ରାବିମାନଙ୍କର ଜଣେ ମୁଖିଆ ବ୍ୟକ୍ତି ପଚାରିଲା–“ଯେଉଁ ସୈନ୍ୟମାନେ ଗିରଫ କରିବାକୁ ଯିବେ, ସେମାନେ ଯୀଶୁ କିଏ ବୋଲି ଚିହ୍ନିବେ କିପରି ?” ଜୁଡ଼ାସ୍ ଟିକେ ଚିନ୍ତା କରି କହିଲା–“ମୁଁ ମଧ୍ୟ ଅଲିଭ ପାହାଡ଼ ନିକଟକୁ ଯିବି; ମାତ୍ର ସୈନ୍ୟମାନେ ମୋଠାରୁ ଟିକେ ପଛରେ ରହିବେ । ସେଠାରେ ପହଞ୍ଚି ଯେଉଁ ବ୍ୟକ୍ତିଙ୍କୁ ମୁଁ କୁଣ୍ଢାଇ ପକାଇବି, ସୈନ୍ୟମାନେ ତାଙ୍କୁହିଁ ଯୀଶୁ ବୋଲି ଚିହ୍ନି ମୁଁ ଘୁଞ୍ଚିଯିବା ପରେ ପରେ ତାଙ୍କୁ ଗିରଫ କରିବେ ।” ଜୁଡ଼ାସର ପ୍ରସ୍ତାବ ସମସ୍ତଙ୍କୁ ମନକୁ ପାଇଲା ଏବଂ ରାବିମାନେ ଦଳେ ସୈନ୍ୟଙ୍କୁ ପ୍ରସ୍ତୁତ ରହିବା ଲାଗି ଆଦଶ ଦେଲେ ।

Image

 

ଶେଷ ରାତିର ଘଟଣାବଳୀ

 

ଜୁଡ଼ାସ ସମସ୍ତଙ୍କ ଅଜ୍ଞାତରେ ଚାଲିଯିବା ପରେ ଯୀଶୁ ଅନ୍ୟ ଶିଷ୍ୟମାନଙ୍କୁ କହିଲେ–“ଉତ୍ତମ ମେଷପାଳକ ନିଜ ଜୀବନକୁ ବିପନ୍ନ କରି ନିଜ ମେଷପଲକୁ ବାଘ ମୁହଁରୁ ରକ୍ଷାକରେ । ଆଜି ରାତିର ଶେଷ ପ୍ରହରରେ ଇହୁଦୀ ସୈନ୍ୟମାନେ ମତେ ଗିରଫ କରିବା ଲାଗି ଆସିବେ । ତେଣୁ ମୋର ବିଶେଷ ଅନୁରୋଧ ତୁମେମାନେ ସେହି ସମୟରେ ସେଠାରୁ ଅନ୍ୟତ୍ର ଚାଲିଯାଇ ନିଜକୁ ନିରାପଦ ରଖିବ ।”

ଏ କଥା ଶୁଣି ପିଟର ଉତ୍ତେଜିତ ହୋଇ କହିଲେ–“ପ୍ରଭୁ ! ଏପରି ଘଟିବା ଜାଣି ସୁଦ୍ଧା ଆପଣ ତହିଁର ପ୍ରତିକାର କରୁ ନାହାନ୍ତି କାହିଁକି ?”

ପିଟରଙ୍କର ଉତ୍ତେଜନା ଦେଖି ଯୀଶୁ କହିଲେ–“ପିଟର, ଶାନ୍ତ ହୁଅ । ଯାହା ଈଶ୍ୱରଙ୍କର ଅଭିପ୍ରେତ, ତାହା ନିଶ୍ଚୟ ପାଳିତ ହେବ । ପିତାଙ୍କର ଏହି ଇଚ୍ଛା ପୂରଣ କରିବା ଲାଗି ମୁଁ ମଣିଷ ଜନ୍ମ ଘେନିଚି; ମାତ୍ର, ବର୍ତ୍ତମାନ ତହିଁର ଅନ୍ୟଥା କଲେ ମୋର ଏଇ ଜନ୍ମ ବୃଥା ହୋଇଯିବ । ତା ଛଡ଼ା, ମୁଁ ତ ଏକାଧିକବାର ତୁମମାମନଙ୍କୁ କହିଚି ଯେ ମୃତ୍ୟୁର ତିନିଦିନ ପରେ ମୁଁ ପୁଣି ଜୀବନ୍ତ ହୋଇ ସ୍ୱର୍ଗରାଜ୍ୟରୁ ଫେରିଯିବି ଏବଂ ତାହା ପୂର୍ବରୁ ତୁମମାନଙ୍କ ସହିତ ସାକ୍ଷାତ କରିବି । ତେଣୁ ଅଯଥା ଉତ୍ତେଜିତ ନ ହୋଇ ମୁଁ ଯେପରି କହୁଚି ସେହିପରି କର ।”

ଯୀଶୁଙ୍କୁ ଉପଦେଶ ଶୁଣି ମଧ୍ୟ ପିଟରଙ୍କର ଉତ୍ତେଜନା କମିଲା ନାହିଁ । ସେ ନିଜ ପୋଷାକ ମଧ୍ୟରୁ ଗୋଟିଏ ଖଣ୍ଡା କାଢ଼ି କହିଲେ–“ପ୍ରଭୁ, ମୋ ହାତରେ ଏଇ ଖଣ୍ଡାଟି ଥାଉ ଥାଉ କୌଣସି ଲୋକ ଆପଣଙ୍କୁ ଗିରଫ କରି ପାରିବ ନାହିଁ ।”

ଯୀଶୁ ଦୃଢ଼ ସ୍ୱରରେ କହିଲେ–“ପିଟର, ଶୀଘ୍ର ଖଣ୍ଡାଟିକୁ ପୋପାଡ଼ି ଦିଅ, କାରଣ ଖଣ୍ଡା ବ୍ୟବହାର କରୁଥିବା ଲୋକେ ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ ହୋଇ ନରକଦଣ୍ଡ ଭୋଗକରିବେ । ପିଟର, ତୁମେ କଣ ଭାବୁଚ ଯେ ମୁଁ ଇଚ୍ଛା କଲେ ନିଜକୁ ରକ୍ଷା କରି ପାରିବି ନାହିଁ ? ଅତି ସହଜରେ ମୁଁ ତାହା କରି ପାରିବି; ମାତ୍ର ସେପରି କଲେ ମୁଁ ପିତାଙ୍କ ଆଦେଶ ଲଙ୍ଘନ କରିବି ଏବଂ ମୋର ମଣିଷ ଜନ୍ମ ଅର୍ଥହୀନ ହୋଇଯିବ । ମୁଁ ଜାଣିଚି ଯେ ଶଇତାନ ତୁମକୁ ମଧ୍ୟ ଆୟତ୍ତ କରିବା ଲାଗି ଚାହୁଁଚି, ମାତ୍ର ମୋର ପ୍ରାର୍ଥନା ଲାଗି ତାହା କରି ପାରୁନାହିଁ ।”

 

ଏକଥା ଶୁଣି ଅତ୍ୟନ୍ତ କ୍ଷୁବଧ ହୋଇ ପିଟର କହିଲେ–“ପ୍ରଭୁ ଆପଣ ମୋତେ ଏତେଦୂର ଦୁର୍ବଳ ବିଚାରୁଚନ୍ତି । ଆପଣଙ୍କ ସକାଶେ ମୁଁ ମୋର ପ୍ରାଣ ବିସର୍ଜନ କରିବାକୁ ସର୍ବଦା ପ୍ରସ୍ତୁତ ରହିଚି ।”

 

ଯୀଶୁ ଉତ୍ତର ଦେଲେ–“ପିଟର, ତୁମେ ଯାହା ଭାବୁଚ ତାହା ଭୁଲ । ତାହା ହେଲେ ମୋଠାରୁ ଜାଣିରଖ, ଆଜି ରାତି ନ ପାହୁଣୁ, କୁକୁଡ଼ା ଦୁଇଥର ରାବିବା ପୂର୍ବରୁ ତୁମେ ମତେ ଥର ଥର କରି ତିନିଥର ଅସ୍ୱୀକାର କରିବ ।” ଏହା ଶୁଣି ପିଟର ନାନା ପ୍ରକାର ଦୁଃଖ ପ୍ରକାଶ କରିବାକୁ ଲାଗିଲେ, ମାତ୍ର ଯୀଶୁ ସେ ପ୍ରସଙ୍ଗରେ ଆଉ କଥା ନ କହି ନୀରବ ରହିଲେ ।

 

କିଛି ସମୟ ପରେ ଯୀଶୁ କହିଲେ–“ପିଟର, ମୋର ଗୋଟାଏ ସାନ ଅନୁରୋଧ ରକ୍ଷା କରିବ କି ?”

 

ପିଟର ସମ୍ମତ ହେବାରୁ ଯୀଶୁ କହିଲେ–“ଶଇତାନ ତୁମ ଉପରେ ପ୍ରଭୃତ୍ୱ ବିସ୍ତାର କରିବା ଲାଗି ଚେଷ୍ଟା ଚଳାଇଚି, ତେଣୁ ତୁମ ସକାଶେ ପ୍ରାର୍ଥନା କରିବା ଲାଗି ମୁଁ ପାହାଡ଼ ଉପରକୁ ଯାଉଚି । ମୁଁ ପ୍ରାର୍ଥନା ସାରି ନ ଫେରିବା ଯାଏ ତୁମେ ଜାଗ୍ରତ ରହିବ, କାରଣ ତୁମେ ନିଦରେ ଶୋଇଗଲେ ଶଇତାନର ଶକ୍ତି ତୁମ ଉପରେ ଆଧିପତ୍ୟ ବିସ୍ତାର କରିବ ।” ଏହା କହି ଯୀଶୁ ପାହାଡ଼ ଉପରକୁ ଚାଲିଗଲେ ।

 

ପ୍ରାୟ ଏକ ଘଣ୍ଟା ପରେ ପାହାଡ଼ ଉପରୁ ଓହ୍ଳାଇ ଯୀଶୁ ଦେଖିଲେ ଯେ ପିଟର ଘୋର ନିଦରେ ଶୋଇଚନ୍ତି । ତେଣୁ ତାଙ୍କୁ ନିଦରୁ ଉଠାଇ ସେ କହିଲେ–“ହାୟ, ପିଟର ! ତୁମେ ମୋର ଏଡ଼େ ଭକ୍ତ ହୋଇ ସୁଦ୍ଧା ମୋ ଅନୁରୋଧ ମାନି ଘଣ୍ଟାକ ଲାଗି ଜାଗ୍ରତ ରହି ପାରିଲ ନାହିଁ ? ଯାହେଉ, ପୁଣି ଥରେ ମୁଁ ତୁମ ଲାଗି ପ୍ରାର୍ଥନା କରିବାକୁ ଯାଉଚି । ଏଥର ଯେପରି ତୁମେ ନିଶ୍ଚୟ ଜାଗ୍ରତ ରହିବ ।” ଯୀଶୁ ଦ୍ୱିତୀୟ ଥର ପ୍ରର୍ଥନା ଲାଗି ପାହାଡ଼ ଉପରକୁ ଗଲେ, ମାତ୍ର ଫେରି ଆସି ଦେଖିଲେ ଯେ ପିଟର ପୁଣି ନିଦରେ ଶୋଇ ପଡ଼ିଚନ୍ତି । ତେଣୁ ଶେଷବାର ଲାଗି ଆଉ ଥରେ ଯୀଶୁ ପାହାଡ଼ ଉପରକୁ ଗଲେ, ମାତ୍ର ଏଥର ମଧ୍ୟ ପିଟର ନିଜ ପ୍ରଭୁଙ୍କ ନିର୍ଦ୍ଦେଶ ମାନି ନ ପାରି ନିଦରେ ଶୋଇ ପଡ଼ିଲେ । ଏହା ଦେଖି ଯୀଶୁ କହିଲେ–“ଏବେ ବୁଝିଲ ତ ପିଟର, ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯିବା ତୁମ ପକ୍ଷରେ ଆଦୌ ସମ୍ଭବ ନୁହେଁ; ଯାହା ଘଟିବାର କଥା ତାହା ନିଶ୍ଚୟ ଘଟିବ-।”

 

ଏପରି ସମୟରେ ଦେଖାଗଲା ଯେ ଜୁଡ଼ାସ୍ ଯୀଶୁଙ୍କ ନିକଟକୁ ଆସୁଚି ଏବଂ ତା ପଛରେ ଆଉ ଦଳେ ଲୋକ ମଧ୍ୟ ଆସୁଚନ୍ତି । ଜୁଡ଼ାସ ଯୀଶୁଙ୍କ ନିକଟକୁ ସିଧା ସଳଖ ଚାଲି ଆସି ‘ମୋ ପ୍ରଭୁ’ ‘ମୋ ପ୍ରଭୁ’ ବୋଲି ତାଙ୍କୁ କୁଣ୍ଢାଇ ପକାଇଲା ଏବଂ ଅଳ୍ପ କ୍ଷଣ ପରେ ସେଇ ଅନ୍ଧକାର ଭିତରେ ହଠାତ୍ କେଉଁଆଡ଼େ ଲୁଚିଗଲା ।

 

ଜୁଡ଼ାସ୍ ଚାଲିଯିବାର ଅଳ୍ପ ସମୟ ପରେ ଦଳେ ସୈନ୍ୟ କେଇଜଣ ରାବି ଯୀଶୁଙ୍କୁ ଘେରିଯାଇ ପଚାରିଲେ–“ତୁମରି ନାଁ ଯୀଶୁ ?”

 

ଧୀର କଣ୍ଠରେ ଯୀଶୁ ଉତ୍ତର ଦେଲେ–“ହଁ, ମୋ ନାଁ ଯୀଶୁ ।”

 

ଏ କଥା ଶୁଣିବା ମାତ୍ରେ ରାବିମାନେ କ୍ରୋଧରେ ଚିତ୍କାର କରିଉଠିଲେ–“ଏଇ ସେଇ ଧର୍ମଦ୍ରୋହୀ ରାଜଦ୍ରୋହୀ ଯୀଶୁ, ଶୀଘ୍ର ଏହାକୁ ଗିରଫ କର ।”

 

ସେହିପରି ଶାନ୍ତ ସ୍ୱରରେ ଯୀଶୁ କହିଲେ–“ତୁମମାନଙ୍କର ମତେ ଗିରଫ କରିବାର କଥା, ତେଣୁ ଗିରଫ କର; ମାତ୍ର ଜାଣିରଖ ମୁଁ ଧର୍ମଦ୍ରୋହୀ ବା ରାଜଦ୍ରୋହୀ ନୁହେଁ ବା ଏଇ ପୃଥିବୀରେ ମୋର କୌଣସି ସ୍ୱାର୍ଥ ନାହିଁ ।”

 

ଯୀଶୁଙ୍କ କଥାରେ କର୍ଣ୍ଣପାତ ନ କରି ସୈନ୍ୟମାନେ ତାଙ୍କୁ ବାନ୍ଧି ପକାଇଲେ ଏବଂ ସେମାନଙ୍କର କ୍ରୋଧ ଓ ହିଂସ୍ରତା ଦେଖି ଜନ୍ ପ୍ରଭୃତି ଶିଷ୍ୟମାନେ ଯେ ଯୁଆଡ଼େ ପାରିଲେ ଲୁଚିଗଲେ ।

 

ବନ୍ଧା ସରିବାରୁ ସୈନ୍ୟମାନେ ଯୀଶୁଙ୍କୁ ପଶୁପରି ଘୋଷାରି ଘୋଷାରି ପ୍ରଧାନ ରାବିଙ୍କ ଘରକୁ ନେଇଗଲେ । ପିଟର ମଧ୍ୟ ଖଣ୍ଡେ ଦୂରରେ ଥାଇ ଘଟଣାର ପରିଣତି ଦେଖିବାପାଇଁ ସେମାନଙ୍କର ପଛେ ପଛେ ଚାଲିଲେ । ସୈନ୍ୟମାନେ ଫାଟକ ଫିଟାଇ ଯୀଶୁଙ୍କୁ ଭିତରକୁ ଟାଣିନେଲେ, ମାତ୍ର ପିଟର ବାଡ଼ିପଟ ଦୁଆର ପାଖରେ ବସିରହିଲେ। ଏପରି ସମୟରେ ପ୍ରଧାନ ରାବିଙ୍କ ରାନ୍ଧୁଣି ବାଡ଼ିପଟକୁ ଆସି ପିଟରଙ୍କୁ ଦେଖି କହିଲା–“ତୁମେ କିଏ ? ତୁମେ କଣ ଯୀଶୁଙ୍କ ଶିଷ୍ୟ ?” ତରତର ହୋଇ ପିଟର କହିଲେ–ମୁଁ ଜଣେ ବାଟୋଇ, ଏଠି ବସି ବିଶ୍ରାମ କରୁଚି । ଯୀଶୁ କିଏ ମୁଁ ଜାଣେ ନାହିଁ ।” ଏତିକିବେଳେ ଗୋଟିଏ କୁକୁଡ଼ାର ରାବ ଶୁଭିଲା । ଅଳ୍ପ ସମୟ ପରେ ପ୍ରଧାନ ରାବିଙ୍କର ଆଉ ଜଣେ ଭୃତ୍ୟ ସେପଟକୁ ଆସି ପିଟରଙ୍କୁ ଦେଖି କହିଲା–“ତୁମେ କଣ ଯୀଶୁଙ୍କ ସଙ୍ଗରେ ଆସିଚ ?” ପିଟର କହିଲେ–“ଯୀଶୁ କିଏ ମୁଁ ଚିହ୍ନେ ନାହିଁ ।” ଏହା ଶୁଣି ଭୃତ୍ୟଟି ପୁଣି କହିଲା–“ମୁଁ ତୁମକୁ ଥରେ ଯୀଶୁଙ୍କ ସହିତ ଦେଖିବା ପରି ମନେ ହେଉଚି।” ତରବର ହୋଇ ପିଟର କହିଲେ–“ତୁମେ ମୋ ପରି ଆଉ କାହାକୁ ଦେଖିଥିବ । ତା ଛଡ଼ା ଯୀଶୁଙ୍କ ନାଁ ମୁଁ ଏଇ ପ୍ରଥମଥର ପାଇଁ ଶୁଣୁଚି ।” ପିଟର ଏହା କହି ସାରିବା ମାତ୍ରେ ଆଉ ଗୋଟିଏ କୁକୁଡ଼ା ରାବ ପକାଇଲା । ସଙ୍ଗେ ସଙ୍ଗେ ପିଟରଙ୍କର ମନେ ପଡ଼ିଗଲା ଯେ ଯୀଶୁ ତାଙ୍କୁ କହିଥିଲେ–“ଦୁଇଥର କୁକୁଡ଼ା ରାବିବା ପୂର୍ବରୁ ତୁମେ ମତେ ତିନିଥର ଅସ୍ୱୀକାର କରିବ ।” ନିଜର ଦୁର୍ବଳତା ବୁଝି ପାରି ପିଟରଙ୍କ ହୃଦୟ ଅନୁତାପରେ ପୂରିଗଲା ଏବଂ ସେ ଗୋଟିଏ ଗଛ ମୂଳରେ ବସି ବିକଳ କାନ୍ଦିବାକୁ ଲାଗିଲେ ।

Image

 

ବିଚାର ଓ ପ୍ରାଣଦଣ୍ଡ

 

ଇହୁଦୀ ସୈନିକମାନେ ଯୀଶୁଙ୍କୁ ବିଚାର ଲାଗି ପ୍ରଧାନ ରାବି କାପିଆସଙ୍କ ନିକଟକୁ ଆଣିଲେ । କାପିଆସଙ୍କ ସଭାରେ ପହଞ୍ଚିବା ପୂର୍ବରୁ ସେମାନେ ଖଣ୍ଡେ କନାରେ ଯୀଶୁଙ୍କ ଆଖି ବାନ୍ଧି ଦେଇ ତାଙ୍କ ପିଠି ଓ ମୁହଁରେ ଜଣ ଜଣ ହୋଇ ଆଘାତ କରି ପଚାରିବାକୁ ଲାଗିଲେ–“ଆହେ ଈଶ୍ୱରଙ୍କ ପୁତ୍ର, ତୁମେ ତ ସର୍ବଜ୍ଞ, ତୁମକୁ କିଏ କିଏ ଆଘାତ କଲେ କହ ତ ଦେଖି !” ପୁଣି ଆଉ କେତେଜଣ ଯୀଶୁଙ୍କ ଉପରେ ଛେପ ପକାଇ ବିଦ୍ରୂପ କରି କହିଲେ–“ହେ ସର୍ବଶକ୍ତିମାନ, ତୁମେ ଯଦି ପ୍ରକୃତରେ ଈଶ୍ୱରଙ୍କ ପୁତ୍ର ହୋଇଥାଅ, ତା ହେଲେ ଏଇ ବନ୍ଧନ ଫିଟାଇ ଶୀଘ୍ର ଏକ ନିରାପଦ ସ୍ଥାନକୁ ଚାଲିଯାଅ ।” ମାତ୍ର ଯୀଶୁ କୌଣସି ଉତ୍ତର ନ ଦେଇ ନୀରବରେ ଏହିସବୁ ଅତ୍ୟାଚାର ଓ ବିଦ୍ରୁପ ସହ୍ୟ କଲେ ।

 

କିଛି ସମୟ ପରେ କାପିଆସ୍ ଦରବାର ଘରେ ପହଞ୍ଚି ଯୀଶଙ୍କୁ ପଚାରିଲା–“ତୁମେ କାହିଁକି ଲୋକମାନଙ୍କୁ ଶାସ୍ତ୍ର ନ ମାନିବା ଲାଗି କହୁଚ ?”

 

ଯୀଶୁ କହିଲେ–“ମୁଁ କଦାପି ଶାସ୍ତ୍ରର ବିରୁଦ୍ଧାଚରଣ କରୁନାହିଁ, ମାତ୍ର ଯେଉଁଠାରେ ଶାସ୍ତ୍ରର ଭୁଲ ଅର୍ଥ କରାଯାଉଚି, ମୁଁ କେବଳ ତାହା ଠିକ୍ ଭାବରେ ବୁଝାଇବା ଦେବା ଲାଗି ଚେଷ୍ଟା କରୁଚି ।”

 

କାପିଆସ୍ ପୁଣି କହିଲା–“ତୁମେ ନିଜକୁ ଈଶ୍ୱରଙ୍କ ପୁତ୍ର ଏବଂ ପରିତ୍ରାତା ବୋଲି ପ୍ରଚାର କରୁଚ ?”

 

ଦୃଢ଼ ସ୍ୱରରେ ଯୀଶୁ କହିଲେ–“ହିଁ, ମୁଁ ଈଶ୍ୱରଙ୍କ ପୁତ୍ର ଏବଂ ପାପୀମାନଙ୍କ ପରିତ୍ରାଣ ଲାଗି ମୁଁ ପୃଥିବୀକୁ ଆସିଚି ।”

 

ଯୀଶୁଙ୍କ ଉତ୍ତର ଶୁଣିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ବହୁ ରାବି ଓ ଇହୁଦୀ “ଶୀଘ୍ର ତାକୁ କ୍ରୁଶରେ ଚଢ଼ାଅ” “ଶୀଘ୍ର ତାକୁ କ୍ରୁଶରେ ଚଢ଼ାଅ” ବୋଲି ଚିତ୍କାର ଆରମ୍ଭ କଲେ । କାପିଆସ୍ ସେମାନଙ୍କ ଦାବୀକୁ ମାନିନେଇ କହିଲା–ରୋମ ସମ୍ରାଟଙ୍କ ଆଇନ ଅନୁସାରେ ରୋମାନ ଶାସନକର୍ତ୍ତା କ୍ରୁଶଦଣ୍ଡ ଦେବାଲାଗି ଅଧିକାରୀ । ତେଣୁ ଏହାକୁ ରୋମାନ ଶାସନରକର୍ତ୍ତାଙ୍କ ନିକଟକୁ ନେଇଯାଅ ।”

 

ଏହା ଶୁଣି ସୈନ୍ୟମାନେ ଯୀଶୁଙ୍କୁ ପୁଣି ଘୋଷାରି ଘୋଷାରି ରୋମାନ ଶାସନକର୍ତ୍ତା ପାଇଲଟଙ୍କ ନିକଟକୁ ଘେନିଗଲେ ।

 

ପାଇଲଟ ପୂର୍ବରୁ ଯୀଶୁଙ୍କ ଉପଦେଶ ଓ କାର୍ଯ୍ୟକଲାପ ବିଷୟ ଅନୁସନ୍ଧାନ କରି ବୁଝିଥିଲେ ଯେ ସେ ପ୍ରକୃତରେ ଦୋଷୀ ନୁହନ୍ତି । ତେଣୁ ଯୀଶୁଙ୍କୁ ତାଙ୍କ ସାମନାକୁ ଅଣାଯିବାରୁ ସେ ସେଠାରେ ଉପସ୍ଥିତ ଥିବା ରାବିମାନଙ୍କୁ ପଚାରିଲେ–“ଏଇ ଲୋକ ବିରୁଦ୍ଧରେ ତୁମମାନଙ୍କର କି ଅଭିଯାଗ ଅଛି ?”

 

ରାବିମାନେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ–“ଏଇ ଲୋକ ଧର୍ମଶାସ୍ତ୍ର ଓ ରୋମ ସମ୍ରାଟଙ୍କ ବିରୁଦ୍ଧରେ ବିଦ୍ରୋହ ସୃଷ୍ଟି କରୁଚି । ସେ ନିଜକୁ ଇହୁଦୀମାନଙ୍କର ରାଜା ବୋଲି କହୁଚି ।”

 

ଏହା ଶୁଣି ପାଇଲଟ ଯୀଶୁଙ୍କୁ ପଚାରିଲେ–“ତୁମେ କଣ ଇହୁଦୀମାନଙ୍କ ରାଜା ?”

 

ଯୀଶୁ କହିଲେ–“ରାବିମାନେ ଏବଂ ଆପଣହିଁ ସେହିପରି କହୁଚନ୍ତି ।”

 

ଏହି ଉତ୍ତର ଶୁଣି ପାଇଲଟ ରାବିମାନଙ୍କୁ ଉଦ୍ଦେଶ୍ୟ କରି କହିଲେ–“ଏହି ଲୋକ ତ ସେପରି କୌଣସି କଥା କହିନାହିଁ, ତେଣୁ ତା’ ବିରୁଦ୍ଧରେ ତୁମମାନଙ୍କର ଆଉ କଣ ଅଭିଯୋଗ ଅଛି-?”

 

ଏହା ଶୁଣି ରାବିମାନେ କହିଲେ–“ହଜୁର, ଏଇ ଭଣ୍ଡ ଆପଣଙ୍କ ଆଗରେ ମିଛ କହୁଚି । ଏ ନିଜକୁ ରାଜାପୁଅ ବୋଲି ପରିଚୟ ଦେଇ ଲୋକମାନଙ୍କୁ ନିଜ ରାଜ୍ୟକୁ ଯିବା ଲାଗି ପ୍ରବର୍ତ୍ତାଉଚି-।”

 

ପାଇଲଟ ଏହା ଶୁଣି ଯୀଶୁଙ୍କୁ ପଚାରିଲେ–“ଏହା କଣ ସତ କଥା ?”

 

ଯୀଶୁ କହିଲେ–“ମୁଁ ରାଜାଧିରାଜ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ପୁତ୍ର; ତେଣୁ ମୁଁ ନିଜକୁ ରାଜପୁତ୍ର ବୋଲି ପରିଚୟ ଦେବା ଭୁଲ ନୁହେଁ; ମାତ୍ର ମୋର ପିତାଙ୍କର ଯେଉଁ ରାଜ୍ୟ ବିଷୟ ମୁଁ ଲୋକମାନଙ୍କୁ ବୁଝାଉଚି, ତାହା ଏହି ପୃଥିବୀରେ ନୁହେଁ, ତାହା ହେଉଚି ସ୍ୱର୍ଗରାଜ୍ୟ ।”

 

ଯୀଶୁଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ପାଇଲଟ କହିଲେ–“ଏହି ଲୋକ କୌଣସି ଅପରାଧ କରି ନାହିଁ, ତେଣୁ ମୁଁ ତାକୁ ଦଣ୍ଡ ଦେବି କାହିଁକି ?”

 

ରାବିମାନେ ଯେ କୌଣସି ପ୍ରକାରେ ଯୀଶୁଙ୍କୁ ହତ୍ୟା କରିବା ଲାଗି ବଦ୍ଧପରିକର ହୋଇଥିଲେ । ତେଣୁ ପାଇଲଟଙ୍କ ମତ ପରିବର୍ତ୍ତନ କରାଇବା ଲାଗି ସେମାନେ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରି କହିଲେ–“ଏହି ଲୋକ ରାଜବେଶ ଏବଂ ମୁକୁଟ ପିନ୍ଧି ଘୋଡ଼ାରେ ଚଢ଼ି ଯାଉଥିବାର ଏବଂ ତା ସଙ୍ଗରେ ଥିବା ଲୋକମାନେ ‘ଜୟ ଇହୁଦୀମାନଙ୍କ ରାଜାଙ୍କର ଜୟ’ ବୋଲି ଚିତ୍କାର କରୁଥିବା ବହୁ ଲୋକ ଜାଣିଚନ୍ତି । ଏହା ସତ୍ତ୍ୱେ ଆପଣ ଯଦି ତାକୁ ଉପଯୁକ୍ତ ଦଣ୍ଡ ନ ଦିଅନ୍ତି, ତେବେ ଜଣାଯିବ ଯେ ଆପଣ ସୀଜରଙ୍କ ବିରୁଦ୍ଧରେ ବିଦ୍ରୋହକୁ ଉତ୍ସାହିତ କରୁଚନ୍ତି ଏବଂ ଆମେ ମଧ୍ୟ ସୀଜରଙ୍କୁ ସେ କଥା ଜଣାଇଦେବୁ ।”

 

ସେମାନଙ୍କର ଏପ୍ରକାର ଧମକରେ ଆତଙ୍କିତ ହୋଇ ପାଇଲଟ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ଲାଗି ବାଧ୍ୟ ହେଲେ, ମାତ୍ର ଦଣ୍ଡ ଦେବା ପୂର୍ବରୁ ସେ ରାବି ଓ ଇହୁଦୀମାନଙ୍କୁ କହିଲେ–“ତୁମମାନଙ୍କୁ କୂଟଚକ୍ର ଯୋଗୁଁ ମୁଁ ଜଣେ ନିର୍ଦୋଷ ବ୍ୟକ୍ତିଙ୍କୁ କ୍ରୁଶରେ ଚଢ଼ାଇବା ସକାଶେ ବାଧ୍ୟ ହେଉଚି ।” ଏହା କହି ରାଜଦ୍ରୋହ କରିଥିବା ଯୋଗୁଁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯିବ ବୋଲି ସେ ଆଦେଶ ଦେଲେ ଏବଂ ଏଇ ଆଦେଶ ଦେଇସାରି ସେ ପାଣିରେ ନିଜ ହାତ ଧୋଇ କହିଲେ–“ଏପରି ଅନ୍ୟାୟ ଆଦେଶର ଫଳ ମତେ ଭୋଗ କରିବାକୁ ନପଡ଼ୁ ।”

 

ପାଇଲଟ ଭଲ ଭାବରେ ବୁଝିଥିଲେ ଯେ ଯୀଶୁ ସମ୍ପୂର୍ଣ୍ଣ ନିର୍ଦୋଷ । ଆଗାମୀ ରବିବାର ଇହୁଦୀମାନଙ୍କୁ ଶ୍ରେଷ୍ଠ ପର୍ବ ‘ପାସ୍ ଓଭାର’ ଉପଲକ୍ଷରେ ଗୋଟିଏ ପ୍ରାଣଦଣ୍ଡ ପାଇଥିବା ବ୍ୟକ୍ତିକୁ ମୁକ୍ତି ଦେବାର କଥା । ତେଣୁ ସେଇ ସୁଯୋଗରେ ଯୀଶୁଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ପାଇଲଟ ଇହୁଦୀମାନଙ୍କୁ କହିଲେ–“ଆଉ ଦୁଇଦିନ ପରେ ପାସ୍ ଓଭାର ପର୍ବ ପଡ଼ିବ । ତୁମମାନଙ୍କ ଆପତ୍ତି ନ ଥିଲେ ମୁଁ ଯୀଶୁଙ୍କୁ ସେହି ପର୍ବ ଉପଲକ୍ଷେ ପ୍ରାଣ ଦଣ୍ଡରୁ ଅବ୍ୟାହତି ଦେବି ।”

 

ରକ୍ତ-ପିପାସୁ ବାଘ ପରି ରାବିମାନେ ଚିତ୍କାର କରି କହିଲେ–“ନା, ନା ତାହା କଦାପି ହୋଇପାରିବ ନାହିଁ। ବାରାବାସ୍ ବୋଲି ଯେଉଁ ଦସ୍ୟୁକୁ ପ୍ରାଣଦଣ୍ଡ ଦିଆଯାଇଚି, ଆମେ ତାର ମୁକ୍ତି ଚାହୁଚୁ । ଯୀଶୁକୁ କ୍ରୁଶ ଉପରେ ମରିବାକୁ ହିଁ ପଡ଼ିବ ।”

 

ସେମାନଙ୍କ ଜିଦ୍ ଦେଖି ପାଇଲଟ ବାଧ୍ୟ ହୋଇ ଦୁର୍ଦ୍ଦାନ୍ତ ଦସ୍ୟୁ ବାରାବାସ୍ କୁ ମୁକ୍ତି ଦେଲେ ଏବଂ ଆଉ ଦୁଇଜଣ ଦସ୍ୟୁଙ୍କ ସହିତ ଯୀଶୁଙ୍କୁ କ୍ରୁଶ ଉପରେ ହତ୍ୟା କରିବା ଲାଗି ଆଦେଶ ଦେଲେ ।

 

ବିଚାର ସରିବା ମାତ୍ରେ ଇହୁଦୀମାନେ ଗୋଟାଏ କଣ୍ଟାର ମୁକୁଟ ଆଣି ଯୀଶୁଙ୍କ ମୁଣ୍ଡରେ ପିନ୍ଧାଇ “ଈଶ୍ୱରପୁତ୍ର” “ଇହୁଦୀମାନଙ୍କ ରାଜା” ବୋଲି ବିଦ୍ରୁପ କରିବାକୁ ଲାଗିଲେ ଏବଂ ବାରମ୍ବାର ଆଘାତ କରି ତାଙ୍କର ସର୍ବାଙ୍ଗ ରକ୍ତାକ୍ତ କରିଦେଲେ । ତା’ ପରେ ସୈନିକମାନେ ଅନ୍ୟ ଦୁଇଜଣ ଦସ୍ୟୁଙ୍କ ସହିତ ଯୀଶୁଙ୍କୁ ବାନ୍ଧି କ୍ରୁଶଦଣ୍ଡ ଦେବା ଲାଗି ନିର୍ଦ୍ଦିଷ୍ଟ ହୋଇଥିବା ‘ଗଲଗଥା’ ନାମକ ମଶାଣିପଦାକୁ ଘେନିଗଲେ ପାଇଲଟଙ୍କ ଦରବାରରୁ ଗସକଥା ଯାଏ ଯିବା ସମୟରେ ସୈନ୍ୟକମାନେ ଇହୁଦୀମାନନଙ୍କ ପ୍ରରୋଚନାରେ ଯୀଶୁଙ୍କୁ ବାରମ୍ବାର ଚମଡ଼ା ତିଆରି ଚାବୁକରେ ପିଟିବାକୁ ଲାଗିଲେ ।

 

କ୍ରୁଶ କାଠରେ ଚଢ଼ାଇବା ପୂର୍ବରୁ ଅପରାଧୀମାନଙ୍କୁ ଏକ ପ୍ରକାର ମାଦକ ପାନୀୟ ଦିଆଯାଉଥିଲା । ଏହା ପାନକଲେ ହାତ ଓ ପାଦ କଣ୍ଟା ଫୋପାଡ଼ିବାର କଷ୍ଟ କେତେକ ପରିମାଣରେ କମ୍ ଜଣାପଡ଼ୁଥିଲା । କଣ୍ଟା ଫୋଡ଼ିବା ପୂର୍ବରୁ ଯୀଶୁଙ୍କୁ ଯେତେବେଳେ ସେଇ ମାଦକଦ୍ରବ୍ୟ ଦିଆଗଲା, ସେ ତାହା ଗ୍ରହଣ ନ କରି କହିଲେ–“ପରମପିତା ମୋ ସକାଶେ ଯେୁଉଁ ବିଷର ପିଆଲା ରଖିଚନ୍ତି ମୁଁ ତାହା ନିଃଶେଷରେ ପାନ କରିଚି ।” ଏହା ପରେ ଯୀଶୁଙ୍କୁ ହାତ ଓ ପାଦରେ କଣ୍ଟା ଫୋଡ଼ିଦିଆଗଲା । ଏହା ଶୁକ୍ରବାର ଦିନ ବାରଟା ସମୟର ଘଟଣା ।

 

କଣ୍ଟା ବିଦ୍ଧ ହୋଇ ଯୀଶୁ କ୍ରୁଶ ଉପରେ ଝୁଲୁଥିବା ସମୟରେ ମଧ୍ୟ ଇହୁଦୀମାନେ ତାଙ୍କୁ ବିଦ୍ରୁପ କରି କହିଲେ–ଆହେ ଈଶ୍ୱରପୁତ୍ର ! ତୁମକୁ ରକ୍ଷାକରିବା ଲାଗି ତୁମ ପିତାଙ୍କୁ ଡ଼ାକୁନାହଁ କାହିଁକି ? ଏବଂ ଏହା କହିବା ସଙ୍ଗେ ସଙ୍ଗେ ସେମାନେ ତାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ; ମାତ୍ର ଯୀଶୁ, କୌଣସି ପ୍ରତିବାଦ ନ କରି ଶାନ୍ତ ସ୍ୱରରେ ପ୍ରର୍ଥନା କଲେ–“ହେ ପରମପିତା-! ଏମାନେ କଣ କରୁଚନ୍ତି ତାହା ସେମାନେ ନିଜେ ବୁଝିପାରନ୍ତି । ତୁମେ ସେମାନଙ୍କୁ କ୍ଷମା କରିଦିଅ-।”

 

ଏପରି ସମୟରେ ଚାରିପଟେ ହଠାତ୍ ଘୋର ଅନ୍ଧାର ଘୋଟିଗଲା, ପ୍ରବଳ ବେଗରେ ତୋଫାନ ବୋହିବାକୁ ଲାଗିଲା ଏବଂ ଘନ ଘନ ବଜ୍ରପାତ ଆରମ୍ଭ ହେଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଇହୁଦୀ ଦେଖଣାହାରୀ ଓ ରୋମାନ ସୈନିକମାନେ ଭୟରେ ଥରିବାକୁ ଲାଗିଲେ । ଅପରାହ୍ନ ତିନିଟା ସମୟରେ ଯୀଶୁ କହିଲେ, “ହେ ପରମପିତା ! ବର୍ତ୍ତମାନ ମୁଁ ମୋର ଆତ୍ମାକୁ ତୁମ ହସ୍ତରେ ସମର୍ପଣ କରୁଚି ।” ସେ ଏହା କହିବା ସଙ୍ଗେ ସଙ୍ଗେ ତାଙ୍କ ପ୍ରାଣବାୟୁ ମହାଶୂନ୍ୟରେ ମିଶିଗଲା ଏବଂ ସେଇ ମୂହୂର୍ତ୍ତରେ ଏକ ବିରାଟ ବଜ୍ରପାତ ଘଟି ଅଳ୍ପ ଦୂରରେ ଥିବା ଗୋଟିଏ ଇହୁଦୀ ମନ୍ଦିର ଫାଟି ଦୁଇଫାଳ ହୋଇଗଲା । ଏହା ଦେଖି ପ୍ରାଣଦଣ୍ଡ ଦାୟିତ୍ୱରେ ଥିବା ରୋମାନ ସେନାପତି ଆପଣା ଛାଏଁ କହି ପକାଇଲେ–“ମୁଁ ଏବେ ମଧ୍ୟ ବିଶ୍ୱାସ କରୁଚି ଯେ ଯୀଶୁ ନିଶ୍ଚୟ ଈଶ୍ୱରଙ୍କର ପୁତ୍ର ।”

Image

 

ପୁନରୁତ୍‌ଥାନ

 

ଶୁକ୍ରବାର ଦିନ ତିନିଟା ସମୟରେ ଯୀଶୁଙ୍କୁ ଆତ୍ମା ହାଡ଼ମାଂସରେ ଗଢ଼ା ଶରୀର ତ୍ୟାଗ କରି ଚାଲିଗଲା; ମାତ୍ର ତାଙ୍କର ଦୁଇ ପଟରେ ଯେଉଁ ଦସ୍ୟୁ ଦୁଇଜଣଙ୍କୁ କ୍ରୁଶରେ ଚଢ଼ା ହୋଇଥିଲା ସେମାନେ ସେ ପର୍ଯ୍ୟନ୍ତ ଜୀବିତ ରହି ନାନା ପ୍ରକାର କରୁଣ ଆର୍ତ୍ତନାଦ କରୁଥିଲେ । ପରଦିନଠାରୁ ଇହୁଦୀମାନଙ୍କର ସବୁଠାରୁ ବଡ଼ ପର୍ବ ପାସ୍‌ଓଭାର ଆରମ୍ଭ ହେବାର ଥିଲା । ସେଦିନକୁ କ୍ରୁଶ ଉପରେ ମୁର୍ଦ୍ଦାରମାନ ଓହଳୁଥିବାର ଦିଶିଲେ ପର୍ବର ଆନନ୍ଦରେ ଆଞ୍ଚ ଆସିବ ବିଚାରି ଇହୁଦୀ ନେତାମାନେ କ୍ରୁଶଦଣ୍ଡ ଭୋଗୁଥିବା ଅପରାଧୀମାନଙ୍କୁ ଠେଙ୍ଗାରେ ପିଟି ଶୀଘ୍ର ମାରିଦେବା ଲାଗି ସେଠାରେ ପହରା ଦେଉଥିବା ସୈନ୍ୟମାନଙ୍କୁ ଅନୁରୋଧ କଲେ । ସେମାନଙ୍କ ଅନୁରୋଧ ଅନୁସାରେ ସୈନ୍ୟମାନେ ପ୍ରଥମେ ଦସ୍ୟୁ ଦି’ଜଣଙ୍କୁ ଠେଙ୍ଗାରେ ପିଟିପିଟି ମାରିପକାଇଲେ। ଯୀଶୁଙ୍କ ନିକଟରେ ପହଞ୍ଚି ସେମାନେ ଦେଖିଲେ ଯେ ତାଙ୍କ ଶରୀରରେ ପ୍ରାଣର ଲକ୍ଷଣ ନାହିଁ । ତଥାପି ଅଧିକ ସୁନିଶ୍ଚିତ ହେବା ଉଦ୍ଦେଶ୍ୟରେ ଜଣେ ସୈନିକ ଗୋଟାଏ ତେଣ୍ଟାରେ ଯୀଶୁଙ୍କ ପଞ୍ଜରାକୁ ଫୋଡ଼ିଦେଲା । ସେ ତେଣ୍ଟାଟି ପୋଡ଼ିଦେବା ମାତ୍ରେ ଆଶ୍ଚର୍ଯ୍ୟଜନକ ଭାବରେ ଯୀଶୁଙ୍କ ସାରା ଶରୀରରେ ଥିବା ସମସ୍ତ ରକ୍ତ ସେଇ କଣାବାଟେ ଝରଣା ପାଣି ପରି ବାହାରି ଆସିଲା । ଠିକ୍ ଏହି ସମୟକୁ ଆରମ୍ଭହେଲା ମୂଷଳଧାରାରେ ବର୍ଷା । ବର୍ଷାପାଣି ସୁଅରେ ମିଶି ଯୀଶୁଙ୍କର ପବିତ୍ର ରକ୍ତ ଚାରିଆଡ଼େ ଖେଳାଇ ହୋଇଗଲା ଏବଂ ସେଇ ରକ୍ତର ସ୍ପର୍ଶରେ ନାନା ପ୍ରକାର ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । ଖଣ୍ଡେ ଦୂରରେ ସଡ଼କ କଡ଼ରେ ବସିଥିବା ଜଣେ କୁଷ୍ଠରୋଗୀ ଯୀଶୁଙ୍କ ରକ୍ତମିଶା ସେଇ ବର୍ଷାପାଣିରେ ନିଜ ହାତ ପାଦ ଧୋଇସାରି ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ ତାର ବହୁ ବର୍ଷର ଗଳିତ କୁଷ୍ଠ କୁହୁକ ପରି ଅନ୍ତର୍ଦ୍ଧାନ ହୋଇଯାଇଚି । ପୁଣି ପ୍ରବଳ ପେଟ ଯନ୍ତ୍ରଣାରେ କଷ୍ଟ ପାଉଥିବା ଜଣେ ବାଟୋଇ ସେଇ ପାଣିରୁ ଦିଢ଼ୋକ ପିଇବା କ୍ଷଣି ସେ ସମସ୍ତ କଷ୍ଟରୁ ରକ୍ଷାପାଇଲା-। ଗୋଟିଏ ଜନ୍ମାନ୍ଧ ସଡ଼କ କଡ଼ରେ ବସି ଭିକ ମାଗୁଥିଲା । କିଛି ସମୟ ପୂର୍ବରୁ ହୋଇଥିବା ତୋଫାନରେ ତାର ମୁହଁ ହାତ ଧୂଳିମୟ ହୋଇଯାଇଥିଲା । ତେଣୁ ନିଜ ମୁହଁ ହାତ ସଫା କରିବା ଲାଗି ସେଇ ରକ୍ତମିଶା ପାଣି ମୁହଁରେ ମାରିବା କ୍ଷଣି ସେ ଦୃଷ୍ଟିଶକ୍ତି ଫେରିପାଇଲା । ଏ ଘଟଣା ଦେଖି ସେଠାରେ ଥିବା ଇହୁଦୀମାନେ ମଧ୍ୟ ଭୟ ଓ ବିସ୍ମୟରେ ଥରିବାକୁ ଲାଗିଲେ । ଯା’ ହେଉ, ଯୀଶୁଙ୍କ ଶରୀରଟା ଗୁହା ଭିତରେ କବର ଦେଇ, ଗୁହା ମୁହଁକୁ ଗୋଟାଏ ବିରାଟ ପଥରଦ୍ୱାରା ବନ୍ଦ କରି ଏବଂ ଗୁହା ମୁହଁରେ ନିଜ ଜଗୁଆଳୀମାନଙ୍କୁ ରଖି, ସେମାନେ କେତେକ ପରିମାଣରେ ନିଶ୍ଚିନ୍ତ ହୋଇ ନିଜ ନିଜ ଘରକୁ ଫେରିଗଲେ ।

 

ରବିବାର ସକାଳୁ ଯୀଶୁଙ୍କ ମାତା ମେରୀ ଏବଂ ଆଉ ଜଣେ ମହିଳା କବର ଦିଆଯାଇଥିବା ଗୁହା ପାଖରେ ପହଂଚି ଦେଖିଲେ ଯେ ଗୁହାକୁ ଜଗିରହିଥିବା ପ୍ରହରୀମାନେ ଅଚେତ ହୋଇ ଏଣେ ତେଣେ ପଡ଼ିରହିଚନ୍ତି, ଗୁହା ମୁହଁରେ ଥିବା ପଥରଟା ଖଣ୍ଡେଦୂରକୁ ଗଡ଼ି ଯାଇଚି ଏବଂ ଗୁହା ଭିତରୁ ଯୀଶୁଙ୍କ ଶରୀରଟା ଅଦୃଶ୍ୟ ହୋଇଯାଇଚି । ଘଟଣା କଣ ବୁଝି ନପାରି ସେମାନେ କାବା ହୋଇ ଛିଡ଼ା ହୋଇଚନ୍ତି, ଏପରିସମୟରେ ଗୋଟାଏ ଭୀଷଣ ଶବ୍ଦ ଶୁଭିଲା ଏବଂ ଭୂମିକମ୍ପ ହେବାପରି ସେ ଜାଗା ଖଣ୍ଡକ ଥରିବାକୁ ଲାଗିଲା । ଭୟରେ ସେ ଦୁହେଁ ଗୁହାପାଖରୁ ପଳାଇ ଯିବାକୁ ବସିଚନ୍ତି. ଏପରି ସମୟରେ ସେମାନଙ୍କ ଆଗରେ ଖୁବ୍ ଉଜ୍ଜ୍ୱଳ ଦିଶୁଥିବା ଜଣେ ଦେବଦୂତ ଉଭା ହୋଇ କହିଲେ–“ଭୟ କରନାହିଁ । ତୁମେ ଦୁହେଁ ଯୀଶୁଙ୍କ ଶରୀରଟାକୁ ଘେନିଯିବା ଲାଗି ଆସିଥିଲ ସତ; ମାତ୍ର ସେ ପୁଣି ଜୀବନଧାରଣ କରି ସ୍ୱର୍ଗରାଜ୍ୟରେ ନିଜପିତାଙ୍କ ନିକଟକୁ ଯାଇଚନ୍ତି । ବର୍ତ୍ତମାନ ତୁମେମାନେ ବୁଝିପାରୁଚ ଯେ ସେ ଯାହା କହଥିଲେ, ତାହା ଅକ୍ଷରେ ଅକ୍ଷରେ ସତ । ବର୍ତ୍ତମାନ ତୁମେ ଦୁହେଁ ଯୀଶୁଙ୍କ ପୁନର୍ଜୀବନ ବିଷୟ ସମସ୍ତଙ୍କୁ ଯାଇ ଜଣାଇଦିଅ ଏବଂ ଯୀଶୁଙ୍କୁ ବିଶ୍ୱାସ ଓ ଭକ୍ତି କରୁଥିବା ଲୋକମାନଙ୍କୁ କହ ଯେ ସେମାନେ ଶୀଘ୍ର ଗ୍ୟାଲିଲିକୁ ଯିବେ, କାରଣ ଯୀଶୁ ପୁଣି ସେହିଠାରେ ସେମାନଙ୍କୁ ଦେଖାଦେବେ ।” ଏହା କହି ଦେବଦୂତ ଜଣକ ଆଖି ପିଛୁଳାକେ ଉଭାଇଗଲେ ।

 

ଆନନ୍ଦ ଓ ବିସ୍ମୟରେ ଉଚ୍ଛ୍ୱାସିତ ହୋଇ ମେରୀ ଓ ତାଙ୍କ ସଙ୍ଗୀ ଏ ଖବର ସମସ୍ତଙ୍କୁ ଜଣାଇବା ସକାଶେ ନିଜ ଘରଆଡ଼େ ଧାଇଁଲେ; ମାତ୍ର ଅଳ୍ପ ଦୁର ଯିବା ପରେ ସେମାନେ ଦେଖିଲେ ଯେ ତାଙ୍କ ଆଗରେ ଯୀଶୁ ନିଜେ ଛିଡ଼ା ହୋଇଚନ୍ତି । ଏହା ଦେଖି ମନର ଉତ୍ତେଜନା ସମ୍ଭାଳି ନ ପାରି ଦୁହେଁ ସଡ଼କ ଉପରେ ପଡ଼ିଗଲେ । ଶାନ୍ତ କଣ୍ଠରେ ଯୀଶୁ କହିଲେ–“ଭୟ କରନାହିଁ । ମତେ ସ୍ନେହ ଶ୍ରଦ୍ଧା କରୁଥିବା ସବୁ ଲୋକଙ୍କୁ ଶୀଘ୍ର ଗ୍ୟାଲିଲିକୁ ଯିବାଲାଗି କହିଦିଅ । ସେହିଠାରେ ମୁଁ ସମସ୍ତଙ୍କ ସହିତ ସାକ୍ଷାତ କରିବି ।” ଏହା କହି, ଦେଦଦୂତଟି ପରି, ଯୀଶୁ ମଧ୍ୟ ଅକସ୍ମାତ୍ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ଏହି ଅପାର୍ଥିବ ଘଟଣା ଜଣାଇ ଦେବା ଲାଗି ମେରୀ ଓ ତାଙ୍କ ସହଚାରୀ ଊର୍ଦ୍ଧ୍ୱଶ୍ୱାସରେ ଧାଇଁବାକୁ ଲାଗିଲେ ।

 

ମେରୀ ଓ ତାଙ୍କ ସାଂଗ ଚାଲିଯିବାର କିଛି ସମୟ ପରେ ଗୁହାଟିକୁ ଜଗି ରହିଥିବା ପ୍ରହରୀମାନଙ୍କର ଚେତା ଫେରିଆସିଲା । ସେଠୁ ସେମାନେ ଇହୁଦୀମାନଙ୍କ ପ୍ରଧାନ ରାବିଙ୍କ ନିକଟକୁ ଯାଇ କହିଲେ–“ଧର୍ମାବତାର, ଆଜି ରାତି ପାହନ୍ତା ବେଳେ ପ୍ରଚଣ୍ଡ ଶବ୍ଦ ସହିତ ପ୍ରବଳ ଭୂମିକଂପ ହେଲା, ଫଳରେ ଗୁହା ମୁହଁରେ ଲଦା ହୋଇଥିବା ପଥର ଖଣ୍ଡ ନିଜ ମନକୁ ବହୁ ଦୂରକୁ ଗଡ଼ିଗଲା ଏବଂ ଗୁହା ଭିତରେ କ୍ରୁଶ ଉପରେ ମରିଥିବା ସେଇ ଯୀଶୁ ଜୀବନ୍ତ ହୋଇ ପଦାକୁ ବାହାରି ଆସିଲେ । ତାଙ୍କ ଦେହଟା ସୂର୍ଯ୍ୟପରି ଉଜ୍ଜ୍ୱଳ ଦିଶୁଥାଏ । ଯୀଶୁ ପଦାକୁ ବାହାରିବା ମାତ୍ରେ ଶୂନ୍ୟରୁ ଦୁଇଜଣ ଦେବଦୂତ ଆସି ତାଙ୍କର ଦୁଇ କଡ଼ରେ ଛଡ଼ା ହୋଇଗଲେ। ସେମାନଙ୍କ ଦେହରୁ ମଧ୍ୟ ଜ୍ୟୋତି ବାହାରୁଥାଏ । ଏପରି ଅସମ୍ଭବ ଘଟଣା ଦେଖି ଭୟରେ ଆମ୍ଭମାନଙ୍କର ଚେତା ହଜିଗଲା । ତେଣୁ, ତା’ପରେ ସେମାନେ କଣ କଲେ ବା କେଉଁ ଦିଗକୁ ଗଲେ, ଆମେ କିଛି ଜାଣିପାରିଲୁ ନାହିଁ । ଏବେ ଆମର ଚେତା ଫେରିଆସିବାରୁ ଆପଣଙ୍କୁ ସବୁ ଘଟଣା ଜଣାଇ ଦେବା ଲାଗି ଏଠାକୁ ଧାଇଁ ଆସିଚୁ । ଆଉ ଆମେ ସେଠାରେ ପ୍ରହରୀ ହୋଇରହିପାରିବୁ ନାହିଁ ।”

 

ପ୍ରହରୀମାନଙ୍କ କଥା ଶୁଣି ନେତା ଓ ରାବିମାନେ ବିଶେଷ ବ୍ୟସ୍ତ ହୋଇପଡ଼ିଲେ, କାରଣ ଏ ଘଟଣା ଚାରିଆଡ଼େ ପ୍ରଚାରିତ ହେଲେ ଚାହୁଁ ଚାହୁଁ ବହୁ ଲୋକ ଯୀଶୁଙ୍କର ଶିଷ୍ୟ ହୋଇ ସେମାନଙ୍କର ବିରୁଦ୍ଧରେ ଯିବେ । ତେଣୁ ନିଜ ନିଜ ମଧ୍ୟରେ ବହୁ ସମୟ ପରାମର୍ଶ କରି ସେମାନେ ପ୍ରହରୀମାନଙ୍କୁ ଡ଼କାଇ କହିଲେ–“ତୁମେମାନେ ସମସ୍ତଙ୍କୁ ଯାଇ କହ ଯେ ଗତ ରାତିରେ ଯୀଶୁଙ୍କୁ ବିଶ୍ୱାସ କରୁଥିବା ଦଳେ ଲୋକ ହଠାତ୍ ଏକାଠି ପହଞ୍ଚି, ତୁମମାନଙ୍କୁ କାବୁ କରି ଯୀଶୁଙ୍କ ମୁର୍ଦାରଟାକୁ ବୋହି ନେଇଗଲେ । ଭୟ କରନାହିଁ; ଏଥି ସକାଶେ ରୋମାନ୍ ଶାସନକର୍ତ୍ତା ଯଦି ତୁମମାନଙ୍କୁ ଜୋରିମାନା କରନ୍ତି, ତେବେ ତୁମ ତରଫରୁ ଆମେ ସେଇ ଜୋରିମାନା ଟଙ୍କା ଦାଖଲ କରିବୁ । ତା ଛଡ଼ା ଆମେ ଯେପରି କହିଲୁ, ତୁମେମାନେ ସେପରି ପ୍ରଚାର କଲେ, ଆମେ ତୁମ ପ୍ରତ୍ୟେକଙ୍କୁ ବହୁ ଟଙ୍କା ପୁରସ୍କାର ଦେବୁ ।” ରାବିମାନଙ୍କ ଶିକ୍ଷା ମୁତାବକ ପ୍ରହରୀମାନେ ଲୋକଙ୍କ ଭିତରେ ଏହି ମିଥ୍ୟା ଖବର ପ୍ରଚାର କରିବାକୁ ଲାଗିଲେ ଏବଂ ଅଧିକାଂଶ ଲୋକ ତାଙ୍କ କଥାରେ କାନ ନ ଦେଲେ ମଧ୍ୟ କେତେକ ଲୋକ ସେଇ ଅପପ୍ରଚାରକୁ ସତ ବୋଲି ବିସ୍ୱାସ କଲେ ।

 

ମେରୀ ଓ ତାଙ୍କ ସଙ୍ଗିନୀ ଯେତେବେଳେ ଜେରୁଜାଲେମରେ ରହୁଥିବା ଯୀଶୁଙ୍କ ଭକ୍ତମାନଙ୍କୁ ଭେଟି, ଦେବଦୂତଙ୍କଠାରୁ ଶୁଣିଥିବା ଯୀଶୁଙ୍କ ପୁନରୁତ୍‌ଥାନ୍ ବିଷୟ କହିଲେ, ସେତେବେଳେ ଶ୍ରୋତାମାନଙ୍କ ମଧ୍ୟରୁ ଅନେକେ ଏପରି ଏକ ଅସମ୍ଭବ ଘଟଣାକୁ ବିଶ୍ୱାସ କଲେ ନାହିଁ । ସେମାନେ କହିଲେ–“ହୁଏତ ତୁମେ ମିଛ କହୁଚ, ନଚେତ୍ ସ୍ୱପ୍ନରେ ଏପରି ଦେଖିଥିବ; ଯୀଶୁଙ୍କ ଶରୀରକୁ ଇହୁଦୀମାନେ ନିଶ୍ଚୟ ଅନ୍ୟ କେଉଁଠାକୁ ନେଇଯାଇଚନ୍ତି ।”

 

ସେହିଦିନ ଅପରାହ୍ନରେ ଯୀଶୁଙ୍କର ଦୁଇଜଣ ଅନୁଚର ଏହି ବିଷୟ ଆଲୋଚନା କରୁ କରୁ ଜେରୁଜାଲେମଠାରୁ ସାତ ମାଇଲ ଦୂରରେ ଥିବା ‘ଏମାର’ ନାମକ ଗାଁକୁ ଯାଉଥିଲେ । ମଝିବାଟରେ ଯୀଶୁ ସଶରୀରରେ ସେମାନଙ୍କ ସଙ୍ଗରେ ଯୋଗଦେଲେ,ମାତ୍ର ଗୋଟିଏ ଧଳା ଚଦରରେ ସେ ନିଜର ଆପାଦ ମସ୍ତକ ଘୋଡ଼ାଇ ରଖିଥିବା ଯୋଗୁଁ ସେମାନେ ତାଙ୍କୁ ଚିହ୍ନିପାରିଲେ ନାହିଁ । ଖଣ୍ଡେ ବାଟ ଯିବା ପରେ ଯୀଶୁ କହିଲେ–“ତୁମେ ଦୁହେଁ କୌଣସି ଗୁରୁତର ବିଷୟ ଆଲୋଚନା କରୁଥିବା ପରି ମନେ ହେଉଚି । ଘଟଣାଟା କଣ ?”

 

ଏହା ଶୁଣି ସେ ଦୁହିଁଙ୍କ ମଧ୍ୟରୁ କ୍ଳି୍ଓପାସ ବୋଲି ଜଣେ କହିଲା–“ଜେରୁଜେଲମ ସହରାସାରା ଏ ଘଟଣା ଘେନି ହଲସ୍ତୁଲ ପଡ଼ିଯାଇଚି; ତୁମେ ବୋଧହୁଏ ଏକମାତ୍ର ଲୋକ ଯେ କି ଏ କଥା ଏ ଯାଏ ଶୁଣି ନାହିଁ ।”

 

କାବା ହେଲା ପରି ଯୀଶୁ ପୁଣି ପଚାରିଲେ–“କି କଥା ?”

 

କ୍ଳିଓପାସ ଉତ୍ତର ଦେଲା–“ଯୀଶୁ ବୋଲି ଜଣେ ନାଜାରେଥବାସୀ ଏଠାରେ ଥିଲେ । ସେ ଅତି ଧର୍ମପରରାୟଣ ଏବଂ ନିଜକୁ ଈଶ୍ୱରଙ୍କର ପୁତ୍ର ଓ ପାପୀମାନଙ୍କର ତ୍ରାଣକର୍ତ୍ତା ବୋଲି କହୁଥିଲେ । ହଜାର ହଜାର ଲୋକ ତାଙ୍କ କଥା ଶୁଣିବା ଲାଗି ରୁଣ୍ଡ ହେଉଥିଲେ, ମାତ୍ର ଇହୁଦୀ ନେତା ଓ ରାବିମାନେ ତାଙ୍କ ବିରୁଦ୍ଧରେ ନାନାପ୍ରକାର ଦୋଷାରୋପ କରିବାରୁ ଗଲା ଶୁକ୍ରବାର ଦିନ ତାଙ୍କୁ କ୍ରୁଶରେ ମାରିଦିଆଗଲା; ଏବଂ ତାଙ୍କ ଶରୀରଟାକୁ ଗୋଟାଏ ଗୁହା ଭିତରେ କବର ଦିଆଗଲା; କିନ୍ତୁ ଆଜି ସକାଳୁ ଦେଖାଯାଉଚି ଯେ କବର ଭିତରେ ତାଙ୍କର ଶରୀରଟା ନାହିଁ, ଏବଂ ଦୁଇଜଣ ସ୍ତ୍ରୀ ଲୋକ ପ୍ରଚାର କରୁଚନ୍ତି ଯେ ଜଣେ ଦେବଦୂତ ସେମାନଙ୍କୁ କହିଲେ–“ଯୀଶୁ ପୁଣି ଜୀବନ୍ତ ହୋଇଚନ୍ତି ଓ ଗ୍ୟାଲିଲିରେ ନିଜ ଶିଷ୍ୟମାନଙ୍କୁ ପୁଣି ଦେଖାଦେବେ । ଏପ୍ରକାର ଅଦଭୂତ ଓ ଆଶ୍ଚର୍ଯ୍ୟ ଘଟଣା ବିଷୟ ଆମେ ଦୁହେଁ ଆଲୋଚନା କରୁଥିଲୁ ।”

 

ଏହା ଶୁଣି ଯୀଶୁ ପ୍ରଶ୍ନ କଲେ–“ଆଚ୍ଛା, ନିଜ ଜୀବନକାଳ ମଧ୍ୟରେ ଯୀଶୁ ଏ ବିଷୟରେ କିଛି କହିଥିଲେ କି ?”

 

କ୍ଳିଓପାସ ଉତ୍ତର ଦେଲା–“ହଁ, ଯୀଶୁ କହୁଥିଲେ ଯେ ମୃତ୍ୟୁ ପରେ ସେ ପୁଣି ଜୀବନ୍ତ ହୋଇ ନିଜ ଶିଷ୍ୟମାନଙ୍କୁ ସାକ୍ଷାତ କରିବେ; ମାତ୍ର ଏପରି ଅସମ୍ଭବ କଥା ଆମେ ବିଶ୍ୱାସ କରି ପାରି ନଥିଲୁ ଏବଂ ଏବେ ମଧ୍ୟ ପ୍ରକୃତ ଘଟଣାଟା କଣ ତାହା ଆମେ ବୁଝି ପାରୁନାହୁଁ ।”

 

ଏହିପରି କଥା ହେଉ ହେଉ ଏମାର୍ ଗ୍ରାମରେ ପହଞ୍ଚି ଯିବାରୁ କ୍ଳିଓପାସ୍ ଛଦ୍ମବେଶୀ ଯୀଶୁଙ୍କୁ ତା ଘରେ ଖାଇବା ଲାଗି ନିମନ୍ତ୍ରଣ କଲା । କ୍ଳିଓପାସର ସଙ୍ଗୀ ମଧ୍ୟ ସେମାନଙ୍କ ସାଙ୍ଗରେ ଯୋଗଦେଲା ।

 

ଖାଇବା ସ୍ଥାନରେ ବସି ଯୀଶୁ କହିଲେ–“ବାସ୍ତବିକ ତୁମେମାନେ ନିତାନ୍ତ ଅବିଶ୍ୱାସୀ ! ଈଶ୍ୱରଙ୍କ ଅବତାର ରୂପେ ଆସୁଥିବା ମହାପୁରୁଷାମାନଙ୍କୁ ମଧ୍ୟ ତୁମେମାନେ ଅବିଶ୍ୱାସ କରୁଚ; ସେମାନେ କହୁଥିବା କଥାକୁ ମିଛ ବୋଲି ଭାବୁଚ । ଦୃଢ଼ ବିଶ୍ୱାସ ନ ଆସିବା ଯାଏ ତୁମେମାନେ କଦାପି ମୁକ୍ତି ପାଇ ପାରିବ ନାହିଁ ।” ଏହା କହୁ କହୁ ଯୀଶୁ ଗୋଟିଏ ରୁଟିକୁ ଖଣ୍ଡ ଖଣ୍ଡ କରି ନିଜେ ଖଣ୍ଡେ ଖାଇଲେ ଏବଂ ଉପସ୍ଥିତ ଥିବା ଅନ୍ୟମାନଙ୍କୁ ଖଣ୍ଡେ ଖଣ୍ଡେ ବାଣ୍ଟିଦେଲେ । ତା ପରେ ସେ ନିଜର ଆବରଣ ଘୁଞ୍ଚେଇ ଦେବାରୁ ଉପସ୍ଥିତ ଥିବା ସମସ୍ତେ ତାଙ୍କୁ ଚିହ୍ନିପାରି ଭୟ ଓ ବିସ୍ମୟରେ ପଥର ପାଲଟି ଗଲେ । ସେମାନେ କିଛି କହି ପାରିବା ପୂର୍ବରୁ ଯୀଶୁ ଅକସ୍ମାତ୍ ସେମାନଙ୍କ ମଧ୍ୟରୁ ଅନ୍ତର୍ଦ୍ଧାନ ହୋଇଗଲେ ।

 

ଚାହୁଁ ଚାହୁଁ ଯୀଶୁଙ୍କର ଏଇ ପୁନର୍ଜୀବନ କଥା ଚାରିଆଡ଼େ ପ୍ରଚାରିତ ହୋଇଗଲା । ତଥାପି ତାଙ୍କର କେତେକ ଶିଷ୍ୟ ତାହା ବିଶ୍ୱାସ କରି ପାରିଲେ ନାହିଁ । ଦିନେ ଯୀଶୁଙ୍କର କେତେକ ଶିଷ୍ୟ ଏକାଠି ବସି ଖାଉ ଖାଉ ଏମାର ଗ୍ରାମରେ ଘଟିଥିବା ଘଟଣା ବିଷୟରେ ଆଲୋଚନା କରୁଚନ୍ତି, ଏପରି ସମୟରେ ସେମାନେ ହଠାତ୍ ଦେଖିଲେ ଯେ ସେଇ ଘରର ଦୁଆରମୁହଁ ପାଖରେ ଯୀଶୁ ଛିଡ଼ାହୋଇଚନ୍ତି । ଏହା ଦେଖି, ତାଙ୍କୁ ପ୍ରେତାତ୍ମା ଭାବି ସେମାନେ ଭୟରେ ଥରିବାକୁ ଲାଗିଲେ । ସେମାନଙ୍କର ଏପରି ଦୟନୀୟ ଅବସ୍ଥା ଦେଖି ଯୀଶୁ କହିଲେ–“ତୁମେମାନେ କେବଳ ସନ୍ଦେହ ଓ ଅବିଶ୍ୱାସ ଯୋଗୁଁ ଏପରି ଭୟ କରୁଚ । ମୁଁ ପ୍ରେତାତ୍ମା ନୁହେଁ । ଚାହିଁ ଦେଖ, ମୋର ହାତ ଓ ପାଦରେ କଣ୍ଟାପୋଡ଼ା ହେବାର ଟିହ୍ନ ଓ ରକ୍ତ ଲାଗି ରହିଚି । ମତେ ସ୍ପର୍ଶ କରି ଦେଖ; ମୋର ଏଇ ଶରୀର ରକ୍ତ ଓ ମାଂସରେ ଗଢା କି ନୁହେଁ ।” ଏହା କହି ସେ ନିଜ ଡ଼ାହାଣ ହାତଟି ସେମାନଙ୍କ ଦିଗକୁ ବଢ଼ାଇ ଦେବାରୁ ସେମାନେ ଜଣ ଜଣ ହୋଇ ସ୍ପର୍ଶ କରି ଦେଖିଲେ ଯେ ପ୍ରକୃତରେ ତାହା ରକ୍ତ ମାଂସରେ ଗଢ଼ା ଜୀବନ୍ତ ଶରୀର । ସେମାନଙ୍କୁ ଅଧିକ ପ୍ରତ୍ୟୟ ଦେବା ଲାଗି ଯୀଶୁ ପୁଣି କହିଲେ–“ମତେ କିଛି ଖାଇବାକୁ ଦିଏ ।” ଏହା ଶୁଣି ସେମାନେ ତାଙ୍କୁ ଗୋଟିଏ ରୁଟି ଓ ଖଣ୍ଡେ ଭଜା ମାଛ ଦେଲେ । ସେମାନଙ୍କର ସମ୍ମୁଖରେ ତାହା ଖାଇ ଯୀଶୁ କହିଲେ–“ମୁଁ ପୁଣି ଗ୍ୟାଲିଲିରେ ତୁମମାନଙ୍କୁ ଦେଖା ଦେଇ ପିତାଙ୍କ ନିକଟକୁ ସ୍ୱର୍ଗରାଜ୍ୟକୁ ଚାଲିଯିବି ।”

 

ଯୀଶୁଙ୍କର ବାରଜଣ ପ୍ରଧାନ ଶିଷ୍ୟଙ୍କ ମଧ୍ୟରୁ ଦୁଇଜଣ, ପିଟର ଓ ଟମାସ–ତାଙ୍କର ପୁନରୁତଥାନ ସମ୍ପର୍କରେ ସମ୍ପୂର୍ଣ୍ଣ ନିଃସନ୍ଦେହ ହୋଇପାରି ନ ଥିଲେ । ଏମାର ଗ୍ରାମରେ ଘଟିଥିବା ଘଟଣା ବିଷୟ ଶୁଣି ମଧ୍ୟ ଟମାସ୍ କହିଲେ–“ଯିଏ ଯେତେ କହିଲେ ସୁଦ୍ଧା, ମୁଁ ନିଜ ଆଖିରେ ଏପରି ଘଟଣା ପ୍ରତ୍ୟକ୍ଷ ନ କରିବା ପର୍ଯ୍ୟନ୍ତ ତାହା ବିଶ୍ୱାସ କରିବି ନାହିଁ ।” ଯେଉଁଦିନ ଟମାସ୍ ଏକଥା କହିଲେ, ସେହି ଦିନ ରାତିରେ ସେ ଓ ତାଙ୍କର କେତେଜଣ ବିଶ୍ୱସ୍ତ ସଙ୍ଗୀ ଯୀଶୁଙ୍କ ବାଣୀ ଲୋକମାନଙ୍କ ମଧ୍ୟରେ କିପରି ଭାବରେ ପ୍ରଚାର କରାଯିବ ସେ ବିଷୟ ଆଲୋଚନା କରୁଥିଲେ । ଇହୁଦୀ ପୁରୋହିତ ଓ ନେତାମାନଙ୍କ ଭୟରେ ସେମାନେ ଘର କବାଟ କିଳିଦେଇଥିଲେ । ଆଲୋଚନା ଚାଲିଥିବା ସମୟରେ ସେଇ ବନ୍ଦ ଘର ଭିତରେ ହଠାତ୍ ଯୀଶୁ ଆବିର୍ଭୂତ ହୋଇ, ଟମାସଙ୍କୁ ସମ୍ବୋଧନ କରି କହିଲେ–“ତୁମ ଇଚ୍ଛା ପୂରଣ କରିବା ଲାଗି ମୁଁ ଏଠାକୁ ଆସିଲି । ଏଇ ଦେଖ, ମୋ ହାତ ଓ ପାଦରେ କଣ୍ଟା ଓ ରକ୍ତର ଚିହ୍ନ । ଆଗକୁ ଆସି ମତେ ସ୍ପର୍ଶ କରି ଦେଖ ଯେ ମୋର ଏଇ ଶରୀର ହାଡ଼ ମାଂସରେ ଗଢ଼ା ।” ଏହା ଶୁଣି ଟମାସ୍ ଭୟ ଓ ଭକ୍ତିରେ ବିହ୍ୱଳହୋଇ କାନ୍ଦି କାନ୍ଦି କହିଲେ–“ପ୍ରଭୁ ! ଆପଣଙ୍କର କଥାକୁ ମୁଁ ସର୍ବାନ୍ତଃକରଣରେ ବିଶ୍ୱାସ କରୁଚି ।” ଯୀଶୁ ଉତ୍ତର ଦେଲେ–“ତୁମେ ସ୍ୱଚକ୍ଷୁରେ ଦେଖି ଏବେ ବିଶ୍ୱାସ କରୁଚ; ମାତ୍ର ଯେଉଁମାନେ ନିଜେ କିଛି ନ ଦେଖି ମଧ୍ୟ ଏହା ବିଶ୍ୱାସ କରିଛନ୍ତି, ସେମାନଙ୍କର ବିଶ୍ୱାସ ତୁମଠାରୁ ଯଥେଷ୍ଟ ଅଧିକ ଦୃଢ଼ ଏବଂ ସେଇମାନେହିଁ ଧନ୍ୟ ।” ଏହା କହି ଯୀଶୁ ପୁଣି ଅଦୃଶ୍ୟ ହୋଇଗଲେ ।

 

ପରଦିନ ସକାଳ । ଚାରିଆଡ଼େ ଘନ କହୁଡ଼ି ଘେରି ରହିଚି । ପିଟର ଓ ତାଙ୍କର କେତେକ ସଙ୍ଗୀ ଡ଼ଙ୍ଗା ଧରି ଗ୍ୟାଲିଲି ହ୍ରଦକୁ ମାଛ ମାରି ଯାଇଛନ୍ତି । ବାରଂବାର ଜାଲ ପକାଉଥିଲେ ସୁଦ୍ଧା ଗୋଟାଏ ହେଲେ ମାଛ ପଡ଼ୁ ନଥାଏ । କିଛି ସମୟ ପରେ କ୍ରମେ ସେମାନେ ହତାଶ ହୋଇପଡ଼ିଲେ । ଏପରି ସମୟରେ କୂଳରୁ କିଏ ଜଣେ ପଚାରିଲା–“ପିଲାଏ, କେତେ ମାଛ ପାଇଲାଣି ?” ଘନ କୁହୁଡ଼ି ଭିତରେ ସେମାନେ ଅସ୍ପଷ୍ଟ ଭାବରେ ଦେଖିଲେ ଯେ ପାଣି ପାଖରେ ଛିଡ଼ା ହୋଇ ଜଣେ ଲୋକ ଏ କଥା ପଚାରୁଚି । ତାକୁ ଜଣେ ଗରାଖ ବିଚାରି ପିଟର ହତାଶ ସ୍ୱରରେ କହିଲେ–“ଆଜି ଭାଗ୍ୟ ବଡ଼ ଖରାପ, ଏ ଯାଏ କିଛି ହେଲେ ମିଳିନାହିଁ ।” ଛିଡ଼ା ହୋଇଥିବା ଲୋକଟି କହିଲା–“ଆଚ୍ଛା, ତୁମ ଡ଼ାହାଣ ପଟ ପାଣିରେ ପୁଣି ଥରେ ଜାଲ ପକାଇ ଦେଖ ।” ତା କଥା ମାନି ଡ଼ାହାଣ ପଟେ ଜାଲ ପକାଇବା ପରେ ପିଟର କାବା ହୋଇ ଦେଖିଲେ ଯେ ବହୁ ପରିମାଣ ମାଛ ଧରା ପଡ଼ିଚନ୍ତି । ଏହା କିପରି ସମ୍ଭବ ହେଲା ବୋଲି ପିଟର ଭାବୁଚନ୍ତି, ଏପରି ସମୟରେ କୂଳରେ ଛିଡ଼ା ହୋଇଥିବା ଲୋକଟି କହିଲା–“ଏଥର ତୁମ ବାଁ ପଟ ପାଣିରେ ଜାଲ ପକାଅ ।” ମନ୍ତ୍ରମୁଗଧ ପରି ପିଟର ସେହିପରି କଲେ ଏବଂ ଏଥର ମଧ୍ୟ ତାଙ୍କ ଜାଲରେ ପ୍ରଚୁର ପରିମାଣ ମାଛ ଧରାପଡ଼ିଲେ । ଏହା ଦେଖି ପିଟରଙ୍କ ସଙ୍ଗରେ ଥିବା ଯୀଶୁଙ୍କର ଆଉ ଜଣେ ଶିଷ୍ୟ ହଠାତ୍ କହିପକାଇଲା–“ଏ ନିଶ୍ଚେ ଆମର ପ୍ରଭୁ ଯୀଶୁଙ୍କ ଛଡ଼ା ଆଉ କେହି ନୁହନ୍ତି ।” ଏ କଥା ପଦକ ଶୁଣିବା ମାତ୍ରେ ପିଟର ହଠାତ୍ ପାଣି ଭିତରକୁ କୁଦିପଡ଼ି ପ୍ରାଣପଣ ଶକ୍ତିରେ କୂଳଆଡ଼କୁ ପହଁରିବାରେ ଲାଗିଲେ । ଡ଼ଙ୍ଗାଟା ସେତେବେଳକୁ କୂଳଠାରୁ ପ୍ରାୟ ତିନିଶହ ହାତ ଦୂରରେ ଥିଲା । ପିଟର ପହଁରିବାକୁ ଆରମ୍ଭ କରିବାରୁ, ତାଙ୍କର ସଙ୍ଗୀମାନେ ଧରା ହୋଇଥିବା ମାଛତକ ସଜାଡ଼ି ରଖି ଖୁବ୍ ଶୀଘ୍ର ଶୀଘ୍ର ଡ଼ଙ୍ଗାଟା କୂଳଆଡ଼କୁ ବୋହିଆଣିବାରେ ଲାଗିପଡ଼ିଲେ । କୂଳରେ ପହଂଚି ସେମାନେ ଦେଖିଲେ ଯେ ପ୍ରକୃତରେ ଯୀଶୁ ସେଠାରେ ଛିଡ଼ା ହୋଇଚନ୍ତି ଏବଂ ତାଙ୍କ ସାମନାରେ ଗୋଟିଏ ଡ଼ାଲାରେ କେତେକ ରୁଟି ରଖାଯାଇଚି । ସେମାନେ ପହଂଚିବାରୁ ଯୀଶୁ କହିଲେ–“ନିଆଁ ଜାଳି କିଛି ମାଛ ଭାଜ, ସମସ୍ତେ ଜଳଖିଆ କରିବେ ।” ସେମାନେ ନିଆଁ ଜାଳି ମାଛ ଭାଜୁ ଭାଜୁ ସେ ପ୍ରକୃତରେ ଯୀଶୁ କି ନୁହେଁ, ସେ କଥା ବିଚାରିବାକୁ ଲାଗିଲେ; ମାତ୍ର ତାଙ୍କୁ ସେ ବିଷୟରେ କୌଣସି ପ୍ରଶ୍ନ କରିବା ଲାଗି କାହାରି ସାହାସ ହେଲାନାହିଁ । ଯୀଶୁ ନିଜ ହାତରେ ସମସ୍ତଙ୍କୁ ରୁଟି ମାଛ ଭଜା ପରଷି ନିଜେ ମଧ୍ୟ ସେମାନଙ୍କ ସଙ୍ଗରେ ଖାଇଲେ । ଜଳଖିଆ ସରିବା ପରେ ଯୀଶୁ ପିଟରଙ୍କୁ ପଚାରିଲେ–“ପିଟର, ତୁମେ କଣ ସମସ୍ତଙ୍କ ଅପେକ୍ଷା ମତେ ଅଧିକ ସ୍ନେହ କର ?”

 

ବିନୀତ ଭାବରେ ପିଟର କହିଲେ–“ପ୍ରଭୁ, ମୁଁ ଆପଣଙ୍କୁ ସର୍ବାପେକ୍ଷା ଅଧିକ ସ୍ନେହ କରେ ।”

 

ଟିକେ ପରେ ଯୀଶୁ ପୁଣି ସେି ପ୍ରଶ୍ନ ପଚାରିବାରୁ ପିଟର ପୂର୍ବପରି ଉତ୍ତର ଦେଲେ । କିଛି ସମୟ ପରେ ତୃତୀୟବାର ଯୀଶୁ ସେହି ପ୍ରଶ୍ନ ପଚାରିବାରୁ କ୍ଷୁବଧ ହୋଇ ପିଟର କହିଲେ–“ପ୍ରଭୁ, ଆପଣ ଅନ୍ତର୍ଯ୍ୟାମୀ ଓ ସର୍ବଜ୍ଞ ! ମୋ ମନ ମଧ୍ୟରେ କୌଣସି ଭାବ ଆପଣଙ୍କୁ ଅଜଣା ନାହିଁ । ତେଣୁ କାହିଁକି ଆପଣ ସେଇ ଏକ ପ୍ରଶ୍ନ ମତେ ବାରଂବାର ପଚାରୁଛନ୍ତି ?”

 

ପିଟରଙ୍କ ଅଭିମାନର ଉତ୍ତର ନ ଦେଇ ଯୀଶୁ କହିଲେ–“କର୍ତ୍ତବ୍ୟପରାୟଣ ମେଷପାଳକ ସ୍ଥାନାନ୍ତରକୁ ଯିବା ପୂର୍ବରୁ ଅନ୍ୟ କାହା ଉପରେ ନିଜର ମେଷ ଶାବକମାନଙ୍କ ଦାୟିତ୍ୱ ଅର୍ପଣ କରିଥାଏ । ସେହିପରି ନିଜ ପିତାଙ୍କ ନିକଟକୁ ଯିବା ପୂର୍ବରୁ ମୁଁ ତୁମ ଉପରେ ଏଇ ହଜାର ହଜାର ମେଷଶାବକଙ୍କ ଦାୟିତ୍ୱ ଦେଇଗଲି ।”

 

ଏହା ଶୁଣି ପିଟର କାନ୍ଦି କାନ୍ଦି କହିଲେ–“ପ୍ରଭୁ ! ଆପଣ ମୋ ପରି ଜଣେ ଅଧମ, ଅକିଞ୍ଚନକୁ ଏପରି ଗୁରୁ ଦାୟିତ୍ୱ ଦେଉଚନ୍ତି ସତ, ମାତ୍ର ମୁଁ ତାହା ତୁଲାଇବି କିପରି ?”

 

ଯୀଶୁ ଉତ୍ତର କଲେ–“ଆଜିଯାଏ ମୁଁ ତୁମକୁ ଯେପରି ଭାବରେ ଓ ଯେଉଁ ବାଟରେ ଚଳାଇ ଆଣିଲି, ତୁମେ ଠିକ୍ ସେହିପରି ଭାବରେ ଓ ସେହିବାଟରେ ଏମାନଙ୍କୁ ଚଳାଇନେବ ।”

 

ଏହା ପରେ ଯୀଶୁ ପିଟର ଓ ଅନ୍ୟ ଏଗାର ଜଣ ଶ୍ରେଷ୍ଠ ଭକ୍ତଙ୍କୁ ନିଜ ନିକଟକୁ ଡାକିନେଇ ସେମାନଙ୍କ କାନ ପାଖରେ ମୁହଁଲଗାଇ ଫୁଙ୍କି ଦେଇ କହିଲେ–“ମୋ ଭିତରେ ଥିବା ପବିତ୍ର ଶକ୍ତିକୁ, ମୁଁ ତୁମମାନଙ୍କ ମଧ୍ୟରେ ବାଣ୍ଟି ଦେଲି । ଏଇ ମୂହୂର୍ତ୍ତଠାରୁ ତୁମେମାନେ ଯାହା ଲାଗି ଯାହା ପ୍ରାର୍ଥନା କରିବ, ତାହା ସପଳ ହେବ ଏବଂ ମୃତ୍ୟୁ ପରେ ମଧ୍ୟ ସେମାନଙ୍କର ଆତ୍ମାର ସଦ୍‌ଗତି ତୁମମାନଙ୍କର ଇଚ୍ଛାଧୀନ ରହିବ । ବର୍ତ୍ତମାନ ତୁମମାନଙ୍କଠାରୁ ମୋର ଶେଷ ବିଦାୟ ଘେନିବାର ସମୟ ଉପସ୍ଥିତ ହୋଇଗଲାଣି ।

 

ଏହା କହୁ କହୁ ଯୀଶୁ ଛିଡ଼ାହୋଇଥିବା ସ୍ଥାନର ଚତୁର୍ଦ୍ଦିଗ ଏକ ସ୍ୱର୍ଗୀୟ ଜ୍ୟୋତିରେ ଅତ୍ୟନ୍ତ ଉଜ୍ଜ୍ୱଳ ଦିଶିଲା ଏବଂ ଶରୀରରୁ ମଧ୍ୟ ସୂର୍ଯ୍ୟପରି ରଶ୍ମି ବିଚ୍ଛୁରିତ ହେବାକୁ ଲାଗିଲା । ଚାହୁଁ ଚାହୁଁ ଯୀଶୁଙ୍କର ସେଇ ଦିବ୍ୟରୂପ ଅନନ୍ତ ଆକାଶଆଡ଼କୁ ଉଠୁ ଉଠୁ କ୍ରମେ ଦୁଷ୍ଟିସୀମା ବାହାରକୁ ଚାଲିଗଲା ।

Image

 

ଧର୍ମର ଜୟଯାତ୍ରା

 

ଯୀଶୁଙ୍କ ସ୍ୱାର୍ଗାରୋହଣର ପଚାଶ ଦିନ ପରେ, ତାଙ୍କଠାରୁ ଦିବ୍ୟଶକ୍ତି ପାଇଥିବା ବାରଜଣଯାକ ଶିଷ୍ୟ ନିଜ ଶକ୍ତିର ପ୍ରତ୍ୟକ୍ଷ ପ୍ରମାଣ ପାଇଁ ଏବଂ ଯୀଶୁ ଶିଖାଇଥିବା ଧର୍ମନୀତିର ପ୍ରଚାର ଲାଗି ବଦ୍ଧପରିକର ହେଲେ । ତେଣୁ, ସେଦିନ ସେମାନେ ଏକାଠି ଜେରୁଜେଲମ ନିକଟବର୍ତ୍ତୀ ଅଲିଭ ପାହାଡ଼ ଉପରେ ବସି କାମନା କଲେ ଯେ ଏପରି ଗୋଟାଏ କିଛି ଘଟୁ ଯାହା ଫଳରେ ସେଇ ସହରରେ ରହୁଥିବା ସବୁ ଲୋକ ସେମାନଙ୍କ ନିକଟରେ ରୁଣ୍ଡ ହେବେ, ଏବଂ ସେମାନଙ୍କ ମୁହଁରୁ ବାହାରୁଥିବା ଯୀଶୁଙ୍କର ବାଣୀ ପ୍ରତ୍ୟେକେ ହୃଦୟଙ୍ଗମ କରିପାରିବେ । ଏକଥା ସେମାନେ ଚିନ୍ତା କରିବା ମାତ୍ରେ ସେଇ ପାହାଡ଼ ଭିତରୁ ଏକ ଭୀଷଣ ଗର୍ଜନ ବାହାରବାକୁ ଲାଗିଲା, ଏବଂ ତାହା ଶୁଣି ସହର ସାରା ଲୋକେ ଭୀତ ହୋଇ ଘଟଣା କଣ ବୁଝିବା ସକାଶେ ସେଇ ପାହାଡ଼ ନିକଟକୁ ଧାଇଁଆସିଲେ । ସେମାନେ ସେଠାରେ ରୁଣ୍ଡ ହେବା ମାତ୍ରେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ପିଟର ଉଚ୍ଚକଣ୍ଠରେ ଯୀଶୁଙ୍କର ବାଣୀ ସେମାନଙ୍କୁ ଶୁଣାଇବାକୁ ଲାଗିଲେ ।

 

ସେଇ ଜନତା ମଧ୍ୟରେ ଆରବ, ଗ୍ରୀସ୍‌, ପାରସ୍ୟ, ମିଶର ପ୍ରଭୃତି ନାନା ଦେଶର ଓ ନାନା ଭାଷାଭାଷୀ ଲୋକ ଥିଲେ; ମାତ୍ର ବଡ଼ ଆଶ୍ଚର୍ଯ୍ୟର କଥା, ପ୍ରତ୍ୟେକ ଲୋକକୁ ସେହି ଉପଦେଶ ସେ ତା ନିଜ ଭାଷାରେ ଶୁଣୁଥିବା ପରି ଜଣାଗଲା; ମାତ୍ର ଏହି ଘଟଣାକୁ ଉପଲକ୍ଷ୍ୟ କରି ସେମାନଙ୍କ ମଧ୍ୟରେ ଏକ କଳହର ସୂତ୍ରପାତ ହେଲା । ଆରବ ଦେଶ ଲୋକେ କହିଲେ ଯେ ଏହା ଆରବୀ ଭାଷାରେ କୁହାଯାଉଚି, ଗ୍ରୀସ୍‌ଦେଶବାସୀମାନେ କହିଲେ ଯେ ଗ୍ରୀକ୍ ଭାଷାରେ ସେଇ ବକ୍ତୃତା ଦିଆଯାଉଚି ଏବଂ ପାରସ୍ୟବାସୀମାନେ ପାରସ୍ୟ ଭାଷାରେ ବକ୍ତା କହୁଚନ୍ତି ବୋଲି ଦାବୀ କଲେ । ସେଠାରେ ଉପସ୍ଥିତ ଥିବା କେତେକ ଇହୁଦୀ ରାବି ଘଟଣା ଗୁରୁତ୍ୱ ବୁଝି ପାରି କହିବାକୁ ଲାଗିଲେ–“ଏମାନେ ଦଳେ ଭଣ୍ଡଲୋକ, କିମିଆ ବଳରେ ତୁମମାନଙ୍କୁ ବିପଥଗାମୀ କରିବାକୁ ଚାହୁଚନ୍ତି ।”

 

ଏହା ଶୁଣି ପିଟର ଦୃପ୍ତ କଣ୍ଠରେ କହିଲେ–“ଆମେ ଆଦୌ ଭଣ୍ଡ ନୋହୁଁ ବା କୌଣସି ପ୍ରକାର କିମିଆ ମଧ୍ୟ ଆମେ କରି ନାହୁଁ । ଭଗବାନଙ୍କ ପୁତ୍ର ଯୀଶୁଙ୍କର ଇଚ୍ଛା ଓ ଆଶୀର୍ବାଦରେ ଏପ୍ରକାର ଅଲୌକିକ ଘଟଣାମାନ ଘଟୁଚି । ଆମ କଥାର ସତ୍ୟତା କେତେଦୂର, ଅତି ନିକଟରେ ସମସ୍ତେ ତାହାର ପ୍ରାମଣ ପାଇବେ ।”

 

ଜେରୁଜାଲେମ ସହରରେ ଜଣେ ଆଜନ୍ମ ପଂଗୁ ଲୋକ ଥାଏ । ତାର ଦୁଇଟିଯାକ ପାଦ ଅକାମୀ ହୋଇଥିବା ଯୋଗୁଁ କୌଣସି କାମ କରିନପାରି ସେ ସେହି ସହରରେ ଥିବା ଇହୁଦୀ ମନ୍ଦିର ଆଗରେ ବସି ଭିକ ମାଗେ, ଏବଂ ପ୍ରତିଦିନ ଯାହା ପାଏ ସେଥିରେ କୌଣସି ପ୍ରକାରେ ଚଳିଯାଏ । ପରଦିନ ଅପରାହ୍ନରେ ପିଟର ଓ ଜନ୍ ସେହି ମନ୍ଦିରକୁ ଗଲେ । ମନ୍ଦିର ଭିତରକୁ ପଶିବା ସମୟରେ ସେଇ ପଂଗୁ ଜଣକ ସେମାନଙ୍କଠାରୁ କିଛି ଅର୍ଥ ମାଗିଲା । ପିଟର କହିଲେ,“ଆମ ପାଖରେ ତ ଅର୍ଥ ନାହିଁ, ତେବେ ଆମେ ଅନ୍ୟ ଉପାୟରେ ତୁମର କିଛି ଉପକାର କରିବୁ ।” ଏହା କହି ପିଟର ଉଚ୍ଚ କଣ୍ଠରେ କହିଲେ–“ଈଶ୍ୱରଙ୍କ ପୁତ୍ର ଯୀଶୁଙ୍କ ନାମରେ ମୁଁ ପ୍ରାର୍ଥନା କରୁଚି ଯେ ଏହି ବ୍ୟକ୍ତିଟିର ପାଦ ସ୍ୱାଭାବିକ ହୋଇଯାଉ ।” ଏହା କହିବା ମାତ୍ରେ ଆଜନ୍ମ ପଂଗୁ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍ୱାଭାବିକ ଭାବରେ ଚାଲିବାକୁ ଆରମ୍ଭ କଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଶହ ଶହ ଲୋକ ବିସ୍ମୟରେ ନିର୍ବାକ ହୋଇଗଲେ । ତା’ପରେ ପିଟର ଓ ଜନ୍ ସମସ୍ତଙ୍କୁ ଯୀଶୁଙ୍କର ଉପଦେଶ ଓ ବାଣୀ ଶୁଣାଇବାକୁ ଲାଗିଲେ ।

 

ସେମାନଙ୍କର ଏପ୍ରକାର ଐଶ୍ୱରିକ ଶକ୍ତି ଓ କାର୍ଯ୍ୟ କଳାପ ଦେଖି ଇହୁଦୀ ନେତା ଓ ରାବିମାନେ ବିଶେଷ ଆତଙ୍କିତ ହେଲେ । ଯୀଶୁଙ୍କୁ କ୍ରୁଶରେ ହତ୍ୟା କରିବା ପରେ ସେମାନେ ନିଜ ନିଜର ପ୍ରଭାବ ପ୍ରତିପତ୍ତି ସମ୍ବନ୍ଧରେ ଏକପ୍ରକାର ନିଶ୍ଚିନ୍ତ ହୋଇଥିଲେ; ମାତ୍ର ଯୀଶୁଙ୍କର ଶିଷ୍ୟମାନେ ଏପରି କାର୍ଯ୍ୟକଳାପ ଆରମ୍ଭ କରିବାରୁ ପୁଣି ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା । ସେମାନେ ଦଳେ ପ୍ରହରୀ ପଠାଇ ପିଟର, ଜନ୍ ଓ ଅନ୍ୟ ଦଶଜଣ ଦିବ୍ୟଶକ୍ତି ପାଇଥିବା ଶିଷ୍ୟଙ୍କୁ ଗିରଫ କରାଇ ଆଣି ପ୍ରଧାନ ରାବିଙ୍କ ସମ୍ମୁଖରେ ହାଜର କଲେ । ପ୍ରଧାନ ରାବି ସେମାନଙ୍କୁ ପଚାରିଲେ–“କେଉଁ ସାହାସ ଓ ଅଧିକାର ବଳରେ ତୁମେ ଆମର ପବିତ୍ର ମନ୍ଦିରରେ ଏପରି ଗୁଣି ବିଦ୍ୟା ଦେଖାଉଚ ?” ଏହା ଶୁଣି ପିଟର ଖୁବ୍ ତେଜରେ କହିଲେ–“ହେ ଅବିଶ୍ୱାସିଗଣ ! ତୁମେମାନେ ଖବ୍ ଭଲ ବାବରେ ଜାଣ ଯେ ଆମେ କେହି ଗୁଣିଆ ନୋହୁଁ । ଈଶ୍ୱର ପୁତ୍ର ଯୀଶୁଙ୍କର ଦୟା ଓ ଅନୁଗ୍ରହ ଯୋଗୁଁ ଆମେ ଏପରି ଶକ୍ତି ପାଇଚୁ । ତୁମେମାନେ ଯେତେ ଚେଷ୍ଟାକଲେ ସୁଦ୍ଧା ସତ୍ୟ ଓ ଧର୍ମର ପ୍ରସାରକୁ ବନ୍ଦ କରି ପାରିବ ନାହିଁ ।” ପିଟରଙ୍କର ସ୍ପଷ୍ଟ ଓ ନିର୍ଭୀକ ଉତ୍ତର ଶୁଣି ପ୍ରଧାନ ରାବି ଅନ୍ୟ ଇହୁଦୀ ନେତାମାନଙ୍କ ସହିତ ପରାମର୍ଶ କରି ସେମାନଙ୍କୁ ଜେଳଖାନାରେ ବନ୍ଦୀ କରି ରଖିଲେ । ସେଦିନ ରାତିରେ ଏଇ ଶିଷ୍ୟମାନେ ପ୍ରାର୍ଥନା କରି ସାରିବା ପରେ ସ୍ୱର୍ଗରୁ ଦଳେ ଦେବଦୂତ ଆସି ସେମାନେ ବନ୍ଦୀ ହୋଇ ରହିଥିବା କୋଠରୀଟିର ଦ୍ୱାର ଏବଂ କାରାଗାର ପ୍ରଧାନ ଫାଟକ ଫିଟାଇ ଦେଲେ । ଫଳରେ କାରାଗାରରୁ ମୁକ୍ତି ପାଇ ସେମାନେ ପୁଣି ଲୋକଙ୍କ ମଧ୍ୟରେ ଯୀଶୁଙ୍କର ବାଣୀ ଓ ମାହାତ୍ମ୍ୟ ପ୍ରଚାର କରିବାକୁ ଲାଗିଲା ।

 

ଦେବଦୂତମାନେ ଆସି କାରାଗାର ଭାଙ୍ଗି ସେମାନଙ୍କୁ ମୁକ୍ତି ଦେଇଚନ୍ତି ବୋଲି ପ୍ରଚାରିତ ହେବାରୁ ହଜାର ହଜାର ଲୋକ ସେମାନଙ୍କ କଥା ଶୁଣିବା ଲାଗି ନାନାଆଡ଼ୁ ଆସିବାକୁ ଲାଗିଲେ ଏବଂ ଶ୍ରୋତାମାନଙ୍କ ମଧ୍ୟରୁ ଅନେକେ ସେମାନେ କହୁଥିବା କଥାକୁ ବିଶ୍ୱାସ ମଧ୍ୟ କଲେ । ଫଳରେ ଇହୁଦୀମାନେ ପୁଣି ସେମାନଙ୍କୁ ପ୍ରଧାନ ରାବିଙ୍କ ବିଚାରାଳୟକୁ ଧରି ଆଣିବାକୁ ପ୍ରଧାନ ରାବି କହିଲେ–“ଦେଖ; ଆମେ ତୁମମାନଙ୍କୁ ଦଣ୍ଡ ଦେବା ଲାଗି ଇଚ୍ଛା କରୁନାହୁଁ; ମାତ୍ର ସାବଧାନ, କାହାରି ପାଖରେ ଯୀଶୁର ନାଁ ଉଚ୍ଚାରଣ କରିବ ନାହିଁ । ସେପରି କଲେ ତୁମମାନଙ୍କୁ ମଧ୍ୟ ଯୀଶୁ ପରି କ୍ରୁଶ ଉପରେ ହତ୍ୟା କରାଯିବ ।”

 

ଏହା ଶୁମି ଜନ୍ ଉତ୍ତର ଦେଲେ–“ତୁମେମାନେ ଚାହୁଁଚ ଯେ ଆମେ ଈଶ୍ୱରଙ୍କ ମାହାତ୍ମ୍ୟ ପ୍ରଚାର ନ କରି ତୁମ ମାହାତ୍ମ୍ୟ ପ୍ରଚାର କରିବୁ; ମାତ୍ର କେଉଁଟା କରାଯିବା ଉଚିତ, ସେ କଥା ସ୍ୱୟଂ ଈଶ୍ୱର ଏହିକ୍ଷଣି ଏହିଠାରେ ସମସ୍ତଙ୍କ ଉପସ୍ଥିତିରେ ବୁଝାଇଦେବେ ।”

 

ଜନ୍ ଏହା ଶୁଣି କହିବା ମାତ୍ରେ ବିଚାରଳୟର ବିଶାଳ କକ୍ଷଟି ସମୁଦ୍ର ତରଙ୍ଗରେ ଡ଼ଙ୍ଗା ପରି ଦୋହୋଲିବାକୁ ଲାଗିଲା ଏବଂ ଆକାଶରୁ ଓ ମାଟିତଳୁ ଭୟଙ୍କର ଗର୍ଜନ ଓ ଘର୍ଘର ଶବ୍ଦ ଶୁଣାଗଲା । ଏହି ଘଟଣା ଦେଖି ରାବି ଓ ଉପସ୍ଥିତ ଥିବା ଦର୍ଶକମାନେ ବିଶେଷ ଭୀତ ହୋଇ ଏଇ ଶିଷ୍ୟମାନଙ୍କୁ ସଙ୍ଗେ ସଙ୍ଗେ ଖଲାସ କରିଦେଲେ । ଶିଷ୍ୟମାନେ ବିଚାରାଳୟରୁ ବାହାରି ପଦାରେ ପାଦ ପକାଇବା ମାତ୍ରେ ସେହି ମାରାତ୍ମାକ ପରିବେଶ ପୁଣି ଶାନ୍ତ ଓ ସ୍ୱାଭାବିକ ହୋଇଗଲା ।

 

ଏହି ସମୟରେ ଆନିଆସ ନାମରେ ଜଣେ ଖୁବ୍ ଧନୀ ଓ ଲୋଭୀ ଇହୁଦୀ ଥିଲା । ସେ ଏବଂ ତାର ପତ୍ନୀ ସାପିରା ଦୁହେଁ ମିଶି ଜଣେ ମଧ୍ୟବିତ୍ତ ଲୋକଠାରୁ କିଛି ସମ୍ପତ୍ତି କିଣିଲେ । କିଣିବା ସମୟରେ ସେମାନେ ଅଧା ଟଙ୍କା ଦେଇ ସମ୍ପତ୍ତିର ଦଖଲ ନେଲେ ଏବଂ ଅବଶିଷ୍ଟ ଟଙ୍କା ତାକୁ ପରେ ଦେଇଦେବେ ବୋଲି କହିଲେ; ମାତ୍ର ପରେ ସେଇ ବିକିଥିବା ଲୋକଟି ନିଜର ପାଊଣା ଟଙ୍କା ମାଗିବାକୁ ଆସିବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ତାକୁ କହିଲେ ଯେ ଆମେ ତୁମର ସବୁ ପ୍ରାପ୍ୟ ଦେଇଦେଇଛୁ, ଆମଠାରେ ତୁମର ଆଉ କିଛି ପାଊଣା ନାହିଁ । ଏପ୍ରକାର ବିଶ୍ୱାସଘାତକତା ଯୋଗୁ ନିରୁପାୟ ହୋଇ ବିକ୍ରେତାଟି କାନ୍ଦିବାକୁ ଲାଗିଲା । ସେହି ସମୟରେ ପିଟର ସେଇ ବାଟରେ ଯାଉଥିଲେ । ସେ ଲୋକଟିର ବିକଳ ଦେଖି ଓ ତାଠାରୁ ସବୁ ଶୁଣି ସିଧାସଳଖ ଆନିଆସ ଘରେ ଯାଇ ଉପସ୍ଥିତ ହେଲେ । ସେତେବେଳେ ସାପିରା ଜଣେ ଆତ୍ମୀୟଙ୍କ ଘରକୁ ଯାଇଥିଲା ଏବଂ ଆନିଆସ ଏକାକୀ ଘରେ ଥିଲା । ପିଟର ତାକୁ ସେଇ ବିକ୍ରେତାର ନ୍ୟାଯ୍ୟ ପାଊଣା ଦେଇ ଦେବା ସକାଶେ ଅନୁରୋଧ କରିବାରୁ ଆଲିଆସ୍ ସିଧାସଳଖ ନାହିଁ କରିଦେଲା ଏବଂ ପିଟରଙ୍କୁ ‘ଭଣ୍ଡ’ ପ୍ରତାରକ ଇତ୍ୟାଦି କହି ଗାଳିକଲା । ତାହାର ଏପ୍ରକାର ଆଚରଣରେ ବିରକ୍ତ ହୋଇ ପିଟର କହିଲେ–“ତୁମ ବିରୁଦ୍ଧରେ ଶୁଣାଯାଉଥିବା ଅଭିଯୋଗ ଯଦି ସତ ହୋଇଥାଏ, ତା ହେଲେ ଏଇ ମୂହୂର୍ତ୍ତରେ ତୁମର ମୃତ୍ୟୁ ଘଟିବ ।” ପିଟରଙ୍କ ମୁହଁରୁ କଥା ପଦକ ବାହାରିବା ମାତ୍ରେ ଆନିଆସର ପ୍ରାଣହୀନ ଦେହଟା ଭୂଇଁ ଉପରେ କଟା କଦଳୀ ଗଛ ପରି କଚାଡ଼ି ହୋଇ ପଡ଼ିଲା । ଏ ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଆନିଆସର ଆତ୍ମୀୟସ୍ୱଜନ ଓ ପଡ଼ୋଶୀମାନେ ଆତଙ୍କିତ ହୋଇ ପିଟରଙ୍କ ପାଦତଳେ ପଡ଼ି ତାଙ୍କର କ୍ଷମା ପ୍ରାର୍ଥନା କଲେ ଏବଂ ଆନିଆସର ମୁର୍ଦ୍ଦାରକୁ ବୋହି ନେଇ ତାର ବାଡ଼ି ପଛପଟେ କବର ଦେଲେ ।

 

ଆନିଆସକୁ କବର ଦିଆଯିବାର କିଛି ସମୟ ପରେ ସାପିରା ନିଜ ଘରେ ପହଞ୍ଚି ସବୁ କଥା ଶୁଣି ପିଟରଙ୍କୁ ଗାଲିଦେଇ କହିଲା–“ତୁମେ ଯୀଶୁ ପରି ଭଣ୍ଡ ଲୋକର ଶିଷ୍ୟ ହୋଇଥିବା ଯୋଗୁଁ ମୋ ସ୍ୱାମୀ ପରି ଜଣେ ନିର୍ଦ୍ଦୋଷ ଲୋକର ମୃତ୍ୟୁ ଘଟାଇଲ ।” ଏହା ଶୁଣି ପିଟର କହିଲେ–“ସ୍ୱାମୀର ଦୋଷ ଗୁଣରେ ସ୍ତ୍ରୀର ମଧ୍ୟ ଭାଗ ଥାଏ । ତୁମର ସ୍ୱାମୀ ଯଦି ଯଥାର୍ଥରେ ଦୋଷୀ ହୋଇଥିବ, ତେବେ ତୁମେ ମଧ୍ୟ ତାରି ଦଶା ଭୋଗ କର ।” ସେ ଏହି ଏକଥା କହିବା ମାତ୍ରେ ସାପିରା ସେଠାରେ ମରି ପଡ଼ିରହିଲା ଏବଂ ଉପସ୍ଥିତ ଆତ୍ମୀୟସ୍ୱଜନ ତାକୁ ମଧ୍ୟ ଆନିଆସ ନିକଟରେ କବର ଦେଲେ ।

 

ଏହି ସବୁ ଘଟଣା ଦେଖି ଇହୁଦୀମାନେ ଏପରି ଭୀତ ହୋଇଗଲେ ଯେ ସେମାନେ ଆଉ ପିଟର ଓ ତାଙ୍କର ଏଗାରଜଣ ସଙ୍ଗୀଙ୍କର କୌଣସି କାର୍ଯ୍ୟରେ ବାଧା ଦେବା ଲାଗି ସାହାସ କଲେନାହିଁ । ଫଳରେ ସେମାନେ ନିର୍ବିଘ୍ନରେ ଜନ-ସମାଜରେ ବୁଲି ବୁଲି ଯୀଶୁଙ୍କର ମାହାତ୍ମ୍ୟ ଓ ବାଣୀ ପ୍ରଚାର କରିବାକୁ ଲାଗିଲେ । ପୁଣି ସେମାନଙ୍କ ସହିତ ଭେଟ ହେଉଥିବା ବହୁ ଅନ୍ଧ ପଂଗୁ ଓ ଅସୁସ୍ଥ ଲୋକଙ୍କୁ ଯୀଶୁଙ୍କଠାରୁ ପାଇଥିବା ଦିବ୍ୟଶକ୍ତି ବଳରେ ଆରୋଗ୍ୟ କରି ସମଗ୍ର ଜୁଡ଼ିଆ, ମିଶର ଓ ଗ୍ରୀସ୍‌ ଅଞ୍ଚଳରେ ଏକ ନୂତନ ଜୀବନ ଓ ଜାଗରଣ ସୂତ୍ରପାତ କଲେ । ଅଳ୍ପ ଦିନ ମଧ୍ୟରେ ଏଇ ନବଜାଗରଣ ଦୁର୍ବାର ସ୍ରୋତ ପ୍ରଚଣ୍ଡ ଶକ୍ତିଶାଳୀ ଓ ଅତ୍ୟାଚାରର କେନ୍ଦ୍ରସ୍ଥଳ ରୋମ ସାମ୍ରାଜ୍ୟକୁ ମଧ୍ୟ ନିଜର ଅଧୀନସ୍ଥ କଲା । ସତ୍ୟ ଏବଂ ଧର୍ମର ଜୟ ଆଉ ମିଥ୍ୟା ଏବଂ ଅଧର୍ମର ପରାଜୟ ଯେ ସୁନିଶ୍ଚିତ, ଏହା ପୁଣି ଥରେ ପୃଥିବୀର ଇତିହାସରେ ପ୍ରମାଣିତ ହେଲା ।

Image